ଆର ପାରିରେ ହକି କିମ୍ବଦନ୍ତୀ ପଦ୍ମଶ୍ରୀ ବଲବୀର ସିଂହ

ତିନି ଥର ଅଲିମ୍ପିକ୍ ସ୍ଵର୍ଣ୍ଣପଦକ ବିଜେତାଙ୍କ ୯୫ ବର୍ଷରେ ଦେହାନ୍ତ

ନୂଆଦିଲ୍ଲୀ: ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ବଲବୀର ସିଂହ ସିନିଅର୍ ଭାବେ ସୁପରିଚିତ ତିନି ଥର ଅଲିମ୍ପିକ୍ ସ୍ଵର୍ଣ୍ଣପଦକ ଜିଣିଥିବା ହକି କିମ୍ବଦନ୍ତୀ ବଲବୀର ସିଂହ ଦୋସାଞ୍ଝଙ୍କର ଆଜି ଦେହାନ୍ତ ହୋଇଯାଇଛି। ମୋହାଲିସ୍ଥିତ ଫୋର୍ଟିଜ୍ ହସ୍ପିଟାଲ୍‌ର ନର୍ଦ୍ଦେଶକ ଅଭିଜିତ ସିଂହ କହିଛନ୍ତି ଆଜି ସକାଳ ପ୍ରାୟ ୬: ୩୦ ମିନିଟ୍‌ରେ ତାଙ୍କର ଦେହାନ୍ତ ହୋଇଛି। ମେ ୮ ତାରିଖ ଦିନ ୯୫ ବର୍ଷିୟ ବଲବୀର ସିନିଅରଙ୍କୁ ଫୋର୍ଟିଜ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ମସ୍ତିଷ୍କରେ ରକ୍ତ ଜମାଟବାନ୍ଧିବା ଯୋଗୁଁ ମେ ୧୮ ତାରିଖରୁ ସେ ଅର୍ଦ୍ଧ-କୋମା ଅବସ୍ଥାରେ ଥିଲେ। ଜାନୁଆରି ୨୦୧୯ରେ ବଲବୀର ସିନିଅର୍ ୧୦୮ ଦିନ ଧରି ପିଜିଆଇ, ଚଣ୍ଡିଗଡ଼ରେ ଚିକିତ୍ସାଧୀନ ରହି ଘରକୁ ଫେରିଥିଲେ। ସେଠାରେ ତାଙ୍କର ବ୍ରୋଙ୍କିଆଲ୍ ନିମୁନିଆ ଚିକିତ୍ସା ହେଉଥିଲା। ବଲବୀର ସିନିଅରଙ୍କର ସୁଶ୍‌ବୀର ନାମକ ଜଣେ କନ୍ୟା ଓ କନ୍‌ୱାଲ୍‌ବୀର, କରନ୍‌ବୀର ଏବଂ ଗୁରବୀର ନାମକ ତିନି ପୁଅ ଅଛନ୍ତି। ଆଧୁନିକ ଅଲିମ୍ପିକ୍ ଇତିହାସରେ ଆନ୍ତର୍ଜାତିକ ଅଲିମ୍ପିକ୍ କମିଟି ଦ୍ୱାରା ଚୟନ ହୋଇଥିବା ୧୬ କିମ୍ବଦନ୍ତୀଙ୍କ ମଧ୍ୟରେ ସେ ଥିଲେ ଜଣେ ମାତ୍ର ଭାରତୀୟ। ଅତୁଳନୀୟ ଫର୍‌ୱାର୍ଡ ଖେଳାଳି ବଲବୀର ସିନିଅର୍ ୧୯୪୮, ୧୯୫୨ ଏବଂ ୧୯୫୬ କ୍ରୀଡ଼ାରେ ଅଲିମ୍ପିକ୍ ସ୍ଵର୍ଣ୍ଣପଦକ ପାଇଥିଲେ। ୧୯୭୫ରେ ମାଲେସିଆରେ ବିଶ୍ୱକପ୍ ଜିଣିଥିବା ଭାରତୀୟ ହକି ଦଳର ସେ ଥିଲେ ପ୍ରଶିକ୍ଷକ। ଅଲିମ୍ପିକ୍ କ୍ରୀଡ଼ାର ହକି ଫାଇନାଲ୍‌ରେ ସେ ବ୍ୟକ୍ତିଗତ ଭାବେ ଦେଇଥିବା ଗୋଲ୍ ସଂଖ୍ୟାର ରେକର୍ଡ ଏବେ ମଧ୍ୟ ଅପରାଜେୟ ହୋଇ ରହିଛି। ହକି କିମ୍ବଦନ୍ତୀ ବଲବୀରଙ୍କୁ ୧୯୫୭ରେ ପଦ୍ମଶ୍ରୀ ଏବଂ ୨୦୧୫ରେ ହକି ଇଣ୍ଡିଆ ପ୍ରଦତ୍ତ ମେଜର୍ ଧ୍ୟାନ ଚାନ୍ଦ ଲାଇଫ୍ ଟାଇମ୍ ଆଚିଭ୍‌ମେଣ୍ଟ୍ ଆୱାର୍ଡ ମିଳିଥିଲା।

Share Now:

Kalinga News Beuro

Next Post

ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମ୍ଭାବନା:୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

Mon May 25 , 2020
ଭୁବନେଶ୍ୱର: ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଅସହ୍ୟ ତାତି ଓ ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ହେବ ସମଗ୍ର ଓଡ଼ିଶା। ତେବେ, ଆଗାମୀ ୫ ଦିନ ପାଇଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେବା ସହ ତାତିରୁ ନିସ୍ତାର ନାହିଁ ବୋଲି ସତର୍କ କରାଇଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ମଙ୍ଗଳବାର ଅପରାହ୍ନ ସୁଦ୍ଧା ପଶ୍ଚିମ ଓଡ଼ିଶାର ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial