ବିନା ବାଜା, ରୋ‌ଶଣିରେ ଅନୁଷ୍ଠିତ ହେବ ଶ୍ରୀଲିଙ୍ଗରାଜଙ୍କ ବିବାହ

ରହିବେ ୭ଜଣ ସେବାୟତ, ଆସିବ ଯୌତୁକ ଇନ୍ଦ୍ରହାତୀ

ପୁରୁଣା ଭୁବନେଶ୍ୱର: ବାଜିବନି ବାଜା, ଫୁଟିବନି ବାଣ, ଜଳିବନି ଲାଇଟ୍‌। ମଶାଲ, ଘଣ୍ଟ, କାହାଳି ବାଜି ଠାକୁର ଯାତ୍ରା କରିବେ। ଲକ୍‌ଡାଉନ୍‌ ଯୋଗୁଁ ଏପରି କଟକଣାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ନୀତି ସମ୍ପନ୍ନ ହେବ। କୌଣସି ଶୋଭାଯାତ୍ରା ନକରି ନିରାଡ଼ମ୍ବର ଭାବେ ଠାକୁରଙ୍କ ବିବାହ ପାଇଁ ଯିବେ। ବିବାହ ସମୟରେ ମାତ୍ର ୭ଜଣ ସେବାୟତ ରହି ନୀତି ସମ୍ପାଦନ କରିବେ। ସେମାନେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ବ୍ୟବହାର କରିବେ। ଠାକୁରଙ୍କ ବିବାହରେ ଯିବା ପୂର୍ବରୁ ସେବାୟତଙ୍କ ସ୍କ୍ରିନିଂ କରାଯିବ। ଲକ୍‌ଡାଉନ୍‌ ଯୋଗୁଁ ରୁକୁଣା ରଥଯାତ୍ରା, ଚନ୍ଦନଯାତ୍ରା ବନ୍ଦ ପରେ ଏହି ବିବାହ ପରମ୍ପରା ବଜାୟ ରଖିବାକୁ ପ୍ରଶାସନ ଅନୁମତି ଦେଇଛି। ଏନେଇ ଆଜି ପ୍ରଥମେ ଟ୍ରଷ୍ଟ ବୋର୍ଡ ବୈଠକ କରାଯିବା ପରେ ବିଭିନ୍ନ ନିଯୋଗ ପ୍ରତିନିଧି ଓ ସେବାୟତମାନଙ୍କୁ ଡକାଇ ମନ୍ଦିର କାର୍ଯ୍ୟାଳୟରେ ପ୍ରଶାସନ ଆଲୋଚନା କରିଛି। ସାମାଜିକ ଦୂରତା ରଖି କିପରି ଠାକୁରଙ୍କ ବିବାହ କରାଯିବ ସେନେଇ ବିସ୍ତୃତ ଭାବେ ଆଲୋଚନା ହୋଇଛି। ବୈଠକରେ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ ଅନୁମତି ମିଳିଥିବା ନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ସୂଚନା ଦେଇଥିଲେ।
ଆସନ୍ତା ୨୭ତାରିଖରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ ଅନୁଷ୍ଠିତ ହେବ। ରାତି ୧୧ଟା ସୁଦ୍ଧା ଠାକୁର ବାହାରି ୧୧ଟା ୪୫ ମଧ୍ୟରେ କେଦାରଗୌରୀ ମନ୍ଦିରରେ ପହଞ୍ଚିବେ। ସେହିପରି ତହିଁ ଆରଦିନ ଅର୍ଥାତ୍‌ ୨୮ତାରିଖ ରାତି ୧୧ଟା ସୁଦ୍ଧା କେଦାରଗୌରୀ ମନ୍ଦିରରୁ ଦେବ ଦମ୍ପତି ବାହାରିବେ। ଆସିବା ବେଳେ ବାଟରେ ୪ଟି ସ୍ଥାନରେ ଭୋଗ ଖାଇବେ। ଯୌତୁକ ଇନ୍ଦ୍ରହାତୀ ଇନ୍ଦ୍ରରାଜା ସେବାୟତ ପାଛୋଟି ଆଣିବେ। ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ପାଇଁ ମନ୍ଦିରକୁ ଫୁଲରେ ସଜ୍ଜା ହେବନାହିଁ। କେବଳ ବିବାହ ବେଦି ଓ ପାଲିଙ୍କି, ବିମାନ ସଜ୍ଜା ଯିବ। କେଦାରଗୌରୀ ମନ୍ଦିର ଭିତରେ ବେଦି ମଣ୍ଡପ ଓ ମନ୍ଦିର ପରିସରରେ ଲାଇଟ୍‌ ଲଗାଯିବ। ପାଳିଆ ସେବାୟତ ଠାକୁରଙ୍କ ସଙ୍ଗେ ଯିବେ। ସେମାନେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ବ୍ୟବହାର କରିବେ। ଏହି ସମୟରେ ଶ୍ରୀଲିଙ୍ଗରାଜ ମନ୍ଦିର ଓ କେଦାରଗୌରୀ ମନ୍ଦିରକୁ କୌଣସି ଭକ୍ତଙ୍କୁ ଛଡ଼ାଯିବ ନାହିଁ। ଶ୍ରୀଲିଙ୍ଗରାଜ ମନ୍ଦିର, କେଦାରଗୌରୀ ମନ୍ଦିର ଓ ଠାକୁରଙ୍କ ଯିବା ଆସିବା ରାସ୍ତାରେ ଯେପରି କୌଣସି ଭକ୍ତ କିମ୍ବା ସାଧାରଣ ଲୋକ ଉପସ୍ଥିତ ନରହିବେ ଏଥିପାଇଁ ପୁଲିସ ସଜାଗ ରହିବ। ତେବେ ସାମାଜିକ ଦୂରତା ରକ୍ଷା କରି ପରମ୍ପରା ବଜାୟ ରଖିବାକୁ ମନ୍ଦିର ପ୍ରଶାସନ ସେବାୟତଙ୍କୁ ଅନୁରୋଧ କରିଛି।
ପ୍ରକାଶ ଥାଉକି, ଶ୍ରୀଲିଙ୍ଗରାଜଙ୍କ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ପାଇଁ ମନ୍ଦିର ପ୍ରଶାସନ ଓ ସେବାୟତମାନେ ଗତ ୨୧ତାରିଖରେ ବିଏମ୍‌ସି କମିସନର ଶ୍ରୀ ଚୌଧରୀଙ୍କୁ ଭେଟିଥିଲେ। କରୋନା ଯୋଗୁଁ ବହୁ ପରମ୍ପରା ଭଙ୍ଗ ହୋଇଥିବାରୁ ଠାକୁରଙ୍କ ବିବାହ ପରମ୍ପରା ବଜାୟ ରଖିବାକୁ ଉଦ୍ୟମ କରନ୍ତୁ ବୋଲି ତାଙ୍କୁ ଅନୁରୋଧ କରିଥିଲେ। ନିରାଡ଼ମ୍ବରରେ ଠାକୁରଙ୍କ ବିବାହ ପରମ୍ପରା ରକ୍ଷା କରିବା ପାଇଁ ସରାକରଙ୍କଠୁ ଅନୁମତି ଆଣିବା ପାଇଁ କହିଥିଲେ। କେବଳ ପରମ୍ପରା ରକ୍ଷା କରିବା ପାଇଁ ବିବାହ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ଅନୁମତି ମିଳିଛି। ‌‌ତେବେ ସରକାରଙ୍କ ଗାଇଡ୍‌ଲାଇନ୍‌ ନମାନିଲେ ବିଏମ୍‌ସି କମିସନର ଏହି ଅନୁମତି ବାତିଲ କରି ଦେବେ ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦାଶ କହିଛନ୍ତି। ଏହି ବୈଠକରେ ଶ୍ରୀ ଦାଶଙ୍କ ସମେତ ବରିଷ୍ଠ ସଦସ୍ୟ ତଥା ବିଏମ୍‌ସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ ଓ ବ୍ରାହ୍ମଣ ନିଯୋଗ, ବଡ଼ୁ ନିଯୋଗ, ପୂଜାପଣ୍ଡା ନିଯୋଗ, ସମର୍ଥା ନିଯୋଗର ସଭାପତି ଓ ସମ୍ପାଦକ, ବିଶୋଇ, ଆପଟିଆ, ପୁରୋହିତ, ମନ୍ଦିର ଜ୍ୟୋତିଷ, ଭଣ୍ଡାର ମେକାପ, ଚର୍ଚ୍ଚେଇତ, ସୁପରଭାଇଜର, ନୀତି କରିଣୀ, ମନ୍ଦିର ଇଲେକ୍ଟ୍ରିସିଆନ୍‌, ମନ୍ଦିର ଚପରାସି, କହାଳିଆ ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ସଙ୍ଗରୋଧ କେନ୍ଦ୍ରରେ ଅସଦାଚରଣ ଅଭିଯୋଗ ଆଣିଲେ ଯୁବତୀ

Tue May 26 , 2020
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସଙ୍ଗରୋଧ କେନ୍ଦ୍ରରେ ଯୁବତୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡ଼ିତା ଯୁବତୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଏଥିସହିତ ଅଭିଯୁକ୍ତକୁ ହେପାଜତକୁ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି। ଅଟକ ଯୁବକଙ୍କ ଘର ଦାରିଙ୍ଗବାଡ଼ି ବ୍ଲକ୍‌ ହାତିମୁଣ୍ଡା ପଞ୍ଚାୟତ ଅଞ୍ଚଳରେ ବୋଲି ସୂଚନା ମିଳିଛି। ସୂଚନା ମୁତାବକ ଦାରିଙ୍ଗବାଡିସ୍ଥିତ ଡ. ବି.ଆର୍‌ ଆମ୍ବେଦକର କଲେଜରେ ଥିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial