ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ପରାମର୍ଶ ଦେଲେ ଜିନ୍‌ପିଙ୍ଗ୍

ବେଜିଂ: ସୈନ୍ୟମାନଙ୍କ ତାଲିମକୁ ବ୍ୟାପକ କର। ଦୃଢ଼ ପ୍ରତିଜ୍ଞାର ସହିତ ସାର୍ବଭୌମତ୍ୱକୁ ରକ୍ଷା କର ଏବଂ ଦେଶର ସାମଗ୍ରିକ ସ୍ଥିରତାକୁ ରକ୍ଷା କର। ଏଥିସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ। ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର ଚୀନର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ତାଙ୍କ ଦେଶର ସେନାକୁ ଏହି ପରାମର୍ଶ ଦେଇଛନ୍ତି। କୋଭିଡ୍‌-୧୯ ସଂକ୍ରମଣ ବ୍ୟାପିବା ପରେ ଚୀନ୍‌ ସହିତ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ସହିତ ଏହାର ସମ୍ପର୍କ ଖରାପ ହୋଇଛି। ଲଦାଖରେ ଏବେ ଭାରତ ସହିତ ଚୀନ୍ ସେନା ମୁହାଁମୁହିଁ ପରିସ୍ଥିତିରେ ଅଛନ୍ତି। ହଂକଂରେ ମଧ୍ୟ ଚୀନ୍ ବିରୋଧୀ ସ୍ୱର ଦେଖାଦେଇଛି। ଏଥିସହିତ ତାଇୱାନକୁ ନିଜ ଅଧୀନକୁ ପୁଣି ଆଣିବା ଲାଗି ହେଉଥିବା ଚୀନରେ ରାଜନେତା ଓ କୂଟନୀତିଜ୍ଞମାନେ ମତ ଦେଉଛନ୍ତି। ଏଭଳି ପରିସ୍ଥିତିରେ ଚୀନ୍ ରାଷ୍ଟ୍ରପତିଙ୍କ ଏହି ଧମକ ଭାରତ ସମେତ ବିଶ୍ୱର ଅନ୍ୟ ଦେଶର ଚିନ୍ତା ବଢ଼ାଇ ଦେଇଛି। ଚୀନ୍ ରାଷ୍ଟ୍ରପତିଙ୍କ ମନ୍ତବ୍ୟକୁ ଉଦ୍ଧାର‌ କରି ଚୀନ୍‌ର ସରକାରୀ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି। ତାଇୱାନକୁ ନିଜ ଅକ୍ତିଆରକୁ ଆଣିବା ଚୀନର ପରବର୍ତ୍ତୀ ଅଭିଯାନ ବୋଲି କୁହାଯାଉଛି। ଏଥିପାଇଁ ଚୀନ୍ ସାମରିକ ଉଦ୍ୟମ ଚଳାଇଛି। ଲାୟନିଂ ଓ ସାନଡଙ୍ଗ୍ ନାମକ ଏହି ଦୁଇଟି ଯୁଦ୍ଧ ପୋତ ଏବେ ବୋହାଇ ସାଗରରେ ରହିଥିବା ଏକ ସୂତ୍ରରୁ ଜଣାଯାଇଛି। ଉଲ୍ଲେଖଯୋଗ୍ୟ, ଦୁଇଦିନ ପୂର୍ବେ ଚୀନର ବିରଷ୍ଠ କୂଟନୀତିଜ୍ଞ ୱାଙ୍ଗ ୟି ଆମେରିକାର କେତେକ ରାଜନେତାଙ୍କୁ ଦୃଢ଼ ସମାଲୋଚନା କରିଥିଲେ। କୋଭିଡ-୧୯ ମହାମାରୀ ପାଇଁ ଚୀନ୍‌କୁ ଟାର୍ଗେଟ୍‌ କରାଯାଇ ଗୁଜବ ପ୍ରଚାର କରାଯାଉଥିବାରୁ ସେ ଅ‌ସନ୍ତୋଷ ବ୍ୟକ୍ତ କରିଥିଲେ। ଚୀନ ସହିତ ଆମେରିକା ଏହାର ସମ୍ପର୍କକୁ ନୂଆ ଶୀତଳ ଯୁଦ୍ଧର ଦ୍ୱାରଦେଶକୁ ଠେଲି ନେଉଛି ବୋଲି ସେ କହିଥିଲେ। କରୋନା ସଂକ୍ରମଣ ବ୍ୟାପିବା ପାଇଁ ଚୀନ୍‌କୁ ଦାୟୀ କରାଯାଇ ଗୁଜବ ପ୍ରଚାର କରାଯାଉଥିବାରୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଅନ୍ୟପକ୍ଷରେ ଭାରତ ସହିତ ଚୀନର ୩୪୮୮ କିମି ଦୀର୍ଘ ସୀମା ରହିଛି। ଗତ କିଛିଦିନ ହେଲା ଲଦାଖରେ ଦୁଇ ଦେଶର ସେନା ମୁହାଁମୁହିଁ ପରିସ୍ଥିତିକୁ ଆସିଯାଇଛନ୍ତି। ତେଣୁ ଭାରତ ସହିତ ଉତ୍ତେଜନା ବଢ଼ିଯାଇଛି। ଉଭୟ ଦେଶ ‌ସୀମାର ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଅଧିକ ସୈନ୍ୟ ଠୁଳ କରିବା ଆରମ୍ଭ ‌କରିଦେଇଛନ୍ତି। ଏଭଳି ପରିସ୍ଥିତିରେ ଚୀନ ରାଷ୍ଟ୍ରପତିଙ୍କ ଯୁଦ୍ଧ ପାଇଁ ପ୍ରସ୍ତୁତି ରହିବାକୁ ପିପୁଲ୍ସ ଲିବରେସନ ଆର୍ମିକୁ ପରାମର୍ଶ ଦେବା ପରେ ବିଶ୍ୱରେ ଚିନ୍ତା ବଢ଼ିଯାଇଛି।

Share Now:

Kalinga News Beuro

Next Post

ଆଜି ରାଜ୍ୟରେ ୭୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ:ମହାରାଷ୍ଟ୍ରରୁ ଆସିଛନ୍ତି ୩୧ ଜଣ

Wed May 27 , 2020
ଭୁବନେଶ୍ୱର: ଆଜି ରାଜ୍ୟରେ ନୂଆ ୭୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୫୯୩ରେ ପହଂଚିଛି। ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରେ ବଲାଙ୍ଗୀର ଜିଲ୍ଲାରୁ ସର୍ବାଧିକ ୧୬ ଜଣ ରହିଥିବାବେଳେ ଖୋର୍ଦ୍ଧା ଓ ନୂଆପଡ଼ାରୁ ୧୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱରରୁ ୨ ଜଣ, କଟକରୁ ୧୧ ଜଣ, ନୟାଗଡ଼ରୁ ୨ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial