ରାଜଧାନୀରେ କେହି ମାନୁନାହାନ୍ତି କରୋନା କଟକଣା

ଭୁବନେଶ୍ୱର: ଲକ୍‌ଡାଉନ୍‌-୫ରେ ନିୟମ କୋହଳ ହେବା ପରେ ଏବେ ରାଜଧାନୀରେ କେହି କରୋନା କଟକଣା ମାନୁନାହାନ୍ତି। ହାଟ ବଜାର ସବୁଠି ଅସମ୍ଭାଳ ଭିଡ଼। ଦୋକାନ ଭିତରେ ୫ରୁ ଅଧିକ ଲୋକ ପ୍ରବେଶ କରାଇବାକୁ ନିୟମ ନଥିବାବେଳେ ଦୋକାନରେ ଏହାର ବହୁ ଗୁଣା ଲୋକ ବୁଲୁଛନ୍ତି। ଅଧିକାଂଶ ଲୋକ ମାସ୍କ ପିନ୍ଧୁନାହାନ୍ତି। କାହାର କାହା ମଧ୍ୟରେ ସାମାଜିକ ଦୂରତା ରହୁନି। ଏପରିକି ହୋଟେଲ/ଠେଲା/ଫାଷ୍ଟଫୁଡ୍‌ ଆଦି ଦୋକାନରୁ ଲୋକ ଯେତିକି ପାର୍ସଲ ନେଉନାହାନ୍ତି ତାହାଠାରୁ ଅଧିକ ଲୋକ ସେଠାରେ ଖାଉଛନ୍ତି।

ଜୁନ୍‌ ମାସରେ ଅଧିକ ସତର୍କ ରହିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ବାରମ୍ବାର ଭିଡିଓ ବାର୍ତ୍ତା ମାଧ୍ୟମରେ କହୁଛନ୍ତି। କିନ୍ତୁ ରାଜଧାନୀବାସୀ ଏହାକୁ ମାନୁନାହାନ୍ତି। ବରଂ ଯାହା ଯାହା କରିବାକୁ ମନା କରାଯାଉଛି ‌ତାହାକୁ ହିଁ କରୁଛନ୍ତି। ତେଣୁ ବିଏମ୍‌ସି ପକ୍ଷରୁ କରୋନା କଟକଣା ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ ଜୋରଦାର୍‌ କରିବାକୁ ନିଷ୍ପତ୍ତି ହୋଇଛି। ଏପରିକି ଏବେ ବିଏମ୍‌ସି ତିନିଟି ଜୋନ୍‌ର ଜୋନାଲ ଡେପୁଟି କମିସନରମାନେ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ କାହିଁକି ଜରିମାନା ଆଦାୟ କରୁନାହାନ୍ତି ସେନେଇ କାରଣ ଦର୍ଶାଅ ନୋଟିସ୍‌ ହୋଇଛି। ଜେଡ୍‌ଡିସିମାନଙ୍କୁ ଜରିମାନା ଆଦାୟ କରିବାକୁ ବାରମ୍ବାର କୁହାଯାଉଥିଲେ ହେଁ କାହିଁକି ଆଦାୟ କରୁନାହାନ୍ତି, ସରକାରୀ କାର୍ଯ୍ୟରେ ଅବହେଳା କରି ଜରିମାନା ଆଦାୟ କରୁନଥିବାରୁ ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆନଯିବ ସେନେଇ ତିନିଦିନ ମଧ୍ୟରେ ଲିଖିତ ଜବାବ୍‌ ରଖିବାକୁ କୁହାଯାଇଛି। ଆଜି ବିଏମ୍‌ସିର ଅତିରିକ୍ତ କମିସନର ଅବନି ପଟ୍ଟନାୟକ ବିଏମ୍‌ସିର ଉତ୍ତର, ଦକ୍ଷିଣ-ପଶ୍ଚିମ, ଦକ୍ଷିଣ-ପୂର୍ବ ଜୋନାଲ ଡେପୁଟି କମିସନରଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ଲେଖିଛନ୍ତି ଯେ, କୋଭିଡ-୧୯ ଏସ୍‌ଓପିକୁ ଭୁବନେଶ୍ୱରରେ କଡ଼ାକଡ଼ି ପାଳନ ହେଉନଥିବାରୁ ବିଏମ୍‌ସି କମିସନର ଅସନ୍ତୋ‌ଷ ପ୍ରକାଶ କରିଛନ୍ତି। ଦେଖାଯାଉଛି ଯେ, ଲୋକମାନେ ଫାଷ୍ଟଫୁଡ୍‌, ଠେଲା ଦୋକାନ ଆଦିରେ ବିଏମ୍‌ସି ଗାଇଡଲାଇନ୍ ମାନୁନାହାନ୍ତି। ଯେପରିକି ଏହି ସବୁ ଦୋକାନରେ କେହି ସାମାଜିକ ଦୂରତା ରଖୁନାହାନ୍ତି କି ମାସ୍କ ପିନ୍ଧୁନାହାନ୍ତି। କେବଳ ପାର୍ସଲ ନେବା, ହୋମ୍‌ ଡେଲିଭରି ପାଇଁ ଅନୁମତି ଥିବାବେଳେ ଲୋକମାନେ ଦୋକାନ ନିକଟରେ ଛିଡ଼ା ହୋଇ ଖାଉଛନ୍ତି। କେବଳ ଏତିକି ନୁହେଁ ଲୋକମାନେ ମାର୍କେଟ୍‌କୁ ଆସିଲେ କି ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଆସୁଥିବାବେଳେ ମାସ୍କ ପିନ୍ଧୁନାହାନ୍ତି। ବିଏମ୍‌ସିର ଅତିରିକ୍ତ କମିସନରଙ୍କ ଏହି ଚିଠି ପାଇବା ପରେ ଏବେ ଜୋନାଲ୍‌ ଡେପୁଟି କମିସନରମାନେ ନିଜ ନିଜ ଜୋନ୍‌ରେ ଜରିମାନା ଆଦାୟ କରିବାକୁ ସ୍କ୍ୱାଡ୍‌ ଗଠନ କରିଛନ୍ତି।

Share Now:

Kalinga News Beuro

Next Post

ଆଜି ନୂଆ ୧୩୬ଜଣ କରୋନା ପଜିଟିଭ୍ ଚିହ୍ନଟ:ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୮୬କୁ ବୃଦ୍ଧି

Thu Jun 11 , 2020
ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୩୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୮୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୨ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୩୪ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୪ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏମାନଙ୍କ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial