କୋଭିଡ୍ ଲଢ଼େଇରେ ସୂର୍ଯ୍ୟାଲୋକର ଭୂମିକା

ନୂଆଦିଲ୍ଲୀ: ସୂର୍ଯ୍ୟକିରଣରୁ ମିଳୁଥିବା ଭିଟାମିନ୍‌ ଡି ଆମ ଶରୀରର ରୋଗ ପ୍ରତିରୋଧ ପ୍ରଣାଳୀରେ ଏକ ବିଶେଷ ଭୂମିକା ନିଭାଇଥିବା କଥା ଅନେକ ଆଗରୁ ପ୍ରମାଣିତ ହୋଇସାରିଛି। ସୁତରାଂ ତାହା ମହାମାରୀ କରୋନା ଭୂତାଣୁ ସାର୍ସ-କୋଭ୍-୨ ବିରୋଧରେ ଆଶାନୁରୂପ ସଫଳ ହେବ ବୋଲି ଆଶା କରାଯାଏ। ଏ ପରିପ୍ରେକ୍ଷୀରେ କୋଭିଡ୍ ସଂକ୍ରମିତଙ୍କ ମଧ୍ୟରେ ଡେନମାର୍କ, ନରୱେ ଓ ଫିନ୍‌ଲାଣ୍ଡ୍ ଅପେକ୍ଷା ଇଟାଲି ଓ ସ୍ପେନ୍‌ରେ କାହିଁକି ଅଧିକ ରୋଗୀଙ୍କର ମୃତ୍ୟୁ ଘଟିଲା ବୋଲି ଚିକିତ୍ସାବିତ୍‌ମାନଙ୍କ ମନକୁ ଆନ୍ଦୋଳିତ କରିଥିଲା। ତେବେ ଗତ ପାଞ୍ଚ ମାସ ହେଲା ବିଶ୍ବର ବିଭିନ୍ନ ସ୍ଥାନରେ ଗବେଷକମାନଙ୍କ ନିରବଚ୍ଛିନ୍ନ ଅନୁଧ୍ୟାନରୁ କୋଭିଡ୍-୧୯ର ଲକ୍ଷଣର ଭୟାବହତା ଏବଂ ଭିଟାମିନ୍ ଡି ମଧ୍ୟରେ କିଛି ସଂଯୋଗ ରହିଥିବା ଜଣାପଡ଼ିଛି। ଅନେକଙ୍କର ଉପଲବ୍ଧି ହେଲା, ଭିଟାମିନ୍‌ ଡି ଅଭାବ ଥିବା ଲୋକମାନେ କୋଭିଡ୍ ପ୍ରତି ଅପେକ୍ଷାକୃତ ଅଧିକ ସଂକ୍ରମଣପ୍ରବଣ। ଭିଟାମିନ୍‌ ଡି ଅଭାବ ଯୋଗୁଁ ହିଁ ସେମାନଙ୍କର ରୋଗ ପ୍ରତିରୋଧ ଶକ୍ତି କମ୍ ରହିଥିବା ହେତୁ ସେମାନେ ସହଜରେ କୋଭିଡ୍‌ର ଶିକାର ହୋଇଥାନ୍ତି ଏବଂ ଏହି ମହାମାରୀ ରୋଗର ଲକ୍ଷଣ ପ୍ରଦର୍ଶନ କରିଥାନ୍ତି ବୋଲି ନ୍ୟୁୟର୍କ ଟାଇମ୍‌ସରେ ପ୍ରକାଶିତ ଏକ ଆଲେଖ୍ୟରେ ବର୍ଣ୍ଣିତ ହୋଇଛି।
ଏ ସଂକ୍ରାନ୍ତ ୨୫ ପ୍ରକାର ଅନୁଧ୍ୟାନରୁ ମିଳିଥିବା ସାରାଂଶ ଅନୁଯାୟୀ, ଭିଟାମିନ୍ ଡି ଅଭାବ ଥିବା ଲୋକଙ୍କ କ୍ଷେତ୍ରରେ କୋଭିଡ୍-୧୯ ସଂକ୍ରମିତ ହେବାର ଆଶଙ୍କା ୭୭ ପ୍ରତିଶତ ଅଧିକ। ସେହିପରି ପରିପୂରକ ଭାବେ ଭିଟାମିନ୍ ଡି ନେଉଥିବା ଲୋକଙ୍କର ଶ୍ବାସକ୍ରିୟା ସଂକ୍ରମଣ ଆଶଙ୍କା ୭୦ ପ୍ରତିଶତ କମ୍ ଥାଏ। ଅପରପକ୍ଷେ, ଭାରତ ପରି ଉଷ୍ମ ଦେଶରେ ବି ଲୋକଙ୍କଠାରେ ଭିଟାମିନ୍ ‘ଡି’ର ଅଭାବ ଦେଖାଦେଇଥାଏ। ଏପରିକି ସ୍ଥଳ ବିଶେଷରେ ଭାରତୀୟଙ୍କ ଠାରେ ଆବଶ୍ୟକ ପରିମାଣର ୪୫ରୁ ପ୍ରତିଶତରୁ ୯୯ ପ୍ରତିଶତ ଭିଟାମିନ୍‌ ଡି ଅଭାବ ରହିବା ଚିନ୍ତାର କାରଣ ହୋଇଛି। ଅବଶ୍ୟ ଏହା ପଛରେ ଅନେକ କାରଣ ରହିଥିଲେ ହେଁ ମୁଖ୍ୟ କାରଣ ହେଉଛି ଭାରତୀୟମାନେ ଘର ଭିତରେ ହିଁ ଅଧିକାଂଶ ସମୟ ବିତାଇବା। ତେବେ ଏହାର ଅର୍ଥ ନୁହେଁ ଯେ ଜଣେ ତୁରନ୍ତ ଭିଟାମିନ୍ ଡି ବଟିକା ଖାଇବା ଆରମ୍ଭ କରିଦେବ। ଜଣଙ୍କ ଶରୀରରେ ଯଦି ଯଥେଷ୍ଟ ପରିମାଣର ଭିଟାମିନ୍ ଡି ରହିଛି ତେବେ ଆଉ ବାହାରୁ ତାହା ଗ୍ରହଣ କରିବା କିଛି ଫଳପ୍ରଦ ହେବନାହିଁ, ବରଂ କ୍ଷତିକାରକ ସାବ୍ୟସ୍ତ ହେବ ବୋଲି ଗବେଷକମାନେ ସତର୍କ କରାଇଦେଇଛନ୍ତି। ତେବେ ଉପଯୁକ୍ତ ଖାଦ୍ୟ ଗ୍ରହଣ ସହ ଆବଶ୍ୟକ ସମୟ ସୂର୍ଯ୍ୟାଲୋକରେ ନିଜ ଶରୀରକୁ ଉନ୍ମୁକ୍ତ ରଖି ପ୍ରାକୃତିକ ଉପାୟରେ ଯଥେଷ୍ଟ ପରିମାଣର ଭିଟାମିନ୍‌ ଆହରଣ କରିବା ପାଇଁ ସେମାନେ ପରାମର୍ଶ କରିଛନ୍ତି।

Share Now:

Kalinga News Beuro

Next Post

କେନ୍ଦ୍ରାପଡ଼ାର ଶ୍ରୀବଳଦେବଜୀଉଙ୍କ ପରମ୍ପରା ଭଙ୍ଗ ପାଇଁ ଦାୟୀ କିଏ ?

Wed Jun 24 , 2020
କେନ୍ଦ୍ରାପଡା:ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସୁପ୍ରିମକୋର୍ଟ ପୁରୀରେ ରଥଯାତ୍ରା କରିବାପାଇଁ ନିର୍ଦ୍ଦେଶନାମା ଦେଲେ। ଚଳଚଞ୍ଚଳ ହୋଇଉଠିଲା ପୁରୀ ଓ ସମସ୍ତ ବିଧିବ୍ୟବସ୍ଥା ଭିତରେ ରଥଯାତ୍ରା ପାଇଁ ପଥ ପରିସ୍କାର ହୋଇଗଲା। ଏସବୁ ଭିତରେ ଅନେକ ଅସମାହିତ ପ୍ରଶ୍ନ ବହୁ ଜଗନ୍ନାଥ ପ୍ରେମୀ ଭକ୍ତମାନଙ୍କ ମନକୁ ଆନ୍ଦୋଳିତ କରୁଛି ଓ କରିବା ମଧ୍ୟ ସ୍ୱାଭାବିକ। ତେବେ ଏହି କ୍ଷେତ୍ରରେ ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା ଚାଲିଥିବାବେଳେ କେନ୍ଦ୍ରାପଡାବାସୀ ଓ ଶ୍ରୀବଳଦେବଜୀଉଙ୍କର ସେବକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial