ଜମି କିଣାବିକାର ଦୁଇ ଘଣ୍ଟା ଭିତରେ ପଟ୍ଟା ପ୍ରଦାନ

ବାଲିପାଟଣା: ଜମି ରେଜି‌ଷ୍ଟ୍ରେସନ କରିବାର ମାତ୍ର ୨ ଘଣ୍ଟା ପରେ ଜମି କ୍ରେତାଙ୍କୁ ମିଳିଗଲା ନୂତନ ପଟ୍ଟା। ବାଲିପାଟଣା ତହସିଲ କର୍ତ୍ତୃପକ୍ଷ ସରକାରଙ୍କ ଏହି ନୂତନ ଭୂସଂସ୍କାର ପଦ‌କ୍ଷେପକୁ କାର୍ଯ୍ୟକା‌ରୀ କରି ରେକର୍ଡ କରିଥିବା କୁହାଯାଉଛି। ସୋମବାର ରେଜିଷ୍ଟ୍ରେସନ୍ ହୋଇଥିବା ଦୁଇଟି ଜମିର ନୂତନ ପଟ୍ଟା ପ୍ରଦାନ କରାଯାଇଥିବାବେଳେ ଗତ ସପ୍ତାହରେ ଜମି କିଣିଥିବା ୨୧ ଜଣଙ୍କୁ ପୋଷ୍ଟାଲ ଯୋଗେ ପଟ୍ଟା ପଠାଇ ଦିଆଯାଇଛି। ଫଳରେ ଏଣିକି ବାଲିପାଟଣା ଅଞ୍ଚଳରେ ଜମି କିଣାବିକା ଓ ତହସିଲରୁ ପଟ୍ଟା ପାଇବାକୁ ନେଇ ‌ଲୋକମାନେ ଆଶ୍ବସ୍ତ ହୋଇଛନ୍ତି। ସୋମବାର ପଇଡ଼ପାଟଣା-ଆମେଣାକୁଦ ଗ୍ରାମର ପ୍ରତାପ ସାହୁଙ୍କ ପୁଅ ମନୋରଂଜନ ଓ ଚିତ୍ତରଂଜନ ଏବଂ ଗୋଲ୍‌ମହମ୍ମଦ ପାଟଣା-ଭାକରସାହି ଗ୍ରାମର କାଳନ୍ଦୀ ସାହୁଙ୍କ ପୁଅ କୈଳାସ ସାହୁ ଜମି କିଣି ଦୁଇଟି କବଲା କରିଥିଲେ। ବାଲିପାଟଣା ସବ୍ ରେଜିଷ୍ଟ୍ରାର ତଥା ବାଲିପାଟଣା ଭାରପ୍ରାପ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ୟ ରେକର୍ଡ ପତ୍ର ଯାଞ୍ଚ କରିବା ପରେ କିଣାବିକାରେ କୌଣସି ତ୍ରୁଟି ନଥିବା ଜାଣିବାକୁ ପାଇଥିଲେ। ତେଣୁ ମାତ୍ର ଦୁଇ ଘଣ୍ଟା ଭି‌ତରେ ମନୋରଞ୍ଜନ ଓ ଚିତ୍ତରଞ୍ଜନ ଏବଂ କୈଳାସଙ୍କୁ ସେମାନେ କିଣିଥିବା ଜମିର ନୂତନ ପଟ୍ଟା ମିଳି ଯାଇଥିଲା। ସୂଚନାନୁସାରେ ଗତ ସପ୍ତାହ ଭିତରେ ହୋଇଥିବା ୨୧ଟି କବଲାର ପଟ୍ଟା ପୋଷ୍ଟାଲ ମାଧ୍ୟମରେ ହିତାଧିକାରୀଙ୍କୁ ପଠାଯାଇଛି ବୋଲି ଭାରପ୍ରାପ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଜମି କିଣାବିକାର ସାତ ଦିନ ଭିତରେ ପଟ୍ଟା ଦେବା ପାଇଁ ସରକାର ନୂଆ ନିୟମ କରିଛନ୍ତି। ଓଡ଼ିଶା ସର୍ଭେ ଓ ସେଟଲ୍‌ମେଣ୍ଟ ସଂଶୋଧିତ ନିୟମ ୨୦୨୦ ଅନୁସାରେ ରାଜ୍ବସ ବିଭାଗର ପ୍ରମୁଖ ସଚିବ ସମସ୍ତ ଜିଲ୍ଲାପାଳମାନଙ୍କୁ ଏହି ନିୟମ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଭୁବେନେଶ୍ବର ଉପଖଣ୍ତ ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବାଲିପାଟଣା ତହସିଲ ପକ୍ଷରୁ ଏହି ନିୟମକୁ ଆଧାର କରି ମୋଟ୍ ୨୩ଟି ପଟ୍ଟା ପ୍ରଦାନ କରାଯାଇଛି। କୌଣସି ପ୍ରକାର ଅଭିଯୋଗ ନଥିଲେ ବା ରେକର୍ଡପତ୍ରରେ ତ୍ରୁଟି ନଥିଲେ କିଣାବିକା ଦିନ ପଟ୍ଟା ଦିଆଯିବ ବୋଲି ତହସିଲଦାର ଶ୍ରୀମତି ଆଚାର୍ଯ୍ୟ କହିଛନ୍ତି। କେବଳ ବିଦ୍ୟୁତ୍ ଲାଇନ୍‌ ଓ ଇଣ୍ଟରନେଟ୍‌ରେ ସମସ୍ୟା ନ ଥିଲେ କିଣାବିକା ଦିନ ପଟ୍ଟା ମିଳିବାରେ କୌଣସି ସମସ୍ୟା ରହିବ ନାହିଁ ସେ ସୂଚନା ଦେଇଛନ୍ତି। ରାଜ୍ବସ ନିରୀକ୍ଷକ, ଡାଟା ଏଣ୍ଟ୍ରି ଅପରେଟର, ରେକର୍ଡ କିପର ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହେଯାଗ କରିଥିଲେ।

Share Now:

Kalinga News Beuro

Next Post

କୋଭିଡ୍ ନିୟମ ଉଲ୍ଲଘଂନ କରି କୋଚିଂ ସେଣ୍ଟରରେ ପାଠପଢା ଚାଲିଥିବା ବେଳେ ଚଢଉ: ସିଲ୍ କଲା ଜିଲ୍ଲା ପ୍ରଶାସନ, ମାଲିକଙ୍କୁ ନୋଟିସ୍ ଜାରି

Thu Jun 25 , 2020
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ମହାନଗରର ଗଜପତି ନଗରରେ ଥିବା ଏକ କୋଚିଂ ସେଣ୍ଟରକୁ ଆଜି ସିଲ୍ କରାଯାଇଥିବା ଜଣାଯାଇଛି। କୋଭିଡ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ଜିଲ୍ଲା ପ୍ରଶାସନ ଏହାକୁ ସିଲ୍ କରିଥିବାର ଖବର ମିଳିଛି। କେନ୍ଦ୍ର ସରକାରଙ୍କ କୋଭିଡ୍ କଟକଣା ଅନୁଯାୟୀ ଜୁଲାଇ ୩୧ ତାରିଖ ଯାଏଁ ସବୁ କୋଚିଂ ସେଣ୍ଟର ବନ୍ଦ ରହିବ। ହେଲେ ଖୋଲିବାକୁ ବାରଣ ସତ୍ତ୍ୱେ କୋଭିଡ୍ ନିୟମ ଉଲ୍ଲଘଂନ କରି ଗଜପତି ନଗରରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial