ଟୁଇନ୍‌ ସିଟି ପାଇଁ ଦୁର୍ବିପାକ ନିରୋଧୀ ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥା

ଡିସେମ୍ବର ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ, ଖର୍ଚ୍ଚ ହେବ ୧୬୦୦ କୋଟି

ଭୁବନେଶ୍ୱର : ବାତ୍ୟା ପରି ପ୍ରାକୃତିକ ଦୁର୍ବିପାକ ପରେ ଭୁବନେଶ୍ବର-କଟକ‌ ଦ୍ବୈତନଗରୀ ବାସିନ୍ଦାଙ୍କୁ ଆଉ ଦିନ ଦିନ ଧରି ବିଦ୍ୟୁତ୍‌ ନଥିବା ନେଇ ହଇରାଣ ହେବାକୁ ପଡ଼ିବନି। ଏହି ଦୁଇ ସହର ପାଇଁ ଖୁବ୍‌ଶୀଘ୍ର ୧୬୦୦ କୋଟି ଟଙ୍କା ବ୍ୟୟରେ ଦୁର୍ବିପାକ ନିରୋଧୀ ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥା କରାଯିବ। ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏ ସଂକ୍ରାନ୍ତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଭୁବନେଶ୍ବର ଓ କଟକ ପାଇଁ ଦୁର୍ବିପାକ ନିରୋଧୀ ବିଦ୍ୟୁତ୍‌ ସଂଯୋଗ ବ୍ୟବସ୍ଥା କାମ ସମ୍ପୂର୍ଣ୍ଣ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ବ୍ୟବସ୍ଥା ଦ୍ବାରା ପ୍ରାୟ ୧୦ ଲକ୍ଷ ଉପଭୋକ୍ତା ଉପକୃତ ହେବେ। ବୈଠକରେ ଉନ୍ନୟନ କମିସନର୍‌ ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇ କହିଥିଲେ, ଭୂତଳ କେବଲିଂ କାମ ସମ୍ପୂର୍ଣ୍ଣ ହେବା ପରେ ଦୁଇ ସହରାଞ୍ଚଳରେ ଖୁଣ୍ଟ ଦ୍ବାରା ଝୁଲି ରହିଥିବା ବିଦ୍ୟୁତ ତାରଗୁଡ଼ିକୁ ତୁରନ୍ତ ହଟାଇ ଦିଆଯିବ। ନୂଆ ବିଦ୍ୟୁତ୍‌ ଭିତ୍ତିଭୂମି ଯେପରି ଘଣ୍ଟା ପ୍ରତି ୩୦୦ କିଲୋମିଟର ପବନର ବେଗ ସମ୍ଭାଳି ପାରିବ, ସେହି ଅନୁଯାୟୀ ବିକାଶ କରିବା ଉପରେ ସ୍ବତନ୍ତ୍ର ରିଲିଫ କମିସନର୍‌ ପ୍ରଦୀପ କୁମାର ଜେନା ଗୁରୁତ୍ବ ଦେଇଥିଲେ। ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କହିଥିଲେ, ଆଧୁନିକ ଜ୍ଞାନକୌଶଳରେ ପ୍ରତିଷ୍ଠା ହେବାକୁ ଥିବା ବିଦ୍ୟୁତ୍‌ ଭିତ୍ତିଭୂମି ୧୩୦୦ ମେଗାୱାଟ ଲୋଡ୍‌ ବହନ କରିପାରିବ। ଏହା ଯୋଗୁଁ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ସୁନିଶ୍ଚିତ କରାଯିବା ସହ ସଠିକ୍‌ ଭୋଲଟେଜ୍‌ ବି ମିଳିପାରିବ। ବିଦ୍ୟୁତ୍‌ ବଣ୍ଟନ ଜନିତ କ୍ଷତି, ଦୁର୍ଘଟଣା, ରକ୍ଷଣାବେକ୍ଷଣକୁ କମ୍‌ କରାଯାଇପାରିବ।

ଓପିଟିସିଏଲ୍‌ ଅଧ୍ୟକ୍ଷ ତଥା ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ କହିଥିଲେ, ଦୁଇଟି ଯାକ ସହରରେ ନୂଆ କରି ୨୦ଟି ଆଧୁନିକ ସବ୍-ଷ୍ଟେସନ୍‌ ପ୍ରତିଷ୍ଠା କରାଯିବ। ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ସମ୍ପୂର୍ଣ୍ଣ ରାଜ୍ୟ ସରକାର ବହନ କରିବେ। ଖୋର୍ଦ୍ଧା ଜିଲ୍ଲାର ପ୍ରତାପପୁର ଶାସନ, ବାଲିଅନ୍ତା, ଗୋଠପାଟଣା, ଗୋଡ଼ିସାହି, କଟକର ବୟାଳିଶି ମଉଜାରେ ୨୨୦ କେଭି ସବ୍‌ଷ୍ଟେସନ୍‌ ପ୍ରତିଷ୍ଠା କରାଯିବା ସହ ୧୩୨କେଭି ସବଷ୍ଟେସନ୍‌ଗୁଡ଼ିକ ୟୁନିଟ୍‌-୮, ମଞ୍ଚେଶ୍ବର, ବରଗଡ଼, ସତ୍ୟନଗର, ନୟାପଲ୍ଲୀ ଓ ବ୍ରଜ ବିହାରୀପୁରରେ ପ୍ରତିଷ୍ଠା ହେବ। ସେହିପରି ଦୁର୍ବିପାକ ନିରୋଧୀ ୩୩କେଭି ସବ୍‌ଷ୍ଟେସନ୍‌ ଭୁବନେଶ୍ବରର ୟୁନିଟ୍‌-୮, ବଡ଼ଗଡ଼, ବାପୁଜୀନଗର, ମାଷ୍ଟରକ୍ୟାଣ୍ଟିନ୍‌, ସତ୍ୟନଗର, ସହିଦନଗର, ଖାରବେଳ ନଗର ଏବଂ କଟକର ରାଣୀହାଟ ଓ ବାଦମବାଡ଼ିରେ ପ୍ରତିଷ୍ଠା କରିବାକୁ ସ୍ଥିର କରାଯାଇଛି। ଉଭୟ ସହରର ବିଭିନ୍ନ ସ୍ଥାନରେ ଭୂ-ତଳ କେବୁଲ ବିଛା କାମ ପ୍ରାୟ ୯୦% ସମ୍ପୂର୍ଣ୍ଣ ହୋଇଥିବା ନେଇ ଓପିଟିସିଏଲ୍‌ ଏମ୍‌ଡି ସଞ୍ଜୀବ ସିଂହ ବୈଠକରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଟାଟା ପାୱାର ‌ ସିଇଓଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ହିନ୍ଦୀ ସିନେଜଗତର ଖ୍ୟାତନାମା ନୃତ୍ୟ ନିର୍ଦ୍ଦେଶକ ସରୋଜ ଖାନଙ୍କର ପରଲୋକ

Fri Jul 3 , 2020
ମୁମ୍ୱାଇ: ବଲିଉଡର ଖ୍ୟାତନାମା ନୃତ୍ୟ ନିର୍ଦ୍ଦେଶକ ସରୋଜ ଖାନଙ୍କର ବିଳମ୍ବିତ ରାତି ୧ଟା ୫୨ ମିନିଟ୍ ସମୟରେ ପରଲୋକ ହୋଇଥିବା ଜଣାଯାଇଛି। ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଗତ ଜୁନ୍ ୨୦ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବଲିଉଡର କୋରିଓଗ୍ରାଫର ସରୋଜ ଖାନଙ୍କର ଶ୍ବାସକ୍ରିୟାରେ ସମସ୍ୟା ଦେଖା ଯିବା ପରେ ହୃଦ୍‌ଘାତରେ ମୃତ୍ୟୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial