ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ଘଟଣା : ହତ୍ୟାକାରୀକୁ ଖୋଜୁଛି ପୁଲିସ

ଲୋକୋ ପାଇଲଟ୍‌ଙ୍କ ବୟାନ ଉପରେ ନଜର

ଭୁବନେଶ୍ୱର : ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା। ପୁଲିସ ଜବତ କରିଥିବା ଆଦିତ୍ୟଙ୍କ ଡାଏରିରେ ଭିନ୍ନ ତଥ୍ୟ ରହିଥିବା ବେଳେ ପୁଲିସ ଆଜି ହତ୍ୟା ମାମଲା ରୁଜୁ କରିଥିବାରୁ ଘଟଣା ପଛରେ ନିଶ୍ଚୟ କିଛି ବଡ଼ ରହସ୍ୟ ଛପି ରହିଥିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ସୁଚିନ୍ତିତ ଷଡ଼ଯନ୍ତ୍ର ଦ୍ବାରା ତାଙ୍କୁ ହତ୍ୟା କରାଯାଇଛି ବୋଲି ‘ପିପୁଲ ଫର୍‌ ସେବା’ର ସଦସ୍ୟମାନେ ଜିଦ୍‌ କରିବାରୁ ରେଳବାଇ ଥାନା ହତ୍ୟା ମାମଲା ରୁଜୁ କରିଛି। ଦଫା ୩୦୨/୩୪ ବଳରେ ରେଳବାଇ ପୁଲିସ ମାମଲା ରୁଜୁ କରିଛି। ତେଣୁ ଏବେ ହତ୍ୟାକାରୀ ପଛରେ ପଡ଼ିବ ପୁଲିସ। ଯୋଜନାବଦ୍ଧଭାବେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିବା ଗୋଷ୍ଠୀକୁ ଠାବ କରିବା ପାଇଁ ପୁଲିସ ଅଣ୍ଟା ଭିଡ଼ିବ। ଅପରପକ୍ଷରେ ଆଜି ଆଦିତ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ରେଳବାଇ ପୁଲିସର ହସ୍ତଗତ ହୋଇଛି। ମୁଣ୍ଡର ପଛ ଭାଗରେ ଶକ୍ତ ଆଘାତ ଲାଗିଥିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି। ୬ତାରିଖ ରାତି ୮ଟାରୁ ୯ଟା ମଧ୍ୟରେ ଏହି ଅଘଟଣ ଘଟିଥିବା ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି। ଏହି ଶକ୍ତ ଆଘାତ ଟ୍ରେନ୍‌ ଧକ୍କା ଯୋଗୁଁ ହୋଇଛି କି ତାଙ୍କ ମୁଣ୍ଡକୁ ପଛରୁ ପିଟି ଅନ୍ୟତ୍ର ହତ୍ୟା କରିବା ପରେ ରେଳ ଧାରଣାରେ ଶୁଆଇ ଦିଆଯାଇଛି, ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଜବତ ଡାଏରିରେ ଥିବା ହସ୍ତାକ୍ଷର କାହାର ଜାଣିବା ପାଇଁ ଏହାକୁ ପୁଲିସ ‌ଫୋରେନ୍‌ସିକ୍ ଲାବରେଟାରିକୁ ପଠାଇଛି।
ହତ୍ୟା ମାମଲା ରୁଜୁ ହେବା ପରେ ଏହାକୁ ନେଇ ସାଧାରଣରେ ଉତ୍ସୁକତା ବଢ଼ି ଯାଇଛି। ଧାରଣା, ଆନ୍ଦୋଳନ, ବିକ୍ଷୋଭ ଝିନ୍‌ଝଟ୍‌ରୁ ମୁକ୍ତି ପାଇବା ପାଇଁ ରେଳବାଇ ପୁଲିସ ଅପମୃତ୍ୟୁ ଘଟଣାକୁ ହତ୍ୟା ମାମଲାରେ ରୂପାନ୍ତରିତ କରିଛି କି ବୋଲି ମଧ୍ୟ ପ୍ରଶ୍ନ ଉଠୁଛି। ତେଣୁ ଏବେ ହତ୍ୟା ମାମଲା ରୁଜୁ କରିବା ପରେ ପୁଲିସର ତଦନ୍ତ ଉପରେ ଲୋକଙ୍କ ନଜର ରହିଛି। ଯଦି ଏହା ଏକ ହତ୍ୟାକାଣ୍ଡ, ତେବେ ଅନ୍ୟକୁ ବଞ୍ଚିବାର ରାସ୍ତା ଦେଖାଉଥିବା ଜଣେ ଯୁବ ସମାଜସେବୀକୁ କିଏ କାହିଁକି ହତ୍ୟା କରିବ? ହତ୍ୟା ପଛର କ’ଣ କାରଣ? ଅନୁଷ୍ଠାନକୁ ଆସିଥିବା ଦାନ ଅର୍ଥ ଉପରେ କାହାର ଆଖି ଥିଲା କି? ପତି-ପତ୍ନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସାମାନ୍ୟ ମତାନ୍ତରର କିଏ ଫାଇଦା ନେଇଛି? ପୂର୍ବରୁ ହତ୍ୟା କରି କେହି ଧାରଣାରେ ଫିଙ୍ଗି ଦେଇଛି କି? ଏଭଳି ଅନେକ ପ୍ରଶ୍ନ ଏବେ ଏହି ମାମଲାକୁ ରହସ୍ୟମୟ କରିଦେଇଛି। ତେବେ ଏବେ ବଡ଼ ନଜର ରହିଛି, ସେହି ସମୟରେ ଯାଇଥିବା ସମସ୍ତ ଟ୍ରେନ୍‌ ଲୋକୋ ପାଇଲଟ୍‌ଙ୍କ ବୟାନ ଉପରେ। ସେମାନଙ୍କର ବୟାନ, ପରିଜନଙ୍କ ବୟାନ, ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ତଦନ୍ତ କରାଯାଉଛି ଓ ପରେ ଆଇନ ଅନୁଯାୟୀ କାର୍ଯ୍ୟାନଷ୍ଠାନ ହେବ ବୋଲି ରେଳବାଇ ଥାନା ପୁଲିସ କହିଛି।

Share Now:

Kalinga News Beuro

Next Post

କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍‌କାଉଣ୍ଟରରେ ନିହତ

Fri Jul 10 , 2020
କାନପୁର: ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍‌କାଉଣ୍ଟରରେ ନିହତ ହୋଇଥିବା ସୂଚନା ମିଳିଛି। ଗତକାଲି ମଧ୍ୟପ୍ରଦେଶ ଉଜୈନରୁ ବିକାଶକୁ ଗିରଫ କରିଥିଲା ପୁଲିସ୍‌। ବିକାଶ ଉଜୈନର ମହାକାଳ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ପୁଲିସ୍‌‌ ତାଙ୍କୁ ଗିରଫ କରିଥିଲା। ସୂଚନା ଅନୁସାରେ, ଆଜି ସକାଳେ ଏକ ଗାଡ଼ିରେ ବିକାଶକୁ ଉତ୍ତରପ୍ରଦେଶ ଏସ ଟି ଏଫ (ସ୍ପେସିଆଲ ଟାସ୍କ ଫୋର୍ସ )‌ ମଧ୍ୟପ୍ରଦେଶରୁ କାନପୁର ଆଣୁଥିବା ବେଳେ କାନପୁର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial