ରାଜଧାନୀରେ ରେକର୍ଡ ଭାଙ୍ଗିଲା କରୋନା : ଦୁଇ ଦିନରେ ୧୦୨ ଆକ୍ରାନ୍ତ, ଆଜି ସର୍ବାଧିକ ୬୪

ଭୁବନେଶ୍ବର : ରାଜଧାନୀରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି। ଗୋଟିଏ ଦିନରେ ୬୪ଜଣ ଆକ୍ରାନ୍ତ ବାହାରିବା ଗୋଟିଏ ଦିନରେ ସର୍ବାଧିକ। ଆଜିର ୬୪ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୪ରେ ପହଞ୍ଚିଛି। ଦୁଇ ଦିନରେ ୧୦୨ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତଙ୍କ ମନରେ ଭୟ ଖେଳି ଯାଇଛି। କରୋନା ଏବେ ବେକାବୁ ହୋଇଯାଇଥିବା କୁହାଯାଉଛି।
ଆଜି ସୁଦ୍ଧା ରାଜଧାନୀରେ ୩୬୮ଜଣ କରୋନା ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ୩୨୭ଜଣ ସୁସ୍ଥ ହୋଇଛନ୍ତି। ୮ ଜଣଙ୍କର ମୃତ୍ୟୁ ହୋଇଛି। ଗତ ଦୁଇ ଦିନରେ ମାତ୍ର ୧୯ଜଣ ସୁସ୍ଥ ହୋଇଥିବା ବେଳେ ୧୦୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସବୁଠୁ ଅଧିକ ୬୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ‌ବେଳେ ମାତ୍ର ୧୬ଜଣ ସୁସ୍ଥ ହୋଇଛନ୍ତି। ବସ୍ତି ଅଞ୍ଚଳରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସାଲିଆ ସାହିରୁ ଆଜି ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସାଲିଆ ସାହିର ଶ୍ରୀରାମ ନଗର ବସ୍ତିରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ୪୦ ଓ ୪୫ ବର୍ଷୀୟ ଦୁଇ ଜଣ ମହିଳା ଏବଂ ୭୦ ଓ ୪୨ବର୍ଷୀୟ ଦୁଇ ଜଣ ପୁରୁଷ ଅଛନ୍ତି। ଏହାବାଦ୍ ମହାବୀର ନଗରରୁ ୪୦ ବର୍ଷୀୟ, ୨୦ବର୍ଷୀୟ ଓ ୨୪ବର୍ଷୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୭ଜଣ ହଟ୍‌ସ୍ପଟ୍ ଜିଲ୍ଲାରୁ ଫେରିଛନ୍ତି। ଏହାବାଦ୍ ମହାବୀର ନଗର‌େର ସଙ୍ଗରୋଧରେ ଥିବା ଜଣେ ୪୦ବର୍ଷୀୟ ମହିଳା, ନୀଳଚକ୍ର ନଗରର ଜଣେ ୫୧ବର୍ଷୀୟ ପୁରୁଷ ଓ ୪୦ବର୍ଷୀୟ ମହିଳା କରୋନା ଆକ୍ରାନ୍ତ ହୋଇଛନ୍ତି। ନୀଳଚକ୍ରନଗରର ଏହି ଆକ୍ରାନ୍ତଦ୍ବୟ ଏକ ଦମ୍ପତି ହୋଇଥିବା ବେଳେ ସେମାନେ ଇନ୍ଦ୍ରଧନୁ ମାର୍କେଟ୍‌ରେ ପରିବା ବ୍ୟବସାୟ କରନ୍ତି। ଏମାନେ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ସଙ୍ଗରୋଧରେ ରହିଥିଲେ। କିନ୍ତୁ ପରିବା ବିକିବା ସମୟରେ ଆକ୍ରାନ୍ତ ହୋଇଥିଲେ କି ନାହିଁ ଜଣାପଡ଼ିନାହିଁ। ଯଦି ସେତେବେଳେ ଆକ୍ରାନ୍ତ ହୋଇଥିବେ, ତେବେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଆଶଙ୍କାକୁ ଏଡ଼ାଇ ଦେଇ ହେବନି।

ବିଏମ୍‌ସିର ସୂଚନା ଅନୁଯାୟୀ, ଦୁଇ ଦିନରେ ସଂଗରୋଧରେ ଥିବା ୬୨ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୪୦ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଗୋଷ୍ଠୀ ସଂକ୍ରମଣର ଭୟ ଏବେ ସମସ୍ତଙ୍କୁ ଘାରିଛି। ଅପରପକ୍ଷେ ଆଜି ଲକ୍ଷ୍ମୀସାଗର ଉପରସାହିରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନେ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ଘରେ ସଙ୍ଗରୋଧରେ ଥିଲେ ବୋଲି କୁହାଯାଇଛି। ଏହାସହ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ଘରେ ସଙ୍ଗରୋଧ ଥିବା ବ୍ରହ୍ମେଶ୍ବରପାଟଣାର ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଡୁମଡୁମା ରଘୁନାଥ ନଗରରୁ ୪ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜଧାନୀର ବାକି ସବୁ ସ୍ଥାନରୁ ଜଣେ, ଦୁଇଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଏହି ଚେନ୍‌ କିପରି ଭାଙ୍ଗିବ, ତାହା ଏବେ ଚିନ୍ତାର ବିଷୟ ପାଲଟିଛି।

Share Now:

Kalinga News Beuro

Next Post

ବାରିପଦାସ୍ଥିତ ବେଲଗଡିଆ ରାଜପ୍ରାସା‌ଦରେ ୯୪ ବର୍ଷ ବୟସରେ ମୟୂରଭଞ୍ଜ ରାଜମାତାଙ୍କ ପରଲୋକ

Mon Jul 13 , 2020
ବାରିପଦା : ମୟୂରଭଞ୍ଜର ରାଜମାତା ଶ୍ରୀମତି ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ପରଲୋକ ହୋଇଯାଇଛି। ବାରିପଦାସ୍ଥିତ ବେଲଗଡିଆ ରାଜପ୍ରାସା‌ଦରେ ୯୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ହେଉଛନ୍ତି ନେପାଳ ନରେଶ ତ୍ରିଭୁବନ ବୀର ବିକ୍ରମ ଶାହାଙ୍କ ଝିଅ। ୧୯୨୮ ମସିହାରେ ସେ ନେପାଳରେ ଜନ୍ମ ଗ୍ରହଣ କରିଥିଲେ ଏବଂ ୧୯୫୨ରେ ସେ ମୟୂରଭଞ୍ଜର ମହାରାଜାଙ୍କୁ ବିବାହ କରିଥିଲେ। Share Now:

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial