କରୋନା ବୃଦ୍ଧି ଓ ସ୍ଥାନୀୟ ସଂକ୍ରମଣ ହାରରେ ରାଜ୍ୟକୁ ପଛରେ ପକାଇଲା ରାଜଧାନୀ

ତଥ୍ୟ ଲୁଚାଉଛି କିଏ ?

ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ସ୍ଥିତି ଦିନକୁ ଦିନ ବିଗଡ଼ିବାରେ ଲାଗିଛି। କରୋନାର ବୃଦ୍ଧି ହାର ଓ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି। ହେଲେ ଭୁବନେଶ୍ବର ଏହି ଦୁଇ କ୍ଷେତ୍ରରେ ରାଜ୍ୟକୁ ପଛରେ ପକାଇ ଦେଇଛି। ରାଜ୍ୟରେ ଗତ ୧୨ଦିନରେ କରୋନା ବୃଦ୍ଧି ହାରାହାରି ୫.୬୫ ପ୍ରତିଶତ ରହୁଥିବା ବେଳେ ରାଜଧାନୀରେ ଏହା ୬.୬ ପ୍ରତିଶତ ରହିଛି। ସେହିପରି ସ୍ଥାନୀୟ ସଂକ୍ରମଣ ରାଜ୍ୟରେ ହାରାହାରି ୩୧ ପ୍ରତିଶତ ରହୁଥିବା ବେଳେ ରାଜଧାନୀରେ ଏହା ୩୯ ପ୍ରତିଶତ ରେକର୍ଡ କରାଯାଇଛି। ଜୁଲାଇ ମାସରେ ରାଜଧାନୀରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ସାରା ଭୁବନେଶ୍ବରରୁ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଜୁଲାଇ ୧ତାରିଖ ବେଳକୁ ବୃଦ୍ଧି ହାର ୩.୯୧ ପ୍ରତିଶତ ରହୁଥିବା ବେଳେ ୧୧ତାରିଖ ସୁଦ୍ଧା ୧୦ ପ୍ରତିଶତ ଛୁଇଁଥିଲା। ସେହିପରି ସ୍ଥାନୀୟ ସଂକ୍ରମଣ ୩୮ ପ୍ରତିଶତ ଚଳିତମାସ ଆରମ୍ଭରେ ଥିବା ବେଳେ ୧୨ତାରିଖ ବେଳକୁ ଏହା ୭୧ ପ୍ରତିଶତରେ ପହଞ୍ଚିଛି। ଏପରିକି ଖୋର୍ଦ୍ଧା ଜିଲ୍ଲାରେ ଯେତିକି ସଂଖ୍ୟକ ରୋଗୀ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଛନ୍ତି ତାହାର ଅଧାରୁ ଅଧିକ ରୋଗୀ କେବଳ ରାଜଧାନୀରୁ ରହିଛନ୍ତି। ସଂଖ୍ୟା ବୃଦ୍ଧି ପାଇ ୫୩.୭୪ ପ୍ରତିଶତରେ ପହଞ୍ଚି ଯାଇଛି। ଯଦି ଏହିଭଳି ଧାରାରେ ରାଜଧାନୀରେ କରୋନା ବୃଦ୍ଧି ଜାରି ରହେ, ତାହାଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇପାରେ ବୋଲି ଆଶଙ୍କା ଦେଖା ଦେଲାଣି। ବିଶେଷକରି ହସ୍ପିଟାଲ ଗୁଡ଼ିକ ହଟସ୍ପଟ୍ ପାଲଟିଛି। ପରିସ୍ଥିତି ଏପରି ହୋଇଛି ଯେ, ଏମ୍‌ସ କର୍ତୃପକ୍ଷ ନିଜର ଓପିଡିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏସ୍‌ଓପି ପାଳନ କରିବାରେ ବିଫଳ ହେବା ଯୋଗୁଁ ଏମ୍‌ସରେ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି। ଏହାସହ ଗୋଟିଏ ଘରୋଇ ହସ୍ପିଟାଲରେ ବହୁ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବାରୁ ଏହାକୁ ସିଲ୍‌ କରି ଦିଆଯାଇଥିଲା। ହସ୍ପିଟାଲ ଗୁଡ଼ିକରେ ବହୁ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେବାକୁ ନେଇ ଲୋକମାନେ ଆତଙ୍କିତ ହୋଇ ପଡ଼ିଲେଣି। ବିଶେଷକରି ହଟ୍‌ସ୍ପଟ୍‌ ଜିଲ୍ଲାଗୁଡ଼ିକରୁ ବହୁ ସଂଖ୍ୟାରେ ରୋଗୀ ରାଜଧାନୀକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଏଠାରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏପରିକି ଚିକିତ୍ସା ପାଇଁ ଯାଉଥିବା ରୋଗୀମାନେ ମଧ୍ୟ ଏଥିରୁ ବାଦ୍ ପଡ଼ୁନାହାନ୍ତି। ଯଦି ଆଗକୁ ଏଭଳି ପରିସ୍ଥିତି ଲାଗି ରହିବ ତାହାଲେ ରାଜଧାନୀରେ ଅନେକ ହସ୍ପିଟାଲ ନିଜର ସେବା ବନ୍ଦ କରିଦେବା ଭଳି ପରିସ୍ଥିତି ଉପୁଜିପାରେ। ଯାହାଫଳରେ ଅନ୍ୟ ସାଧାରଣ ରୋଗରେ ପୀଡ଼ିତ ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ସେହିପରି ହଟ୍‌ସ୍ପଟ୍‌ ଅଞ୍ଚଳରୁ ଆସିଥିବା ଓ ଏହି ଅଞ୍ଚଳକୁ ଗସ୍ତ କରିଥିବା ଅନେକ ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି। ରାଜଧାନୀରୁ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଆସୁଥିବା ବେଳେ ସେମାନଙ୍କ ମଧ୍ୟରେ କିଏ କେଉଁ ସ୍ଥାନକୁ ଯାଉଛନ୍ତି ତାହାକୁ ଟ୍ରାକ୍ କରିବା ସମ୍ଭବ ହେଉନାହିଁ। ରାଜଧାନୀରେ କରୋନା ପାଇଁ ସଟ୍‌ଡାଉନ୍‌ଠାରୁ ଆରମ୍ଭ କରି ଘରକୁ ଘର ବୁଲି ସ୍କ୍ରିନିଂ ଜାରି ରହିଛି। ତଥାପି ରାଜଧାନୀରେ ଏ ପର୍ଯ୍ୟନ୍ତ ସ୍ଥିତି ନିୟନ୍ତ୍ରଣକୁ ଆସିପାରି ନାହିଁ।

Share Now:

Kalinga News Beuro

Next Post

କଟକଣା‌ରେ ବି ସାକ୍ଷାତକାର ପାଇଁ ଭିଡ଼

Tue Jul 14 , 2020
ଭୁବନେଶ୍ୱର : କରୋନା କଟକଣା ମାନିବାକୁ ନିର୍ଦେଶନାମା ଜାରି ହୋଇଛି। ହେଲେ ଖୋଦ୍‌ ବିଦ୍ୟୁତ ବିଭାଗରେ ଚାକିରି ପାଇଁ ଆଜି ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା। ସାକ୍ଷାତକାର ପାଇଁ ଆଇଆର୍‌ସି ଭିଲେଜ୍‌ସ୍ଥିତ ଭୁବନେଶ୍ବର ସିଟି ଡିଷ୍ଟ୍ରିବ୍ୟୁସନ ଡିଭିଜନ-୨ ବାହାରେ ଶତାଧିକ ବ୍ୟକ୍ତି ଲମ୍ବା ଲାଇନ୍‌ ଲଗାଇଥିଲେ। ସାକ୍ଷାତକାର କରାଉଥିବା ଏଜେନ୍‌ସି ପକ୍ଷରୁ ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ବନ୍ଦୋବସ୍ତ ହୋଇନଥିଲା। ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial