ବର୍ଷକ ପୂର୍ବରୁ ୧୫୯ କୋଟିର କୋଠା କାନ୍ଥ ଫାଟି ଆଁ

ଖାରବେଳ ଭବନରେ ଫାଟ-୨

ଏଲ୍‌ଆଣ୍ଡ୍‌ଟିକୁ ଜବାବ ମାଗିଲା ପୂର୍ତ୍ତ ବିଭାଗ, ମୁଖ୍ୟଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଯାଞ୍ଚ ହେବ

ଭୁବନେଶ୍ୱର : ଅଗଷ୍ଟ ୧୫, ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୟୁନିଟ୍‌-୫ସ୍ଥିତ ଖାରବେଳ ଭବନକୁ ଉଦ୍‌ଘାଟନ କରିଥିଲେ। ୧୫୯ କୋଟି ୩୧ଲକ୍ଷ ୩୮ହଜାର ୬୩ଟଙ୍କାରେ ନିର୍ମାଣ ହୋଇଥିବା ଏହି ଭବନଟି ନିର୍ମାଣ ଆରମ୍ଭ ହେବା ଦିନରୁ ବିବାଦରେ ଫସିଛି। ରାଜଧାନୀର ସବୁଠୁ ବ୍ୟୟବହୁଳ ଏହି ସରକାରୀ କୋଠା କିନ୍ତୁ ନିର୍ମାଣର ବ‌ର୍ଷ ପୂର୍ତ୍ତି ପୂର୍ବରୁ ଫାଟି ଆଁ ମେଲାଇଲାଣି। କୋଠାର ତଳୁ ଉପର ଯାଏ ପ୍ରାୟ ୫୦ରୁ ୬୦ଫୁଟ ଲମ୍ବ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଫାଟ ସୃଷ୍ଟି ହୋଇଛି। ଯାହାକୁ ନେଇ ଏବେ ତନାଘନା ଆରମ୍ଭ ହୋଇଛି। ଖାରବେଳ ଭବନ ପାଇଁ ରାଜ୍ୟ ସରକାର ସବୁ ନିୟମକୁ ଜଳାଞ୍ଜଳି ଦେଇ ସବୁଠୁ ଅଧିକ ଟଙ୍କାରେ ଏହି କୋଠା ନିର୍ମାଣ କରିବାକୁ ଏଲ୍‌ଆଣ୍ଡ୍‌ଟିକୁ ଦେଇଥିଲେ। ସାରା ରାଜ୍ୟରେ ବର୍ଗଫୁଟ ପିଛା ୧୭୦୦ରୁ ୧୮୦୦ଟଙ୍କା ହିସାବରେ କାମ ହେଉଥିବା ବେଳେ ଖାରବେଳ ଭବନ ପାଇଁ ବର୍ଗଫୁଟ ପିଛା ପ୍ରାୟ ୨୫୦୦ଟଙ୍କା ଦିଆଯାଇଥିଲା। ହେଲେ ଏମିତି କାମ ହେଲା ଯେ ବର୍ଷକ ପୂର୍ବରୁ କାନ୍ଥ ଫାଟି ଆଁ ମେଲାଇଛି। ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣକାରୀ ସଂସ୍ଥା ଏଲ୍‌ଆଣ୍ଡ୍‌ଟିକୁ ଜବାବ୍ ମଗା ଯିବାରୁ ସଂସ୍ଥା ବିଭିନ୍ନ ପ୍ରକାରର ସଫେଇ ଦେଇଛି। ପ୍ଲାଷ୍ଟର୍‌ ଫାଟିଛି, ଏହାକୁ ମରାମତି କରାଯିବ ବୋଲି କହିଛି। ଏଠାରେ ରାଜ୍ୟ ସରକାରଙ୍କର ୧୦ରୁ ଅଧିକ ବିଭାଗ କାମ କରୁଛି। ୨୦ରୁ ଅଧିକ ଆଇଏଏସ୍‌ ଅଧିକାରୀ ଏଠାରେ ବସୁଛନ୍ତି। ସମସ୍ତେ କିପରି ନିମ୍ନମାନର କାମ ହୋଇଛି ଦେଖୁଛନ୍ତି। ହେଲେ କେହି ପାଟି ଫିଟାଉ ନାହାନ୍ତି। ଖାରବେଳ ଭବନରେ ଫାଟ ଦେଖାଯିବା ପରେ ମୁଖ୍ୟଯନ୍ତ୍ରୀ(ବିଲ୍‌ଡିଂ) ଏହାର ତଦନ୍ତ କରିବାକୁ ମୁଖ୍ୟଯନ୍ତ୍ରୀ(ରାସ୍ତା)ଙ୍କୁ କହିଛନ୍ତି। ଏହି ନବନିର୍ମିତ ବହୁତଳ ପ୍ରାସାଦରେ ଫାଟ ସୃଷ୍ଟି ହେବାର କାରଣ କ’ଣ? ଏହାର ପ୍ରତିକାର କିପରି ହେବ, ସେନେଇ ଏକ ବୈଷୟିକ ଟିମ୍‌ ଗଠନ କରି ତଦନ୍ତ କରିବା ସହ ଏଲ୍‌ଆଣ୍ଡ୍‌ଟିକୁ ଏହାର ମରାମତି କରିବାକୁ କହିବାକୁ ୧୭ ତାରିଖରେ ଚିଠି ଲେଖିଛନ୍ତି।

ଅପରପକ୍ଷେ ଗତ ୧୦ ତାରିଖରେ ପୂର୍ତ୍ତ ବିଭାଗର ଭୁବନେଶ୍ବର ଡିଭିଜନ-୫ ନିର୍ବାହୀ ଯନ୍ତ୍ରୀ ଖାରବେଳ ଭବନ ନିର୍ମାଣ କରିଥିବା ଏଲ୍‌ଆଣ୍ଡ୍‌ଟିର ପ୍ରକଳ୍ପ ମ୍ୟାନେଜରଙ୍କୁ ଚିଠି ଲେଖି କହିଥିଲେ, ଏହି କୋଠାରେ ବିଭିନ୍ନ ସ୍ଥାନରେ ଫାଟ ଦେଖାଯିବା ନେଇ ଜୁନ୍‌ ୧୯ରେ ଚିଠି ଲେଖି ଜଣାଯାଇଥିଲେ ‌ହେଁ ଏନେଇ କିଛି ପଦକ୍ଷେପ ନିଆ ଗଲାନି। ନୂଆ କରି ନିର୍ମାଣ ହୋଇଥିବା ଏହି କୋଠାରେ ଫାଟ ସୃଷ୍ଟି ହେବା ଚିନ୍ତାଜନକ। ତେଣୁ ଏହି ଫାଟ କାହିଁକି ସୃଷ୍ଟି ହେଲା, ତା’ର ବୈଜ୍ଞାନିକ ଓ ବୈଷୟିକ ତଦନ୍ତ କରି ରିପୋର୍ଟ ଦିଅନ୍ତୁ। ଏହାସହ କୋଠା ନିର୍ମାଣ ସମୟରେ କିପରି ଏଏସି ବ୍ଲକ୍‌ ଖଞ୍ଜା ହେଲା, ପ୍ଲାଷ୍ଟର ହୋଇଥିଲା ତା’ର ରିପୋର୍ଟ ତୁରନ୍ତ ଦିଅନ୍ତୁ। ଆଶ୍ଚର୍ଯ୍ୟର ବିଷୟ ଏଲ୍‌ଆଣ୍ଡ୍‌ଟି ନିର୍ମାଣ କରିଥିବା କୋଠା ବର୍ଷକ ମଧ୍ୟରେ ଫାଟିବା ପରେ ପୂର୍ତ୍ତ ବିଭାଗର ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଏହାକୁ ମରାମତି କରିବାକୁ ଅନୁରୋଧ କରୁଛନ୍ତି। ଏହାର ସୁଯୋଗ ନେଇ ଏଲ୍‌ଆଣ୍ଡ୍‌ଟି ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ବିଭିନ୍ନ ପ୍ରକାରର ଆଳ ଦେଖାଇଛି। କାଣ୍ଟିଲେଭର ସ୍ଲାବ୍ ଘୁଞ୍ଚି ଯାଇଥିବାରୁ ଫାଟ ସୃଷ୍ଟି ହୋଇଛି, ବିମ୍‌ ଘୁଞ୍ଚିବା, ତାପମାତ୍ରାରେ ପରିବର୍ତ୍ତନ, ପ୍ଲାଷ୍ଟର ଛାଡ଼ିଥିବାରୁ ଫାଟ ସୃଷ୍ଟି ହୋଇଛି। ଏହାର କିପରି ମରାମତି ହେବ, ତାହା ବି କହିଛି। ପୂର୍ତ୍ତ ବିଭାଗ ଯନ୍ତ୍ରୀ ବି ଏତିକି ଶୁଣି ଖୁସ୍‌। ହେଲେ ଏହି ସମସ୍ୟା କାହିଁକି ଉପୁଜିଲା, ତା’ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଡରୁଛନ୍ତି। ପୂର୍ତ୍ତ ବିଭାଗର ଭୁବନେଶ୍ବର ଡିଭିଜନ-୫ ନିର୍ବାହୀ ଯନ୍ତ୍ରୀ ଶିଶିର ମିଶ୍ର କହିଛନ୍ତି ଯେ ଖାରବେଳ ଭବନରେ ତିନି ବର୍ଷ ଭିତରେ ଯାହା ମରାମତି ହେବ, ତାହା ଏଲ୍‌ଆଣ୍ଡ୍‌ଟି କରିବ। ଏଥିପାଇଁ ଚୁକ୍ତି ହୋଇଛି। ତେଣୁ ଏବେ ଯେଉଁଠି ଫାଟ ହୋଇଛି, ତାହାକୁ ତୁରନ୍ତ ମରାମତି କରିବାକୁ କୁହାଯାଇଛି। ଖୁବ୍‌ ଶୀଘ୍ର ମୁଖ୍ୟଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ ହେବାକୁ ଥିବା କମିଟି ଏହାର ଯାଞ୍ଚ କରିବ। ଯେଉଁଠି ଫାଟ ସୃଷ୍ଟି ହୋଇଛି, ତାହା କାହିଁକି ହୋଇଛି, କିପରି ମରାମତି ହେବ, ସେ ନେଇ କୁହାଯିବ। ସୂଚନାଯୋଗ୍ୟ, ଏହି ଖାରବେଳ ଭବନ ହେଉଛି ସେହି କୋଠା, ଯାହାର ନିର୍ମାଣ ପାଇଁ ୧୨୮ କୋଟି ୪୨ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିଲା। ଉଦ୍‌ଘାଟନ ସମୟରେ ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ୧୨୮କୋଟି ଖର୍ଚ୍ଚ ହୋଇଛି। କିନ୍ତୁ ଉଦ୍‌ଘାଟନର ମାସକ ପରେ ପୂର୍ତ୍ତ ବିଭାଗ କହିଥିଲା ଯେ ୧୫୯ କୋଟି ୩୧ ଲକ୍ଷ ୩୮ହଜାର ୬୩ ଟଙ୍କା ଖର୍ଚ୍ଚ ହୋଇଛି। ଏହାର କାରଣ କୁହାଗଲା, କୋଠା ନିର୍ମାଣ ଶେଷ ହେବା ବେଳକୁ ବଜାର ଦର ବଢ଼ିବାରୁ ୩୧ କୋଟି ଅଧିକ ଖର୍ଚ୍ଚ ହେଲା। ତେଣୁ ଏହି ୩୧ କୋଟି ଏଲ୍‌ଆଣ୍ଡ୍‌ଟିକୁ ଦେବାକୁ ପୂର୍ତ୍ତ ବିଭାଗ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଥିଲା। କେବଳ ଏତିକି ନୁହେଁ, ଏଲ୍‌ଆଣ୍ଡ୍‌ଟି ଟର୍ଣ୍ଣକି ପ୍ରକଳ୍ପରେ ଏହି କୋଠାକୁ ନିର୍ମାଣ କରିଥିବାରୁ ଏଠାରେ ସମସ୍ତ ଆନୁଷଙ୍ଗିକ ଆସବାବପତ୍ର, ଏସି, ଚେୟାର ଟେବୁଲ୍‌ ଆଦି ଯୋଗାଇଛି। ଏବେ ଏହି ସବୁ ସାମଗ୍ରୀର ଅବସ୍ଥା କିପରି ଅଛି, ତା’ର ତଦନ୍ତ ବି ହେବା ଦରକାର ବୋଲି ଦାବି ଉଠିଲାଣି।

Share Now:

Kalinga News Beuro

Next Post

କରୋନାରେ ମୃତ୍ୟୁ ହେଲେ ଶବ ସତ୍କାର ପାଇଁ ରାଜ୍ୟ ସରକାର ଦେବେ ୭୫୦୦ ଟଙ୍କା

Mon Jul 20 , 2020
ଭୁବନେଶ୍ୱର: ମହାମାରୀ କରୋନା ଭାଇରସ ଯୋଗୁଁ ମୃତ୍ୟୁ ଘଟୁଥିବା ଲୋକଙ୍କ ଶବ ସତ୍କାର ପାଇଁ ରାଜ୍ୟ ସରକାର ୭ ହଜାର ୫୦୦ ଟଙ୍କା ଆର୍ଥିକ ସହାୟତା ରାଶି ଯୋଗାଇବେ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦିଆଯାଇଛି । ରାଜ୍ୟ ସରକାର ଜଣେ ବ୍ୟକ୍ତିଙ୍କର ଶବ ସତ୍କାର ପାଇଁ ୭ ହଜାର ୫୦୦ ଟଙ୍କା ଖର୍ଚ୍ଚ କରିବେ । […]
ଶବ ସତ୍କାର ପାଇଁ ରାଜ୍ୟ ସରକାର ଦେବେ ୭୫୦୦ ଟଙ୍କା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial