କଟକରେ ବଢୁଛି ସଂକ୍ରମଣ: ଗୋଟିଏ ଦିନରେ ସହରରୁ ୯୩

କଟକର ସାହି ବସ୍ତିରେ ସଂକ୍ରମଣ ଗୋଟିଏ ଦିନରେ ସହରରୁ ୯୩

କଟକ : କଟକ ସହରରେ ଗଲା ୩ ଦିନ ଧରି ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସାହିବସ୍ତିରୁ ସଂକ୍ରମଣ ବଢୁଥିବା ବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ଆଜି କଟକ ସହରରୁ ୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାର ନିଆଳିରେ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଗୋଟିଏ ଦିନରେ କଟକ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି। ଆଜିର ସଂଖ୍ୟାକୁ ମିଶାଇ କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୯ରେ ପହଞ୍ଚି ଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୫୯ ହୋଇଛି। ଜିଲ୍ଲାରେ ଏ ପର୍ଯ୍ୟନ୍ତ ୯ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। କଟକ ପାଇଁ ସବୁଠୁ ଉଦ୍‌ବେଗର କାରଣ ହୋଇଛି ସାହିବସ୍ତିରେ ସଂକ୍ରମଣ। ମାଣିକଘୋଷ ବଜାର, ପୁରୁଣା ରାଉସପାଟଣା, ଖଟବିନ ସାହି, ଶଙ୍କରପୁର ପରିଡା ସାହି ପରେ ଆଜି ଡଗରପଡା ବଣିଆ ସାହି ଓ ବାସୁଳି ସାହିରେ ସଂକ୍ରମଣକୁ ନେଇ ସଂଗିନ ସ୍ଥିତି ସୃଷ୍ଟି ହୋଇଛି। ଡଗରପଡା ବଣିଆ ସାହିରେ ଆଜି ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାସୁଳି ସାହିରୁ ୨୨ ଜଣ ଚିହ୍ନଟ ହୋଇଛନ୍ତି। କଟକର ରାଣୀହାଟର ଏକ ଘରୋଇ ନର୍ସିଂହୋମରୁ ପୁଣି ଜଣେ, ଦୋଳମୁଣ୍ଡାଇରୁ ୬ଜଣ, ସିଡିଏ ସେକ୍ଟର-୭ରୁ ୫ଜଣ, ସେକ୍ଟର ୯ରୁ ଜଣେ, ଓଡିଆବଜାର ୨ଜଣ, ପୁରୁଣାରାଉସପାଟଣା ବାଲିସାହିରୁ ୩ଜଣ, ଶଙ୍କରପୁର ଦାସ ସା‌ହିରୁ ୭ଜଣ, ଜଗତ୍‌ପୁରରୁ ଗୋଟିଏ ପରିବାରର ୩ଜଣ, ‌ତଳ ତେଲେଙ୍ଗାବଜାରରୁ ୨ଜଣ, ଯୋବ୍ରା ନୂଆସାହିରୁ ୨ଜଣ, ବାଲିକୁଦାରୁ ୨, ଅଲିଶାବଜାର, ବିଡ଼ାନାସୀ, ହସିନାବାଗ୍‌ ଚଷାସାହି, ବାଉରୀସାହି, ଚଣ୍ଡି ଛକ ଖ୍ରୀଷ୍ଟିଆନସାହି, କାଳିଗଳି, ଚାନ୍ଦିନୀଚୌକ୍‌, ବୋସ ହଷ୍ଟେଲ, ବଜ୍ରକବାଟିରୋଡରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି।
ଜଗତ୍‌ପୁର ଆଇବି ରୋଡର ମଙ୍ଗଳାଗଡା ୪୮ନମ୍ବର ୱାର୍ଡରୁ ଗୋଟିଏ ପରିବାରୁ ୩ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବାପା, ଝିଅ ଓ ଜ୍ବାଇଁ ଅଛନ୍ତି। ବାଦାମବାଡିର ଏକ ହୋଟେଲରେ କ୍ବାରାଣ୍ଟିନ୍‌ରେ ଥିବା ଜଣେ ବ୍ୟକ୍ତି ମଧ୍ୟ ସଂକ୍ରମିତ ହୋଇଛନ୍ତି। ଅନ୍ୟପଟେ ଜିଲ୍ଲାର ନିଆଳିରୁ ୨୮ ଜଣ, ନିଶ୍ଚିନ୍ତକୋଇଲିରୁ ୩, ବାଙ୍କୀରୁ ୨, ବଡମ୍ବାରୁ ୨ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ନିଆଳିରେ ସରପଞ୍ଚଙ୍କ ସ୍ବାମୀ, କୋଭିଡ୍‌ ଏନ୍‌ଫୋର୍ସମେଣ୍ଟ ଦାୟିତ୍ବରେ ଥିବା ପ୍ଲାଟୁନ୍‌ କମାଣ୍ଡର କରୋନା ସଂକ୍ରମିତ ହୋଇଛନ୍ତି। ସେହିପରି ନିଶ୍ଚିନ୍ତକୋଇଲି ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ଓ ବଡ଼ବାବୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଆଜି କରୋନା ସଂକ୍ରମିତଙ୍କୁ ସ୍ଥାନାନ୍ତର କରାଯାଇ ନଥିବା ବେଳେ ଆସନ୍ତାକାଲି ସୁଦ୍ଧା ସେମାନଙ୍କୁ ଓସିଏ ହଲ, ଇନଡୋର ଷ୍ଟାଡିୟମ ଏବଂ ଡ୍ରିମସର କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତର କରିବାର ଯୋଜନା ରହିଛି।

Share Now:

Kalinga News Beuro

Next Post

ରାଜଧାନୀର କାନ୍ଥବାଡ଼ରେ କରୋନା ସଚେତନତା ବାର୍ତ୍ତା

Fri Jul 24 , 2020
ଭୁବନେଶ୍ୱର : ‌ରାଜଧାନୀର କାନ୍ଥବାଡ଼ରେ କିଛି ମାସ ତଳେ ବିଭିନ୍ନ କ୍ରୀଡ଼ାବିତ୍‌, ଖେଳ ସାମଗ୍ରୀ, ଓଡ଼ିଆ ବହି, ମହାପୁରୁଷ, ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କର ରଙ୍ଗବେରଙ୍ଗର ଚିତ୍ର ହେଉଥିଲା। କିନ୍ତୁ ଏବେ ସବୁଠି କରୋନା ସଚେତନତା ନେଇ ଚିତ୍ର ହେଉଛି। କେଉଁଠି ଚିତ୍ର ତ କେଉଁଠି ସ୍ଥାପତ୍ୟ ମାଧ୍ୟମରେ ବିଏମ୍‌ସି ପକ୍ଷରୁ କରୋନା ମୁକାବିଲା ନେଇ ସଚେତନତା ସୃଷ୍ଟି କରାଯାଇଛି। ବିଏମ୍‌ସି ପକ୍ଷରୁ ରାଜଧାନୀର ବିଭିନ୍ନ ପ୍ରମୁଖ ଛକରେ ଥିବା ସରକାରୀ […]
ରାଜଧାନୀର କାନ୍ଥବାଡ଼ରେ କରୋନା ସଚେତନତା ବାର୍ତ୍ତା-2

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial