ଲିଭିଗଲା ଦୀପାଙ୍କ ଜୀବନ ଦୀପ

ଲିଭିଗଲା ଦୀପାଙ୍କ ଜୀବନ ଦୀପ-2

ଭୁବନେଶ୍ୱର : ଓଡ଼ିଆ ଆଲବମ୍‌ ଜଗତର ରାଣୀ ଦୀପା ସାହୁ ଆଉ ନାହାନ୍ତି। ସ୍ପର୍ଶ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଅପରାହ୍‌ଣ ୪ଟା ୨ରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ୩୭ ବର୍ଷ ହୋଇଥିଲା। ଗର୍ଭାଶୟ କର୍କଟରେ ଆକ୍ରାନ୍ତ ହୋଇ ଦୀର୍ଘଦିନ ଧରି ଚିକିତ୍ସିତ ହେବା ପରେ ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି। ମୃତ୍ୟୁ ଖବର ପ୍ରଚାର ହେବା କ୍ଷଣି ତାଙ୍କ ସହ ଆଲବମ୍‌ରେ ଅଭିନୟ କରିଥିବା ବହୁ ଅଭିନେତା ଓ ପ୍ରଶଂସକ ଦୀପାଙ୍କୁ ଶେଷଥର ପାଇଁ ଦେଖିବାକୁ ସବୁ କଟକଣା ସତ୍ତ୍ୱେ ହସ୍ପିଟାଲ୍‌କୁ ଧାଇଁ ଆସିଥିଲେ।
ଦୀପା କିଛି ବର୍ଷ ତଳେ କର୍କଟରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଥିଲା। ଉନ୍ନତ ଚିକିତ୍ସା ପାଇଁ ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା। ମାତ୍ର କିଛିଦିନ ପୂର୍ବରୁ ନୀଳାଦ୍ରିବିହାରସ୍ଥିତ ଘରକୁ ଫେରି ଆସିଥିଲେ। ପୁଣି ଯେବେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଲା କଟକଣା ଯୋଗୁଁ ଆଉ ମୁମ୍ବାଇ ଯାଇପାରିନଥିଲେ। ଅବସ୍ଥା ଗୁରୁତର ହେବାରୁ ଜୁନ୍‌ ୨୦ ତାରିଖରେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା। ଶେଷରେ କିଛି କଳାକାରଙ୍କ ସହଯୋଗରେ ତାଙ୍କୁ ଏମ୍‌ସ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଦୀର୍ଘଦିନ ଧରି ଚିକିତ୍ସା ଚାଲିଥିବାରୁ ଅର୍ଥାଭାବ ଦେଖା ଦେଇଥିଲା। ସେଠାରେ ଚିକିତ୍ସାଧୀନ ଥିବା ବେଳେ କଳାକାରମାନେ ଏକତ୍ରିତ ହୋଇ ଆର୍ଥିକ ସହାୟତା ‌ଯୋଗାଇ ଦେଇଥିଲେ। ଓଏସ୍‌ଟିଏଫ୍‌ ପାଣ୍ଠି ଓ କଳାକାର ସଂଘ ପକ୍ଷରୁ ମଧ୍ୟ କିଛି ଆର୍ଥିକ ସହାୟତା ଦିଆଯାଇଥିଲା। ଏଣେ ଏମ୍‌ସ‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ତାଙ୍କୁ ଘରକୁ ଅଣାଇଥିଲା। ପୁନର୍ବାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତ ରବିବାର ତାଙ୍କୁ ସ୍ପର୍ଶ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା। ଗତକାଲି ରାତି ୧୧ଟାରେ ଅବସ୍ଥା ବିଗିଡ଼ିବା ସହ ଶରୀରର ସବୁ ଅଙ୍ଗ ଧୀରେଧୀରେ ଅଚଳ ହୋଇଯାଇଥିଲା। ଶେଷରେ ଅପରାହ୍ନରେ ଡାକ୍ତର ତାଙ୍କୁ ମୃତ ‌ଘୋଷଣା କରିଥିଲେ।
ଢେଙ୍କାନାଳର ଭାପୁର ନିକଟସ୍ଥ ବାଲିଆମ୍ବାରେ ୧୯୮୩ ମସିହା ନଭେମ୍ବର ୧ରେ ଜନ୍ମିତ ଦୀପାଙ୍କର ପିଲାବେଳୁ ନୃତ୍ୟ ପ୍ରତି ସଉକ ଥିଲା। ସେ ଓଡ଼ିଶୀ ନୃତ୍ୟ ଶିଖୁଥିବା ବେଳେ ଆଲବମ୍‌ରେ ଅଭିନୟର ସୁଯୋଗ ପାଇଲେ। ତୋର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣି.., ହାଏ ହାଏ ତୋ ମଲ୍ଲି ଫୁଲ ଗଜରା.., ଏକଡ଼ା ଏକଡ଼ା ରା… ଭଳି ହିଟ୍‌ ‌ଗୀତ ଭେଟି ଦେଇଥିବା ଦୀପା ଶତାଧିକ ଆଲବମ୍‌ରେ ଅଭିନୟ ସହ ଆଲବମ ରାଣୀ ପାଲଟି ଯାଇଥିଲେ। ନାରୀ ଆଖିରେ ନିଆଁ, ସୁନା ଚଢ଼େଇ ମୋ ରୁପା ଚଢ଼େଇ ଓ କଲେଜ୍‌ ଟାଇମ ଭଳି ଫିଲ୍ମ ସହ ‘ବଡ଼ ଘର ବଡ଼ ଗୁମର କଥା’ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ।
ଦୀପାଙ୍କ ସ୍ବାମୀ ମନୀନ୍ଦ୍ରନାଥ ଦତ୍ତଙ୍କ ସୂଚନା ଅନୁଯାୟୀ ଦୀପାଙ୍କ ଶେଷ ଇଚ୍ଛା ମୁତାବକ ତାଙ୍କୁ ଢେଙ୍କାନାଳସ୍ଥିତ ଗ୍ରାମକୁ ନିଆଯାଇ ଗାଁ’ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ। ଦୀପାଙ୍କର ସାଇନି ନାମକ କନ୍ୟା ସନ୍ତାନ ଅଛନ୍ତି। ଏଲିନା, ସୁମନ, ଦେବାଶିଷ, ବିଦୁସ୍ମିତା, ଅଖିଳଙ୍କ ଭଳି କଳାକାର ଓ ବହୁ ପ୍ରଶଂସକ ଶେଷ ଦର୍ଶନ ପାଇଁ ହସ୍ପିଟାଲ୍‌ ସମ୍ମୁଖରେ ଭିଡ଼ ଜମାଇଥିଲେ।

ବିଭିନ୍ନ ମହଲରେ ଶୋକ
ଦୀପାଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, ଦୀପା ଓଡ଼ିଆ ଆଲବମ୍‌ ଜଗତରେ କଳାର ନିଖୁଣ ଛାପ ଦ୍ବାରା ଅନେକ ଦର୍ଶକଙ୍କୁ ବାନ୍ଧି ରଖି ପାରିଥିଲେ। ତାଙ୍କ ବିୟୋଗରେ ଆଲବମ୍‌ ଜଗତରେ ଅପୂରଣୀୟ କ୍ଷତି ଘଟିଲା। ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ସହ ସେ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି, ଦୀପା ଆଲବମ୍‌ ଜଗତର ଆଗଧାଡ଼ିର କଳାକାର ଥିଲେ। ଅକାଳ ବିୟୋଗ କଳାଜଗତ ପାଇଁ ବିରାଟ କ୍ଷତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦୁଃଖ ପ୍ରକାଶ ସହ ପରିବାରବର୍ଗଙ୍କୁ ଗଭୀର ସମବେଦନା ଓ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି।
ଲିଭିଗଲା ଦୀପାଙ୍କ ଜୀବନ ଦୀପ
ନାୟିକା ତ ଅନେକ ଥିଲେ। ମାତ୍ର ସେ ଥିଲେ ଆଲବମ୍‌ ଜଗତର ରାଣୀ। ଦିନେ ତାଙ୍କ ମଖମଲ୍ଲୀ ଚେହେରା ପାଇଁ ଅନେକ ଦିୱାନା ଥିଲେ। ପରଦା ଉପ‌ରେ ତାଙ୍କ ଚୁଲବୁଲି ଅଭିନୟ ଦର୍ଶକଙ୍କୁ ଟିଭି ଆଗେ ବାନ୍ଧି ରଖୁଥିଲା। ଓଡ଼ିଆ ଆଲବମ୍‌ କହିଲେ, ଯେଉଁ କେତେଜଣ ହିରୋଇନଙ୍କ ନାଁ ସାମ୍ନାକୁ ଆସୁଥିଲା, ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ଥିଲେ ଦୀପା ସାହୁ। ମାତ୍ର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣିରେ ମତୁଆଲା କରିଥିବା ଏହି ଆଲବମ କୁଇନ ଆଉ ନାହାନ୍ତି। ଦୁଃଖ ଏହି ଯେ ଦିନେ ନିଜ ମା’ଙ୍କୁ କ୍ୟାନ୍ସର ହୋଇଥିବା ଯୋଗୁଁ ଯୋଉ ଚର୍ଚ୍ଚିତ ନାୟିକା ପରଦାରୁ ମୁହଁ ଫେରାଇ ନିଜ ପରିବାର ଉପରେ ଧ୍ୟାନକେନ୍ଦ୍ରିତ କରିଥିଲେ, ଆଜି ସେଇ ବ୍ୟାଧି ଯୋଗୁଁ ତାଙ୍କ ଜୀବନଦୀପ ଲିଭିଗଲା।

ମା’ଙ୍କୁ କ୍ୟାନ୍ସର ଯୋଗୁଁ ଛାଡ଼ିଥିଲେ ଆଲବମ୍‌ ଦୁନିଆ
୨୦୦୨ ମସିହାରେ ମେଡ୍ ଇନ୍‌ ଓଡ଼ିଶା ଗୀତରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲେ। ମାତ୍ର ସ୍ଥିତି ଏମିତି ହେଲା ଯେ ସେ ହଠାତ ଆଲବମ ଦୁନିଆଠୁ ଦୂରେଇଗଲେ। ଦୀପା ଥିଲେ ଘରର ବଡ଼ ଝିଅ। ଏହା ବ୍ୟତୀତ ତାଙ୍କର ଦୁଇ ସାନ ଭାଇ। ଆଲବମରେ ସବୁଠୁ ଚର୍ଚ୍ଚିତ ହୋଇ ସାରିଥିବା ବେଳେ ତାଙ୍କ ମା’ଙ୍କଠାରେ କ୍ୟାନ୍ସର ଚିହ୍ନଟ ହେଲା। ଏହାପରେ ଦୀପାଙ୍କ ପୂରା ପରିବାର ଭାଙ୍ଗି ପଡ଼ିଥିଲେ। ତେଣୁ ନିଜ ପରିବାରକୁ ସମୟ ଦେବା ପାଇଁ ଦୀପା ଅଭିନୟ ଜୀବନରୁ ସନ୍ନ୍ୟାସ ନେଇଯାଇଥିଲେ। ଏହା ମଧ୍ୟରେ ସେ କେତୋଟି ଫିଲ୍ମରେ ନାୟିକା ହେବାକୁ ଅଫର ପାଇଲେ। କିନ୍ତୁ ମା’ଙ୍କ ଯୋଗୁଁ ସେ ଫିଲ୍ମ ଅଫର ଗ୍ରହଣ କଲେ ନାହିଁ। ପରେ ଯଦିଓ ପୁଣି ଫେରିଥିଲେ, କିନ୍ତୁ ସେତେବେଳକୁ ଆଲବମ ଦୁନିଆରେ ଯବନିକା ପଡ଼ି ସାରିଥିଲା।
ବାପାଙ୍କ ଇଚ୍ଛା ନଥିଲା, ତଥାପି ଅଭିନୟକୁ ଆସିଥିଲେ
ଢେଙ୍କାନାଳରେ ଜନ୍ମିତ ଦୀପାଙ୍କର ପିଲାବେଳୁ ନୃତ୍ୟ ପ୍ରତି ସଉକ ଥିଲା। ସଉକ ପୂରଣ ପାଇଁ ସେ ଓଡ଼ିଶୀ ନୃତ୍ୟ ଶିଖୁଥିଲେ। ପ୍ରଥମଥର ପାଇଁ ସେ ଶାନ୍ତିନିକେତନ ଯାଇ ସେଠାରେ ନୃତ୍ୟ ପ୍ରଦର୍ଶନ କରିଥିଲେ। ବାପାଙ୍କୁ କହିଥିଲେ, ମୋ’ର ଏଟା ପ୍ରଥମ ଓ ଶେଷ। ମାତ୍ର ଥରେ ମୁହଁରେ ମେକଅପ ବୋଳିବା ପରେ ଦୀପା ଆଉ ଏ ଅଭିନୟର ମାୟାମହଲରୁ ଖସି ପାରିନଥିଲେ। ପରେ ତାଙ୍କର ପରଦା ପ୍ରତି ଆକର୍ଷଣ ବଢ଼ିଲା। ତେଣୁ ତାଙ୍କ ନୃତ୍ୟାନୁଷ୍ଠାନକୁ ଆସୁଥିବା କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କୁ ସେ କହିଲେ, ଯଦି ମତେ କିଛି ସୁଯୋଗ ମିଳେ ତେବେ ମୁଁ ଅଭିନୟ କରନ୍ତି। ଏହା ଶୁଣିବା ପରେ ଶକ୍ତି ମିଶ୍ର ତାଙ୍କୁ ଆଣି ବବି ଇସଲାମଙ୍କ ସହ ପରିଚୟ କରାଇଦେଲେ। ସେବେଠୁ ଦୀପା ସାହୁଙ୍କ ଅଭିନୟର ଜୟଯାତ୍ରା ଆରମ୍ଭ ହୋଇଯାଇଥିଲା। ଓଡ଼ିଆ ଆଲବମ ରାଇଜରେ ସେ ପାଲଟି ଯାଇଥିଲେ ସୋନପରୀ।
ପ୍ରେମ ବିବାହ ପରେ ବି ଦୀପାଙ୍କୁ ଆସିଥିଲା ପ୍ରେମର ଗୋଲାପ
ବ୍ୟବସାୟୀ ମନୀନ୍ଦ୍ରନାଥ ଦିନେ ପୁରୀ ଆସିଥିବା ବେଳେ ସଂଯୋଗବଶତଃ ଦୀପା ପୁରୀକୁ ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଇଥିଲେ। ପ୍ରଥମ ଦେଖାରେ ହିଁ ଉଭୟ ପରସ୍ପରକୁ ପସନ୍ଦ କଲେ। ମାତ୍ର ୨-୩ ମାସର ‌ଡେଟିଂ ପରେ ଦୁହେଁ ୨୦୦୭ରେ ବିବାହ କଲେ। ମନୀନ୍ଦ୍ର ଦତ୍ତଙ୍କୁ ଦୀପା ବିବାହ କରିବା ପରେ ତାଙ୍କର ସାଇନି ନାମରେ ଝିଅଟିଏ ମଧ୍ୟ ଅଛି। ମାତ୍ର ବିବାହ ପରେ ମଧ୍ୟ ଦୀପାଙ୍କ ନିକଟକୁ ଥରେ ଭ୍ୟାଲେଣ୍ଟାଇନରେ ଆସିଥିଲା ୧୫୦ ଗୋଲାପ ଖଞ୍ଜା ହୋଇଥିବା ଏକ ‌ବୁକେ। ମନୀନ୍ଦ୍ର ସେତେବେଳେକୁ ବ୍ୟବସାୟ କାମରେ କୋଲକାତା ଯାଇଥାଆନ୍ତି। ଦୀପା ଭାବିଲେ ମନୀନ୍ଦ୍ର ଏହା ପଠାଇଛନ୍ତି। ତେଣୁ ସେ ତାଙ୍କୁ ଧନ୍ୟବାଦ ଜଣାଇବା ବେଳେ ମନୀନ୍ଦ୍ର କହିଲେ, ମୁଁ ତ ତୁମକୁ କିଛି ପଠାଇ ନାହିଁ। ସେଇଠୁ ସେ ଜାଣିଲେ ଯେ ତାଙ୍କର କିଏ ଜଣେ ପ୍ରଶଂସକ ତାଙ୍କୁ ଏ ଗୋଲାପ ଗୁଚ୍ଛ ପଠାଇଛନ୍ତି।

Share Now:

Kalinga News Beuro

Next Post

ଆଜି ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା

Tue Jul 28 , 2020
ଭୁବନେଶ୍ୱର : ଆଜି ରାଜ୍ୟର ୪ ଜିଲ୍ଲା ଯଥା ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୁଳରେ ପ୍ରବଳ ବର୍ଷା ହେବ। ସେହିପରି ଉତ୍ତର ଉପକୂଳ ଓଡ଼ିଶା ସମେତ ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ବଲାଙ୍ଗୀର, ଅନୁଗୁଳ, ସୋନପୁର, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲା‌ର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହା ପରେ ଦୁଇ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। […]
ବର୍ଷା ସମ୍ଭାବନା କମ୍-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial