ଟିଟୋ ଗ୍ୟାଙ୍ଗ ସକ୍ରିୟ: କଟକରେ ପୁଣି ଏନ୍‌କାଉଣ୍ଟର,ଟୁଟୁନି ଆହତ

କଟକ : ଗତକାଲିର ଡବଲ୍‌ ଏନକାଉଣ୍ଟର ପରେ ଆଜି କଟକ ପୁଲିସ୍‌ ପୁଣି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରିଛି। ଆଜିର ଏହି ଏନକାଉଣ୍ଟରକୁ ମିଶାଇ କଟକ ପୁଲିସର ଏନକାଉଣ୍ଟର ସଂଖ୍ୟା ବର୍ଷକ ଭିତରେ ୧୫ରେ ପହଞ୍ଚିଛି। ଆଜି ପୁଲିସ ଏନକାଉଣ୍ଟରର ଶିକାର ହୋଇଥିବା ଯୁବକ ହେଉଛି ଜଗତପୁରର ଟୁଟୁନି ଓରଫ ଅଶୋକ କୁମାର ବେହେରା। ମାର୍ଚ୍ଚ ୨୮ ତାରିଖରେ ଜଗତପୁରରେ ଟେଣ୍ଡର ଫିକ୍ସିଂ ପାଇଁ ମହମ୍ମଦ ତାହିର ଅଲ୍ଲୀ ଖାଁଙ୍କୁ ଗୁଳିମାଡ଼ ଘଟଣାରେ ଟୁଟୁନି ଥିଲା ଅନ୍ୟତମ ଅଭିଯୁକ୍ତ। ସେ ଟିଟୋ ଗ୍ୟାଙ୍ଗର ଏବଂ କାଲା ବାବୁର ସହଯୋଗୀ ବୋଲି କୁହାଯାଉଛି।
ପୁଲିସ ଦେଇଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ଟୁଟୁନିକୁ ଧରିବା ପାଇଁ ଡିସିପି ଅଖିଳେଶ୍ୱର ସିଂହ ଓ ଏସିପି ତ୍ରିନାଥ ମିଶ୍ରଙ୍କ ନିର୍ଦ୍ଦେଶରେ ଚୌଦ୍ୱାର ଥାନା ଆଇଆଇସି ରଶ୍ମୀରଂଜନ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ଗଢା ଯାଇଥିଲା। ଏଥିରେ ଜଗତପୁର ଥାନାର ଏସଆଇ ଜ୍ଞାନରଂଜନ ମହାପାତ୍ର, ଏଏସ୍‌ଆଇ ଅଭିରାମ ସେଠୀ, ଲତିଫ ମହମ୍ମଦ, ରାଧାକାନ୍ତ ସେଠୀ ଓ ସ୍ପେଶାଲ ସ୍କ୍ଵାଡ୍‌ ସଦସ୍ୟ ସାମିଲ ହୋଇଥିଲେ। ଚୌଦ୍ୱାର ବିରୂପା ବ୍ୟାରେଜ ନିକଟରେ ଟୁଟୁନି ଥିବା ସଂପର୍କରେ ଟିମ୍‌ ଖବର ପାଇ ସେଠାରେ ରାତି ପ୍ରାୟ ୮ଟା ୨୫ ସମୟରେ ଚଢଉ କରିଥିଲା। ଟୁଟୁନି ସେଠାରେ ଗୋଟିଏ ନମ୍ବର ବିହୀନ ବଜାଜ ପଲସର ଧରି ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। ପୁଲିସକୁ ଦେଖି ଟୁଟୁନି ସେଠାରୁ ବନିକା ଆଡ଼କୁ ଖସି ଯିବାକୁ ଉଦ୍ୟମ କଲା ବେଳେ ଗାଡି ଚକ ସ୍ଲିପ୍‌ କରିବାରୁ ପଡି ଗଲା। ଟୁଟୁନି ବାଇକ ଛାଡ଼ି ଦୌଡିବାକୁ ଉଦ୍ୟମ କଲା ବେଳେ ପୁଲିସ ତା’ର ପିଛା କରିଥିଲା। ସେହି ସମୟରେ ଟୁଟୁନି ଅଣ୍ଟାରୁ ପିସ୍ତଲ କାଢି ପୁଲିସ ଉପରକୁ ଗୁଳି ଚଳାଇଥିଲା। ସେହି ଗୁଳିଟି କାହା ଦେହରେ ବାଜି ନଥିବା ବେଳେ ଟୁଟୁନି ପୁଣି ଗୁଳି ଚଳାଇବାକୁ ଉଦ୍ୟମ କରିଥିଲା। ତାକୁ କାବୁ କରିବା ପାଇଁ ଆଇଆଇସି ରଶ୍ମୀରଂଜନ ମହାପାତ୍ର ସର୍ଭିସ ରିଭଲଭରରୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ। ଟୁଟୁନିର ଡାହାଣ ଗୋଡ଼ରେ ଗୁଳି ବାଜି ଥିଲା ଏବଂ ସେ ସେଠାରେ ପଡି ଯାଇଥିଲା। ଟୁଟୁନିକୁ କାବୁ କରି ପୁଲିସ ତା’ ନିକଟରୁ ଗୋଟିଏ ୯ଏମ୍‌ଏମ୍‌ ପିସ୍ତଲ ଓ ଦୁଇଟି ଗୁଳି ଜବତ କରିଥିଲା। ତା’ର ପଲସର୍‌ ବାଇକକୁ ବି ଜବତ କରାଯାଇଥିଲା। ଆହତ ଟୁଟୁନିକୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଟୁଟୁନି ନାମରେ ଟାଙ୍ଗୀ, ଜଗତପୁର, ମର୍କତନଗର ଥାନାରେ ୭ରୁ ଅଧିକ ସଂଗୀନ ମାମଲା ରହିଛି।
ଚୌଦ୍ୱାର ଥାନା ପୁଲିସର ଏହା ଦ୍ୱିତୀୟ ଏନକାଉଣ୍ଟର୍‌। ଚୌଦ୍ୱାର ଥାନା ଆଇଆଇସି ରଶ୍ମୀରଂଜନ ମହାପାତ୍ର ଜାନୁଆରି ୧୧ ତାରିଖରେ କାଫଲା ବଜାରର ସୁନିଲ ଓରଫ ସୌମ୍ୟରଂଜନ ସାହୁକୁ ଏନକାଉଣ୍ଟର କରିଥିଲେ। ସୂଚନାଯୋଗ୍ୟ ଯେ ୨୦୧୭, ଏପ୍ରିଲ ୧୭ ତାରିଖରୁ ୨୦୧୮ ଏପ୍ରିଲ ୬ ତାରିଖରେ କଟକ କମିସନରେଟ୍‌ ପୁଲିସ୍‌ ୧୩ଟି ଘଟଣାରେ ୧୫ ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ସାରିଲାଣି।

Share Now:

Kalinga News Beuro

Leave a Reply

Next Post

ଅଭିନେତା ଦେବୁ ବୋଷ ଗୁରୁତର

Sat Apr 7 , 2018
ଭୁବନେଶ୍ୱର: ଓଲିଉଡର ବରିଷ୍ଠ ସିନେ ଅଭିନେତା ଦେବୁ ବୋଷଙ୍କ ଶରୀରାବସ୍ଥା ଶୁକ୍ରବାର ଅପରାହ୍ନରେ ଗୁରୁତର ହୋଇଥିବା ଖବର ମିଳିଛି। ଦେବୁ ବୋଷଙ୍କୁ ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ହସ୍‌ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଚିକିତ୍ସା ଜାରି ରହିଛି ବୋଲି ଦେବୁଙ୍କ ବଡ଼ ପୁଅ ସାର୍ଥକ ବୋଷ ଏହି ସୂଚନା ଦେଇଛନ୍ତି। ତେବେ ପରିବାର ଲୋକଙ୍କ କହିବାନୁସାରେ ଦେବୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial