ଗଞ୍ଜାମ ପରିସ୍ଥିତି ଭୟାନକ: ନିରଞ୍ଜନ

ଗଞ୍ଜାମ ପରିସ୍ଥିତି ଭୟାନକ ପିସିସି ସଭାପତି

ଭୁବନେଶ୍ୱର : କରୋନା ସଂକ୍ରମଣ ଗଞ୍ଜାମରେ ଭୟଙ୍କର ରୂପ ନେଲାଣି। ସେଠି ବର୍ତ୍ତମାନ‌ ଅସମ୍ଭାଳ ସ୍ଥିତି ଉପୁଜିଛି। ସରକାରଙ୍କ ଘୋଷଣା ମୁତାବକ କାର୍ଯ୍ୟ ହେଉନି। ଗଞ୍ଜାମର କୋଭିଡ୍‌ ପରିଚାଳନାକୁ ନେଇ ଏପରି ଉଦବେଗ ପ୍ରକାଶ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ସଂକ୍ରମିତ ବ୍ୟକ୍ତିଙ୍କ ପରୀକ୍ଷା ଠିକ ଭାବେ ହେଉନି କି ଗ୍ରାମାଞ୍ଚଳରେ ମୋବାଇଲ ଗାଡ଼ି ବୁଲୁନାହିଁ ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଗତକାଲି ଏକ ପ୍ରେସ୍‌ ବାର୍ତ୍ତାରେ ପିସିସି ସଭାପତି କହିଛନ୍ତି, ରାଜ୍ୟରେ ସର୍ବାଧିକ ସଂକ୍ରମଣ ଓ ମୃତ୍ୟୁ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ କରାଯାଇଛି। ଏବେସୁଦ୍ଧା ଜିଲ୍ଲାରେ ୧୦ ହଜାର ୯୯୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୦୩ ଜଣଙ୍କର ପ୍ରାଣହାନୀ ଘଟିଛି। ଆଗକୁ ଏ ସଂଖ୍ୟା ଆହୁରି ବଢ଼ିବ। ସର୍ଭେ ଓ ସଂକ୍ରମିତ ବ୍ୟକ୍ତିମାନଙ୍କ ପରୀକ୍ଷା ମନ୍ଥର ଗତିରେ ଚାଲିଛି। ଆଣ୍ଟିଜେନ୍‌ ଓ ଆର୍‌ଟିପିସିଆର୍ ଟେଷ୍ଟ୍‌ ରିପୋର୍ଟ ଠିକ୍‌ ମିଳୁନି। ବହୁ ଲୋକଙ୍କର ସ୍ୱାବ‌ ପରୀକ୍ଷା ହୋଇ ରିପୋର୍ଟ ଆସିବା ବେଳକୁ ସେମାନେ ଜ୍ୱରରେ ପୀଡିତ ହେଉଛନ୍ତି। ଆଉ କୋଭିଡ ହସ୍ପିଟାଲ୍ ଯିବା ପୂର୍ବରୁ ସେମାନଙ୍କର ମୃତ୍ୟୁ ହେଉଛି। ଶ୍ରୀ ପଟ୍ଟନାୟକ ଆହୁରି ଅଭିଯୋଗ କରି କହିଛନ୍ତି, କୋଭିଡ ହସ୍ପିଟାଲ୍, କୋଭିଡ କେୟାର ହୋମ୍ ଓ କୋଭିଡ କେୟାର ସେଣ୍ଟରରେ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନି। କୋଭି-ଫ୍ଲୁ ଇଞ୍ଜେକ୍‌ସନ୍‌ ଆସିଥିଲେ ବି ରୋଗୀମାନଙ୍କୁ ଦିଆଯାଉନାହିଁ। ଏସବୁ ଇଞ୍ଜେକ୍‌ସନ୍‌ ବଜାରରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ରୋଗୀମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି। ସେମାନେ ସୁସ୍ଥ ହେବା ପୂର୍ବରୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଉଛି। ଯାହାଫଳରେ ସ୍ଥାନୀୟ ଲୋକଙ୍କ ଭିତରେ ସଂକ୍ରମଣ ବଢ଼ି ଚାଲିଛି। ଜିଲ୍ଲାକୁ ୧୩୦ ଜଣ ଆୟୁଷ ଡାକ୍ତର ଡେପୁଟେସନରେ ଆସିଥିବା କୁହାଯାଇଛି। କିନ୍ତୁ ରୋଗୀମାନେ ସ୍ୱାସ୍ଥ୍ୟସେବା ପାଉନାହାନ୍ତି। ରୋଗୀର ମୃତ୍ୟୁ ପରେ ତାର ଶବ ପରିବାରକୁ ନ ଦେବାକୁ ନିୟମ କରାଗଲା ସତ କିନ୍ତୁ ମରିବା ଖବର ଦିନ ଦିନ ଧରି ପରିବାର ବର୍ଗଙ୍କୁ ଦିଆଯାଉନି। ଡାକ୍ତରଖାନାରେ ଶବ ପଡ଼ି ରହୁଛି। ଏପରିକି ଯିଏ ଯେଉଁ ଧର୍ମର ବ୍ୟକ୍ତି ସେହି ଧର୍ମ ଅନୁଯାୟୀ ଶବ ଶତ୍କାର କରାଯିବ ବୋଲି ସରକାରୀ ନିର୍ଦ୍ଦେଶ ଥିଲେ ସୁଦ୍ଧା ତାହା ବି ପାଳନ ହେଉନାହିଁ। ମାଟିରେ ଗାତ ଖୋଳି ସେଥିରେ ଶବ ପୂରାଇ କିରାସିନି ଢାଳି ନିଆଁ ଲଗାଇ ଦିଆଯାଉଛି। ଜିଲ୍ଲାରେ ୧୦୪ଟି ଆମ୍ବୁଲାନ୍‌ସ ଥିବା ନେଇ ପ୍ରଶାସନ କହୁଥିଲେ ସୁଦ୍ଧା ଠିକ୍‌ ସମୟରେ ଆମ୍ବୁଲାନ୍‌ସ୍‌ ସେବା ମିଳିପାରୁନି।
ପ୍ରବାସୀମାନଙ୍କ ସମସ୍ୟା ଏବେ ଆହୁରି ଦୁଇଗୁଣ ବଢ଼ି ଗଲାଣି। ଗଞ୍ଜାମକୁ ୨ ଲକ୍ଷ ୨୦ ହଜାର ପ୍ରବାସୀ ଫେରିଛନ୍ତି। ସେମାନଙ୍କୁ ମନରେଗା ସମେତ ଅନ୍ୟାନ୍ୟ ଯୋଜନାରେ କାମ ଯୋଗାଇ ଦିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବାସ୍ତବ ସ୍ଥିତି ହେଉଛି ସେସବୁ ଶ୍ରମିକ ଦୀର୍ଘ ଦିନ ଧରି କାମ ନ ପାଇବାରୁ ଏବେ ପୁଣି ଥରେ ବାହାର ରାଜ୍ୟକୁ ଫେରିବା ଆରମ୍ଭ କଲେଣି। ଲକ୍‌ଡାଉନ୍ ପରେ ଏପ୍ରିଲରୁ ଜୁନ୍‌ ଯାଏଁ ତିନି ମାସର ରାସନ୍ ଦେବା ପାଇଁ ଘୋଷଣା ହୋଇଥିଲା। ଏବେ ପୁଣି ଆଉ ୫ ମାସର ରାସନ୍ ଦେବେ ବୋଲି ସରକାର କହିଛନ୍ତି। କିନ୍ତୁ ପ୍ରଥମ କିସ୍ତି ରାସନ୍ ଏବେସୁଦ୍ଧା ବଣ୍ଟନ ହୋଇନି। ସଙ୍ଗରୋଧ କେନ୍ଦ୍ରରୁ ଫେରିଥିବା ପ୍ରବାସୀଙ୍କୁ ୨ ହଜାର ଟଙ୍କା ଦିଆଗଲାନି। କାଁ ଭାଁ କେଉଁଠି କେତେଜଣଙ୍କୁ ହଜାର ଟଙ୍କା ଲେଖାଏଁ ବଣ୍ଟନ ହୋଇଛି। ଏସବୁକୁ ଆନ୍ତରିକତା ସହ ବିଚାର କରି ସରକାର ତ୍ବରିତ୍‌ ପଦକ୍ଷେପ ନେବାକୁ ପିସିସି ସଭାପତି ଅନୁରୋଧ କରିଛନ୍ତି।

Share Now:

Kalinga News Beuro

Next Post

ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ଆଗୁଆ ପ୍ରସ୍ତୁତି

Tue Aug 4 , 2020
ଭୁବନେଶ୍ୱର : ୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ତୃଣମୂଳ ସ୍ତରରୁ ଦଳର ସଂଗଠନକୁ ମଜବୁତ କରାଯିବ। ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ପକ୍ଷରୁ ଏ ନେଇ ଭିଡିଓ କନଫରେନ୍‌ସିଂ ଜରିଆରେ ନେତା ଓ କର୍ମୀମାନଙ୍କ ମତାମତ ନିଆଯାଇଛି। ଲୋକଙ୍କ ସ୍ଥାନୀୟ ସମସ୍ୟାକୁ ଗୁରୁତ୍ବ ଦେଇ ଏଣିକି ଗଣ ଆନ୍ଦୋଳନ କରିବାକୁ ଆଲୋଚନାରେ ସ୍ଥିର କରାଯାଇଛି। ସଂଗଠନର ଜାତୀୟ ଅଧ୍ୟକ୍ଷା ମିନାକ୍ଷୀ ନଟରାଜନ […]
ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ଆଗୁଆ ପ୍ରସ୍ତୁତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial