ଦେଶରେ ବର୍ତ୍ତମାନ ରାମମନ୍ଦିର ନିର୍ମାଣ ଆଗ ନା ମହାମାରୀରୁ ବଞ୍ଚିବା ପାଇଁ ଟୀକା…?

ରୁପା ଇଟାରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ମୋଦୀ-2

ଲୋକେ ବଞ୍ଚିଲେ ତ ମନ୍ଦିର ଯିବେ…?

ଭୁବନେଶ୍ୱର : ବର୍ତ୍ତମାନ ସାରା ପୃଥିବୀରେ ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଛି। କେତେ ଯେ ଧନ ଜୀବନ ନଷ୍ଟ ହେବା ସହ ସାଧାରଣ ଜନତାଙ୍କ ଜୀବିକା ଉଜୁଡି ଗଲାଣି ହିସାବ କରିବା କାଠିକର ପାଠ। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତର ଅଯୋଧ୍ୟାଠାରେ ଭଗବାନ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ କରାଇବା ପାଇଁ ଭୂମି ପୂଜନ ଉତ୍ସବରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯିବା କେତେଦୂର ଯଥାର୍ଥ ? ବର୍ତ୍ତମାନ ଦେଶରେ ଚାଲିଥିବା ମହାମାରୀର ମୁକାବିଲା କରିବାକୁ କେନ୍ଦ୍ର ସରକାର ଯେଉଁ ନୀତି ନିୟମ ସବୁ କରିଛନ୍ତି ,ସେହି ସମସ୍ତ ନିୟମକୁ ସବୁ ରାଜ୍ୟ ସରକାର ସମର୍ଥନ ଦେବା ସହିତ ଦେଶର ସମସ୍ତ ଜନତା (କିଛି ଆମାନିଆଙ୍କୁ ଛାଡି) ନିଜର ସମର୍ଥନ ଦେଇଆସିଛନ୍ତି। ସରକାରଙ୍କର ଲକ ଡାଉନ ଓ ସଟଡାଉନକୁ ମାନି ଘରେ ରହିଛନ୍ତି। ଫଳରେ ଅନେକ ନିଜର ରୋଜଗାର ହରାଇଛନ୍ତି। ଅନେକ ପରିବାର ସର୍ବସ୍ୱାନ୍ତ ହୋଇଗଲେଣି। ଦେଶର ଅର୍ଥ ବ୍ୟବସ୍ଥା ତଳକୁ ତଳକୁ ଯିବା ସହିତ ଦରଦାମ ବୃଦ୍ଧି ସାଧାରଣ ଜନତାଙ୍କୁ ବ୍ୟଥିତ କରୁଛି। ୫୦୦ ବର୍ଷର ଆସ୍ଥା ଓ ପ୍ରତିଷ୍ଠାର ଯୁଦ୍ଧ ପରେ ଭାରତର ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶ କ୍ରମେ ଅଯୋଧ୍ୟାରେ ଶ୍ରୀରାମଲାଲାଙ୍କର ମନ୍ଦିର ନିର୍ମାଣ ହେବା ଯଥାର୍ଥ। କିନ୍ତୁ ପ୍ରଶ୍ନ ଉଠୁଛି ଯେ ଏପରି ମହାମାରୀ ସମୟରେ ଭୂମି ପୂଜନ ପାଇଁ ରୂପା ଇଟା, ଭବ୍ୟ ସାଜସଜା ଓ ମନ୍ଦିର ନିର୍ମାଣ ପାଇଁ କୋଟି କୋଟି ଟଙ୍କା ପାଣିଭଳି ଖର୍ଚ୍ଚ କରାଯିବା କେତେଦୂର ସମୀଚିନ। କରୋନାରୁ କିପରି ସାଧାରଣ ଜନତା ବା ଦେଶବାସୀଙ୍କୁ ଉଦ୍ଧାର କରିବା ପ୍ରଧାନମନ୍ତ୍ରୀଙ୍କର ପ୍ରଥମ କର୍ତ୍ତବ୍ୟ ହେବା ବଦଳରେ ଏପରି ଦାୟିତ୍ୱହୀନ କାର୍ଯ୍ୟକ୍ରମ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଜଣେ ଦେଶର ପ୍ରଧାନମନ୍ତ୍ରୀ ହେଲାପରେ ସେ ଯଦି ସେହି ରାମଙ୍କର ନୀତିଗତ ଆଦର୍ଶକୁ କାର୍ଯ୍ୟକାରୀ କରିପାରିବେନି ତେବେ ଆମେ କହିବା କାହାକୁ। ବର୍ତ୍ତମାନ ସାଧାରଣ ଜନତା ରୋଜଗାର ହରାଇ ହା-ହୁତାସନରେ ଜୀବନ ନିର୍ବାହ କରୁଥିବା ସମୟରେ ଜାତି, ଧର୍ମ , ବର୍ଣ୍ଣ, ଦଳ ମତ ନିର୍ବିଶେଷରେ ପ୍ରତ୍ୟେକ ନାଗରିକର ସୁରକ୍ଷା କରିବା ପ୍ରଧାନମନ୍ତ୍ରୀଙ୍କର ପ୍ରଥମ କର୍ତ୍ତବ୍ୟ ହେବା ଉଚିତ। କାରଣ ସେହି ଭଗବାନ ଶ୍ରୀରାମଚନ୍ଦ୍ର ଜଣେ ସାଧାରଣ ଜନତାର ଅପବାଦ ଓ ରାଜାର କର୍ତ୍ତବ୍ୟକୁ ପ୍ରତିଷ୍ଠା କରିବା ପାଇଁ ସତୀ ଶିରୋମଣି ମାତା ସୀତାଙ୍କୁ ଗର୍ଭବତୀ ଥିବା ସମୟରେ ତ୍ୟାଗ କରି ବଣକୁ ପଠାଇଦେଇଥିଲେ। ସେଥିରୁ ଯଦି ଆମେ କିଛି ଶିଖି ପାରିଲେନି ତେବେ କହିବା କାହାକୁ ? ଯେଉଁଠି ଆମେ ଆଜିପର୍ଯ୍ୟନ୍ତ ଜୀବନ ବଞ୍ଚାଇବା ପାଇଁ ସାଧାରଣ ଜନତାଙ୍କ ପ୍ରାଣପ୍ରଦାନକାରୀ ଟୀକା ବାହାର କରିବାକୁ ଅସମର୍ଥ ,ସେପରି ସମୟରେ ଏପରି ଭବ୍ୟ ମନ୍ଦିରର ଆବଶ୍ୟକତା କଅଣ ଅଛି ? ମନ୍ଦିର ନିର୍ମାଣ ହେଉ କିଛି କଥା ନାହିଁ,ମନ୍ଦିର ନିର୍ମାଣ ହେବା ଉଚିତ କାରଣ ମନ୍ଦିର ହେଉଛି ସମଗ୍ର ବିଶ୍ୱରେ ବସବାସ କରୁଥିବା ସନାତନ ଧର୍ମ ବା ହିନ୍ଦୁ ଧର୍ମର ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ। କିନ୍ତୁ ଆମେ କଣ ଏହି ଭୂମି ପୂଜନ ଉତ୍ସବକୁ କିଛି ସମୟ ପାଇଁ ସ୍ଥଗିତ କରିପାରି ନଥାନ୍ତେ ? ଯେଉଁଠି ମହାମାରୀ କବଳରେ ଲକ୍ଷ ଲକ୍ଷ ଲୋକ ନିଜ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି ଓ ଅନେକ ଜୀବନହାନୀ ଘଟୁଛି, ସେପରି ସମୟରେ ଏ ମନ୍ଦିର କାହାପାଇଁ । ଲୋକେ ବଞ୍ଚିଲେ ତ ମନ୍ଦିର ଯିବେ…? ଏପରି ସଙ୍କଟ ସମୟରେ ପ୍ରତ୍ୟେକ ନାଗରିକ କିପରି ବଞ୍ଚିବେ ସେ ଦିଗ ପ୍ରତି ଦୃଷ୍ଟିଦେବା ଉଚିତ ନା ଧର୍ମ ନାମରେ ନିଜର ଆତ୍ମ ପ୍ରତିଷ୍ଠା କରିବା ପାଇଁ ଯାହା ଇଛା କରିବା ଠିକ ତାହା ଆଗାମୀ ଦିନରେ ସାଧାରଣ ଜନତା ବିଚାର କରିବେ।

Share Now:

Kalinga News Beuro

Next Post

ସାଳନ୍ଦୀ କେନାଲ ପାଣିରେ ଉବୁଟୁବୁ ମୁକୁନ୍ଦପୁର ଦତ୍ତସାହି

Wed Aug 5 , 2020
ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଥିବା ଚାଷ ଜମିକୁ ଜଳ ସେଚନ କରିବା ପାଇଁ ସାଳନ୍ଦୀ କେନାଲ ଖନନ କରାଯାଇଥିଲା। ଏବେ ଏହି କେନାଲ ସାଧାରଣ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଜନସାଧାରଣଙ୍କ ଜୀବନ ଯାତ୍ରା ଓ ବସବାସରେ ସମସ୍ୟା ସୃଷ୍ଟି କରୁଛି। କେନାଲରେ ଠିକ ସମୟରେ ଜଳ ନିଷ୍କାସନ ହୋଇ ନ ପାରୁଥିବାରୁ ଗ୍ରାମ ଭିତରେ ଥିବା ବିଭିନ୍ନ ସାହିରେ ପାଣି ପଶି ଯାଇ […]
ସାଳନ୍ଦୀ କେନାଲ ପାଣିରେ ଉବୁଟୁବୁ ମୁକୁନ୍ଦପୁର ଦତ୍ତସାହି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial