କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ ପାଇଁ ନିରବ ପ୍ରାର୍ଥନା: ୨ ମିନିଟ୍ ଅଟକି ଗଲା ରାଜଧାନୀ ଟ୍ରାଫିକ

କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ ପାଇଁ ନିରବ ପ୍ରାର୍ଥନା

ଭୁବନେଶ୍ବର: ସମୟ ସନ୍ଧ୍ୟା ୬ଟା। ଟ୍ରାଫିକ୍‌ ଛକମାନଙ୍କରେ ଅଟକିଯାଇଥିଲା ସବୁ ଗାଡ଼ି। ଝିପିଝିପି ବର୍ଷା ସତ୍ତ୍ୱେ ଗାଡ଼ିରୁ ଓହ୍ଲାଇ ନିରବ ମୁଦ୍ରାରେ ଦଣ୍ଡାୟମାନ ହୋଇଥିଲେ ଶହଶହ ଜନତା। କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ, ପ୍ରତିବଦ୍ଧତା, ନିଷ୍ଠା ଓ ସେବାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ବିଭିନ୍ନ ଛକମାନଙ୍କରେ ଦେଖିବାକୁ ମିଳିଥିଲା ଏଭଳି ଭବ୍ୟ ଓ କୃତଜ୍ଞତାର ଦୃଶ୍ୟ। ମୁଖ୍ୟମନ୍ତ୍ରୀଙ୍କ ନିବେଦନ ପରେ ଆଜି ସନ୍ଧ୍ୟା ୬ଟ‌ାରେ ଯିଏ ଯେଉଁଠାରେ ଥିଲେ ଅଟକିଯାଇଥିଲେ। କିଏ ଟିଭି ଆଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ପାଠ କରୁଥିଲା ତ କିଏ କାର୍ଯ୍ୟାଳୟରେ ବସିବା ସ୍ଥାନରୁ ଦଣ୍ଡାୟମାନ ହୋଇ ପ୍ରାର୍ଥନାରେ ନିମଗ୍ନ ହୋଇଯାଇଥିଲା। ହଜାର ହଜାର କୋଭିଡ୍‌ ଯୋଦ୍ଧାଙ୍କ ନିରବଚ୍ଛିନ୍ନ ସେବା ପାଇଁ ସହସ୍ରାଧିକ ଜୀବନ ରକ୍ଷା ପାଇଯାଇଥିବା ବେଳେ ଏଥିପାଇଁ କିଛି କୋଭିଡ୍‌ ଯୋଦ୍ଧା ମୃତ୍ୟୁବରଣ କରିଛନ୍ତି। କାର୍ଯ୍ୟ କରିବା ବେଳେ ଅନେକ ଟଳି ପଡ଼ିଛନ୍ତି। ସେମାନଙ୍କ ଆତ୍ମାର ସଦ୍‌ଗତି ସହ ଯେଉଁ ଯୋଦ୍ଧାମାନେ ଏଯାବତ୍ ନିଜର କାର୍ଯ୍ୟଧାରା ଅବିଶ୍ରାନ୍ତ ଭାବେ ଜାରି ରଖିଛନ୍ତି ସେମାନଙ୍କୁ ଉତ୍ସାହିତ ଓ ସେମାନଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ଏହା ଥିଲା ଏକ ନିଆରା ଅବକାଶ। ଏଥିସହ ଏହି କୋଭିଡ୍‌ ଯୁଦ୍ଧରେ ସହଯୋଗ କରିବା ପାଇଁ ଶପଥ ପାଠର ବ୍ୟବସ୍ଥା କରାଯାଇଥିଲା। ବିଶେଷକରି ଘରେ ଥିବା ଲୋକମାନେ ନିଜ ପରିବାର ସହ ଏବଂ କାର୍ଯ୍ୟାଳୟରେ ଟିଭି ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ପାଠ କରିଥିଲେ। କୋଭିଡ୍‌ ନିୟମାବଳୀ କଡ଼ାକଡ଼ି ପାଳନ ସମ୍ପର୍କରେ ଲୋକେ ଦାୟିତ୍ବବାନ ଏହିକଥା ମନେ ପକେଇ ଦେବା ପାଇଁ ଏଭଳି ଏକ ଶପଥପାଠ କରାଯାଇଥିବା ବେଳେ ଘରେ ଓ କାର୍ଯ୍ୟାଳୟରେ ଲୋକେ ଏହାକୁ ସମର୍ଥନ କରି ଶପଥ ପାଠ କରିଥିଲେ। କିଛି ଲୋକ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ପାଠ କରିଥିଲେ। ରାଜମହଲ, ଏଜି, କଳ୍ପନା, ରସୁଲଗଡ଼, ଖଣ୍ଡଗିରି, ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ବାଣୀବିହାର ସମେତ ରାଜଧାନୀର ସବୁ ଛକରେ ନିରବ ପ୍ରାର୍ଥନା କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଏହି ନିବେଦନ ସମ୍ପର୍କରେ ଜାଣିନଥିବା ବ୍ୟକ୍ତିବିଶେଷ ବର୍ଷା ଯୋଗୁଁ ଗାଡ଼ି ମୋଟର ଅଟକି ରହିଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ହେଁ ପାଖ ଲୋକମାନେ ସେମାନଙ୍କୁ ବୁଝାଇ ଦେବା ପରେ ଥଣ୍ଡା ପଡ଼ି କାର୍ଯ୍ୟକ୍ରମକୁ ଅନୁସରଣ କରିଥିଲେ।

କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଅବସରରେ ବୁଧବାର କମିସନରେଟ ପୁଲିସ ପକ୍ଷରୁ ଆୟୋଜନ କରାଯାଇଥିଲା। ପୁଲିସ ସେବା ଭବନରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ପୁଲିସ କମିସନର, ମୁଖ୍ୟାଳୟ ଡିସିପି, ଏସଏସବି, ସପ୍ତମ ବାଟାଲିଅନ୍ ଫୋର୍ସ, କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ। କୋଭିଡ୍ ଯୁଦ୍ଧରେ ପ୍ରାଣବଳି ଦେଇଥିବା କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ଗୋଟିଏ ମିନିଟ୍ ଶପଥ ପାଠ ହୋଇଥିଲା। ରାଜଧାନୀର ଏଜି, ରାଜଭବନ, ନାଲକୋ, ରୁପାଲି, କଳ୍ପନା ସମେତ ବିଭିନ୍ନ ଛକରେ ଦୁଇ ମିନିଟ୍ ଲାଗି ଅଟକି ଯାଇଥିଲା ଟ୍ରାଫିକ। ସେଠାରେ ମଧ୍ୟ ନିରବ ପ୍ରାର୍ଥନା ସହ ଶପଥ ପାଠ ହୋଇଥିଲା। ସେହିପରି ବିଭିନ୍ନ ଥାନାରେ ଆଇଆଇସିଙ୍କ ତତ୍ତ୍ବାବଧାନରେ ନିରବ ପ୍ରାର୍ଥନା ଓ ଶପଥ ପାଠ କରାଯାଇଥିଲା। ଜିଆରପି ଥାନାରେ ଆଇଆଇସି ଜୟଦେବ ବିଶ୍ବଜିତଙ୍କ ତତ୍ତ୍ବାବଧାନରେ ଶପଥ ପାଠ ସହ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। କଳ୍ପନାସ୍ଥିତ ଅଗ୍ନିଶମ କେନ୍ଦ୍ରରେ ମଧ୍ୟ କୋଭିଡ୍ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସମ୍ମାନ ପ୍ରଦର୍ଶନ କରାଯାଇଥିଲା।

Share Now:

Kalinga News Beuro

Next Post

ଚାଷୀଙ୍କୁ ମିଳିଲା ପୁରାତନ କୀର୍ତ୍ତିରାଜି ଖୋଦିତ ସ୍ୱର୍ଣ୍ଣମୁଦ୍ରା

Thu Aug 6 , 2020
ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ରାଧାନଗର ଗାଁ ନିକଟରୁ ମିଳିଲା ପ୍ରାଚୀନ ସ୍ୱର୍ଣ୍ଣମୁଦ୍ରା। ରାଧାନଗର ଗ୍ରାମର ବେଣୁଧର ନାୟକ ତାଙ୍କ ଚାଷଜମି ନିକଟରେ ଏହି ବିରଳ ସ୍ୱର୍ଣ୍ଣମୁଦ୍ରା ପାଇଥିଲେ। ଏହାର ଓଜନ ୭.୫ ଗ୍ରାମ୍‌ ହୋଇଥିବା ବେଳେ ଏଥିରେ ଦୁଇଟି ଗର୍ତ୍ତ ରହିଛି। ମୁଦ୍ରାର ଗୋଟିଏ ପାର୍ଶ୍ଵରେ ଏକ ମଶାଲ ଧରିଥିବା ଜଣେ ରାଜାଙ୍କ ମୂର୍ତ୍ତି ଖୋଦିତ ହୋଇଥିବା ବେଳେ ଅନ୍ୟ ପାର୍ଶ୍ଵରେ କୌଣସି ପ୍ରାଣୀ କିମ୍ବା […]
ଚାଷୀଙ୍କୁ ମିଳିଲା ପ୍ରାଚୀନ ସ୍ୱର୍ଣ୍ଣମୁଦ୍ରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial