ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ପରୀକ୍ଷା ପାଇଁ ଆସୁନାହାନ୍ତି ଜନସାଧାରଣ

କରୋନା ପରୀକ୍ଷା-new

ଭୁବନେଶ୍ବର: ବିଏମ୍‌ସି ପକ୍ଷରୁ ସମସ୍ତ ପ୍ରମୁଖ ଘରୋଇ ହସ୍ପିଟାଲ ଓ ଲାବ୍‌ରେ କରୋନା ପରୀକ୍ଷା ସୁବିଧା କରାଯାଇଛି। ଏଠାରେ ଲୋକ ଟଙ୍କା ଦେଇ କରୋନା ପରୀକ୍ଷା କରିପାରିବେ। କିଛି ଲୋକ ଟଙ୍କା ଖର୍ଚ୍ଚ କରି ପରୀକ୍ଷା କରିବାକୁ ଚାହୁ ନଥିବାରୁ ଏବଂ ବିଏମ୍‌ସି ଅଧିକରୁ ଅଧିକ ଲୋକଙ୍କର କରୋନା ପରୀକ୍ଷା କରିବାକୁ ଯୋଜନା କରିଥିବାରୁ ଆଜିଠାରୁ ରାଜଧାନୀର ୬ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ତିନିଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର‌ରେ ମାଗଣା କରୋନା ପରୀକ୍ଷା ଆରମ୍ଭ ହୋଇଛି। ହେଲେ ଆଶାନୁଯାୟୀ ଲୋକ କରୋନା ପରୀକ୍ଷା କରିବାକୁ ଆସିନାହାନ୍ତି।
ବିଏମ୍‌ସି ପକ୍ଷରୁ ସ୍ବାସ୍ଥ୍ୟ ବିଭାଗ ସହାୟତାରେ ରାଜଧାନୀର ୬ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଯଥା ନୀଳାଦ୍ରିବିହାର, ପୋଖରୀପୁଟ, ସହିଦ‌ନଗର, ୟୁନିଟ-୩, ୟୁନିଟ-୮, ୟୁନିଟ-୯ରେ ଏବଂ ସହରାଞ୍ଚଳ ପ୍ରାଥମିକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଯଥା ଡୁମଡୁମା, ପଟିଆ, ୟୁନିଟ-୪ରେ ଆଣ୍ଟିଜେନ୍ ଟେଷ୍ଟ ହୋଇଥିଲା। ୯ଟି ଯାକ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ସକାଳ ୮ଟାରୁ ଅପରାହ୍‌ଣ ୨ଟା ଯାଏ ଲୋକଙ୍କର ମାଗଣା ପରୀକ୍ଷା ହୋଇଥିଲେ ହେଁ ମାତ୍ର ୧୦୭ଜଣ ଆସିଥିଲେ। ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ରରେ ଅତି କମ୍‌ରେ ୫୦ଜଣଙ୍କର ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏଥିରେ ୪୫୦ଜଣଙ୍କର ଆଜି କରୋନା ପରୀକ୍ଷା ହୋଇଥା’ନ୍ତା। କିନ୍ତୁ ମାତ୍ର ୧୦୭ଜଣ ଆସିଥି‌ଲେ। ବିଏମ୍‌ସି ମାଗଣ‌ାରେ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ପରୀକ୍ଷା କରିବ ବୋଲି ଲୋକଙ୍କୁ ଜଣାଇନି। କୌଣସି ପ୍ରକାରର ପ୍ରଚାର ପ୍ରସାର ବି କରିନି। ଏପରିକି ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ ଓ ୱାର୍ଡ ଅଫିସର୍‌ମାନେ ବି ଲୋକଙ୍କୁ ଏନେଇ ଜଣାଇନାହାନ୍ତି। କେବଳ ଏତିକି ନୁହେଁ, ଏବେ କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ବହୁ ଆଡ଼େ ପ୍ରଚାର ହେଉଥିବାରୁ ଲୋକ ଭୟଭୀତ ହେଉଛନ୍ତି। ତେଣୁ କରୋନା ପରୀକ୍ଷା କରିବାକୁ ରାଜି ହେଉନାହାନ୍ତି। ଲୋକଙ୍କର ଲକ୍ଷଣ ଥିଲେ ବି ଥଣ୍ଡା, ଜ୍ବର ଔଷଧ ଖାଇ ଘରେ ରହୁଛନ୍ତି। ହେଲେ ବିଏମ୍‌ସି ଯେଉଁ ଉଦ୍ଦେଶ୍ୟରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ତରରେ କରୋନା ପରୀକ୍ଷା ଆରମ୍ଭ କରିଛି, ତାହା ସଫଳ ହେଲା ଭଳି ଲାଗୁନି।
ଅପରପକ୍ଷେ ଅଧିକରୁ ଅଧିକ ଲୋକ ଯେପରି କରୋନା ପରୀକ୍ଷା କରିବେ, ସେଥିପାଇଁ ବିଏମ୍‌ସି ପକ୍ଷରୁ ବୁଧବାରଠାରୁ ଆଇଆରସି ଭିଲେଜ, ଘାଟିକିଆ, କଳ୍ପନା ଛକ, ବ୍ରହ୍ମେଶ୍ବର ପାଟଣା, କପିଳପ୍ରସାଦ, ଚନ୍ଦ୍ରଶେଖରପୁରସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପୁରୁଣା ଭୁବନେଶ୍ବରସ୍ଥିତ ବିଏମ୍‌ସି ହସ୍ପିଟାଲରେ କରୋନା ପରୀକ୍ଷା ହେବ। ଏଠାରେ କେବଳ ଆଣ୍ଟ‌ିଜେନ୍ ଟେଷ୍ଟ ହେବ। ଯେଉଁଦିନ ପରୀକ୍ଷା ହେବ ସେହିଦିନ ହିଁ ରିପୋର୍ଟ ଆସିବ। ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ମାଗଣା କରୋନା ପରୀକ୍ଷା କରିବାକୁ ଯୋଜନା ହୋଇଥିବା ଜଣାପଡ଼ିଛି। ବିଏମ୍‌ସି ଲୋକଙ୍କ ପାଖରେ ପହଞ୍ଚି ସଚେତନ ନକଲେ ଲୋକ ସ୍ବାସ୍ଥ୍ୟକେନ୍ଦ୍ରକୁ କରୋନା ପରୀକ୍ଷା କରିବାକୁ ସ୍ଵତଃଫୁର୍ତ୍ତ ଭାବେ ଆସିବା ସହଜ ହେବନି। ତେଣୁ ବିଏମ୍‌ସି କର୍ତ୍ତୃପକ୍ଷ ଏହା ଉପରେ ନଜର ଦେଲେ ହିଁ ଅଧିକ ଲୋକ ଉପକୃତ ହେବେ ଓ ବିଏମ୍‌ସିର ଯୋଜନା ସଫଳ ହେବ। ଏବେ ରାଜଧାନୀରେ ୨୨ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୪ଟି ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଛି। ଏବେ ୧୬ଟିରେ ପରୀକ୍ଷା ହେବ। ଅପରପକ୍ଷେ ଜିଜିପି କଲୋନି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ନିର୍ଭର କରୁଥିବା ବେଳେ ଏହା ନିକଟବର୍ତ୍ତୀ ଅଞ୍ଚଳରୁ ପ୍ରାୟ ୫୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପରିକି ପଳାସୁଣି, ପାଣ୍ଡରା, ଜିଜିପି କଲୋନି, ରସୁଲଗଡ଼, ଜଗନ୍ନାଥ ନଗର, କେନାଲ ରୋଡ ଆଦି ଅଞ୍ଚଳର ବହୁ ଲୋକ ନିର୍ଭର କରୁଛନ୍ତି। ତେଣୁ ଏହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ପରୀକ୍ଷା କେନ୍ଦ୍ର ହେଲେ ବହୁ ଲୋକ ଉପକୃତ ହେବେ।

Share Now:

Kalinga News Beuro

Next Post

ସ୍ୱାଧୀନତା ଦିବସ ଉତ୍ସବର ସିଧାପ୍ରସାରଣ ଦେଖନ୍ତୁ ଓଡ଼ିଶାର ନିର୍ଭରଯୋଗ୍ୟ ୱେବ ମିଡ଼ିଆ କଳିଙ୍ଗ ନିଉଜରେ।

Wed Aug 12 , 2020
Share Now:
73rd Indipendence of india Live

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial