କପି ରୋକିବା ଯୋଗୁଁ କମିଲା ପାସ୍‌ହାର: ଗଣଶିକ୍ଷା ମନ୍ତ୍ରୀ

ସିସିଟିଭି ‌ଯୋଗୁଁ କମିଲା ପାସ୍‌ହାର

ଭୁବନେଶ୍ୱର : ଯୁକ୍ତ୨ ବିଜ୍ଞାନ ପରୀକ୍ଷାରେ ଏଥର ବି ପାସ୍‌ହାର ହ୍ରାସ ପାଇଛି। କପି ରୋକିବା ଲାଗି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗାଯିବା ସହ କଡ଼ାକଡ଼ି ଯାଞ୍ଚ କରାଯିବା ଦ୍ୱାରା ପାସ୍‌ହାର କମିଛି। ତେବେ ମେଧାବୀଙ୍କ ସଂଖ୍ୟା ବଢ଼ିଛି। କୋଭିଡ୍‌-୧୯ ମହାମାରୀ ସମୟରେ ପରୀକ୍ଷା ପରିଚାଳନା, ଖାତା ମୂଲ୍ୟାୟନ, ଫଳ ପ୍ରକାଶ ଆମ ପାଇଁ ବଡ଼ ଆହ୍ୱାନ ଥିଲା। ତା’ ସତ୍ତ୍ୱେ ଅଧ୍ୟାପକ ଅଧ୍ୟାପିକାଙ୍କ ସମସ୍ତ ପ୍ରକାର ସହଯୋଗ, ଜୀବନକୁ ବାଜି ଲଗାଇ ଖାତା ମୂଲ୍ୟାୟନରେ ଭାଗନେବା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବରିଷ୍ଠ ଅଧିକାରୀଙ୍କ ଆପ୍ରାଣ ଉଦ୍ୟମ ଫଳରେ ସଫଳତାର ସହ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ପ୍ରକାଶ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ ଆହୁରି କହିଛନ୍ତି ଯେ ଗତବର୍ଷ ତୁଳନାରେ ଏଥରକ ଶତ ପ୍ରତିଶତ ରେଜଲ୍ଟ କରିଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ସଂଖ୍ୟା କମିଛି। ୨୦୧୯‌ରେ ୨୯ଟି ବିଦ୍ୟାଳୟ ଶତ ପ୍ରତିଶତ ରେଜଲ୍ଟ କରିଥିଲେ। ତେବେ ଏଥରକ ୨୦ଟି ବିଦ୍ୟାଳୟ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ଅନ୍ୟ କଲେଜଗୁଡ଼ିକ କ’ଣ ପାଇଁ ଶତ ପ୍ରତିଶତ କରିପାରିଲେ ନାହିଁ ସେନେଇ କଲେଜ ଅଧ୍ୟକ୍ଷମାନଙ୍କ ସହ ଆଲୋଚନା କରିବି। ଏଥିସହ ଶୂନ ରେଜଲ୍ଟ କରିଥିବା ୧୫ଟି କଲେଜର ସମୀକ୍ଷା ମଧ୍ୟ କରାଯିବ। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଆମେ ସର୍ବଦା ଉଦ୍ୟମ ଜାରି ରଖିଛୁ। ଯେଉଁଥିପାଇଁ ରେକର୍ଡ ସଂଖ୍ୟକ ୧୩୭ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ପ୍ରଥମ ଓ ଦ୍ବିତୀୟ ଶ୍ରେଣୀରେ ବି ସର୍ବାଧିକ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି, ଯାହାକି ଏକ ରେକର୍ଡ।
ବାଣିଜ୍ୟ ରେଜଲ୍ଟ ପରେ ଖାତା ପୁନଃଯାଞ୍ଚ
ଅଗଷ୍ଟ ତୃତୀୟ ସପ୍ତାହରେ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଖାତା ପୁନଃଯାଞ୍ଚ ଲାଗି ଛାତ୍ରଛାତ୍ରୀଙ୍କୁ ଆବେଦନ କରିବା ପାଇଁ ସୁଯୋଗ ମିଳିବ। ଏନେଇ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ। ସେହିପରି ସମସ୍ତ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଲାଗି ବିଜ୍ଞପ୍ତି ପ୍ରକାଶ କରାଯିବା ସହ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କହିଛନ୍ତି।
କରୋନା ପାଇଁ ବିକଳ୍ପ ଖାତାଦେଖା
କୋଭିଡ୍‌-୧୯ ‌ସଂକ୍ରମଣ ଯୋଗୁଁ ଯୁକ୍ତ୨ ପରୀକ୍ଷା ଅଧାରୁ ବାତିଲ୍‌ ହୋଇଥିଲା। ଯେଉଁଥିପାଇଁ ପ୍ରଥମ ଥର ଲାଗି ସିବିଏସ୍‌ଇ(କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ) ଦ୍ବାରା ପ୍ରସ୍ତୁତ ହୋଇଥିବା ମାର୍ଗଦର୍ଶିକା(ଢାଞ୍ଚା) ଅନୁଯାୟୀ ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କରାଯାଇଥିଲା। ଯେଉଁ ଛାତ୍ରଛାତ୍ରୀଙ୍କର ସମସ୍ତ ବିଷୟର ପରୀକ୍ଷା ଶେଷ ହୋଇଛି ସେମାନଙ୍କ ଉତ୍ତର ଖାତାଗୁଡ଼ିକ ମୂଲ୍ୟାୟନ କରାଯାଇ ଫଳ ପ୍ରକାଶ କରାଯାଇଛି।

Share Now:

Kalinga News Beuro

Next Post

ସ୍ପଷ୍ଟ ଅକ୍ଷରରେ ପ୍ରେସକ୍ରିପସନ୍ ଲେଖିବେ ଡାକ୍ତର: ହାଇକୋର୍ଟ

Thu Aug 13 , 2020
କଟକ : ଅନେକ ସମୟରେ ଡାକ୍ତରଙ୍କ ପ୍ରେସକ୍ରିପସନ୍ ପଢି କ’ଣ ଲେଖା ହୋଇଛି ବୁଝିବା ଜଣଙ୍କ ପକ୍ଷରେ ସମ୍ଭବପର ହେଉନାହିଁ। ଯେଉଁ ଡାକ୍ତରମାନଙ୍କ ହସ୍ତାକ୍ଷର ଭଲ ନଥିବ ସେମାନେ ପ୍ରେସକ୍ରିପସନରେ ଔଷଧର ନାଁ ବଡ ଅକ୍ଷର (କ୍ୟାପିଟାଲ ଲେଟର)ରେ ସ୍ପଷ୍ଟ ଭାବେ ଲେଖିବେ। ୨୦୧୬, ସେପ୍ଟେମ୍ବର ୨୧ରେ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ (ଏମସିଆଇ) ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିଥିଲା। ଏମ୍‌ସିଆଇ ବିଜ୍ଞପ୍ତିକୁ ଆଧାର କରି ଏଭଳି ନିୟମ […]
ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial