ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରିକୁ ନେଇ ବିବାଦ

ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି

ଜାଣିନି ଅପାରଗ ମନ୍ଦିର ପ୍ରଶାସନ, ନିଯୋଗ; ବିବାଦରେ ଯୋଗାଣକାରୀ ସଂସ୍ଥା

ପୁରୀ : ମହାପ୍ରଭୁଙ୍କ ମହାପ୍ରସାଦ କଣିକାଏ ପାଇଲେ କୋଟି ପୂଣ୍ୟ ମିଳିଥାଏ। ମହାପ୍ରସାଦ ପାଇବା ପାଇଁ ଶ୍ରୀକ୍ଷେତ୍ରକୁ ଦେଶ ବିଦେଶରୁ ହିନ୍ଦୁ ଧର୍ମାବଲମ୍ବୀ ଭକ୍ତମାନେ ଛୁଟିଆସନ୍ତି। ହେଲେ ମହାପ୍ରଭୁଙ୍କ ଏହି ଦୁର୍ଲଭ ମହାପ୍ରସାଦକୁ ନେଇ କିଛି ଲାଭଖୋର ବ୍ୟକ୍ତି ବା ଅନୁଷ୍ଠାନ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିବାକୁ ଉଦ୍ୟମ କରିଛନ୍ତି। ମହାପ୍ରଭୁଙ୍କ ଅବଢ଼ା ଓ ଶୁଖିଲା ଭୋଗ ଏକ ସଂସ୍ଥା ପକ୍ଷରୁ ଅନଲାଇନରେ ଯୋଗାଇ ଦିଆଯାଉଥିବା ନେଇ ଆଜି ଏକ ସାମାଜିକ ଗଣମାଧ୍ୟମରୁ ସୂଚନା ନଜରକୁ ଆସିବା ପରେ ଏହାକୁ ନେଇ ପୁରୀରେ ସେବାୟତ ଓ ଭକ୍ତଙ୍କ ମହଲରେ ହଟଚମକ ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ମହାପ୍ରସାଦ ବର୍ଷକ ଯାକ ଶ୍ରୀମନ୍ଦିରରେ ବିକ୍ରି ହୋଇଥାଏ। ବାହୁଡ଼ା ଯାତ୍ରା ନ ଦିନ ଶ୍ରଗୁଣ୍ଡିଚା ମନ୍ଦିରରେ ମିଳିଥାଏ। ତାହାକୁ ଆଡ଼ପ ଅବଢ଼ା କୁହାଯାଏ। ମନ୍ଦିର ବାହାରେ ମହାପ୍ରସାଦ ବିକ୍ରିର କୌଣସି ବ୍ୟବସ୍ଥା‌ ନାହିଁ। ମହାପ୍ରଭୁଙ୍କ ମହାପ୍ରସାଦର ସ୍ବତନ୍ତ୍ର ଗାରିମା ରହିଛି। ଗତ ପାଞ୍ଚ ମାସ ହେବ ଲକଡାଉଇନ ଯୋଗୁଁ ପୁରୀ ସହର ସମେତ ବାହାର ଲୋକ ସହଜରେ ମହାପ୍ରସାଦ ପାଇପାରୁନାହାନ୍ତି। ଏହି ସୁଯୋଗ ନେଇ ‘ସୋ କୁଇକ ଡଟ୍‌ ଇନ’ ନାମକ ସଂସ୍ଥା ପ୍ରାୟ ଏକ ମାସ ହେବ ପୁରୀ କଟକ, ଭୁବନେଶ୍ବରରେ ଅନଲାଇନରେ ଅବଢ଼ା ବିକ୍ରି କରୁଥିବା ବେଳେ, ରାଜ୍ୟ ଓ ରାଜ୍ୟ ବାହାରକୁ ଶୁଖିଲା ଭୋଗ ପଠାଉଛି। ଶୁଖିଲା ଭୋଗରେ ମିଠା ଓ ଲୁଣି ରହିଥିବା ଦର୍ଶାଯାଇଛି। ସେହିପରି ଅବଢ଼ାରେ ଅନ୍ନ, କାନିକା, ମିଠା ଡାଲି, ବେସର, ମହୁର ପାଇଁ ଅନଲାଇନରେ ଅର୍ଡର କରିବାକୁ କୁହାଯାଇଛି। ଏଥିପାଇଁ ଏକ ହ୍ବାଟସଆପ ନମ୍ବର ବି ଦିଆଯାଇଛି। ଛପନ ଭୋଗ ଓ କୁଡୁଆ ଫଟୋ ଦିଆଯାଇଛି। ଏ ସଂକ୍ରାନ୍ତରେ ଗତକାଲି ସାମାଜିକ କର୍ମୀ ଜୟନ୍ତ ଦାସ ଶ୍ରୀମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷ, ମୁଖ୍ୟମନ୍ତ୍ରୀ ଓ ପୁଲିସ ନିକଟରେ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଏହିଭଳି ସମାନ ଘଟଣାକୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ମାମଲା ହୋଇଥିଲା। ଏବେ ଆଉ ଏକ ସଂସ୍ଥା ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ଏଭଳି କାର୍ଯ୍ୟ କରିଛି। ଏହାପୂର୍ବରୁ ଭାରତୀୟ ଡାକ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଶୁଖିଲା ମହାପ୍ରସାଦ ଡାକ ଯୋଗେ ପଠାଇବା ପାଇଁ ପ୍ରସ୍ତାବ ଆସିଥିଲା। ମାତ୍ର ମହାପ୍ରସାଦର ଗାରିମା ଦୃଷ୍ଟିରୁ କା‌ଳେ ଗୋଡ଼ ବାଜିବ, ସେଥିପାଇଁ ଏ ପ୍ରସ୍ତାବ ଉପରେ ନିଷ୍ପତ୍ତି ହୋଇପାରିନଥିଲା। ଏଭଳି ସ୍ଥିତିରେ ସୋ କୁଇକ ଡଟ ଇନ ଗତ ମାସେ ହେବ ଅନଲାଇନରେ ମହାପ୍ରସାଦ ବିକ୍ରି କରୁଥିବାର ଅଭିଯୋଗ ଉପରେ ମନ୍ଦିର ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଅନନ୍ତ ତିଆଡି ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଏତେବଡ଼ ସାହସ କରିଥିବା ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ୟୁଜି, ପିଜି ପରୀକ୍ଷାକୁ ନେଇ ଆଶା ଆଶଙ୍କାରେ ଛାତ୍ରଛାତ୍ରୀ

Tue Aug 18 , 2020
ଭୁବନେଶ୍ୱର : ରାଜ୍ୟରେ ପିଜି ଓ ୟୁଜିର ଶେଷ ସେମିଷ୍ଟର ପରୀକ୍ଷା ହେବ ନା ନାହିଁ? ଯଦି ହେବ ତେବେ କେବେ? ଗୋଟେପଟେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପରୀକ୍ଷାକୁ ବାଧ୍ୟତାମୂଳକ କରିଥିବା ବେଳେ ଅନ୍ୟପଟେ ରାଜ୍ୟ ସରକାର ପରୀକ୍ଷା ବାତିଲ କରିବାକୁ ଘୋଷଣା କରିସାରିଛନ୍ତି। ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ। ଯେଉଁଥିପାଇଁ ଛାତ୍ରଛାତ୍ରୀ ଆଶା ଆଶଙ୍କାରେ ଦିନ କାଟୁଛନ୍ତି। କ’ଣ ହେବ […]
ଆଶା ଆଶଙ୍କାରେ ୟୁଜି, ପିଜି ପରୀକ୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial