୭ ଦିନରେ ପଜିଟିଭ୍ ହାର କମାଅ, ୪ ଜିଲ୍ଲା ପାଇଁ ସ୍ବତନ୍ତ୍ର ରଣନୀତି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ାକୁ ଗୁରୁତ୍ୱ ଲକ୍ଷଣବିହୀନ ରୋଗୀ ଗୃହ ସଂଗରୋଧରେ ରହିବେ

ଭୁବନେଶ୍ବର: ଖୋର୍ଦ୍ଧା, କଟକ, ରାୟଗଡା, ସୁନ୍ଦରଗଡ଼ ଚିନ୍ତା ବଢାଇଲାଣି। ଏସବୁ ଜିଲ୍ଲାରେ ଅଞ୍ଚଳଭିତ୍ତିକ ରଣନୀତି ପ୍ରସ୍ତୁତ ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସିଧା ସିଧା କହିଛନ୍ତି ଯେ ଏମିତି ପଦକ୍ଷେପ ନିଅ, ଯେମିତି ଆସନ୍ତା ସପ୍ତାହ ମଧ୍ୟରେ ପଜିଟିଭ୍ ହାର ହ୍ରାସ ପାଇବ। ମୁଖ୍ୟମନ୍ତ୍ରୀ ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ କୋଭିଡ୍‌ ପରିସ୍ଥିତି ଓ ରଣନୀତିର ସମୀକ୍ଷା କରିବା ଅବସରରେ ସ୍ପଷ୍ଟ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ପ୍ରତି ୧୦ଲକ୍ଷ ସଂଖ୍ୟାରେ ୧୦୯୬ ଟେଷ୍ଟ କରି ଓଡ଼ିଶା ଜାତୀୟସ୍ତରରେ ଦୈନିକ ସର୍ବାଧିକ ନମୁନା ପରୀକ୍ଷା କରୁଥିବା ରାଜ୍ୟରେ ପରିଗଣିତ ହୋଇଛି। ଏହାସହିତ ସପ୍ତାହକ ମଧ୍ୟରେ ଦୈନିକ ପରୀକ୍ଷା ମଧ୍ୟ ୫୦ହଜାର ଛୁଇଁଲାଣି। ଏହା ଅତ୍ୟନ୍ତ ସନ୍ତୋଷଜନକ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ରାଜ୍ୟରେ କୋଭିଡ୍‌ ମୁକାବିଲା ପାଇଁ ୫୦ଲକ୍ଷରୁ ଅଧିକ ଲୋକ ପ୍ରଶିକ୍ଷଣ ପାଇସାରିଲେଣି। ଏଥିରେ ପଞ୍ଚାୟତିରାଜ ପ୍ରତିନିଧି, ସ୍ବୟଂ ସହାୟକ ଗୋଷ୍ଠୀ, କୋଭିଡ କମିଟି ସଦସ୍ୟ ଏବଂ ଆହୁରି ଅନେକ ଅନ୍ତର୍ଭୁକ୍ତ ଅଛନ୍ତି। ଏହା ମଧ୍ୟ ଏକ ବଡ ସଫଳତା। ରାଜ୍ୟରେ ଲକ୍ଷଣବିହୀନ ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ଗୃହ ସଂଗରୋଧକୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏଥିପାଇଁ ସ୍ବତନ୍ତ୍ର ପ୍ରଚାର ଅଭିଯାନ ସହିତ ପଞ୍ଚାୟତିରାଜ ପ୍ରତିନିଧି ଓ କୋଭିଡ କେୟାର କମିଟି ଗୁଡିକର ସହାୟତା ନିଆଯିବା ଦରକାର। ଯଦି ଲୋକଙ୍କ ମନରେ ଗୃହ ସଂଗରୋଧ ସଂପର୍କରେ କୌଣସି ସନ୍ଦେହ ଥାଏ, ତେବେ ତାକୁ ଦୂର କରିବା ଦିଗରେ ଏହା ସହାୟକ ହେବ। ଏ କ୍ଷେତ୍ରରେ ଜିଲ୍ଲା ପର୍ଯ୍ୟବେକ୍ଷକମାନେ ସ୍ବତନ୍ତ୍ର ଗୁରୁତ୍ବ ଦେବାପାଇଁ ସେ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ରାଜ୍ୟରେ କୋଭିଡ୍‌ ମୃତ୍ୟୁ ହାର କମ୍‌ ରହିଛି। ଏହାକୁ ଆହୁରି କମ୍‌ କରିବା ଦିଗରେ ନିରନ୍ତର ଉଦ୍ୟମ ଜାରି ରହିବା ଆବଶ୍ୟକ। ବିଭିନ୍ନ କର୍ପୋରେଟ୍‌ କ୍ଷେତ୍ର ଓ ଅନ୍ୟାନ୍ୟ ସଂସ୍ଥା ଦ୍ବାରା ସ୍ଥାପନ କରାଯାଉଥିବା କୋଭିଡ୍ କେୟାର ସେଣ୍ଟର ଆହୁରି ଅଧିକ ସଂଖ୍ୟାରେ କରିବା ପାଇଁ ସେ ଅଧିକାରୀମାନଙ୍କୁ କହିଥିଲେ। ଏହି ଅବସରରେ ପ୍ଲାଜମାଦାତା ମାନଙ୍କର ମହାନ କାର୍ଯ୍ୟକୁ ସ୍ବୀକୃତି ଦେଇ ସେମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବାପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ଲାଜମା ସଂଗ୍ରହ ଓ ପ୍ରୟୋଗ ପ୍ରଣାଳୀରେ ଆହୁରି ଉନ୍ନତି ଆଣିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ବର୍ତ୍ତମାନ ସୁଦ୍ଧା ୫ଟି ପ୍ଲାଜ୍‌ମା ଥେରାପି ୟୁନିଟ୍ ସ୍ଥାପିତ ହୋଇଛି। କୋଭିଡ୍‌ ରୋଗର ଚିକିତ୍ସା କ୍ଷେତ୍ରରେ ପ୍ଲାଜ୍‌ମା ଥେରାପି ଏକ ଉପାଦେୟ ପଦ୍ଧତି ଭାବରେ ପ୍ରମାଣିତ ହୋଇଛି। କୋରାପୁଟ ମେଡିକାଲ କଲେଜରେ ଆଉ ଏକ ପ୍ଲାଜ୍‌ମା ବ୍ୟାଙ୍କ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ଆସନ୍ତା ସପ୍ତାହ ସୁଦ୍ଧା ସ୍ଥାପନ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବର୍ଷାଜନିତ ପରିସ୍ଥିତି, କୃଷି କାର୍ଯ୍ୟକ୍ରମ, ଜୀବିକା ସୃଷ୍ଟି କାର୍ଯ୍ୟକ୍ରମ ଏବଂ ଏମ୍‌ଏସଏମ୍‌ଇ ସଂପର୍କରେ ବିଭିନ୍ନ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। କୃଷି କ୍ଷେତ୍ରରେ ସମସ୍ତ କାର୍ଯ୍ୟ ଯେପରି ସୂଚାରୁରୂପେ ଜାରି ରହିବ ଓ ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପ୍ରତି ଗୁରୁତ୍ବ ଦେବାପାଇଁ ସେ ଅଧିକାରୀମାନଙ୍କୁ ଦୃଢ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ୟୁରିଆ ସାର ସ୍ଥିତି ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଯେ ରାଜ୍ୟରେ କୋଭିଡ ମୃତ୍ୟୁ ହାର କମ୍‌ କରିବା ପାଇଁ ଭେଷଜ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଦ୍ୱାରା ୭ଟି ମେଡିକାଲ କଲେଜର ପ୍ରଫେସର ମାନଙ୍କୁ ନେଇ ଏକ ବୈଷୟିକ ଟିମ୍ ଗଠନ କରାଯାଇଛି। ସେମାନେ ଏ କ୍ଷେତ୍ରରେ ଉପଯୁକ୍ତ ପରାମର୍ଶ ଦେଇ କୋଭିଡ ଚିକିତ୍ସାକୁ ଫଳପ୍ରଦ କରିବାପାଇଁ ଉଦ୍ୟମ ଜାରି ରଖିଛନ୍ତି। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟରେ କୋଭିଡ ମୁକାବିଲା ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ। ବାଲେଶ୍ବର, ମୟୂରଭଞ୍ଜ ଓ ଭଦ୍ରକର କୋଭିଡ ରୋଗୀମାନଙ୍କ ଚିକିତ୍ସା ପାଇଁ ବାଲେଶ୍ବରରେ ଏକ ପ୍ଲାଜମା ଷ୍ଟୋରେଜ୍‌ ୟୁନିଟ୍ ସ୍ଥାପନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ମଧ୍ୟ କୋଭିଡ ପରିଚାଳନା ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର, ଗୃହ ବିଭାଗର ପ୍ରମୁଖ ସଚିବ, ଅର୍ଥ ବିଭାଗର ପ୍ରମୁଖ ସଚିବ ଏବଂ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଆଲୋଚନା ସଂଚାଳନା କରିଥିଲେ।

Share Now:

Kalinga News Beuro

Next Post

ଭାରତରେ କୋଭିଡ୍-୧୯ ଟିକା ଉତ୍ପାଦନ କରିବାକୁ ରୁଷ‌ ଇଛୁକ: କିରିଲ୍‌ ଡିମିତ୍ରିଏଭ୍

Wed Aug 19 , 2020
ନୂଆଦିଲ୍ଲୀ: ଭାରତରେ କୋଭିଡ୍ ଟିକା ସ୍ପୁଟ୍‌ନିକ୍-୫ ଉତ୍ପାଦନ କରିବାକୁ ମସ୍କୋ ଆଗ୍ରହୀ ବୋଲି ରୁଷ‌ର ‘ଡାଇରେକ୍ଟ୍‌ ଇନ୍‌ଭେଷ୍ଟମେଣ୍ଟ୍‌ ଫଣ୍ଡ୍‌’ର ସିଇଓ କିରିଲ୍‌ ଡିମିତ୍ରିଏଭ୍ କହିଛନ୍ତି। ରୁଷୀୟ ଟିକା ବିକାଶ ନିମନ୍ତେ ଏହି ସଂସ୍ଥା ଅର୍ଥ ବିନିଯୋଗ କରିଛି। ଏକ ଭାରତୀୟ ନିଉଜ୍ ଚାନେଲ୍‌ ସହ ସାକ୍ଷାତ୍‌କାରରେ ଡିମିତ୍ରିଏଭ୍ କହିଛନ୍ତି ଯେ ଏହି ଟିକା ଭାରତରେ ଉତ୍ପାଦନ ନିମନ୍ତେ ରୁଷ୍‌ ଭାରତୀୟ ନିୟନ୍ତ୍ରକ ଏବଂ ଉତ୍ପାଦନକାରୀଙ୍କ ସହ ଯୋଗାଯୋଗ ଚଳାଇଛନ୍ତି। ସେ […]
ଭାରତରେ କୋଭିଡ୍-୧୯ ଟିକା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial