ଗାଡ଼ି ଲୁଟେରା ଗ୍ୟାଙ୍ଗ୍‌ର ୪ ଗିରଫ: ମାଷ୍ଟରମାଇଣ୍ଡ ଡିପ୍ଲୋମା ଇଞ୍ଜିନିୟର୍‌

ଗାଡ଼ି ଲୁଟେରା ଗ୍ୟାଙ୍ଗ୍‌ର ୪ ଗିରଫ

ଜିଲ୍ଲାରୁ ଜିଲ୍ଲା ବୁଲି ଲୁଟୁଥିଲେ,ହାଇୱା ସହ ୧୨ ଗାଡ଼ି ଜବତ

ଭୁବନେଶ୍ବର: ପାଠ ପଢ଼ିଥିଲା ଡିପ୍ଲୋମା ଇଞ୍ଜିନିୟର୍‌। ଇଞ୍ଜିନିୟରିଂ ପ୍ଲାନ୍‌ ଚୋରି‌ରେ ଲଗାଉଥିଲା। ପୂରା ଫିଲ୍ମ ଷ୍ଟାଇଲରେ ଚୋରି କରୁଥିଲା। ବାଇକ୍‌ ତ’ ବାଇକ୍‌, ଜନଗହଳି ସ୍ଥାନରୁ ହାଇୱା ବି ନେଇ ପଳାଉଥିଲା। ଚୋରି ଅର୍ଥରେ ମଉଜ କରୁଥିଲା। ଗୋଟିଏ ଜିଲ୍ଲାରେ ୨/୩ଟି ବଡ଼ଧରଣର ଚୋରି କରିବା ପରେ ଅନ୍ୟ ଜିଲ୍ଲାରେ କ୍ୟାମ୍ପ ପକାଉଥିଲା। ପୁଲିସ୍‌ ଆଖିରେ ଧୂଳି ଦେଇ ୫ ବର୍ଷ ହେଲା ଏମିତି ଢଙ୍ଗେର ଏକ ଲୁଟେରା ଗ୍ୟାଙ୍ଗ୍‌ ପରିଚାଳନା କରୁଥିବା ଏହି ଡିପ୍ଲୋମା ଇଞ୍ଜିନିୟରକୁ କାବୁ କରିଛି ସ୍ପେସାଲ ସ୍କ୍ୱାଡ଼‌। ତା’ର ଅନ୍ୟ ପ୍ରମୁଖ ସହଯୋଗୀ ସହ ଚୋରା ସାମଗ୍ରୀ କିଣିଥିବା ୨ଗ୍ରାହକକୁ ମଧ୍ୟ ଉଠାଇ ଆଣିଛି। ହାଇୱା ଚୋରି ମାମଲାରେ ଧରାପଡ଼ିବା ପରେ ପୁଲିସ୍‌ ସେମାନଙ୍କ ପୂରା ଅପରାଧର ତାଲିକା ତିଆରି କରିଛି। ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ତଥା ଡିପ୍ଲୋମା ଇଞ୍ଜିନୟର୍‌ଜଣଙ୍କ ହେଲା, ବାଙ୍କୀ ବାଆଁରାର ସୁଶାନ୍ତ ପାତ୍ର ଓରଫ ବଣ୍ଟି। ଅନ୍ୟ ପ୍ରମୁଖ ସହଯୋଗୀ ହେଲେ, ବଣ୍ଟି ଘରେ ରହୁଥିବା କୋରାପୁଟ୍‌ ମିସନ କମ୍ପାଉଣ୍ଡର ସାହିଲ ଜାନି। ଚୋରି ଜିନିଷ କିଣି ଗିରଫ ହୋଇଥିବା ଦୁଇ ଗ୍ରାହକ ହେଉଛନ୍ତି, ଢେଙ୍କାନାଳ ନୀଳକଣ୍ଠପୁରର ପୃଥ୍ବୀରାଜ ପ୍ରଧାନ ଓ ବାଙ୍କୀ ବାଆଁରାର ବିଜୁ ପାତ୍ର। ବାଲିଅନ୍ତା ଥାନା ପୁଲିସ୍‌ ଆଜି ଏହି ୪ଜଣଙ୍କୁ କୋର୍ଟଚାଲାଣ କରିଛି। ଏମାନଙ୍କଠାରୁ ୧୨ଟି ଗାଡ଼ି ଜବତ କରାଯାଇଛି। ସେଥିରେ ଗୋଟିଏ ବୁଲେଟ୍‌ ସହ ଏକ ହାଇୱା ରହିଛି। ତା’ ସହ ୪ଟି ମୋବାଇଲ ମଧ୍ୟ ଜବତ କରାଯାଇଛି।
ପୁଲିସ୍ ସୂଚନା ଅନୁଯାୟୀ, ଦୁଇ ଲୁଟେରାଙ୍କ ବିରୋଧରେ ଗଞ୍ଜାମ, ଖୋର୍ଦ୍ଧା, ଭୁବନେଶ୍ବର, କଟକ, ଅନୁଗୁଳ ଓ ଢେଙ୍କାନାଳରେ ଏକାଧିକ ମାମଲା ରହିଛି। ଏହି ସବୁ ସହରରେ ଏମାନେ କିଛି ଦିନ ଡେରା ପକାଇବା ପରେ ଲୁଟ୍‌ପାଟ୍‌ କରୁଥିଲେ। କେଉଁଠି କେଉଁ ଗାଡ଼ି ରହୁଛି, ତାହାକୁ ନଜର କରୁଥିଲେ। ଟାର୍ଗେଟ୍‌ ଠିକ୍ ହୋଇଯିବା ପରେ ନକଲି ଚାବିରେ ଗାଡ଼ି ଖୋଲି ଚୋରି କରୁଥି‌ଲେ। ଏମାନେ ଗାଡ଼ି ଚୋରି କରିବା ପରେ ପୃଥ୍ବୀରାଜ ଓ ବିଜୁ ଚୋରା ଗାଡ଼ି କିଣି ନେଇ ଅନ୍ୟମାନଙ୍କୁ ବିକ୍ରି କରୁଥିଲେ। ତେବେ ବାହାର ଜିଲ୍ଲାରେ ଚୋରା ଗାଡ଼ି ବିକ୍ରି ହେଉଥିବାରୁ ପୁଲିସ୍‌ ବି ଟେର୍‌ ପାଇପାରୁନଥିଲା। ବଣ୍ଟି ନାମରେ ବାଲିଅନ୍ତା, ଜଙ୍କିଆ, ବାରଙ୍ଗ, ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ବର, ଯାଜପୁର ରୋଡ୍‌, ପୁରୀ ସଦର, ଛତ୍ରପୁର ଥାନାରେ ୧୦ରୁ ଊର୍ଦ୍ଧ୍ବ ମାମଲା ରହିଥିବା ବେଳେ ସାହିଲ ନାମରେ ବାଲିଅନ୍ତା, ଜଙ୍କିଆ, ବାରଙ୍ଗ, କ୍ୟାପିଟାଲ, ଚନ୍ଦ୍ରଶେଖରପୁର ଥାନାରେ ୫ଟି ମାମଲା ରହିଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ଥିବା ମାମଲା ସମ୍ବନ୍ଧରେ ଜାଣିବା ପାଇଁ ସମ୍ପୃକ୍ତ ଥାନାକୁ ଅବଗତ କରାଯାଇଛି। ଗାଡ଼ି ଚିହ୍ନଟ କରି ନେବା ପାଇଁ ଜବତ ଗାଡ଼ିର ମାଲିକମାନଙ୍କ ସମେତ ଚୋରି ମାମଲା ରୁଜୁ ହୋଇଥିବା ଥାନାକୁ ମଧ୍ୟ ଅବଗତ କରାଯାଇଛି। ସୂଚନାଯୋଗ୍ୟ, ଗତ ଜୁଲାଇ ୭ ତାରିଖରେ ବାଲିଅନ୍ତା ଥାନା ହରିଦାସପୁରର ମୀର୍ଜା କାଲୁ ବେଗ୍‌ଙ୍କର ଦୁଇଟି ବାଇକ୍‌ ଚୋରି ହୋଇଥିଲା। ମୁଖ୍ୟ ଫାଟକ ଭାଙ୍ଗି କେହି ଦୁର୍ବୃତ୍ତ ତାଙ୍କ ବାଇକ୍‌ ଚୋରି କରିନେଇଥିଲା। ଏନେଇ ସେ ବାଲିଅନ୍ତା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ତାଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ବଣ୍ଟି ଓ ସାହିଲଙ୍କୁ ଚିହ୍ନଟ କରିଥିଲା। କିନ୍ତୁ ଏହି ଅଭିଯୁକ୍ତଦ୍ବୟ ଜିଲ୍ଲା ବାହାରେ ରହୁଥିବା ପୁଲିସ ଜାଣିବାକୁ ପାଇବା ପରେ ଅନୁସନ୍ଧାନ ଦାୟିତ୍ବ ସ୍ପେସାଲ୍‌ ସ୍କ୍ବାଡ୍‌ ନେଇଥିଲା। ସ୍କ୍ବାଡ୍‌ ମୁଖ୍ୟ ଏସିପି ସଞ୍ଜୀବ ଶତପଥୀ ଏକ ସ୍ବତନ୍ତ୍ର ଟିମ୍‌ କରି ଅନୁସନ୍ଧାନ ଆରମ୍ଭ କରିଥିଲେ। ବଣ୍ଟି ଓ ସାହିଲ ଅନୁଗୁଳରେ ଥିବା ଜାଣିବା ପରେ ଗତ ରବିବାର ସ୍ପେସାଲ ସ୍କ୍ବାଡ୍‌ ତାକୁ ସେଠାରୁ ଉଠାଇ ଆଣିଥିଲା। ପରେ ଚୋରା ବାଇକ୍‌ ବେପାର କରୁଥିବା ଦୁଇ ଗ୍ରାହକଙ୍କୁ ଧରାଯାଇଥିଲା। ତେବେ ଅପରାଧୀଦ୍ବୟ ବ୍ୟବହାର କରୁଥିବା କାର୍‌ ଜବତ ହୋଇ ପାରିନାହିଁ। ତେବେ ଆଉ କିଏ କିଏ ଏହି ଗ୍ୟାଙ୍ଗ୍‌ରେ ସାମିଲ ଅଛନ୍ତି, ସେନେଇ ପୁଲିସ୍‌ ଅଧିକ ତଦନ୍ତ ଚଳାଇଛି।

Share Now:

Kalinga News Beuro

Next Post

ପଲିଗ୍ରାଫ୍‌ ଟେଷ୍ଟ ଖୋଲିବ କି ଆଦିତ୍ୟ ଦାଶ ମୃତ୍ୟୁ ରହସ୍ୟ…?

Wed Aug 26 , 2020
ଭୁବନେଶ୍ବର: ମାନବପ୍ରେମୀ ଆଦିତ୍ୟ ସୁନ୍ଦର ଦାଶ ମୃତ୍ୟୁ ମାମଲାରେ ପଲିଗ୍ରାଫ୍‌ ଟେଷ୍ଟକୁ ଫରେନସିକ୍‌ ଲ୍ୟାବ୍‌ର ଅନୁମତି ମିଳିବା ପରେ ସାଧାରଣରେ ଉତ୍କଣ୍ଠା ବଢ଼ି ଯାଇଛି। ଅନ୍ତତଃ ଏହି ପରୀକ୍ଷାରୁ ଆଦିତ୍ୟଙ୍କ ମୃତ୍ୟୁ ସଂପର୍କରେ କିଛି ଭିତିରି କଥା ପଦାକୁ ଆସିପାରେ ବୋଲି ଆଦିତ୍ୟଙ୍କ ହଜାର ହଜାର ଶୁଭେଚ୍ଛୁ ଓ ପରିବାରଲୋକ ଆଶାବାଦୀ ଅଛନ୍ତି। ଅପରପକ୍ଷେ ଏହି ଟେଷ୍ଟ ହେବାକୁ ଥିବା ୪ଜଣଙ୍କ ମଧ୍ୟରୁ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ସାଙ୍ଗ ପପୁ […]
ଆଦିତ୍ୟ ଦାଶ ମୃତ୍ୟୁ ମାମଲା-new

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial