ସିପିସିବି ଗାଇଡ୍ଲାଇନ ପାଳନ ନେଇ ପ୍ରଶ୍ନ ,ଏଣେତେଣେ ପଡୁଛି କରୋନା ଆକ୍ରାନ୍ତଙ୍କ ବ୍ୟବହୃତ ସାମଗ୍ରୀ
ଭୁବନେଶ୍ୱର: କରୋନା ସଂକ୍ରମଣ ଏବେ ଉପରମୁହାଁ ରହିଛି। ପ୍ରତିଦିନ ରାଜ୍ୟରେ ୨୫୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଭୁବନେଶ୍ୱରରୁ ବି ୩୦୦ରୁ ଅଧିକ ସଂକ୍ରମିତ ବାହାରୁଛନ୍ତି। ସମସ୍ତଙ୍କୁ ମେଡିକାଲ ପଠାଇବା ସମ୍ଭବପର ହେଉ ନଥିବାରୁ ରାଜଧାନୀରେ ୮୦୦ରୁ ଊର୍ଧ୍ବ ଆକ୍ରାନ୍ତ ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତି। ସେମାନେ ଏବେ ଚିନ୍ତା ବଢ଼ାଇଲେଣି। କାରଣ ସେମାନଙ୍କ ଦ୍ବାରା ବ୍ୟବହୃତ ମାସ୍କ, ଗ୍ଲୋଭସ, କିଟ୍, ମେଡିସିନ ଆଦି ଠିକ ଭାବେ ନଷ୍ଟ ହେଉ ନାହିଁ। ସାଧାରଣ ବର୍ଜ୍ୟବସ୍ତୁ ସଂଗ୍ରହ ସମୟରେ କରୋନା ଆକ୍ରାନ୍ତଙ୍କ ବ୍ୟବହୃତ ବର୍ଜ୍ୟକୁ ନିଆଯାଉଥିବାରୁ ଆଗାମୀ ଦିନରେ ବର୍ଜ୍ୟବସ୍ତୁ ବିପଦ ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ବଡ଼ କଥା ହେଉଛି ଯେ ଭୁବନେଶ୍ୱରରୁ ଏବେ ଦିନକୁ ୨୦ରୁ ୨୫ କୁଇଣ୍ଟାଲ କରୋନା ବର୍ଜ୍ୟ ବାହାରୁଛି। ମାସକ ତଳେ ଏହି ସଂଖ୍ୟା ଯେତିକି ଥିଲା, ତାହା ଏବେ ବହୁ ପରିମାଣରେ ବଢ଼ିଛି। ସହରରେ କୋଭିଡ୍ କେନ୍ଦ୍ର ସଂଖ୍ୟା ବୃଦ୍ଧି ସାଙ୍ଗକୁ ପରୀକ୍ଷା ବଢ଼ୁଥିବାରୁ ସହରରୁ ଅଧିକ ପରିମାଣର କୋଭିଡ୍ ବର୍ଜ୍ୟ ବାହାରୁଛି। ତେଣୁ ତାହାକୁ ନଷ୍ଟ କରିବା ଏବେ ବଡ଼ ଚାଲେଞ୍ଜ ସୃଷ୍ଟି କଲାଣି। ଯଦିଓ ଏ ସବୁକୁ ନଷ୍ଟ କରିବା ଦାୟିତ୍ୱ ସାନିକ୍ଲିନ ପ୍ରାଇଭେଟ୍ ଲିମିଟେଡ୍କୁ ଦିଆଯାଇଛି, ତଥାପି କରୋନା ଆକ୍ରାନ୍ତଙ୍କ ଦ୍ୱାରା ବ୍ୟବହୃତ ସାମଗ୍ରୀ ଏଣେତେଣେ ପଡ଼ୁଥିବାରୁ ତାହାକୁ ନେଇ ଚିନ୍ତା ବଢ଼ୁଛି। ଏହାର ସଠିକ ପରିଚାଳନା ଲାଗି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଥିଲେ ମଧ୍ୟ ତୃଣମୂଳସ୍ତରରେ ତାହା ପାଳନ ହେଉ ନଥିବା ଅଭିଯୋଗ ହୋଇଛି। କେତେକ କ୍ଷେତ୍ରରେ ଅମାନିଆ କରୋନା ଆକ୍ରାନ୍ତ ବ୍ୟବହୃତ ସାମଗ୍ରୀକୁ ଏଣେତେଣେ ଫୋପାଡ଼ୁଥିବା ବେଳେ ଆଉ କିଛି କ୍ଷେତ୍ରରେ ବିଏମ୍ସି ଠିକ୍ ଭାବେ ସାମଗ୍ରୀ ସଂଗ୍ରହ କରୁ ନ ଥିବା ଅଭିଯୋଗ ହୋଇଛି। କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନ ସିପିସିବି ପକ୍ଷରୁ ଇତିମଧ୍ୟରେ ଚତୁର୍ଥ ଗାଇଡ୍ଲାଇନ ଜାରି ହୋଇଛି। ଯେଉଁଥିରେ କ୍ୱାରାଣ୍ଟିନ ସେଣ୍ଟର/କ୍ୟାମ୍ପ, ଆଇସୋଲସନ୍ ୱାର୍ଡ, ନମୁନା ସଂଗ୍ରହ କେନ୍ଦ୍ର, ଲାବରେଟୋରିରେ ରୋଗ ନିରୂପଣ ସମୟରେ, କୋଭିଡ୍-୧୯ ସଂକ୍ରମିତ ତଥା ସନ୍ଦେହଙ୍କ ଚିକିତ୍ସା ବେଳେ ଡାକ୍ତରଖାନା ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୧୬କୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏକଥା ବି କୁହାଯାଇଛି, କ୍ୱାରାଣ୍ଟିନ ସେଣ୍ଟର, ହୋମ କେୟାର, କୋଭିଡ୍-୧୯ ଚିକିତ୍ସା ସୁବିଧା ଥିବା ହେଲ୍ଥ କେୟାର ସେଣ୍ଟରରୁ ବାହାରୁଥିବା ସଲିଡ୍ ୱେଷ୍ଟ ଓ ବାୟୋମେଡିକାଲ ୱେଷ୍ଟଗୁଡ଼ିକ ନଷ୍ଟ କରିବା ଦିଗରେ କିଭଳି ପଦକ୍ଷେପ ନେବେ।
ଆହୁରି କୁହାଯାଇଛି ଯେ ଅସ୍ଥାୟୀ ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ରଗୁଡ଼ିକରେ ଦୁଇ ପରସ୍ତ ବ୍ୟାଗ୍ର ବ୍ୟବହାର, ଅଲଗା ରଙ୍ଗର ଡଷ୍ଟବିନ୍ ରଖିବା, ବାୟୋମେଡିକାଲ ବର୍ଜକୁ ଅଲଗା ଭାବେ ସଂଗ୍ରହ କରି ଏକ ଅସ୍ଥାୟୀ ରୁମ୍ରେ ସାଇତି ରଖିବା, ସେଗୁଡ଼ିକୁ ସଂଗ୍ରହ କରିବା ପରେ ସଙ୍ଗେ ସଙ୍ଗେ ନଷ୍ଟ କରିବା ଦିଗରେ ପଦକ୍ଷେପ ନେବେ, ପ୍ରତି ଆଇସୋଲେସନ୍ ୱାର୍ଡ ଲାଗି ସ୍ୱତନ୍ତ୍ର ଟ୍ରଲି ରଖିବା, କୋଭିଡ୍-୧୯ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ସ୍ୱତନ୍ତ୍ର ଟ୍ରଲି/କଣ୍ଟେନର/ଡଷ୍ଟବିନ୍ ରହିବ, କେତେ ପରିମାଣର ବାୟୋମେଡିକାଲ ବର୍ଜ୍ୟ ବାହାରୁଛି ତାହାର ତଥ୍ୟ ‘କୋଭିଡ-୧୯ବିଡବ୍ଲୁଏମ’ ମୋବାଇଲ ଆପ୍ଲିକେସନରେ ଉଲ୍ଲେଖ କରିବେ। ବାୟୋମେଡିକାଲ ୱେଷ୍ଟ ଓ ଜେନେରାଲ ସଲିଡ୍ ୱେଷ୍ଟ ସଂଗ୍ରହ କରିବା ପାଇଁ ସ୍ୱତନ୍ତ୍ର ଭାବେ ଅଲଗା ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରିବାକୁ ପରାମର୍ଶ ଦିଆଯାଇଛି। ପିପିଇ କିଟ୍ ଯଥା ଗଗ୍ଲସ, ଫେସ-ସ୍ଲାଇଡ୍, ପ୍ଲାଷ୍ଟିକ କଭର୍, ହାଜମେଟ ସୁଟ୍, ଗ୍ଲୋଭ୍ସ୍ ଆଦିକୁ ରେଡ ବ୍ୟାଗ୍, ମାସ୍କ, ହେଡ କଭର, କ୍ୟାପ, ସୁ-କଭର, ରୋଗୀ ବ୍ୟବହାର କରିଥିବା ମାସ୍କ, ଟିସୁ ଆଦିକୁ ହଳଦିଆ ବ୍ୟାଗରେ ପକାଇବେ। ଯେଉଁମାନେ ବାୟୋମେଡିକାଲ ୱେଷ୍ଟ ପରିଚାଳନା ଦାୟିତ୍ୱରେ ରହିଛନ୍ତି, ସେମାନଙ୍କୁ ସ୍ୱଚ୍ଛତା ଅବଲମ୍ବନ, ହାତ ସଫା ରଖିବା, ସାମାଜିକ ଦୂରତା ବଜାୟ ରଖିବା ଆଦି ସମ୍ପର୍କରେ ତାଲିମ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି। ସ୍ଥାନୀୟ ସଂକ୍ରମଣ ଯେପରି ନ ବ୍ୟାପେ, ସେଥିପାଇଁ କ୍ୱାରାଣ୍ଟିନ୍ ସେଣ୍ଟର/କ୍ୟାମ୍ପ/ହୋମ କ୍ୱାରାଣ୍ଟିନରେ ଥିବା ଲୋକଙ୍କ କ୍ଷେତ୍ରରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି। କରୋନା ରୋଗୀଙ୍କ ଘରୁ ବାହାରୁଥିବା ରୋଷେଇ ସାମଗ୍ରୀ, ପ୍ୟାକେଜିଂ ସାମଗ୍ରୀ, ଅଦରକାରୀ ଖାଦ୍ୟ ପଦାର୍ଥ, ନଷ୍ଟ ହୋଇଥିବା ପେପର, ପ୍ଲାଷ୍ଟିକ, ଧୂଳି, ବଳକା ଖାଦ୍ୟ ପଦାର୍ଥ, ପାଣି ବୋତଲ ଆଦି ଜେନେରାଲ ସଲି୍ଡ ୱେଷ୍ଟ ଭାବେ ଗ୍ରହଣ କରାଯିବ। ତେବେ ଆକ୍ରାନ୍ତଙ୍କ ଦ୍ୱାରା ବ୍ୟବହୃତ ମାସ୍କ, ଗ୍ଲୋଭ୍ସ, ଟିସୁ, ସ୍ୱାବ୍, ସିରିଞ୍ଜ, ମେଡିସିନ ଆଦିକୁ ବାୟୋମେଡିକାଲ ୱେଷ୍ଟ ଭାବେ ବିବେଚନା କରାଯିବ। ପ୍ରଶାସନ ପକ୍ଷରୁ ନିୟୋଜିତ ବ୍ୟକ୍ତିବିଶେଷ ଘର ପାଖରୁ ହଳଦିଆ ବ୍ୟାଗକୁ ସଂଗ୍ରହ କରିବେ। ସେଠାରୁ ନେବା ପରେ ମହାନଗର ନିଗମ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ହଳଦିଆ ରଙ୍ଗର କେନ୍ଦ୍ରୀୟ କଣ୍ଟେନରରେ ରଖାଯିବ ଏବଂ ସେଠାରୁ ତାହାକୁ ନଷ୍ଟ ପାଇଁ ନିଆଯିବ। ନମୁନା ସଂଗ୍ରହ ଓ ଲାବରେଟୋରି ଗୁଡ଼ିକ ମଧ୍ୟ ଉପରୋକ୍ତ ଗାଇଡ୍ଲାଇନ ପାଳନ କରିବାକୁ କୁହାଯାଇଛି। ଅପରପକ୍ଷେ କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ଘର ନିକଟରୁ ବର୍ଜ୍ୟ ସଂଗ୍ରହ କରୁଥିବା ସଫେଇ କର୍ମଚାରୀ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏପରିକି ଏପର୍ଯ୍ୟନ୍ତ ପ୍ରାୟ ୩୦ରୁ ଅଧିକ ସଫେଇ କର୍ମଚାରୀ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କିନ୍ତୁ ଏସବୁ ନିୟମ ଅନୁପାଳନରେ ବ୍ୟତିକ୍ରମ ଦେଖାଦେଉଥିବାର ଅଭିଯୋଗ ହେଉଛି। ତେଣୁ ଏଦିଗରେ ସତର୍କ ଓ ଦୃଢ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।