ଟିକା ଉପରେ ଆଖି: ଅକ୍ଟୋବର କିମ୍ବା ନଭେମ୍ବରରେ ଆସିବ ଅକ୍ସଫୋର୍ଡ଼ ଟିକା

ଅକ୍ସଫୋର୍ଡ଼ ଟିକା

ରାଜ୍ୟରେ ଉପଲବ୍ଧ କରାଇବାକୁ ସେରମ୍‌ କମ୍ପାନିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୧ଲକ୍ଷ ପାର୍‌ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ୨୯ ହଜାର ୬୮୫ଜଣ ଚିକିତ୍ସାଧୀନ ଥିବା ବେଳେ ୪୮୨ ରୋଗୀଙ୍କ ମୃତ୍ୟୁ ହୋଇସାରିଲାଣି। ତେବେ ବିଶେଷଜ୍ଞଙ୍କ ଆକଳନ, ନିକଟ ଭବିଷ୍ୟତରେ ରାଜ୍ୟରେ କରୋନାର ପ୍ରକୋପ କମିବାର କୌଣସି ଆଶା ଦେଖାଯାଉନାହିଁ। ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିବ। ଏପରି ସ୍ଥିତି‌ରେ ସମସ୍ତଙ୍କର ନଜର କରୋନା ଟିକା ଉପରେ। ଟିକା ଆସିଲେ ହିଁ କରୋନାକୁ ଶୀଘ୍ର ନିୟନ୍ତ୍ରଣ କରିହେବ। ରୁଷ ଭଳି ଦେଶ କରୋନା ଟିକାର ଉଦ୍ଭାବନ କରିଥିବା ଦାବି କରୁଛି। ତାହା ସତ ହୋଇଥିଲେ ବି ଭାରତକୁ ଆସିବାରେ ବହୁ ବିଳମ୍ବ ହେବ ବୋଲି କୁହାଯାଉଛି। ତେଣୁ ଟିକା ଗବେଷଣାରେ ନିୟୋଜିତ କୌଣସି ଭାରତୀୟ ଫାର୍ମା କମ୍ପାନି ଟିକା ଉଦ୍ଭାବନ କଲେ ହିଁ ଦେଶ ଏହି ମହାମାରୀ କବଳରୁ ଶୀଘ୍ର ମୁକୁଳି ପାରିବ। ପୁଣେରେ ଥିବା ଏସିଆର ସବୁଠୁ ବଡ଼ ଟିକା ଉତ୍ପାଦନକାରୀ ଫାର୍ମା କମ୍ପାନି ‘ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ ଟିକା ନିର୍ମାଣରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏହି ସଂସ୍ଥା ଟିକା ଉତ୍ପାଦନ ଆରମ୍ଭ କଲେ ଯେପରି ଏହା ଓଡ଼ିଶାକୁ ଶୀଘ୍ର ଆସିପାରିବ, ସେ ନେଇ ମୁଖ୍ୟମନ୍ତ୍ରୀ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକଙ୍କ ସହ ବ୍ୟକ୍ତିଗତ ଭାବେ କଥା ହୋଇଛନ୍ତି। କିନ୍ତୁ ଟିକା ନ ଆସିବା ପର୍ଯ୍ୟନ୍ତ ସମସ୍ତଙ୍କର ମନରେ ଏକ ଅନିଶ୍ଚିତତା ଲାଗି ରହିଛି।
ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବର ମାସରେ ଇଂଲଣ୍ଡର ଅକ୍ସଫୋର୍ଡ଼ ବିଶ୍ବବିଦ୍ୟାଳୟ ଦ୍ୱାରା ଗବେଷଣା ଲବ୍ଧ କୋଭିଡ୍‌ ଟିକା ବଜାରକୁ ଆସିବ। ଏ ନେଇ ଗତମାସ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ବବିଦ୍ୟାଳୟ ସହ ଏହାର ଗବେଷଣାରେ ଅନୁବନ୍ଧିତ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଅଦର୍‌ ପୁନାଓ୍ବାଲାଙ୍କ ସହ କଥା ହୋଇସାରିଛନ୍ତି। ବ୍ୟାବସାୟିକ ଉତ୍ପାଦନ ପରେ ଓଡ଼ିଶାକୁ ଅଗ୍ରାଧିକାର ଭିତ୍ତିରେ ଟିକା ଯୋଗାଇ ଦିଆଯିବ ବୋଲି ଶ୍ରୀ ପୁନାଓ୍ବାଲା ପ୍ରତିଶୃତି ଦେଇଥିଲେ। ପରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ରାଜ୍ୟର ଆବଶ୍ୟକତା ଅନୁଯାୟୀ ଟିକା ଯୋଗାଇବାକୁ ସେରମ୍‌ କମ୍ପାନିଙ୍କୁ ଚିଠି ଲେଖିସାରିଛନ୍ତି। ଯେଉଁ ଦରରେ ଟିକା ଭାରତ ସରକାରଙ୍କୁ କମ୍ପାନି ଯୋଗାଇବ ସେହି ଦରରେ ରାଜ୍ୟକୁ ଯୋଗାଇବାକୁ ଅନୁରୋଧ କରାଯାଇଛି। ଟିକା ମିଳିବା ପରେ ପୁଣି ଥରେ ରାଜ୍ୟରେ ମାନବ ପରୀକ୍ଷଣ କରାଯିବ। ଏହା ପରେ ଟିକାର ଆବଣ୍ଟନ ପାଇଁ ସରକାର ପଦକ୍ଷେପନ ନେବେ ବୋଲି ସ୍ଥିର କରାଯାଇଛି। ଗତମାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ସେରମ୍‌ କମ୍ପାନୀ ମୁଖ୍ୟ ଶ୍ରୀ ପୁନାଓ୍ବାଲା କହିଥିଲେ, ଅକ୍ସଫୋର୍ଡ଼ ଟିକାର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ଭାରତରେ ସଫଳ ହୋଇଛି। ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ଚଳିତ ମାସରେ କରିବାର ଥିଲା। ପ୍ରଥମେ ମାସକୁ ୫୦ ଲକ୍ଷ ଟିକା ଉତ୍ପାଦନ କରାଯିବ। ସେଥିରୁ ଦେଶ ଭିତରେ ୫୦% ଆବଣ୍ଟନ ହେବ ଓ ବାକି ବିଦେଶକୁ ରପ୍ତାନି କରାଯିବ। ଆସନ୍ତା ୬ ମାସ ଭିତରେ ଏହାର ଉତ୍ପାଦନକୁ ଦୁଇ ଗୁଣ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି। ଏହାଭିତରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କମ୍ପାନି ସହ ନିୟମିତ ରାଜ୍ୟ ସରକାର ସମ୍ପର୍କରେ ଅଛନ୍ତି। ସେରମ୍‌ କମ୍ପାନି ପକ୍ଷରୁ ପ୍ରାଥମିକ ଉତ୍ପାଦନ ଆରମ୍ଭ ହେବା ପରେ ରାଜ୍ୟକୁ କିପରି ଆଗୁଆ ମିଳିବ ସେଥିପାଇଁ ଅହରହ ଉଦ୍ୟମ ଚାଲିଥିବା ସରକାରୀ ମହଲରୁ ଜଣାପଡ଼ିଛି।

Share Now:

Kalinga News Beuro

Next Post

ବନ୍ୟା ଆଣିଲା ଦୁର୍ଦ୍ଦଶା : ଭୁବନେଶ୍ୱର ଉପକଣ୍ଠର ଶତାଧିକ ଲୋକ ଜଳବନ୍ଦୀ

Mon Aug 31 , 2020
ଚାଷୀଙ୍କୁ ହତାଶ କରୁଛି ବଢ଼ି,ବନ୍ୟାଞ୍ଚଳ ବୁଲିଲେ ବିଧାୟକ ବାଲିପାଟଣା : ବନ୍ୟା ଭୁବନେଶ୍ୱର ଉପକଣ୍ଠବାସୀଙ୍କ ପାଇଁ ଦୁର୍ଦ୍ଦଶା ଆଣିଛି। ଭାର୍ଗବୀ ନଦୀପାଣି ଅଚ୍ୟୁତପୁର କାଜ ଏବଂ କୁଶଭଦ୍ରା ନଦୀରୁ ବଇଁଚୁଆ କାଜରେ ପାଣି ଆସିବା ପରେ ବାଲିପାଟଣା ଅଞ୍ଚଳରେ ବଡ଼ ବନ୍ୟା ଦେଖାଦେଇଛି। ଏଥିଯୋଗୁଁ ବାଲିପାଟଣା ବ୍ଲକର ୫ଟି ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି। ବନ୍ୟାପାଣି ମାଡ଼ି ଯିବାରୁ ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଶହଶହ ପରିବାର […]
ଭୁବନେଶ୍ୱର ଉପକଣ୍ଠର ଶତାଧିକ ଲୋକ ଜଳବନ୍ଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial