ଶୀଘ୍ର ଟିକା ଆଣିବାକୁ କମ୍ପାନିମାନଙ୍କ ପଛଘୁଞ୍ଚା

ଶୀଘ୍ର ଟିକା ଆଣିବାକୁ କମ୍ପାନିମାନଙ୍କ ପଛଘୁଞ୍ଚା

ପୁଣେ : ବିଶ୍ବରେ କରୋନା ମହାମାରୀ ଦ୍ୱାରା ପାଖାପାଖି ୨ କୋଟି ୭୨ ଲକ୍ଷ ଲୋକ ଆକ୍ରାନ୍ତ ହେବା ସହ ୮ଲକ୍ଷ ୮୫ ହଜାରରୁ ଅଧିକ ଆଖି ବୁଜି ସାରିଲେଣି। ଏଭଳି ସ୍ଥିତିରେ ପ୍ରତ୍ୟେକ ରାଷ୍ଟ୍ର ଯେତେ ଶୀଘ୍ର ସମ୍ଭବ କୌଣସି ଗୋଟିଏ କୋଭିଡ୍‌ ଟିକା ଆହରଣ ପାଇଁ ଚାହିଁ ବସିଛନ୍ତି। ଏପରିକି ସମ୍ଭାବ୍ୟ ଟିକାର ସାର୍ବଜନୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନରେ କୋହଳ ମନୋଭାବ ପୋଷଣ ଲାଗି ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି। ମାତ୍ର ବର୍ତ୍ତମାନ ସୁଦ୍ଧା ନିଜ ଦ୍ୱାରା ବିକଶିତ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଜାରି ରଖିଥିବା ବିଭିନ୍ନ ଭେଷଜ କମ୍ପାନି ଏ ଦିଗରେ ପଛଘୁଞ୍ଚା ଦେଉଥିବା ଜଣାଯାଇଛି।
ୱାଲ‌ ଷ୍ଟ୍ରିଟ୍‌ ପତ୍ରିକାରେ ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆନ୍ତର୍ଜାତିକ ଔଷଧ ନିର୍ମାତା ଫାଇଜର ସମେତ ବିଶ୍ବର ପ୍ରମୁଖ ଟିକା ନିର୍ମାତାମାନେ ଏକ ସର୍ବସମ୍ମତ ବକ୍ତବ୍ୟ ଜାରି କରିବାକୁ ଯୋଜନା କରୁଛନ୍ତି। ସେମାନଙ୍କ ଦ୍ୱାରା ବିକଶିତ ଟିକାର ସମ୍ପୂର୍ଣ୍ଣ ନିରାପତ୍ତା ଓ କାର୍ଯ୍ୟଦକ୍ଷତାରେ ସେମାନେ ସନ୍ତୁଷ୍ଟ ନହେଲା ଯାଏ ତାହାର ସାର୍ବଜନୀନ ବ୍ୟବହାର ନିମନ୍ତେ ତରବରିଆ ଭାବେ ଅନୁମତି ପାଇବା ପାଇଁ ଆବେଦନ କରିବେନି ବୋଲି ସେମାନେ ମନସ୍ଥ କରିଛନ୍ତି। ଆସନ୍ତା ସପ୍ତାହରେ ସେମାନେ ଜାରି କରିବାକୁ ଥିବା ଏହି ସର୍ବସମ୍ମତ ବକ୍ତବ୍ୟରେ ଫାଇଜର ବ୍ୟତୀତ ଆମେରିକୀୟ କମ୍ପାନି ମଡର୍ଣ୍ଣା ଏବଂ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ଆଦି ସ୍ବାକ୍ଷର କରିବେ ବୋଲି ଜଣାଯାଇଛି। ସେହିପରି ସେମାନଙ୍କ ଟିକାର ପରିପ୍ରକାଶ ପୂର୍ବରୁ ସେମାନେ ସର୍ବାଧିକ ବୈଜ୍ଞାନିକ ପଦ୍ଧତି ଏବଂ ନୈତିକ ମାନ ବଜାୟ ରଖିବେ ବୋଲି କହିଛନ୍ତି। ଆଗାମୀ ନଭେମ୍ବର ୩ ଅର୍ଥାତ୍‌ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦ୍ବିତୀୟ ଥର ପାଇଁ ଆଶାୟୀ ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପ୍‌ ଦେଶବାସୀଙ୍କୁ ଏକ କୋଭିଡ୍‌ ଟିକା ବାଣ୍ଟିବେ ବୋଲି ଘୋଷଣା କରିବା ପରେ ପରେ ପ୍ରମୁଖ ଭେଷଜ କମ୍ପାନିମାନଙ୍କ ଏପରି ଆଭିମୁଖ୍ୟ ଗୁରୁତ୍ବ ବହନ କରୁଛି। କାରଣ ସେମାନଙ୍କ ସଦ୍ୟ ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ, ଡିସେମ୍ବର ପୂର୍ବରୁ ମଧ୍ୟ କୌଣସି ଟିକା ସାର୍ବଜନୀନ ହେବାର ସମ୍ଭାବନା ନାହିଁ।

Share Now:

Kalinga News Beuro

Next Post

ମାସେ ଗଲାନି ନଦୀବନ୍ଧ : କଂକ୍ରିଟ କାନ୍ଥ ଫାଟି ଆଁ

Mon Sep 7 , 2020
ସିମେଣ୍ଟ ବୋଳି ଲୁଚାଇବାକୁ ଉଦ୍ୟମ କେନ୍ଦ୍ରାପଡ଼ା : କାମ ସରିବାର ମାତ୍ର ବର୍ଷକ ମଧ୍ୟରେ ସାଢେ ଚାରିକୋଟିର ଡେରାବିଶ ବେଣୀପୁର ଘେରିବନ୍ଧ ଭାଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମିନି। କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗର ବିଭାଗୀୟ କର୍ତୃପକ୍ଷ ଘଟଣାକୁ ମିଳିମିଶି ଚାପି ଦେବାକୁ ଜୋରସୋର‌୍‌ ଉଦ୍ୟମ ଚଳାଇଥିବାବେଳେ ଏବେ ଆଉ ଏକ ଅତ୍ୟନ୍ତ ନିମ୍ନମାନର କାମ ସାମ୍ନାକୁ ଆସିଛି। ନିର୍ମାଣକୁ ମାସେ ପୂରିନି, ନଦୀବନ୍ଧ କଂକ୍ରିଟ କାନ୍ଥ(ଗାର୍ଡ ୱାଲ‌) ଦବିଯିବା ସହ […]
ନଦୀବନ୍ଧ ମାସେ ଗଲାନି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial