ଭିଡ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱରରେ ରିଂ ରୋଡ

୬୯୦ ଏକର ଘରୋଇ ଜମି ବାଧକ ସାଜିପାରେ: ଟିପି ସ୍କିମ୍‌ ଉପରେ ରିଂ ରୋଡ୍‌ ଭାଗ୍ୟ

ଭୁବନେଶ୍ୱର : ରାଜଧାନୀରେ ଦେଖାଯାଉଥିବା ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଯାତାୟତକୁ ସହଜ କରିବା ପାଇଁ ବିଡିଏ ପକ୍ଷରୁ ରାଜଧାନୀକୁ ବଳୟ କରି ଯୋଜନା ହୋଇଛି ରିଂ ରୋଡ୍‌। କଟକ ସହର ଯେପରି ରିଂ ରୋଡ୍‌ ଭିତରେ ଅଛି ସେହିପରି ରିଂ ରୋଡ୍‌ ଭୁବନେଶ୍ୱର ପାଇଁ ନିର୍ମାଣ କରିବାକୁ ଯୋଜନା ହୋଇଛି। ବିଡିଏ ପକ୍ଷରୁ ୨୦୧୦ରେ ପ୍ରସ୍ତୁତ ହୋଇଥିବା ସିଡିପିରେ ଏହି ରିଂ ରୋଡ୍‌ ନଥିବାରୁ ଏହାକୁ ସାମିଲ୍‌ କରି ସଂଶୋଧିତ ସିଡିପି ପ୍ରସ୍ତୁତ କରାଯାଇଛି। ଭୁବନେଶ୍ୱର ପାଇଁ ପ୍ରସ୍ତୁତ ହୋଇଥିବା ରିଂ ରୋଡ୍‌ ଯୋଜନାକୁ ନଗର ଉନ୍ନୟନ ବିଭାଗ ମୋହର ମାରିଛି। ଆଉ ସଂଶୋଧିତ ସିଡିପିକୁ ଅନୁମୋଦନ କରିଛି। ହେଲେ ଏହି ରିଂ ରୋଡ୍‌ର ଭାଗ୍ୟ ବିଡିଏ ପକ୍ଷରୁ ଆରମ୍ଭ ହୋଇଥିବା ଟାଉନପ୍ଲାନିଂ ଯୋଜନା (ଟିପି ସ୍କିମ୍‌)ର ସଫଳତା ଉପରେ ନିର୍ଭର କରୁଛି।

ଏନ୍‌ଏଚ୍‌ ୧୬ ଓ ୩୧୬କୁ ଛୁଇଁବ
ଯୋଜନା ଅନୁଯାୟୀ, କେତେକ ସ୍ଥାନରେ ଏହାକୁ ଜାତୀୟ ରାଜପଥରେ ସଂଯୋଗ କରାଯିବ ଏବଂ ବର୍ତ୍ତମାନ ଥିବା ରାସ୍ତାକୁ ଓସାରିଆ କରାଯିବ। ଏହି ରିଂ ରୋଡ୍‌ ବିଜିପୁର ନିକଟରେ ଜାତୀୟ ରାଜପଥ ୧୬କୁ ଛୁଇଁବ, ଲିଙ୍ଗିପୁର ପାଖରେ ଜାତୀୟ ରାଜପଥ ୩୧୬ (ପୁରୀ ବାଇପାସ୍‌) ଏବଂ ହାଇଟେକ୍‌ ଛକ ନିକଟରେ ପୁଣି ଜାତୀୟ ରାଜପଥ ୧୬କୁ ଛୁଇଁବ। ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରିଂ ରୋଡ୍‌ର ପ୍ରାରମ୍ଭିକ କାର୍ଯ୍ୟ ପଳାଶୁଣି-ଦାଢା ରାସ୍ତା (ଦୟା େଓ୍ଵଷ୍ଟ କେନାଲର ଦକ୍ଷିଣ ପାର୍ଶ୍ୱ ରାସ୍ତା)ରୁ ଆରମ୍ଭ ହେବ। ଏହି ରାସ୍ତାକୁ ୩୦ଫୁଟ (୧୦୦ମିଟର) କରାଯିବ। ୧୩.୩୬କିମି ବିଶିଷ୍ଟ ଏହି ରାସ୍ତାରେ ଯେଉଁ ଆବାସିକ ଜମି ପଡ଼ିବ ତାହାକୁ ଅଧିଗ୍ରହଣ କରାଯିବ। ବଡ ରଘୁନାଥପୁରରୁ ରିଙ୍ଗରୋଡ୍‌ ଭାୟା ଜାଗସରା ୨୦୦ଫୁଟ ରାସ୍ତା ହେବାକୁ ଥିବାବେଳେ ଏଥିରେ ୪.୯୨କିମି ରାସ୍ତା ପାଇଁ ଜମି ଅଧିଗ୍ରହଣ ହେବ। ଏହାପରେ ଅନ୍ୟାନ୍ୟ ଅଞ୍ଚଳ ପାଇଁ ଜମି ଅଧିଗ୍ରହଣ ହେବ। ଜାତୀୟ ରାଜପଥ କର୍ତ୍ତୃପକ୍ଷ ରିଂ ରୋଡ୍‌ ପ୍ରକଳ୍ପକୁ ଅନୁମୋଦନ ନ କରିବା ନେଇ ଆଞ୍ଚଳିକ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଓଡ଼ିଶା ସରକାରଙ୍କ ପକ୍ଷରୁ ଯେଉଁ ଯୋଜନା ପ୍ରସ୍ତୁତ ହୋଇଛି ତାହାକୁ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟରେ ଦାଖଲ ହୋଇଛି। ମନ୍ତ୍ରଣାଳୟ ଏହା ଉପରେ ଯାହା ନିଷ୍ପତ୍ତି ନେବ। ଆମର କିଛି କରିବାର ନାହିଁ। ଆମକୁ ଯାହା ନିର୍ଦ୍ଦେଶ ଆସିବ ତାହାକୁ କାର୍ଯ୍ୟକାରୀ କରିବୁ।

୬୭ ମୌଜାର ୫୦ହଜାର ଲୋକ ପ୍ରଭାବିତ ହେବେ
ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରସ୍ତାବିତ ରିଂ ରୋଡ୍‌ ପାଇଁ ଘରୋଇ ଜମି ଅଧିଗ୍ରହଣ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି। ୬୫ କିମିର ରିଂ ରୋଡ୍‌ ପାଇଁ ମୋଟ୍‌ ୭୬୦ଏକର ଜମି ଅଧିଗ୍ରହଣ ହେବାକୁ ଥିବାବେଳେ ଏଥିରୁ ୬୯୦ଏକର ଜମି ଘରୋଇ ଜମି। ଏଥିପାଇଁ ୬୭ଟି ମୌଜାର ପ୍ରାୟ ୫୦ହଜାର ଲୋକଙ୍କ ଜମି ଅଧିଗ୍ରହଣ ହେବାକୁ ଥିବାରୁ ତରବରିଆ ଭାବେ କିଛି ନିଷ୍ପତ୍ତି ନିଆଯାଇପାରିବନି। ତେଣୁ ଏହି ଘରୋଇ ଜମି ଅଧିଗ୍ରହଣ ପାଇଁ ବିଡିଏ ପକ୍ଷରୁ କିଛି ମାସ ତଳେ ବିଜ୍ଞପ୍ତି ଜାରି ହୋଇଛି। ଯେଉଁ ଲୋକମାନେ ଜମି ଦେବେ ସେମାନଙ୍କୁ କ୍ଷତିପୂରଣ ବାବଦକୁ ଅର୍ଥ ନଦେଇ ଟିଡିଆର୍‌ ସାର୍ଟିଫିକେଟ ଦିଆଯିବ। ଅର୍ଥାତ୍‌ ଟ୍ରାନ୍ସଫରେବଲ୍‌ ଡେଭଲପମେଣ୍ଟ ରାଇଟ୍‌ ସାର୍ଟିଫିକେଟ। ଏହି ଟିଡିଆର୍‌ ନିୟମ ଲାଗୁ ହେଲେ ଲୋକଙ୍କୁ ବେସ୍‌ ଏଫ୍‌ଏଆର୍‌ ୨ ପର୍ଯ୍ୟନ୍ତ ନିର୍ମାଣ ପାଇଁ ଟିଡିଆର୍‌ ଆବଶ୍ୟକ ପଡ଼ିବନି। କିନ୍ତୁ ଏଫ୍‌ଏଆର୍‌ ୨.୧ରୁ ୨.୭୫ ପର୍ଯ୍ୟନ୍ତ ଯେଉଁମାନେ ଘର କରିବେ ସେମାନଙ୍କୁ ଟିଡିଆର୍‌ କିଣିବାକୁ ପଡ଼ିବ। ଯାହା ଏହି ଲୋକମାନଙ୍କଠାରୁ ଏବେ କିଣିବାକୁ ହେବ। ବିଭିନ୍ନ ମୌଜା ଅନୁଯାୟୀ ଟିଡିଆର୍‌ ମୂଲ୍ୟ ବଦଳିବ। ଏହି ଟିଡିଆର୍‌ ସାର୍ଟିଫିକେଟରେ ଯେତିକି ଜମି ଅଧିଗ୍ରହଣ କରାଯାଇଥିବ ତା’ର ଦୁଇଗୁଣା ବିଲ୍ଟ ଅପ୍‌ ଏରିଆ ପାଇଁ ଉକ୍ତ ଲୋକଙ୍କୁ ଅନୁମତି ଦେବାକୁ ଉଲ୍ଲେଖ ରହିବ। ହେଲେ ଏହା ଉକ୍ତ ମୌଜା ପାଇଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ଜମିର ବେଞ୍ଚ ମାର୍କ ମୂଲ୍ୟ ଅନୁଯାୟୀ ହେବ। ଯଦି ଅନ୍ୟ ମୌଜାରେ ଜମିର ବେଞ୍ଚ୍‌ ମାର୍କ ମୂଲ୍ୟ କମ୍‌ ଥିବ ତେବେ କମ୍‌ ଟିଡିଆର୍‌ ବ୍ୟବହାର ହେବ, ଯଦି ବେଞ୍ଚ ମାର୍କ ମୂଲ୍ୟ ଅଧିକ ଥିବ ତେବେ ଅଧିକ ଟିଡିଆର୍‌ ଆବଶ୍ୟକ ହେବ। କିଏ ଟିଡିଆର୍‌ କେତେ ବିକିଲେ, କିଏ ଟିଡିଆର୍‌ କେତେ କିଣିଲେ ତା’ର ରେକର୍ଡ ବିଡିଏ ନିକଟରେ ରହିବ। ବିଡିଏ ବ୍ୟାଙ୍କ ଭଳି ଏହାର ନେଣଦେଣ ତଦାରଖ କରିବ। ଟିଡିଆର୍‌ ସାର୍ଟିଫିକେଟ୍‌ ସଙ୍ଗେସଙ୍ଗେ ଦିଆଯିବ। ହେଲେ ଯେଉଁମାନେ ଟିଡିଆର୍‌ ନ ନେବେ ସେମାନଙ୍କୁ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଦିଆଯିବ କି ନାହିଁ ତାହା ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନି। ଯଦି ଅର୍ଥ ଦିଆଯିବ ଯେତେବେଳେ ଜମି ଅଧିଗ୍ରହଣ ହେବ ସେତେବେଳେ ଦିଆଯିବ। ସର୍ତ୍ତ ଅନୁଯାୟୀ, ବର୍ତ୍ତମାନ ଦାମ୍‌ ଅନୁସାରେ ସେତେବେଳେ ଅର୍ଥ ଦିଆଯିବ। ତେଣୁ ଆମେ ଲୋକଙ୍କୁ ଟିଡିଆର୍‌ ସମ୍ପର୍କରେ ସଚେତନ କରିବା ସହ ଜମି ଅଧିଗ୍ରହଣ ଖୁବ୍‌ ଶୀଘ୍ର ଶେଷ କରିବାକୁ ଯୋଜନା କରିଛୁ। ଏନେଇ ତିନି ମାସ ତଳେ ବିଜ୍ଞପ୍ତି ଜାରି ହୋଇଛି। ଯେଉଁମାନଙ୍କର ଜମି ଅଧିଗ୍ରହଣ ହେବ ତାହାର ସବିଶେଷ ବିବରଣୀ ଦିଆଯାଇଛି। ସେମାନଙ୍କର ପ୍ରସ୍ତାବ ଓ ଅଭିଯୋଗ ମିଳିବା ପରେ ଆମେ ଆଗାମୀ ପଦକ୍ଷେପ ନେବୁ।

୭୬୦ ଏକର ଜମି ଦରକାର, ଖର୍ଚ୍ଚ ହେବ ୧୨୦୦କୋଟି
ବିଡିଏର ମାଷ୍ଟର ପ୍ଲାନ୍‌ ଅନୁଯାୟୀ ଏହି ରିଂ ରୋଡ୍‌ ୬୦ମିଟର ଓସାରରେ ପ୍ରାୟ ୬୫ କିମିର ହେବାକୁ ଥିବାବେଳେ ଏହା ଉତ୍ତରରେ ନନ୍ଦନକାନନ ନିକଟବର୍ତ୍ତୀ ଦାରୁଠେଙ୍ଗ, ରଘୁନାଥପୁର,ଶ୍ୟାମପୁରକୁ ଛୁଉଁଥିବାବେଳେ ପୂର୍ବରେ ପାହାଳ, ରୁଦ୍ରପୁର, ପାଣ୍ଡରା, କୋରଡ଼କଣ୍ଟାକୁ ଛୁଇଁବ। ଦକ୍ଷିଣରେ ଲିଙ୍ଗିପୁର, ଗୋପିନାଥପୁର ଆଦିକୁ ଛୁଇଁବ। ପଶ୍ଚିମରେ ତମାଣ୍ଡୋ , ପାଇକରାପୁର, ନରଗଦା, ସିଜିପୁଟ, ସହଜପୁର ଅଞ୍ଚଳ ଦେଇ ଯିବ। ଏହି ପ୍ରକଳ୍ପ ପାଇଁ ୧୨୦୦ କୋଟି ଖର୍ଚ୍ଚ ହେବାକୁ ଥିବାବେଳେ ଏଥିପାଇଁ ୭୬୦ଏକର ଜମି ଦରକାର। ବିଡିଏ ରିଂ ରୋଡ୍‌ ପାଇଁ ଯୋଜନା କରିଥିଲେ ଏଥିରେ ଜମି ଅଧିଗ୍ରହଣ ବାଧକ ସାଜିପାରେ। ଯେଉଁ ଅଞ୍ଚଳରେ ଜମି ଅଧିଗ୍ରହଣ ବାଧକ ସାଜିବ ସେଠାରେ ବିଡିଏ ପକ୍ଷରୁ ଟାଉନ୍‌ ପ୍ଲାନିଂ ସ୍କିମ୍‌ ପ୍ରସ୍ତୁତ ହୋଇଛି। ତେଣୁ ଟିପି ସ୍କିମ୍‌ର ସଫଳତା ଉପରେ ଏହି ରିଂ ରୋଡ୍‌ର ଭାଗ୍ୟ ନିର୍ଭର କରୁଛି। ଏହି ରିଂ ରୋଡ୍‌ ସହର ଏବଂ ଏହା ଉପକଣ୍ଠରେ ନିର୍ମାଣ ହେବ। ଏଥିପାଇଁ ସମସ୍ତ ଜମି ଓ ଅର୍ଥ ରାଜ୍ୟ ସରକାର ବହନ କରିବେ। ତେଣୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ଅନୁମତି ଦରକାର ନାହିଁ। କେବଳ ଯେଉଁଠି ଜାତୀୟ ରାଜପଥକୁ ସଂଯୋଗ କରିବ ସେଠାରେ ଆବଶ୍ୟକ ପଡ଼ିଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯିବ ବୋଲି ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଜମି ଅଧିଗ୍ରହଣ ଅଧାରୁ ଅଧିକ ହେଲେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ। ଟେଣ୍ଡର ଅନୁମୋଦନ ହେବାର ଦୁଇ ବର୍ଷରେ ଏହି ପ୍ରକଳ୍ପ ଶେଷ ହେବ ବୋଲି କୁହାଯାଇଛି।

ଏବେ ସୁଦ୍ଧା ୫୦ଏକର ଜମି ଦଖଲକୁ ଆସିଛି
ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୧୩ଟି ରାଜସ୍ୱ ଗ୍ରାମରେ ଥିବା ୫୦.୪୧୬ଏକର ଜମି ଅଧିଗ୍ରହଣ ହୋଇଛି। ଏଥିରେ ପାହାଳରେ ୬.୩୦୪ଏକର ଜମି, ଦାଢାରେ ୫.୫୪୨ଏକର ଜମି, ହରିଦାସପୁରରେ ୧୧.୬୬୫ଏକର, ବାଙ୍ଗୁଆରିରେ ୦.୦୪୬ଏକର, ମଞ୍ଚେଶ୍ୱରରେ ୦.୯୩୦ଏକର, ସରଦେଇପୁରରେ ୨.୩୦୨ଏକର, ଗେଲାପୁରରେ ୫.୫୩୦ଏକର, ନଖାଉରପାଟଣାରେ ୦.୦୫୪ଏକର, ବିଜିପୁରରେ ୨.୯୯୯ଏକର, ଗୋବର୍ଦ୍ଧନପୁରରେ ୨.୩୫୧ଏକର, ଗୋପିନାଥପୁରରେ ୪.୧୮୯ଏକର, ଧଉଳିରେ ୨.୮୨୭ଏକର, ଉତ୍ତରାଶାସନରେ ୫.୬୭୭ ଏକର ଜମି ଅଧିଗ୍ରହଣ ହୋଇଛି। ଏହି ସବୁ ଅଞ୍ଚଳରେ ଟାଉନପ୍ଲାନିଂ ସ୍କିମ୍‌କୁ ମଧ୍ୟ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି।

Share Now:

Kalinga News Beuro

Leave a Reply

Next Post

୬୩୯ କୋଟି ଟଙ୍କାରେ ସୈନ୍ୟବାହିନୀ ପାଇଁ କିଣାଯିବ ୧ଲକ୍ଷ ୮୬ ହଜାର ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌

Tue Apr 10 , 2018
ନୂଆଦିଲ୍ଲୀ: ସେନାବାହିନୀର ପଦାତିକ ସୈନିକମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି ସରକାର। ଅତ୍ୟାଧୁନିକ ଜ୍ଞ୍ୟାନକୌଶଳରେ ନିର୍ମିତ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ ପାଇବେ ପଦାତିକ ବାହିନୀର ସୈନିକମାନେ। ଏଥିପାଇ ଗତକାଲି କେନ୍ଦ୍ର ସରକାର ୬୩୯ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଛନ୍ତି। ସେନାବାହିନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସରକାର ୧ ଲକ୍ଷ ୮୬ ହଜାର ୧୩୮ଟି ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ କିଣିବା ପାଇଁ ଘରୋଇ ସଂସ୍ଥା ଏସଏମପିପି ପ୍ରାଇଭେଟ୍‌ ଲିମିଟେଡ୍‌ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial