ଆରପାରିରେ ପ୍ରଖ୍ୟାତ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସ

ଅଜିତ ଦାସଙ୍କ ଦେହାନ୍ତ

ଭୁବନେଶ୍ବର: ୨୦୨୦ ସତେ ଯେପରି ଚଳଚ୍ଚିତ୍ର ଜଗତକୁ ଶ୍ରୀହୀନ କରିଚାଲିଛି। ଏହି କ୍ରମରେ ଆଜି ରବିବାର ଦିନ ପ୍ରଖ୍ୟାତ ଓଡ଼ିଆ ଚଳଚ୍ଚିତ୍ର ଓ ମଞ୍ଚ ଅଭିନେତା ଅଜିତ ଦାସଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସେ‌ପ୍ଟେମ୍ବର ୧ ତାରିଖ ଦିନ ସେ କୋଭିଡ୍-୧୯ ପଜିଟିଭ୍ ଥିବା ଜଣାପଡ଼ିବା ପରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଡାକ୍ତରଖାନା ତରଫରୁ ତାଙ୍କ ମୃତ୍ୟୁର କାରଣ ଘୋଷଣା କରାଯାଇନାହିଁ।
‘ନ୍ୟାସ୍‌ନାଲ୍ ସ୍କୁଲ୍ ଅଫ୍ ଡ୍ରାମା’ରୁ ଅଭିନୟରେ ଡିପ୍ଲୋମା ହାସଲ କରିବା ପରେ ୧୯୭୬ ମସିହାରେ ପ୍ରଥମେ ‘ସିନ୍ଦୂର ବିନ୍ଦୁ’ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ଏଥିରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ। ଏହାପରେ ସେ ‘ଅଭିମାନ’, ‘ଗୌରୀ’, ବଳିଦାନ’, ‘ଗୋଲାମଗିରି’, ‘ଏ ନୁହେଁ କାହାଣୀ’, ‘ଫୁଲଚନ୍ଦନ’, ‘ହାକିମବାବୁ’, ‘ସହରୀବାଘ’, ‘ମମତାର ଡୋରି’, ‘ଏଇ ତ ଦୁନିଆ’, ‘ତୁଣ୍ଡବାଇଦ’, ‘ମୁଁ ତୁମେ ଓ ସେ’, ‘ପ୍ରେମଋତୁ ଆସିଲାରେ’, ‘ଆମ ଭିତରେ କିଛି ଅଛି’ ଏବଂ ‘ଅଭିମନ୍ୟୁ’ ଭଳି ପ୍ରାୟ ୭୦ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ‘ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌’ ବ୍ୟାନରରେ ପ୍ରସ୍ତୁତ ତାଙ୍କ ଅଭିନୀତ ‘ହାକିମବାବୁ’ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା। ସେହି ଚଳଚ୍ଚିତ୍ର ଲାଗି ସେ ମଧ୍ୟ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ସେ ଉତ୍କଳ ସଙ୍ଗୀତ ନାଟକ ମହାବିଦ୍ୟାଳୟରେ ବିଭାଗୀୟ ମୁଖ୍ୟ ଭାବେ ଅବସର ଗ୍ରହଣ କରିଥିଲେ। ନି‌ଜେ ମଧ୍ୟ ‘ଅଜିତ’ ନାମରେ ଏକ ନାଟ୍ୟ ସଂସ୍ଥା ସ୍ଥାପନ କରି ବହୁ ନୂତନ କଳାକାର ସୃ‌ଷ୍ଟି କରିଥିଲେ। ୧୯୪୯ ମସିହା ଜାନୁଆରି ୨୦ ତାରିଖ ଦିନ ସେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଠାରେ ଜନ୍ମ ଗ୍ରହଣ କରିଥିଲେ।

Share Now:

Kalinga News Beuro

Next Post

କରୋନାର କରୁଣ କାହାଣୀ : କେଇଘଣ୍ଟାରେ ଆଗପଛ ହୋଇ ଚାଲିଗଲେ ବାପା-ପୁଅ

Sun Sep 13 , 2020
ବେଣୁପୁର ସ୍ତବ୍ଧ, କରୋନା ମୃତ୍ୟୁ ୧୧ ଛୁଇଁଲା ବାଲିଅନ୍ତା : ଏକ ମାତ୍ର ପୁଅ ମହାମାରୀ କରୋନାରେ ଆକ୍ରାନ୍ତ ହେବା କଥା ଶୁଣିବା ମାତ୍ରେ ବାପାଙ୍କ ହୃଦ୍‌ଘାତ ହେଲା। କିନ୍ତୁ ତାଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପୂର୍ବରୁ ସେ ଆଖି ବୁଜିଦେଲେ। କୋଭିଡ୍‌ ହସ୍ପିଟାଲରେ ଥିବା ପୁଅ ମୁଖାଗ୍ନି ଦେଇ ପାରିଲେ ନାହିଁ କି ବାପାଙ୍କ ଶେଷ ଦର୍ଶନ କରି ପାରିଲେ ନାହିଁ। ଦୁଃଖ ଏତିକିରେ ସରିନଥିଲା। ବାପାଙ୍କ ଶବ ସତ୍କାର […]
covid-19

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial