ବାଣ ବିସ୍ଫୋରଣରେ ବାପା ମୃତ ପୁଅ ଗୁରୁତର

ଗୋପ: ଗୋପ ବ୍ଲକ୍‌ ଅନ୍ତର୍ଗତ ଦେସ୍ଥଳି ପଂଚାୟତର ଓଟର ନିକଟ ପିଙ୍ଗଳ ଗ୍ରାମରେ ଆଜି ବାଣ ବିସ୍ଫୋରଣରେ ଜଣେ ପ୍ରାଣ ହରାଇଛନ୍ତି। ଅନ୍ୟଜଣେ ସଂକଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ଆଜି ସକାଳେ ଘରେ ବାଣ ଭିଡ଼ା ଚାଲିଥିବାବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳ ପ୍ରାୟ ୮ଟାରେ ପିଙ୍ଗଳ ଗ୍ରାମର ରଞ୍ଜିତ ବିଶ୍ୱାଳ(୫୮) ଏବଂ ତାଙ୍କ ପୁଅ ବାପି ବିଶ୍ୱାଳ(୨୫) ନିଜ ଘରେ ବାଣ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ହଠାତ୍‌ ଏକ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ରଞ୍ଜିତଙ୍କର ସେହିଠାରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା। ପୁତ୍ର ବାପି ମଧ୍ୟ ଏଥିରେ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣରେ ବାପିଙ୍କ ହାତ କଟି ଯାଇଥିବାବେଳେ ସେ ଜୀବନ ବିକଳରେ ଛାତ ଉପରୁ ଡେଇଁ ପଡ଼ିଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ରଞ୍ଜିତ ଓ ବାପିଙ୍କୁ ଉଦ୍ଧାର କରି ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ତେବେ ସେଠାରେ ଡାକ୍ତର ରଞ୍ଜିତଙ୍କୁ ମୃତ ଘୋଷଣା କରିଥିଲେ। ପୁଅ ବାପିଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ତେବେ ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ପ୍ରଚଣ୍ଡ ବିସ୍ଫୋରଣ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ବିସ୍ଫୋରଣର ଭୟାବହତା ସଂପର୍କରେ ଜଣେ ଗ୍ରାମବାସୀ କହିଛନ୍ତି ଯେ ପ୍ରଚଣ୍ଡ ଶବ୍ଦ ଶୁଣି ପ୍ରଥମେ କେହି କିଛି ବୁଝି ପାରି ନଥିଲେ।  ସମସ୍ତେ ଏଣେତେଣେ ଧାଇଁବା ଦେଖାଯାଇଥିଲା। ଏହା ସହିତ ପାଖରେ ରଖାଯାଇଥିବା ଅନ୍ୟ ବାଣଗୁଡ଼ିିକ ମଧ୍ୟ ବିସ୍ଫୋରଣ ହେବାରୁ ଦୁଇ ମହଲା ଘରଟି ସଂପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି। ଉପର ଘରର ଆଜବେଷ୍ଟସ୍‌ ଉଡ଼ିଯାଇଥିବାବେଳେ ଘରଗୁଡ଼ିକର ଅବଶିଷ୍ଟ ଅଂଶ ଝୁଲି ରହିଥିଲା । ଖବର ପାଇ ଗୋପ ଦମକଳ କେନ୍ଦ୍ରର ଅଧିକାରୀ ସୁକାନ୍ତ ଜେନାଙ୍କ ସମେତ ଆଗ୍ନିକମାନେ ଘଟଣାସ୍ଥଳରେ ପହଞ୍ଚିି ଅନ୍ୟ ଅଫୁଟା ବାଣଗୁଡ଼ିକୁ ପାଣି ପକାଇ ନଷ୍ଟ କରିଥିଲେ। ଫଳରେ ଅନେକ ଧନଜୀବନ ନଷ୍ଟ ହେବାରୁ ବଞ୍ଚିିଯାଇଥିଲା । ଗୋପ ବ୍ଲକ୍‌ ଅଞ୍ଚଳରେ ବ୍ୟାପକ ବେଆଇନ ବାଣ ବ୍ୟବସାୟ ଚାଲିଥିବାବେଳେ ଏହାକୁ ଗୁରୁତର ଭାବେ ପ୍ରଶାସନ ନ ନେବାରୁ ଏଭଳି ଅଭାବନୀୟ କାଣ୍ଡ ଘଟୁଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

Share Now:

Kalinga News Beuro

Leave a Reply

Next Post

ଆମ୍ବେଦକରଙ୍କ ରଙ୍ଗକୁ ନେଇ ରାଜନୀତି

Wed Apr 11 , 2018
ଲକ୍ଷ୍ନୌ : ସମ୍ବିଧାନ ପ୍ରଣେତା ଏବଂ ସମାଜ ସଂସ୍କାରକ ଡ଼.ଭୀମରାଓ ଆମ୍ବେଦକରଙ୍କୁ ନେଇ ଏବେ ୟୁପି ରାଜନୀତି ସରଗରମ ହୋଇଉଠିଛି। ନୀଳରଙ୍ଗର କୋର୍ଟ ପିନ୍ଧିଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଗେରୁଆ ରଙ୍ଗ ବୋଳିବା ଘଟଣାକୁ ନେଇ ରାଜ୍ୟରେ ଦଳିତ ସମ୍ପ୍ରଦାୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ବିରୋଧ କରି ଉତ୍ତରପ୍ରଦେଶର ବଦାଉନ୍‌ ଜିଲ୍ଲାରେ ଗତକାଲି ବିଜେପି କର୍ମକର୍ତ୍ତାମାନେ ଗେରୁଆ ରଙ୍ଗ କରିଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର କୋଟ୍‌କୁ ନୀଳ ରଙ୍ଗରେ ରଙ୍ଗାୟିତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial