ବିଧାନସଭା ଇତିହାସରେ ପ୍ରଥମ : କରୋନା ପାଇଁ ବଦଳିଲା ନିୟମ

Odisha-Assembly

ନବୀନ ନିବାସରୁ ଭାଗନେଲେ ମୁଖ୍ୟମନ୍ତ୍ରୀ,ବିଧାୟକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର: ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ଭିତରେ ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ପୂର୍ବ ଅଧିବେଶନ ତୁଳନାରେ ଆଜିର ଦୃଶ୍ୟ ଥିଲା ସଂପୂର୍ଣ୍ଣ ଭିନ୍ନ। ସାମାଜିକ ଦୂରତା ରକ୍ଷା ପାଇଁ ବିଧାନସଭା ମୁଖ୍ୟ ହଲ୍‌ରେ ୭୮ ଜଣ ବିଧାୟକମାନଙ୍କ ପାଇଁ ଆସନ ବ୍ୟବସ୍ଥା କରାଯାଇଥିବା ବେଳେ ଗୃହରେ ୫୦ରୁ ୬୦ ବିଧାୟକ ଉପସ୍ଥିତ ଥିଲେ। ସମସ୍ତଙ୍କ ମୁହଁରେ ଥିଲା ମାସ୍କ। କେହି କେହି ମଧ୍ୟ ହାତରେ ଗ୍ଲୋବ୍ସ ପିନ୍ଧିଥିଲେ। ବିଧାନସଭା ପକ୍ଷରୁ ସମସ୍ତଙ୍କୁ ଯୋଗାଇ ଦିଆଯାଇଥିଲା ଫେସ୍ ସିଲ୍‌ଡ। ସିଟ୍ ସାମନାରେ ଫାଇବର ଗ୍ଲାସ ଲଗାଯାଇଥିଲା। କିଏ ବସିକି କହୁଥିଲେ ତ ଆଉ କିଏ ଠିଆ ହୋଇ କହୁଥିଲେ। ପୂର୍ବପରି ବିଧାନସଭାରେ ସଭ୍ୟଙ୍କ ପାଇଁ ଥିବ‌ା ନିୟମକୁ କୋହଳ କରାଯାଇଥିଲା। ବିଧାନସଭା‌ ଉପର ମହଲାରେ ଦର୍ଶକ ଗ୍ୟାଲେରିରେ ୫୨ ଜଣ ବିଧାୟକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ଲୋକସେବା ଭବନରେ ୬ ଜଣ ବିଧାୟକ ଓ ଢେଙ୍କାନାଳ, ନୂଆପଡ଼ା ଓ ଭଦ୍ରକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରୁ ଯଥାକ୍ରମେ ମନ୍ତ୍ରୀ ପ୍ରଫୁଲ୍ଲ୍ ମଲ୍ଲିକ, ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆ ଓ ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣ ସେଠୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ଲୋକସେବା ଭବନର ଦ୍ବିତୀୟ ମହଲା କନଫରେନ୍‌ସ ହଲରୁ ଭିଡିଓ କନଫରେନ୍‌ସିଂ ଜରିଆରେ ବିଧାୟିକା ଉଷା ଦେବୀ, ବିଧାୟିକା ସାବିତ୍ରୀ ଅଗ୍ରଓ୍ବାଲ୍‌, ବିଧାୟକ ଶଶିଭୁଷଣ ବେହେରା, ବିଧାୟକ ବଦ୍ରି ନାରାୟଣ ପାତ୍ର, ବିଧାୟକ ପ୍ରଫୁଲ୍ଲ୍ ସାମଲ ଓ ବିଧାୟକ ନିତ୍ୟାନନ୍ଦ ସାହୁ ଭାଗ ନେଇଛନ୍ତି।

ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସିଂ ଜରିଆରେ ଗୃହ କାର୍ଯ୍ୟରେ ଭାଗ ନେଇଥିଲେ। ବିଧାନସଭା ଆରମ୍ଭରେ ରାଜ୍ୟରେ ପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କ ପାଇଁ ଆଜି ଗୃହରେ ଶୋକ ପ୍ରସ୍ତାବ ପାରିତ ହୋଇଛି। ଏହାସହିତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଦିବଙ୍ଗତ ସଦସ୍ୟ, ପୂର୍ବତନ ସଦସ୍ୟ ଓ ସହିଦ ପୁଲିସ କର୍ମୀ ଓ ସ୍ବର୍ଗତ ସେନା ଅଧିକାରୀଙ୍କ ସମେତ ୧୯ ଜଣଙ୍କ ପ୍ରତି ଗୃହରେ ଏକ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା। ଦିବଙ୍ଗତ ନେତା ଓ କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ପୂର୍ବାହ୍ନ ୧୧ଟାରେ ଗୃହ କାରମ୍ଭ ହେବା ମାତ୍ରେ ନବୀନ ନିବାସରୁ ଗୃହ କାର୍ଯ୍ୟରେ ଭାଗ ନେଉଥିବା ମୁଖ୍ୟମନ୍ତ୍ରୀ ତଥା ଗୃହର ନେତା ନବୀନ ପଟ୍ଟନାୟକଙ୍କୁ ଶୋକ ପ୍ରସ୍ତାବ ଆଗତ କରିବାକୁ ବାଚସ୍ପତି କହିଥିଲେ। ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଦିବଙ୍ଗତ ସଦସ୍ୟ ମଦନ ମୋହନ ଦତ୍ତ, ଦିବଙ୍ଗତ ସଦସ୍ୟ ବିଷ୍ଣ ଚରଣ ଦାସ, ପୂର୍ବତନ ମନ୍ତ୍ରୀ ହର ପ୍ରସାଦ ମହାପାତ୍ର, ପୂର୍ବତନ ମନ୍ତ୍ରୀ ସହରାଇ ଓରାମ୍‌, ପୂର୍ବତନ ମନ୍ତ୍ରୀ ସନାତନ ବିଶି, ପୂର୍ବତନ ମନ୍ତ୍ରୀ ଶେଖ ମତଲୁବ ଅଲ୍ଲୀ, ପୂର୍ବତନ ସଦସ୍ୟ ଅର୍ଜୁନ ଚରଣ ସେଠୀ, ପୂର୍ବତନ ସଦସ୍ୟ ନେଲସନ୍‌ ସୋରେଙ୍ଗ, ପୂର୍ବତନ ସଦସ୍ୟ ରାମମୂର୍ତ୍ତି ମୁଟ୍ଟିକା, ପୂର୍ବତନ ସଦସ୍ୟ ରବୀନ୍ଦ୍ର ନାଥ ଭୋଇ, ପୂର୍ବତନ ସଦସ୍ୟ ଅଭିମନ୍ୟୁ କୁମାର, ପୂର୍ବତନ ସଦସ୍ୟ ଚିନ୍ତାମଣି ଜେନା, ଭାରତୀୟ ସେନାର ପୂର୍ବତନ ସିପାହି ସହିଦ ଚନ୍ଦ୍ରକାନ୍ତ ପ୍ରଧାନ, ପୂର୍ବତନ ନାଏବ ସୁବେଦାର ନୁତୁରାମ୍‌ ସୋରେନ୍‌, ଓଡ଼ିଶା ପୁଲିସ୍‌ର ପୂର୍ବତନ ଏସ୍‌ଓଜି କମାଣ୍ଡୋ ସୁଧୀର ଟୁଡୁ, ପୂର୍ବତନ ଏସ୍‌ଓଜି କମାଣ୍ଡୋ ଦେବାଶିଷ ସେଠୀ, ପୂର୍ବତନ ଗୃହ ରକ୍ଷୀ ବନବାସୀ ମହାରଣାଙ୍କ ସମେତ କରୋନା ଲଢ଼େଇରେ ନିଜ ଜୀବନକୁ ଉତ୍ସର୍ଗ କରି ପ୍ରାଣବଳି ଦେଇଥିବା ଡାକ୍ତର, ନର୍ସ୍‌, ଅଙ୍ଗନବାଡ଼ି କର୍ମୀଙ୍କ ପ୍ରତି ଶୋକ ପ୍ରସ୍ତାବ ଆଗତ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରିବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶୋକ ପ୍ରସ୍ତାବ ପାଠ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ନିଜ ଆସନରେ ବସି ରହି ଶୋକ ପ୍ରସ୍ତାବ ପାଠ କରିବା ଦେଖିବାକୁ ମିଳିଥିଲା। ଶୋକ ପ୍ରସ୍ତାବ ପାରିତ ହେବା ପରେ ବାଚସ୍ପତି ଶ୍ରୀ ପାତ୍ର ରୁଲିଂ ଦେଇ କହିଥିଲେ ନିୟମ ଅନୁଯାୟୀ ଗୃହରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହର କାର୍ଯ୍ୟକୁ ଦିନକ ପାଇଁ ମୁଲତବୀ ରଖାଯାଇଥାଏ। କିନ୍ତୁ କୋଭିଡ୍‌ ମହାମାରୀ ସମୟରେ ଚଳିତ ଅଧିବେଶନ ସ୍ବଳ୍ପ ଅବଧିର ହୋଇଥିବାରୁ ବହୁ ସରକାରୀ ବିଲ୍‌ ଓ କାର୍ଯ୍ୟ ଗୃହ ଅନୁମୋଦନ ପାଇବାର ଅଛି। ଏଥିପାଇଁ ଗୋଟିଏ ଦିନ ପରିବର୍ତ୍ତେ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖାଗଲା। ଏ ସଂକ୍ରାନ୍ତରେ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିବା ନେଇ ବାଚସ୍ପତି ଗୃହକୁ ସୂଚନା ଦେଇଥିଲେ।

Share Now:

Kalinga News Beuro

Next Post

ପୁଣି ଚଳଚଞ୍ଚଳ ହେବ ଚନ୍ଦକା ହସ୍ତୀ ଅଭୟାରଣ୍ୟ

Wed Sep 30 , 2020
ଅକ୍ଟୋବର ୨ ତାରିଖରୁ କରୋନା କଟକଣା ନିୟମରେ ଖୋଲିବ ବାରଙ୍ଗ/ମେଣ୍ଢାଶାଳ: ମହାମାରୀ କରୋନା କଟକଣା ପାଇଁ ମାର୍ଚ୍ଚ ୨୭ ତାରିଖରୁ ଦର୍ଶକଙ୍କ ପାଇଁ ବନ୍ଦ ରହିଥିବା ଚନ୍ଦକା‌-ଡମପଡ଼ା ହସ୍ତୀ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ୨ ତାରିଖରେ ପୁଣି ଖୋଲିବ। ଗାନ୍ଧୀ ଜୟନ୍ତୀ ଅବସରରେ କରୋନା କଟକଣା ନିୟମାନୁସାରେ ଏହି ଅଭୟାରଣ୍ୟ ଦର୍ଶକମାନଙ୍କ ପାଇଁ ଖୋଲା ରହିବ। ତେଣୁ ଚନ୍ଦକା ଗୋଡ଼ିବାରୀ ମୁଖ୍ୟ ଫାଟକ ଦେଇ ଦର୍ଶକମାନେ ଅଭୟାରଣ୍ୟ ଭିତରକୁ ଯାଇ […]
ଚନ୍ଦକା ହସ୍ତୀ ଅଭୟାରଣ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial