ଅନ୍‌ଲକ ୫.୦ : ଖୋଲିବ ସିନେମା, ପାର୍କ, ସୁଇମିଂ ପୁଲ୍‌

ଅନ୍‌ଲକ ୫.୦

ସ୍କୁଲ୍‌ ଖୋଲିବା ନେଇ ରାଜ୍ୟ ନେବେ ନିଷ୍ପତ୍ତି, ବ୍ୟାବସାୟିକ ସଂସ୍ଥା ପାଇଁ ପ୍ରଦର୍ଶନୀକୁ ଅନୁମତି

ନୂଆଦିଲ୍ଲୀ : କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରାଳୟ ଅନ୍‌ଲକ ୫.୦ ଗାଇଡ୍‌ଲାଇନ ଜାରି କରିଛନ୍ତି। ଅକ୍ଟୋବର ୧ ତାରିଖରୁ ଏହା କାର୍ଯ୍ୟକାରୀ ହେବ। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡ୍‌ଲାଇନ ଅନୁସାରେ, ଦେଶର ସମସ୍ତ ସିନେମା ହଲ୍‌, ଥିଏଟର, ମଲ୍‌ଟିପ୍ଲେକ୍‌ସଗୁଡ଼ିକ ସେମାନଙ୍କର ବସିବାର ୫୦ ପ୍ରତିଶତ କ୍ଷମତା ପର୍ଯ୍ୟନ୍ତ ଖୋଲି ପାରିବ। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଖୁବ୍‌ ଶୀଘ୍ର ଏସ୍‌ଓପି ଜାରି କରାଯିବ। ବ୍ୟାବସାୟିକ ସଂସ୍ଥା ପାଇଁ ପ୍ରଦର୍ଶନୀକୁ ଅନୁମତି ଦିଆଯିବ। କିନ୍ତୁ ଏଥିରେ ଗ୍ରାହକମାନେ ସାମିଲ ହୋଇପାରିବେ ନାହିଁ। କେବଳ ବ୍ୟାବସାୟିକ ସଂସ୍ଥାମାନଙ୍କ ମଧ୍ୟରେ ଯାହା କିଛି କାରବାର ହୋଇପାରିବ। ଏଥିନେଇ ବାଣିଜ୍ୟ ମନ୍ତ୍ରାଳୟ ଏସ୍‌ଓପି ଜାରି କରିବେ। ସେହିଭଳି କ୍ରୀଡ଼ାବିତ୍‌ ଏବଂ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ସୁଇମିଂ ପୁଲ୍‌ଗୁଡ଼ିକ ଖୋଲିବ ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏଥିନେଇ ଏସ୍‌ଓପି ଜାରି କରାଯିବ। ପାର୍କ‌ ଏବଂ ଅନୁରୂପ ଆମୋଦ ପ୍ରଦାନକାରୀ ସ୍ଥାନଗୁଡ଼ିକ ମଧ୍ୟ ଖୋଲିବ ଏବଂ ଏଥିନେଇ ଶକ୍ତି ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏସ୍‌ଓପି ଜାରି କରିବ।
ସେହିଭଳି ଅକ୍ଟୋବର ୧୫ ପରଠାରୁ ଶିକ୍ଷାନୁଷ୍ଠାନ ଏବଂ କୋଚିଂ ସେଣ୍ଟର ଖୋଲିବା ନେଇ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରମାନେ ନିଷ୍ପତ୍ତି ନେଇପାରିବେ। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଏ ନେଇ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଇପାରିବେ। ଅନ୍‌ଲାଇନ୍‌ ଏବଂ ଦୂର ନିରନ୍ତର ଶିକ୍ଷାକୁ ପ୍ରୋତ୍ସାହିତ କରାଯିବ। ଯେଉଁ ଶିକ୍ଷାନୁଷ୍ଠାନମାନଙ୍କରେ ଅନ୍‌ଲାଇନ୍‌ କ୍ଲାସ୍‌ ସତ୍ତ୍ବେ ଯଦି ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ କ୍ଲାସ ପାଇଁ ଆଗ୍ରହୀ ହେବେ ସେମାନଙ୍କୁ ଅନୁମତି ପ୍ରଦାନ କରାଯିବ। ଅଭିଭାବକଙ୍କ ଲିଖିତ ଅନୁମତି ପାଇବା ପରେ ଛାତ୍ରଛାତ୍ରୀ ସ୍କୁଲରେ ଯୋଗ ଦେଇପାରିବେ। କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ଜାରି କରିବା ଏସ୍‌ଓପି ଅନୁସାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସ୍କୁଲ୍‌ ଖୋଲିବା ନେଇ ପଦକ୍ଷେପ ଗ୍ରହଣ କରିବେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ କଲେଜ ଏବଂ ଅନ୍ୟାନ୍ୟ ଉଚ୍ଚ ଶିକ୍ଷା ସଂସ୍ଥାନଗୁଡ଼ିକ କେବେ ଖୋଲିବ ‌ସେନେଇ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେବେ। ତେବେ ଅନ୍‌ଲାଇନ ଓ ଦୂରନିରନ୍ତର ଶିକ୍ଷାଦାନ ବ୍ୟବସ୍ଥା ପୂର୍ବ ଭଳି ଜାରି ରହିବ। ଅବରୋଧ ଅଞ୍ଚଳ ବାହାରେ ସମସ୍ତ ରାଜନୈତିକ, ସାମାଜିକ, ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଜଣ ପର୍ଯ୍ୟନ୍ତ ଉପସ୍ଥିତ ରହିପାରିବେ। ସମଗ୍ର ଦେଶରେ ଦୁର୍ଗା ପୂଜା ପାଳିତ ହେବାକୁ ଯାଉଥିବାରୁ ଏବଂ ଅକ୍ଟୋବର ୨୮ରେ ବିହାର ବିଧାନସଭା ନିର୍ବାଚନ ଥିବାରୁ ଅନ୍‌ଲକ ୫.୦ ଯଥେଷ୍ଟ ଗୁରୁତ୍ବ ବହନ କରୁଛି।

Share Now:

Kalinga News Beuro

Next Post

ଶୀତରେ ଭୟଙ୍କର ରୂପ ନେଇପାରେ କୋଭିଡ୍‌

Thu Oct 1 , 2020
ନୂଆଦିଲ୍ଲୀ: କରୋନା ମହାମାରୀକୁ ୯ ମାସ ବିତିଯାଇଥିଲେ ବି ବିଶେଷଜ୍ଞମାନେ ଏହାକୁ ସମ୍ପୂର୍ଣ୍ଣ ଭାବେ ବୁଝିପାରିନାହାନ୍ତି। ଋତୁ ପରିବର୍ତ୍ତନ ସହ ଭାଇରସ୍‌ ଏହାର ରୂପ ବଦଳାଇବ କି ନା’ ସେନେଇ ମଧ୍ୟ ବିଶେଷଜ୍ଞମାନେ ଅଧ୍ୟୟନ ଜାରି ରଖିଛନ୍ତି। ତେବେ ଶୀତରେ କୋଭିଡ୍‌ ଅତି ଭୟଙ୍କର ରୂପ ଦେଖାଇବ। ଶୀତ ଋତୁରେ ଅଧିକ ଶ୍ବାସକ୍ରିୟା ସଂକ୍ରମଣ ହୋଇଥାଏ। ତେଣୁ ଏହି ସମୟରେ କୋଭିଡ୍‌ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇପାରେ ବୋଲି ଆକଳନ […]
ଶୀତରେ ଭୟଙ୍କର ରୂପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial