ସତ୍ୟନଗର ଶ୍ମଶାନ ବିବାଦ ଘନେଇଲା : କରୋନା ଆକ୍ରାନ୍ତଙ୍କୁ ଏଠାରେ ନ ପୋଡ଼ିବାକୁ ମାନବାଧିକାର କମିସନଙ୍କ ନିକଟରେ ଦାବି କଲେ ସ୍ଥାନୀୟ ବାସିନ୍ଦା

ସତ୍ୟନଗର ଶ୍ମଶାନ ବିବାଦ ଘନେଇଲା

ସ୍ୱର୍ଗଦ୍ୱାରରେ ବାରଣ ପାଇଁ ସତ୍ୟନଗର ଚାପ ବଢ଼ିଛି: ବିଏମ୍‌ସି କମିସନର

ଭୁବନେଶ୍ୱର : ସତ୍ୟନଗର ଶ୍ମଶାନରେ ପ୍ରାୟ ୨ହଜାର କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କର ଶବ ଦାହ ହୋଇସାରିଲାଣି। ଏପ୍ରିଲ-ମେ’ ମାସରୁ ଲଗାତାର ଏଠାରେ କରୋନା ଆକ୍ରାନ୍ତଙ୍କ ଶବଦାହ ହେଉଛି। ଆରମ୍ଭରୁ ଦିନକୁ ୨ରୁ ୩ଜଣ କରୋନା ଆକ୍ରାନ୍ତଙ୍କ ଶବଦାହ ହେଉଥିବା ବେଳେ ଏବେ ଏହା ୩୦ରୁ ୪୦ଜଣରେ ପହଞ୍ଚିଲାଣି। କେବଳ ସତ୍ୟନଗର ଶ୍ମଶାନରେ ରାଜ୍ୟର ପ୍ରାୟ ୮୦% କରୋନା ଆକ୍ରାନ୍ତଙ୍କର ଶବଦାହ ହେଉଥିବାରୁ ଏହାକୁ ନେଇ ବିବାଦ ଉପୁଜିଛି। ସତ୍ୟନଗର ବାସିନ୍ଦା ଆଜି ମାନବାଧିକାର କମିସନଙ୍କୁ ଭେଟି ସତ୍ୟନଗର ଶ୍ମଶାନରେ ଆଉ କରୋନା ଆକ୍ରାନ୍ତଙ୍କ ଶବଦାହ ନକରିବାକୁ ଦାବି କରିଛନ୍ତି।
ସତ୍ୟନଗର ଲେଡିଜ୍‌ ଫୋରମ୍ ଏବଂ ସତ୍ୟନଗରର ବାସିନ୍ଦାମାନେ ମାନବାଧିକାର କମିସନରଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଦୈନିକ ୩୦/୪୦ଜଣ କରୋନା ଆକ୍ରାନ୍ତଙ୍କର ଶବ ଦାହ ହେଉଥିବା ବେଳେ ଧୂଆଁ ଓ ପାଉଁଶରେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଅତି‌ଷ୍ଠ ହୋଇଗଲେଣି। ବରିଷ୍ଠ ନାଗରିକମାନେ ଅସୁସ୍ଥ ହେଉଛନ୍ତି। ସ୍ଥାନୀୟ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି। ତେଣୁ ଏହାକୁ ନଜରରେ ରଖି ସତ୍ୟନଗର ଶ୍ମଶାନରେ କରୋନା ଆକ୍ରାନ୍ତଙ୍କ ଶବ ଦାହ କରା ନଯାଉ। ସତ୍ୟନଗର ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ଶ୍ମଶାନରେ ଥିବା ବିଦ୍ୟୁତ୍‌ ଚୁଲା ବାରମ୍ବାର ଖରାପ ହେଉଥିବାରୁ ବିଏମ୍‌ସି ମଶାଣି ପରିସରରେ ଥିବା ପଡ଼ିଆରେ ଶବ ସତ୍କାର କରୁଛି। ଶବଦାହ ଗୃହ ବାହାରେ ଶବ ପୋଡ଼ା ଯାଉଥିବାରୁ ଧୂଆଁ ସମସ୍ତଙ୍କ ଘରେ ପଶୁଛି, ପାଉଁଶ ବି ଉଡ଼ିକି ଆସି ଦେହରେ ପଡ଼ୁଛି। ବିଏମ୍‌ସି କର୍ତ୍ତୃପକ୍ଷ ଶବଦାହ କରିବା‌ର ଥିଲେ ଶବଦାହ ଘରେ କରନ୍ତୁ ନଚେତ୍‌ ବିଦ୍ୟୁତ ଚୁଲା/ଗ୍ୟାସ୍‌ ଚୁଲାରେ ଶବଦାହ କରନ୍ତୁ। କେବଳ ସତ୍ୟନଗରରେ ଯେ କରୋନା ଆକ୍ରାନ୍ତଙ୍କ ଶବଦାହ ହେବ, ସେନେଇ ତ କେଉଁଠି ନିର୍ଦ୍ଦେଶନାମା ପ୍ରକାଶ ପାଇନି। ତେଣୁ ବିଏମ୍‌ସି ସହର ବାହାରେ କରୋନା ଆକ୍ରାନ୍ତଙ୍କ ଶବଦାହ କରୁ। ଏହାଦ୍ୱାରା ସତ୍ୟନଗର ସମେତ ପୂରା ରାଜଧାନୀବାସୀ ଅସ୍ବାସ୍ଥ୍ୟକର ପରିବେଶରେ ରହିବେନି। ଏନେଇ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଏକ ଭିଡିଓ ବାର୍ତ୍ତା‌ରେ କହିଛନ୍ତି ଯେ ସତ୍ୟନଗର ଶ୍ମଶାନରେ ଶବଦାହ ସଂଖ୍ୟା ବଢ଼ିଛି। ପୁରୀ ସ୍ବର୍ଗଦ୍ୱାରକୁ ବାହାର ଜିଲ୍ଲାର ମୃତ୍ୟୁଦେହ ନେବା ଉପରେ ରୋକ‌ ଲାଗିଥିବାରୁ ଅଧିକାଂଶ ଲୋକ ଏଠାରେ ଶବଦାହ କରୁଛନ୍ତି। ଭୁବନେଶ୍ବରରେ ମୃତ୍ୟୁବରଣ କରୁଥିବା ଅନ୍ୟ ଜିଲ୍ଲାର କରୋନା ଆକ୍ରାନ୍ତଙ୍କର ବି ଏଠାରେ ଶବଦାହ ହେଉଛି। ତେଣୁ ଏହି ସଂଖ୍ୟା ବଢ଼ିଛି। ସତ୍ୟନଗର ଶ୍ମଶାନରେ ବିଦ୍ୟୁତ ଚୁଲା ମରାମତି ହେଉଥିବାରୁ କିଛି ଦିନ ହେଲା ଏଥିରେ ଶବ ସତ୍କାର ହେଉ ନଥିଲା, ଏବେ ଏହାକୁ ମରାମତି କରି କାର୍ଯ୍ୟକ୍ଷମ କରାଯାଇଛି।

ଭୁବନେଶ୍ବରରେ ଯେପରି ଶବଦାହ ଜନିତ ସମସ୍ୟା ନ ରହିବ, ସେଥିପାଇଁ ଖଣ୍ଡଗିରି ନିକଟ ଓ ପଟିଆରେ ଦୁଇଟି ମଶାଣିରେ ଅତ୍ୟାଧୁନିକ ଉପାୟରେ ଶବଦାହ ‌ବ୍ୟବସ୍ଥା କରାଯାଉଛି। ପଟିଆରେ ଗ୍ୟାସ୍‌ ଚୁଲା, ଆଇଗିଣିଆ‌‌ରେ ବିଦ୍ୟୁତ୍‌ ଚୁଲା ଏବେ କେବଳ ସତ୍ୟନଗର ଶ୍ମଶାନରେ କରୋନା ଆକ୍ରାନ୍ତଙ୍କ ଶବ ସତ୍କାର ହେଉଥିବା ବେଳେ ଆଉ ଦୁଇ ମାସ ପରେ ପଟିଆ ଓ ଆଇଗିଣିଆ ଶ୍ମଶାନରେ ବି କରୋନା ଆକ୍ରାନ୍ତଙ୍କ ଶବ ସତ୍କାର ହେବ। ଏହାବାଦ‌ ଭବିଷ୍ୟତରେ ଲୋକମାନେ ଯେପରି କାଠରେ ଶବଦାହ ନକରି ବିଦ୍ୟୁତ ଓ ଗ୍ୟାସ୍‌ ଚୁଲାରେ ଶବଦାହ କରିବେ, ସେନେଇ ସବୁ ପ୍ରକାରର ବ୍ୟବସ୍ଥା କରାଯାଉଛି।
ପଟିଆରେ ୱାର୍ଡ-୩ରେ ଏକ ଗ୍ୟାସ୍‌ ଚୁଲା ନିର୍ମାଣ କରାଯାଉଛି। ଏଥିପାଇଁ ୫୩ ଲକ୍ଷର ଟେଣ୍ଡର୍‌ ପାଇଛି ଏକ ଘରୋଇ ସଂସ୍ଥା। ସଂସ୍ଥା ଗ୍ୟାସ୍‌ ଚୁଲା ଲଗାଇବା ସହ ୫ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣଠାରୁ ଆରମ୍ଭ କରି ଶବଦାହ ପର୍ଯ୍ୟନ୍ତ ସବୁ କାମ କରିବ। ଚୁଲା ଲଗାଇବା ଓ ଏହାର ରକ୍ଷଣାବେକ୍ଷଣ କାମ ପାଇଁ ଟେଣ୍ଡର୍‌ ଆହ୍ବାନ ହୋଇଥିଲା। ଆସନ୍ତା ଦେଢ଼ରୁ ଦୁଇ ମାସ ମଧ୍ୟରେ ଏହା ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ସେହିପରି ଆଇଗିଣିଆ ଆଳୁଗଦି ନିକଟରେ ଏକ ଅତ୍ୟାଧୁନିକ ବିଦ୍ୟୁତ ଚୁଲା ବସିବ। ଏଥିପାଇଁ ଜାଗା ଚିହ୍ନଟ ହୋଇସାରିଥିବା ବେଳେ ଏହି ଚୁଲା ପାଇଁ ଅର୍ଡର ଦିଆସାରିଲାଣି। ଏହି ଚୁଲା ବିଏମ୍‌ସିକୁ ସିଏସ୍‌ଆର୍‌ କାର୍ଯ୍ୟରେ ଯୋଗାଇଦେବା ପାଇଁ ଏକ ଘରୋଇ ସଂସ୍ଥା ସହମତି ଜଣାଇଛି। ଖୁବ୍‌ ଶୀଘ୍ର ଏଠାରେ ଶବଦାହ ଘର ନିର୍ମାଣ କାମ ଆରମ୍ଭ ହେବ। ଆସନ୍ତା ମାସେରୁ ଦେଢ଼ ମାସ ଭିତରେ ଏହା ବି କାର୍ଯ୍ୟକ୍ଷମ ହେବ। ସେହିପରି ବଡ଼ଗଡ଼ ବ୍ରିଟ୍‌ କଲୋନି ମଶାଣିରେ ବିଏମ୍‌ସି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରିଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଆଉ ଏକ ଶବଦାହ ଘର ନିର୍ମାଣ କରାଯିବ। ଏଠାରେ କାଠରେ ଶବଦାହ ହେବା ଭଳି ବ୍ୟବସ୍ଥା କରାଯିବ ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Share Now:

Kalinga News Beuro

Next Post

ଅଗ୍ନିକାଣ୍ଡରେ ଜଳିଗଲା ଗୋଦାମ : ଲକ୍ଷାଧିକ ଟଙ୍କାର ଅଫିସ ଷ୍ଟେସନାରି ନଷ୍ଟ

Tue Oct 13 , 2020
ଯାଜପୁର: ଯାଜପୁର ପୌରାଞ୍ଚଳର ହାବେଳୀ ବଜାର ନିକଟରେ ଥିବା ଦୁଇଟି ଗୋଦମରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ଭାବେ ଜଣାପଡ଼ି ନ ଥିଲେ ବି ଲକ୍ଷାଧିକ ଟଙ୍କାର ଅଫିସ ଷ୍ଟେସନାରି ଏବଂ କାଗଜ ଜଳି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଗୋବିନ୍ଦ ତ୍ରିପାଠୀଙ୍କ ଦୁଇଟି ଅଫିସ ଷ୍ଟେସନାରି ଗୋଦାମ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଏହାଫଳରେ ସେଠାରେ ଗଚ୍ଛିତ ଥିବା […]
ଅଗ୍ନିକାଣ୍ଡରେ ଗୋଦାମ ଜଳିଗଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial