ଶ୍ରୀମନ୍ଦିରରେ ମହାବିଭ୍ରାଟ :ଉପାସ ରହିଲେ ଛପନଭୋଗୀ

ପୁରୀ/ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପୁଣି ଥରେ ବଡ଼ ଧରଣର ବିଭ୍ରାଟ ସୃଷ୍ଟି ହୋଇଛି। ଏମିତି ଯେ ଖୋଦ୍‌ ବିଶ୍ୱନିୟନ୍ତା ମହାପ୍ରଭୁଙ୍କୁ ଆଜି ଅଧା ଉପବାସରେ ରଖିଦିଆଗଲା। ଅଖିଆ ତ ରଖିଲେ, ସାରା ରାତ୍ରି ଅନିଦ୍ରା ବି ରହିଲେ ଠାକୁରେ। ପହଡ଼ ଆଜି ପଡ଼ିପାରିଲାନି। ନୀତିକୁ ଅଧାପନ୍ତରିଆ ପକାଇ ଯିଏ ଯାହା ବାଟରେ। ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ନିଜ ନିଜର ଦାବି ଓ ଅହଂକୁ ରଖିବାକୁ ଯାଇ ଶେଷରେ ମହାପ୍ରଭୁଙ୍କୁ ବାଜିରେ ଲଗାଇ ଦେଇଛନ୍ତି। ଏଥିସହିତ ଶ୍ରୀଜଗନ୍ନାଥ ମନ୍ଦିର ଇତିହାସରେ ଆଉ ଏକ କଳଙ୍କର ଟୀକା ଲାଗିଛି। ନିକଟ ଅତୀତରେ ଏମିତି ଅଭାବନୀୟ ଘଟଣା କେବେ ଘଟିନଥିଲା। ଆଜି ସକାଳ ୫ଟା ୪୦ରେ ଦ୍ୱାର ଫିଟା ଯିବା

ପରଠାରୁ ଗୋଟିଏ ପରେ ଗୋଟିଏ ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ବିଳମ୍ବ ହୋଇଥିଲା ମହାପ୍ରଭୁଙ୍କ ନୀତି। ହେଲେ ବିବାଦ ତୁଟିବା ପରିବର୍ତ୍ତେ ବଢିବାରୁ ସ୍ଥିତି ଏବେ ଅଣାୟତ୍ତ ଅବସ୍ଥାକୁ ଚାଲିଆସିଛି। ମହାପ୍ରଭୁଙ୍କୁ ସକାଳ ଖାଇବା ଦିଆଯାଇଛି ଅପରାହ୍ନରେ। ରାତି ଗୋଟାଏ ବେଳେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ମହାପ୍ରଭୁଙ୍କର ମଧ୍ୟାହ୍ନ ଧୂପ ହୋଇନାହିଁ କିମ୍ବା ଭକ୍ତଙ୍କ ପାଇଁ ଅଭଡ଼ା ବାହାରି ପାରିନାହିଁ। ୯ଟା ୪୫ରେ ମଇଲମ ସରିଛି, ଆଉ ମହାପ୍ରଭୁ ରତ୍ନସିଂହାସନରେ ଉପବାସରେ ବସି ରହିଛନ୍ତି।

ମିଳିଥିବା ସୂଚନା ମୁତାବକ, ହାଇକୋର୍ଟଙ୍କ ରାୟକୁ ଆଳ କରି ଆଜି ଏଭଳି ଅଭାବନୀୟ ଘଟଣା ସୃଷ୍ଟି କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି, ଶ୍ରୀମନ୍ଦିର ପ୍ରଶାସନ ହାତ ଟେକିଦେଇ ମହାପ୍ରଭୁଙ୍କୁ ପ୍ରତି ହୋଇଥିବା ଅନ୍ୟାୟର ତାମ୍‌ସା ଦେଖୁଛି ଦିନତମାମ। ନିରବଦ୍ରଷ୍ଟା ସାଜିଛନ୍ତି ଅଧିକାରୀମାନେ। ଏହି ଘଟଣା ଆଜି ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଲାଣି। ହଜାର ହଜାର ଭକ୍ତ ଶ୍ରୀମନ୍ଦିରରୁ ନିରାଶ ହୋଇ ଫେରିଛନ୍ତି। ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଆଘାତ ଲାଗିଛି।

ଖୋଲାଖୋଲି ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ଯେ ଯାହାର ଇଚ୍ଛାରେ ସଂସାର ଚାଲିଛି, ଯିଏ ଭକ୍ତଙ୍କ ପାଇଁ ଭଣ୍ଡାର ଖୋଲିଛି, ଯାହାକୁ ଷାଠିଏ ପଉଠି ଭୋଗ ଲାଗୁଛି ତାକୁ ଏମାନେ ଉପବାସରେ ରଖିଦେବେ? ମହାପ୍ରଭୁଙ୍କ କୋପରୁ କେହି ବି ବର୍ତ୍ତିବେନି। କଦାପି ଏମାନଙ୍କୁ ଧର୍ମ ସହିବନି। ଅକାଳେ ମହାବିପତ୍ତି ମାଡ଼ି ଆସିବ। ସରକାର ଆଖିବୁଜି ବସିବେ? ଆଉ କଣ ହେଲେ ହସ୍ତକ୍ଷେପ କରିବେ?

ଉଲ୍ଲେଖଯୋଗ୍ୟ, ହାଇକୋର୍ଟ ଗତ ୧୦ ତାରିଖ ଦିନ ଏପ୍ରିଲ ୧୬ ତାରିଖ ପୂର୍ବରୁ ଜଗମୋହନ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ନିର୍ଦ୍ଦେଶକୁ ପାଳନ କରି ଜଗମୋହନ ଖୋଲାଯାଇଥିଲା। ମାତ୍ର ହାଇକୋର୍ଟ କଟକଣା କରିଥିଲେ ଯେ କେବଳ ପାଳିଆ ସେବକ ଭିତରକୁ ଯିବେ। ଶ୍ରୀମନ୍ଦିର ସଂସ୍କାର କମିସନଙ୍କ ଅନ୍ତରୀଣ ରିପୋର୍ଟ ସୁପାରିସକୁ କାର୍ଯ୍ୟକାରୀ କରିବା ଲାଗି ସରକାର ନିଷ୍ପତ୍ତି ନେଇଥିବା ପରିପ୍ରେକ୍ଷୀରେ ଏଭଳି ନିର୍ଦେଶନାମା ଜାରି କରାଯାଇଥିଲା। ଏହାକୁ ଆଳ କରି ଆଜି ଶ୍ରୀମନ୍ଦିରରେ ବିଭ୍ରାଟ ଜନ୍ମ ନେଇଥିଲା।

ସେବାୟତଙ୍କର କହିବା କଥା ହେଉଛି, ରେକର୍ଡ ଅଫ୍‌ ରାଇଟ୍‌ସ ଅନୁସାରେ ନୀତିକାନ୍ତି ଚାଲିବ ବେଲି କୁହାଯାଇଛି। ଏଣୁ ଯାହା ଯେମିତି ହେବା କଥା ସେମିତି କରାଯିବା ଦରକାର। ଏଣୁ ସେବାୟତମାନଙ୍କୁ ଡାକିବା ଲାଗି ଯେଉଁ ବ୍ୟବସ୍ଥା ରହିଛି, ତାର ଅନୁପାଳନ ନ ହେବା କାରଣରୁ ଆଜି ସେମାନେ ନ ଆସି ଅଡ଼ି ବସିଥିଲେ। ସେହିଭଳି ଆଜି ପାଳିଆ ସିଂହାରୀଙ୍କ ଅଶୌଚ ହୋଇଥିଲା। କିନ୍ତୁ ଯେହେତୁ ପାଳିକା ସେବକ କେବଳ ଯିବାକୁ ନିୟମ କରାଯାଇଛି, ଏଣୁ ଅନ୍ୟମାନେ ପ୍ରବେଶ କରିନଥିଲେ। ଅନୁମତି ନଥିବାରୁ ଭିତରକୁ ଯିବାକୁ ଡରିଥିଲେ। ଫଳରେ ନୀତିରେ ବିଭ୍ରାଟ ଉପୁଜିଥିଲା। ଆଉ ମଙ୍ଗଳଆରତୀ ସମୟରୁ ଆରମ୍ଭ ହୋଇଥିବା ବିଭ୍ରାଟ ଧୀରେ ଧୀରେ ବଢିଥିଲା।

ଖବର ଅନୁସାରେ, ଗତକାଲି ପହୁଡ଼ ରାତି ୧୧ଟା ୨୦ ମିନିଟ୍‌ରେ ହୋଇଥିଲା। ଭୋର ୫ଟା ୪୦ରେ ଦ୍ୱାର ଫିଟାଯାଇଥିଲା। ୭ଟା ୫୦ରେ ହୋଇଥିଲା ମଙ୍ଗଳ ଆଳତୀ। ସକାଳ ସାଢେ ୯ଟାରେ ଅବକାଶ, ଅପରାହ୍ନ ୧୨ଟା ୪୫ ମିନିଟ୍‌ରେ ରୋଷ ହୋମ, ୨ଟା ୪୫ରେ ଗୋପାଳ ବଲ୍ଲଭ ଅର୍ଥାତ୍‌ ସକାଳ ଜଳଖିଆ ଦିଆଯାଇଥିଲା ମହାପ୍ରଭୁଙ୍କୁ। ଅପରାହ୍ନ ୩ଟା ୪୦ମିିନିଟ୍‌ରେ ସକାଳ ଧୂପ ଆରମ୍ଭ ହୋଇ ସଂଧ୍ୟା ୫ଟା ପରେ ଉଠିଥିଲା। କିନ୍ତୁ ନୀତିକାନ୍ତିରେ ଅହେତୁକ ବିଳମ୍ବ ଯୋଗୁଁ ଆଜି ରୋଷଘରୁ ଅଭଡ଼ା ବାହାରି ପାରିନି। ମହାପ୍ରଭୁଙ୍କ ମଧ୍ୟାହ୍ନ ଭୋଜନ ଏଯାଏ ହୋଇନାହିଁ। ରୋଷ ଘରେ ତାଲା ପକାଇ ସୁଆର ଚାଲି ଯାଇଛନ୍ତି।

ଆଜି ରାତି ୯ଟା ବେଳେ ଶ୍ରୀମନ୍ଦିର ସାମ୍ନାରେ ସୁଆରମାନେ ଦୀର୍ଘ ୨ଘଣ୍ଟାରୁ ଅଧିକ ସମୟ ଧରି ଧାରଣାରେ ବସିବା ପରେ ଉଠିଥିଲେ। ଧମକ ଦେଇଛନ୍ତି, ଆସନ୍ତାକାଲି ସୁଦ୍ଧା ସମାଧାନ ନ ହେଲେ ଆଉଥରେ ଆନ୍ଦୋଳନକୁ ଓହ୍ଲାଇବେ। ଆବଶ୍ୟକ ପଡିଲେ କୋଠଭୋଗ ବନ୍ଦ କରିଦେବେ। କେବଳ ସେତିକି ନୁହେଁ, ଏବେ ସୁଆରମାନେ ଅଡି ବସିଛନ୍ତି ଯେ ୫୦ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଅଭଡା ନଷ୍ଟ କରି ଦିଆଗଲା। କ୍ଷତିପୂରଣ ଦିଆଯିବା ଦରକାର। ଦୁର୍ବ୍ୟବହାର ପାଇଁ ଜିଲ୍ଲାପାଳଙ୍କୁ ତୁରନ୍ତ ବଦଳି କରାଯିବା ଉଚିତ୍‌। ଅନ୍ୟପକ୍ଷରେ ସେବାୟତମାନେ ରାତି ୯ଟାରୁ ସିଂହଦ୍ୱାର ସାମ୍ନାରେ ଧାରଣା ଦେବା କାରଣରୁ ଭକ୍ତମାନେ ମଧ୍ୟ ପ୍ରବେଶ କରିପାରିନଥିଲେ।

ରାତି ୧୦ଟା ୧୫ବେଳକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ହେଲେ ସେ ଧାରଣାରତ ସେବାୟତଙ୍କ ସହିତ ଆଲୋଚନା ନ କରି ସିଧା ଶ୍ରୀମନ୍ଦିର ଭିତରକୁ ଚାଲିଯିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ସେପଟେ ବିଧାୟକ ସଂଜୟ ଦାସବର୍ମା ସେବାୟତଙ୍କ ସହିତ ଆଲୋଚନା କରିଥିଲେ। ହେଲେ ଉଭୟ ଅଧିକାରୀ ଓ ରାଜନେତାଙ୍କ ପ୍ରଥମ ପର୍ଯ୍ୟାୟ ଆଲୋଚନାରେ କିଛି ପ୍ରଭାବ ପଡିନାହିଁ।

ଆଜି ଧାରଣା ଦେଇଥିବା ସେବାୟତ ଦାମୋଦର ମହାସୁଆର ଅଭିଯୋଗ କରିଥିଲେ, ଜିଲ୍ଲାପାଳ ଶ୍ରୀମନ୍ଦିର ଭିତରକୁ ଗର୍ଭଗୃହକୁ ପାଳିଆ ସେବାୟତଙ୍କ ପ୍ରବେଶ ନେଇ ବୁଝାସୁଝା କରିବାକୁ ଯାଇଥିଲେ। କିନ୍ତୁ ବୁଝାସୁଝା ପରିବର୍ତେ ଜିଲ୍ଲାପାଳ ସେବାୟତଙ୍କୁ ଦୁର୍ବ୍ୟବହାର କରିଥିଲେ। ଯେଉଁଥିପାଇଁ ନୀତିକାନ୍ତିରେ ଅହେତୁକ ବିଳମ୍ବ ହୋଇଥିଲା। ସେପଟେ ମହାପ୍ରଭୁଙ୍କ ପାଇଁ ମହାପ୍ରସାଦ ବି ରନ୍ଧା ସରିଥିଲା। କିନ୍ତୁ ସେବାୟତ-ପ୍ରଶାସନ ବିବାଦ ଯୋଗୁଁ ଏହା ରୋଷଘରୁ ବାହାରି ପାରିନଥିଲା। ବିବାଦ କାରଣରୁ ଆଜି ରନ୍ଧା ମହାପ୍ରସାଦ ସଂପୂର୍ଣ୍ଣ ନଷ୍ଟ ହୋଇଛି। ଏହି ରନ୍ଧା ମହାପ୍ରସାଦ ମୂଲ୍ୟ ବାବଦକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଧାରଣାରତ ସେବାୟତ ଦାବି କରିଛନ୍ତି। ସେପଟେ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ପାଇଁ ତାଙ୍କୁ ବଦଳି କରାଯାଉ ବୋଲି ସେମାନେ ଦାବି କରିଛନ୍ତି।

ଉଲ୍ଲେଖଥାଉକି, ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ସେବାୟତ ବର୍ଗଙ୍କ ସହିତ ଏ ନେଇ ଆଲୋଚନା କରିଥିବା ଅଧିକାରୀମାନେ ସୂଚନା ଦେଇଥିଲେ। ହେଲେ କଣ ଆଲୋଚନା କଲେ ଯେ ଏ ଦ୍ୱନ୍ଦ୍ୱ ତୁଟିପାରିଲାନି। ଯଦି ଦ୍ୱନ୍ଦ୍ୱ ଥିଲା, ଏ ମଧ୍ୟରେ ୬ ଦିନ ବିତିଗଲାଣି, ହାଇକୋର୍ଟଙ୍କ ଠାରୁ ସ୍ପଷ୍ଟୀକରଣ ଆଣିବାରେ ଅସୁବିଧା କେଉଁଠି ଥିଲା? ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ମହାପ୍ରଭୁଙ୍କ ଉପରେ ଦାଉ ସାଧିଲେ?

Share Now:

Kalinga News Beuro

Leave a Reply

Next Post

ନାହିଁ ନାହିଁରେ କ୍ୟାପିଟାଲ ହସ୍ପିଟାଲ:ନୂଆ ଓପିଡି ବ୍ଲକ ନିର୍ମାଣରେ ବିଳମ୍ବ

Tue Apr 17 , 2018
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ପରିସରରେ ଏକ ଓପିଡି ବ୍ଲକ୍‌ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲା ସ୍ୱାସ୍ଥ୍ୟ ବିଭାଗ। ୫ମହଲା ବିଶିଷ୍ଟ ଏହି ବ୍ଲକ୍‌ ପାଇଁ ଡିଜାଇନ୍‌ ମଧ୍ୟ ପ୍ରସ୍ତୁତ କରାଗଲା। ଇତିମଧ୍ୟରେ ଏହି ନିଷ୍ପତ୍ତିକୁ ୬ମାସ ହେଲାଣି, ଏ ପର୍ଯ୍ୟନ୍ତ ଇଟାଟିଏ ମଧ୍ୟ ଯୋଡ଼ି ହୋଇପାରିଲା ନାହିଁ। କ୍ୟାପିଟାଲ ହସ୍ପିଟାଲରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସମସ୍ତ ବିଭାଗର ବହିର୍ବିଭାଗରେ ପ୍ରବଳ ଗହଳି ହେଉଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial