୭୦ବର୍ଷର ସରକାରୀ ଆୟୁର୍ବେଦିକ୍‌ ଚିକିତ୍ସାଳୟ: ନାହାନ୍ତି ଡାକ୍ତର, ଫାର୍ମାସିଷ୍ଟ

ପିଅନଙ୍କ ହାତରେ ଡାକ୍ତରଖାନା ଦାୟିତ୍ବ

ପିଅନଙ୍କ ହାତରେ ଡାକ୍ତରଖାନା ଦାୟିତ୍ବ

ଆଠଗଡ଼: ଆଠଗଡ଼ ବ୍ଲକ୍‌ ଅନ୍ତର୍ଗତ କନ୍ଦରପୁରରେ ସ୍ଥାପନ କରାଯାଇଥିବା ୭୦ବର୍ଷର ପୁରାତନ ସରକାରୀ ଆୟୁର୍ବେଦିକ୍‌ ଚିକିତ୍ସାଳୟ ଏବେ ଅବ୍ୟବସ୍ଥା ଘେରରେ ରହିଥିବା ଜଣାପଡ଼ିଛି। ଚିକିତ୍ସାଳୟର ଡାକ୍ତର ୮ମାସ ହେଲା କୋଭିଡ୍‌ ଡ୍ୟୁଟିରେ ଥିଲା ବେଳେ ଦୀର୍ଘବର୍ଷ ହେଲା ଫାର୍ମାସିଷ୍ଟ ପଦ ଖାଲି ପଡ଼ିଛି। ଫଳରେ ଏହି ଆୟୁର୍ବେଦିକ୍‌ ଚିକିତ୍ସାଳୟର ଜଣେ ପିଅନ ଡାକ୍ତରଖାନା ଦାୟିତ୍ବରେ ରହିଥିବା ଜଣାପଡ଼ିଛି। ଏହାକୁ ନେଇ ଅଞ୍ଚଳର ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରକାଶଥାଉ କି, ଆଠଗଡ଼ରେ ୫ଟି ଆୟୁର୍ବେଦିକ୍‌ ଚିକିତ୍ସାଳୟ କନ୍ଦରପୁର, କଣ୍ଡରେଇ, ଧୁରୁଷିଆ, ପାଟେଣିଗାଁ ଓ ସୋମପଡ଼ାରେ ସ୍ଥାପନ କରାଯାଇଛି। ସେଥିମଧ୍ୟରୁ କନ୍ଦରପୁରରେ ୧୯୪୯ ଡିସେମ୍ବର ୧୦ ତାରିଖରେ ଆୟୁର୍ବେଦିକ୍‌ ଡାକ୍ତରଖାନା ପ୍ରତିଷ୍ଠା କରାଯାଇଥିଲା। ଗତ ୨୦୦୨ ସେପ୍ଟେମ୍ବର ୫ ତାରିଖରେ ଏହି ଚିକିତ୍ସାଳୟର ଗୃହକୁ ତତ୍କାଳୀନ କ୍ରୀଡ଼ା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉଦ୍‌ଘାଟନ କରିଥିଲେ। ଏଠାରେ ଗୋଟିଏ ଲେଖାଏଁ ଡାକ୍ତର, ଫାର୍ମାସିଷ୍ଟ ଓ ପିଅନ ପଦବି ରହିଛି। ଡାକ୍ତରଖାନା ଉପରେ କନ୍ଦରପୁର, ନଣ୍ଡେଇଲୋ, ରାଉତରାପୁର, ଫୁଲବାଡ଼ି ଆଦି ଅଞ୍ଚଳର ଜନସାଧାରଣ ନିର୍ଭର କରୁଛନ୍ତି। ପ୍ରତ୍ୟହ ଉକ୍ତ ଚିକିତ୍ସାଳୟକୁ ୫୦ରୁ ୬୦ଜଣ ରୋଗୀ ଆସୁଛନ୍ତି। ହେଲେ, ଦୀର୍ଘଦିନ ହେଲା ଏଠାରେ ଡାକ୍ତର ଓ ଫାର୍ମାସିଷ୍ଟ ନ ଥିବାରୁ ରୋଗୀମାନେ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ ହେଉଛି। ଦୁଇବର୍ଷ ତଳେ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ମୁରଲିଧର ମାନସିଂଙ୍କ ପରଲୋକ ହୋଇଥିଲା। ଏହାପରେ ପାଟେଣିଗାଁର ଡାକ୍ତର କନ୍ଦରପୁରରେ ଅତିରିକ୍ତ ଦାୟିତ୍ବରେ ରହିଥିଲେ। ଚଳିତବର୍ଷ ଡାକ୍ତର ମାଧବ ଚନ୍ଦ୍ର ସାମନ୍ତରାୟ ଡାକ୍ତରଖାନାରେ ଯୋଗ ଦେଇଥିଲେ। କିନ୍ତୁ ଗତ ଏପ୍ରିଲ୍‌ ମାସରୁ ସେ କୋଭିଡ ଡ୍ୟୁଟିରେ ଅନ୍ୟତ୍ର କାର୍ଯ୍ୟ କରୁଛନ୍ତି। ଏଥିଯୋଗୁଁ ଉକ୍ତ ଡାକ୍ତରଖାନା ଉପରେ ନିର୍ଭର କରୁଥିବା ରୋଗୀମାନେ ସେବାରୁ ବଞ୍ଚିତ ହେଉଛନ୍ତି। ସେହିପରି ଡାକ୍ତରଖାନାରେ ଫାର୍ମାସିଷ୍ଟ ପଦ ଦୀର୍ଘବର୍ଷ ହେଲା ଖାଲି ରହିଥିବା ଜଣାଯାଇଛି। ଡାକ୍ତର ଓ ଫାର୍ମାସିଷ୍ଟ ନ ଥିବା ବେଳେ ଏକମାତ୍ର ପିଅନ କାଁଭାଁ ଆସି ଡାକ୍ତରଖାନା ଖୋଲୁଥିବା ଅଭିଯୋଗ ହେଉଛି। ଏ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହି ପୁରାତନ ସରକାରୀ ଆୟୁର୍ବେଦିକ୍‌ ଚିକିତ୍ସାଳୟରେ ସ୍ଥାୟୀ ଡାକ୍ତର ଓ ଫାର୍ମାସିଷ୍ଟ ନିଯୁକ୍ତ କରିବାକୁ ସାଧାରଣରେ ଦାବି କରାଯାଇଛି।

Share Now:

Kalinga News Beuro

Next Post

ଗଞ୍ଜେଇ ଚାଷ ପାଇଁ ବନ ବିଭାଗ ଓ ଜିଲ୍ଲା ପ୍ରଶାସନର ଆର୍ଥିକ ସହାୟତା

Tue Nov 24 , 2020
କନ୍ଧମାଳରେ ମାଫିଆଙ୍କୁ ସବୁ ଆଡ଼ୁ ସାହାଯ୍ୟ! ଫୁଲବାଣୀ : କନ୍ଧମାଳରେ କେବଳ ଗଞ୍ଜେଇ ମାଫିଆଙ୍କ ପ୍ରୋତ୍ସାହନ ନୁହେଁ, ଗଞ୍ଜେଇ ଚାଷ ପଛରେ ବନ ବିଭାଗ ଓ ପ୍ରଶାସନର ପରୋକ୍ଷ ପ୍ରୋତ୍ସାହନ ରହିଛି। ଆଉ ପରୋକ୍ଷ ଭାବେ ପ୍ରଶାସନ ପକ୍ଷରୁ ଗଞ୍ଜେଇ ମାଫିଆଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ, ଚାଷ(ଗଞ୍ଜେଇ)କୁ ଜଳସେଚନ ସୁବିଧା ମଧ୍ୟ ଯୋଗାଇ ଦିଆ ଯାଉଥିବା ଘଟଣା ପଦାକୁ ଆସିଛି। ଜଙ୍ଗଲ ସଫା କରି ଗଞ୍ଜେଇ ଚାଷ କରିବାକୁ […]
ଗଞ୍ଜେଇ ଚାଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial