ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ସଫେଇ ଦେଲେ “ସେ କୌଣସି ଜନବିରୋଧୀ କାର୍ଯ୍ୟ କରି ନାହାନ୍ତି

ଭୁବନେଶ୍ବର: ଲୋକ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଗୋପାଳପୁରର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳରୁ ବହିଷ୍କୃତ ହୋଇଥିବାର ଖବର ମିଳିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଦଳ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କ ସହ ସଂପର୍କକୁ ନେଇ ବିବାଦୀୟ ହୋଇପଡ଼ିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ସୂଚନାଯୋଗ୍ୟ, କଳାଧନର କୁବେର ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶର ଗୋଟିଏ ପରେ ଗୋଟିଏ କାରନାମା ପଦାକୁ ଆସିବାରେ ଲାଗିଛି। ନିଜକୁ ଟାଟା ମୋଟର୍ସର ଏମ୍‌ଡି ବୋଲି ପରିଚୟ ଦେଇ ବେକାର ଯୁବକ ଯୁବତୀଙ୍କୁ କେମିତି କୋଟି କୋଟି ଟଙ୍କାର ଚୂନ ଲଗାଇଥିଲେ ତାହାର କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଛି। ଠକେଇର ଶିକାର ହୋଇଥିବା ଯୁବକଯୁବତୀ ଗୋପାଳପୁର ନିର୍ବାଚନମଣ୍ଡଳୀର ବୋଲି ଜଣାପଡ଼ିଛି। ପାଠକଙ୍କ ସହିତ ବନ୍ଧୁତା ସୂତ୍ରରେ ଆବଦ୍ଧ ହେଉଥିବା କାରଣରୁ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ଭୂମିକା ନେଇ ସନ୍ଦେହ ବଢ଼ିଥିଲା। ଏବେ ଏସ୍‌ଆଇଟି ସେହି ଆଧାରରେ ଆଗକୁ ତଦନ୍ତ କରିବ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଟାଟା ଗୋପାଳପୁରରେ ଏହାର ଏକ ପ୍ରକଳ୍ପ କରିବା ଲାଗି ଜମି ଅଧିଗ୍ରହଣ କରିଥିଲା। ଜମି ହରାଇ କ୍ଷତିପୂରଣ ପାଇଥିବା ମାଲିକମାନଙ୍କୁ ଜାଲରେ ଫସାଇବା ପାଇଁ ହୋଇଥିଲା ଯୋଜନା। ଏଥିପାଇଁ ଆକାଶକୁ କରାଯାଇଥିଲା ଢାଲ। ଇଞ୍ଜିନିୟରିଂ ଡିଗ୍ରିଧାରୀ ଆକାଶ ପୁନେରେ ଟାଟା ମୋଟର୍ସ ପାସେଞ୍ଜର ଡିଭିଜନ୍ ନାଁରେ ନକଲି ଅଫିସ ଖୋଲିଥିଲା। ନିଜକୁ ଏମ୍‌ଡି ବୋଲି ଦର୍ଶାଇ ଟାଟା ମୋଟର୍ସ ନାଁରେ ଜାଲ୍ ଇ-ମେଲ୍ ଆଇଡି ତିଆରି କରିଥିଲା। ଟାଟା ମୋଟର୍ସ ଲୋଗୋ ବ୍ୟବହାର କରି ଚାକିରି ନାଁରେ ବିଜ୍ଞାପନ ଦେଇଥିଲା। ଏହିଠାରେ ହିଁ ଶ୍ରୀ ପାଣିଗ୍ରାହୀଙ୍କ ଭୂମିକା ନେଇ ସନ୍ଦେହ ସାମ୍ନାକୁ ଆସିଥିଲା। ଜମି ହରାଇଥିବା ମାଲିକଙ୍କମାନଙ୍କୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରଭାବିତ କରି ଆକାଶ ପର୍ଯ୍ୟନ୍ତ ପହଞ୍ଚାଇବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ସନ୍ଦେହ କରୁଛି ଭିଜିଲାନ୍ସ।

ବିଜେଡିରୁ ବହିଷ୍କୃତ ହେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ସେ କୌଣସି ଜନବିରୋଧୀ କାର୍ଯ୍ୟ କରି ନାହାନ୍ତି। ଯଦି ଜନବିରୋଧୀ କାର୍ଯ୍ୟ କରିଛନ୍ତି, ବିଜେଡି ତା’ର ସ୍ପଷ୍ଟୀକରଣ ଦେଉ ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି। ବିଜେଡିରୁ ବହିଷ୍କୃତ ହେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ସଫେଇ ଦେଇ କହିଛନ୍ତି ଦଳ ତାଙ୍କୁ ଯେଉଁ କାମ ଦେଇଛି ସେ ତାହା ଠିକ୍ ଭାବେ ସଂପାଦିତ କରିଛନ୍ତି। ବ୍ୟକ୍ତିଗତ ଭାବେ ସେ କେତେ ସମ୍ପତ୍ତିର ମାଲିକ ତାହାର ଅନୁସନ୍ଧାନ କରାଯାଉ ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ। ସେ ସାମ୍ବାଦିକମାନଙ୍କ ସହ କଥା ହେବା ବେଳେ ଆହୁରି ମଧ୍ୟ କହିଛନ୍ତି ଯେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଆଇଏଫଏସ ଅଭୟକାନ୍ତ ପାଠକ ଜଣେ ଭଲ ଅଧିକାରୀ। ଏହାଛଡ଼ା ଗତ ୨୦ ବର୍ଷ ଭିତରେ ବିଜେଡି ପାଇଁ କି କି କାମ କରିଛନ୍ତି, ତାକୁ ବି ବଖାଣିଛନ୍ତି ପ୍ରଦୀପ ପାଣିଗ୍ରାହୀ। ଏଣେ ବିଧାନସଭାର ଶୂନ୍ୟକାଳରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସଙ୍ଗ ଉଠିଛି। ପ୍ରଦୀପ ପାଣିଗ୍ରାହୀ ଦୁର୍ନୀତିରେ ସଂପୃକ୍ତ। ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସହ ବିଧାୟକଙ୍କ ସଂପୃକ୍ତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ। ଏଥିସହ ଶାସକ ଦଳର ବହୁ ନେତା, ମନ୍ତ୍ରୀ ଜଡ଼ିତ ଅଛନ୍ତି। କିଛି ଅଣ ଓଡ଼ିଆ ଅଫିସର ରାଜ୍ୟକୁ ଲୁଟିଖାଉଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

Share Now:

Kalinga News Beuro

Next Post

କରୋନା ସମ୍ପର୍କରେ ରାଜ୍ୟ ସରକାରଙ୍କ ଡିସେମ୍ବର ଗାଇଡଲାଇନ୍‌

Mon Nov 30 , 2020
ଭୁବନେଶ୍ୱର: କରୋନା ଭାଇରସ୍‌ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଡିସେମ୍ବର ମାସ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି। ନୂଆ ଗାଇଡଲାଇନ୍‌ ନିୟମ ଅନୁସାରେ ସ୍ଥାନୀୟ ପ୍ରଶାସନ ଲକ୍‌ଡାଉନ ପାଇଁ ନିଷ୍ପତ୍ତି ନେଇପାରିବେ। କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଞ୍ଚଳରେ ଲକ୍‌ଡାଉନ୍‌ ଜାରି କରାଯାଇପାରିବ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶାନୁସାରେ ସ୍ଥାନୀୟ ପ୍ରଶାସନ (ଜିଲ୍ଲାପାଳ, ପୌରସଂସ୍ଥାର କମିସନ) ସତର୍କତାର ସହିତ ଲକ୍‌ଡାଉନ୍‌ ଜୋନ୍‌ ଘୋଷଣା କରିପାରିବେ। […]
covid-19-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial