ରେକର୍ଡ ଛୁଇଁଲା ପେଟ୍ରୋଲ, ଡିଜେଲ୍ ଦର

ରେକର୍ଡ ଛୁଇଁଲା ପେଟ୍ରୋଲ, ଡିଜେଲ୍ ଦର

ନୂଆଦିଲ୍ଲୀ/ଭୁବନେଶ୍ୱର : ଦେଶରେ କିଛିଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ୨୦୧୮ ସେପ୍ଟେମ୍ବର ଠାରୁ ଅର୍ଥାତ ଗତ ପ୍ରାୟ ୨ ବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଦେଶରେ ‌ସର୍ବୋଚ୍ଚ ସ୍ତର ଛୁଇଁଛି। ମୁମ୍ବାଇରେ ପେଟ୍ରୋଲ ଦର ୯୦ ଟଙ୍କା ଟପି ଯାଇଥିବା ବେଳେ ଡିଜେଲ ଦର ୮୦ ଟଙ୍କା ଟପିଯାଇଛି। ଭୁବନେଶ୍ବରରେ ମଧ୍ୟ ଦୀର୍ଘ ଦିନ ପରେ ପେଟ୍ରୋଲ ଦର ୮୪ ଟଙ୍କା ଏବଂ ଡିଜେଲ ଦର ୮୦ ଟଙ୍କା ଟପିଯାଇଛି। ଶନିବାର ତୁଳନାରେ ରବିବାର ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୨୯ ପଇସା ବଢ଼ିଥିବା ବେଳେ ଡିଜେଲ ଦର ୩୧ ପଇସା ବଢ଼ିଛି। ସେହିଭଳି ଦିଲ୍ଲୀରେ ପେଟ୍ରୋଲ ଦର ୨୮ ପଇସା ଏବଂ ଡିଜେଲ ଦର ୨୯ ପଇସା ବଢ଼ିଛି। ଏଥିଯୋଗୁ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୮୩ ଟଙ୍କା ୪୧ ପଇସା ଓ ୭୩ ଟଙ୍କା ୬୧ ପଇସା ଛୁଇଁଛି। ଦେଶର ପ୍ରମୁଖ ମହାନଗର ଗୁଡ଼ିକ ମଧ୍ୟରେ ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ଦର ସର୍ବାଧିକ ରହିଛି। ଚେନ୍ନାଇରେ ପେଟ୍ରୋଲ ଓ ଡିଜେଲ ଦର ଆଜି ଯଥାକ୍ରମେ ୮୪ ଟଙ୍କା ୩୧ ପଇସା ଏବଂ ୭୬ ଟଙ୍କା ୧୭ ପଇସା ଛୁଇଁଥିବା ବେଳେ କୋଲକାତାରେ ଯଥାକ୍ରମେ ୮୨ ଟଙ୍କା ୭୯ ପଇସା ଓ ୭୪ ଟଙ୍କା ୨୪ ପଇସା ଛୁଇଁଛି। ଗତ ନଭେମ୍ବର ୨୦ ତାରିଖରୁ ଆଜି ସୁଦ୍ଧା ସରକାରୀ ତୈଳ କମ୍ପାନି ଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ୧୪ ଥର ବୃଦ୍ଧି କଲେଣି।

ଏହି ସମୟ ମଧ୍ୟରେ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ପାଖାପାଖି ଅଢ଼େଇ ଟଙ୍କା (୨ ଟଙ୍କା ୪୪ ପଇସା) ଏବଂ ଡିଜେଲ ଦର ପାଖାପାଖି ସାଢ଼େ ତିନି ଟଙ୍କା (୩ ଟଙ୍କା ୪୯ ପଇସା) ବଢ଼ାଇଛନ୍ତି। ଡିସେମ୍ବର ମାସର ଦର ବିଚାରକୁ ନେଲେ ଦେ‌ଶରେ ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତଭାବେ ଗତ ୬ ଦିନରୁ ୫ ଦିନ ବଢ଼ିଛି। ଏହି ସମୟ ମଧ୍ୟରେ ପେଟ୍ରୋଲ ଦର ୧ ଟଙ୍କା ୯ ପଇସା ଏବଂ ଡିଜେଲ ଦର ୧ ଟଙ୍କା ୩୦ ପଇସା ମହଙ୍ଗା ହୋଇଛି। ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିର କାରଣ ସଂପର୍କରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲିଛନ୍ତି। ଦୁଇ ଦିନିଆ ମଧ୍ୟପ୍ରଦେଶ ଗସ୍ତରେ ଥିବା ଶ୍ରୀ ପ୍ରଧାନ ନିକଟରେ ଅନୁଷ୍ଠିତ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଓ ଅନ୍ୟ କିଛି ଦେଶର ଆଭ୍ୟନ୍ତରୀଣ ସଂଘର୍ଷ ଉପରେ ଦୋଷ ଲଦିଛନ୍ତି। ଏହି ଦୁଇ କାରଣରୁ ଭାରତ ସମେତ ଅନ୍ୟ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ୁଛି ବୋଲି ସେ କହିଛନ୍ତି। ଏଥିସହିତ ଖୁବ୍‌ ଶୀଘ୍ର ପେଟ୍ରୋଲ ଏବଂ ଡିଜେଲ ଦର କମିବ ବୋଲି ଆଶ୍ବାସନା ମଧ୍ୟ କେନ୍ଦ୍ରମନ୍ତ୍ରୀ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓପେକ୍‌ ପକ୍ଷରୁ ଦୈନିକ ୫ ଲକ୍ଷ ବ୍ୟାରେଲ ଅଶୋଧିତ ତେଲ ଉତ୍ପାଦନ ବୃଦ୍ଧି ସଂପର୍କରେ ନିଷ୍ପତ୍ତି ନିଆଯାଇଛି। ଏହାର ଲାଭ ଆଗାମୀ ଦିନରେ ମିଳିବ ଏବଂ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ସ୍ଥିରତା ଆସିବ ବୋଲି ସେ କହିଛନ୍ତି। ତେବେ କରୋନା ମହାମାରୀ ପାଇଁ ଟିକା ବାହାରିବା ଆଶା ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିର କାରଣ ବୋଲି ଆଇସିଆଇସିଆଇ ସିକ୍ୟୁରିଟିଜ୍‌ ପକ୍ଷରୁ କୁହାଯାଇଛି। ଚଳିତବର୍ଷ ଅକ୍ଟୋବର ଶେଷ ବେଳକୁ ଅଶୋଧିତ ତେଲ ଦର (ବ୍ରେଣ୍ଟ୍‌ କ୍ରୁଡ୍‌) ଯେଉଁ ସ୍ତରରେ ଥିଲା ଏବେ ସେଥିରେ ୩୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଲାଣି। ଅକ୍ଟୋବର ୩୦ରେ ବ୍ରେଣ୍ଟ୍‌ କ୍ରୁଡ୍‌ ଦର ବ୍ୟାରେଲ ପିଛା ୩୬.୯ ଡଲାର ଥିବାବେଳେ ଡିସେମ୍ବର ୪ ତାରିଖରେ ଏହା ୪୯.୫ ଡଲାରରେ ପହଞ୍ଚିଛି। କରୋନା ଟିକା ଆସିଲେ ଅର୍ଥନୀତିରେ ଚାହିଦାରେ ଉନ୍ନତି ଆସିବ ଆଶା ଦେଖାଦେଇଛି। ଏହି ଆଶା ହିଁ ଅଶୋଧିତ ତେଲ ଦର ବୃଦ୍ଧିର ପ୍ରମୁଖ କାରଣ ବୋଲି କୁହାଯାଉଛି।

Share Now:

Kalinga News Beuro

Next Post

ପ୍ରଥମାଷ୍ଟମୀ ପାଇଁ ମାର୍କେଟ୍‌ ବିଲ୍‌ଡିଂରେ ଅସମ୍ଭାଳ ଭିଡ଼: ପ୍ରଶାସନ ନିରବଦ୍ରଷ୍ଟା

Mon Dec 7 , 2020
ଭୁବନେଶ୍ୱର: କରୋନା ପାଇଁ ଜନଜୀବନ ବେହାଲ ହୋଇଥିବା ବେଳେ ଦ୍ବିତୀୟ ଲହରୀ ଆସିଲେ, ସ୍ଥିତି ଯେ କ’ଣ ହେବ, ତାହା ଭାବିଲେ ଡର ଲାଗୁଛି। ସଂକ୍ରମଣ କମିଛି ସତ କିନ୍ତୁ ପୂରାପୂରି ଯାଇନାହିଁ। ସେହିପରି ଟିକାର ଉଦ୍ଭାବନ ହୋଇଥିଲେ ହେଁ ଏଯାଏ ଲୋକଙ୍କ ପାଖେ ପହଞ୍ଚି ନାହିଁ। କିନ୍ତୁ ଏଭଳି ସ୍ଥିତିରେ ଲୋକେ ସବୁ କଟକଣାକୁ ଭୁଲି ଗଲେଣି। ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦେଉନାହାନ୍ତି। ବଜାର ଘାଟରେ ମାଳମାଳ ହୋଇ […]
ପ୍ରଥମାଷ୍ଟମୀ ପାଇଁ ମାର୍କେଟ୍‌ ବିଲ୍‌ଡିଂରେ ଅସମ୍ଭାଳ ଭିଡ଼

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial