ପରୀ ହତ୍ୟା ମାମଲା: କଲେଜ ଛାତ୍ରକୁ ବାନ୍ଧିଲା ଏସ୍‌ଆଇଟି

ପରୀ ହତ୍ୟା ମାମଲା

ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ,ପକ୍‌ସୋ କୋର୍ଟରେ ଆଜି ହାଜର ହେବ

ନୟାଗଡ଼: ନୟା‌ଗଡ଼ ଯଦୁପୁରର ବହୁଚର୍ଚ୍ଚିତ ନାବାଳିକା ଅମ୍ରିତାସ୍ନେହା ସାହୁ ଓରଫ୍‌ ପରୀ ହତ୍ୟା ମାମଲାରେ ଗତକାଲି ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି) ଜଣେ ନାବାଳକ କଲେଜ ଛାତ୍ରକୁ ଗିରଫ କରିଛି। ଯୁକ୍ତ ୩ରେ ପଢ଼ୁଥିବା ଉକ୍ତ ଛାତ୍ରର ଘର ଯଦୁପୁର ଗାଁରେ, ସେ ପରୀର ପଡ଼ୋଶୀ। ନାବାଳକ ହୋଇଥିବାରୁ କ୍ରାଇମବ୍ରାଞ୍ଚ ଜାରି କରିଥିବା ପ୍ରେସ୍‌ ବିବୃତିରେ ଅଭିଯୁକ୍ତର ନାମ ଉଲ୍ଲେଖ କରାଯାଇନାହିଁ। ତେବେ ଗତକାଲିଠାରୁ ଏସ୍ଆଇଟି ଯେଉଁ ଛାତ୍ରକୁ ଉଠାଇ ନେଇ ଅଟକ ରଖିଥିଲା, ତାକୁ ହିଁ ଗିରଫ କରିଥିବା ଜଣାପଡ଼ିଛି। ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା‌ ଏକାଧିକ ଥର ଉକ୍ତ ଛାତ୍ରର ଘରକୁ ଆସି ତାକୁ ଜେରା କରିଥିଲେ। ଗତକାଲି ମଧ୍ୟ ଛାତ୍ରର ମିଛଧରା ପରୀକ୍ଷା କରାଯାଇଥିଲା। ଛାତ୍ରର ମା’ ଓ ଭଉଣୀଙ୍କୁ ସକାଳେ ଉଠାଇ ନେଇ ଏସ୍‌ଆଇଟି ରାତିରେ ଛାଡ଼ିଥି‌ଲା। ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ, କିଛି ଠୋସ୍‌ ପ୍ରମାଣ ପାଇଲା ପରେ କ୍ରାଇମବ୍ରାଞ୍ଚ ସମ୍ପୃକ୍ତ ଛାତ୍ରକୁ ଗିରଫ କରିଛି। ଆଜି (ସୋମବାର) ଅଭିଯୁକ୍ତକୁ ନୟାଗଡ଼ ପକ୍‌ସୋ କୋର୍ଟରେ ହାଜର କରାଯିବ। ଅପହରଣ, ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଆଇପିସିର ଧାରା ୩୭୬ ଏ, ୩୭୬ ଏବି, ୩୬୪, ୩୦୨, ୨୦୧ ଓ ପକ୍‌ସୋ ଆଇନର ଧାରା ୬ରେ ମାମଲା ରୁଜୁ ହୋଇଛି। ଗତ ୨ ତାରିଖରେ ଏସ୍‌ଆଇଟି ଏହି ଛାତ୍ରର ରକ୍ତ, ଲାଳ ଆଦି ପରୀକ୍ଷା କରିଥିବା ବେ‌ଳେ ମୋବାଇଲ ମଧ୍ୟ ଜବତ କରିଥିଲା। ପରେ ତା’ର ପ୍ୟା‌ଣ୍ଟ୍‌ସାର୍ଟ, ବିଛଣାପତ୍ର ଆଦି ଜବତ କରିଥିଲା। ଏସବୁକୁ ଭିତ୍ତିକରି ଏସ୍‌ଆଇଟି ଅଭିଯୁକ୍ତ ନିକଟରେ ପହଞ୍ଚିଥିବା ଜଣାପଡ଼ିଥିଲା। ପୂର୍ବରୁ ମଧ୍ୟ ଏହି ଛାତ୍ରର ସମ୍ପୃକ୍ତି ନେଇ ମଧ୍ୟ ସନ୍ଦେହ କରାଯାଉଥିଲା। ଅନ୍ୟପକ୍ଷରେ ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଏକା ନା ଆଉ କିଏ ସଂପୃକ୍ତ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜଣେ ହତ୍ୟା‌କାଣ୍ଡ ଘଟାଇ ଶବକୁ ଏକ ସପ୍ତାହରୁ ଅଧିକ ଦିନ ଲୁଚାଇ ରଖିବା ଏବଂ ଏହାପରେ ଆଣି ଫିଙ୍ଗିବା କେମିତି ସମ୍ଭବ ବୋଲି ଆଲୋଚନା ହେଉଛି। ଏଥିସହିତ ସାଧାରଣରେ ବି ଏକାଧିକ ପ୍ରଶ୍ନ ଉଠିଛି। ଯେମିତିକି ପରୀ ଶରୀରର ମାତ୍ର କେତେ ଖଣ୍ଡ ହାଡ଼ ଜବତ ହୋଇଥିବା ବେଳେ ହତ୍ୟାକାରୀ ବାକି ଅଂଶକୁ କେଉଁଠି ଫିଙ୍ଗିଛି? ପରୀର ଶବକୁ ନଷ୍ଟ କରିଦେବା ପାଇଁ ବ୍ୟବହାର ହୋଇଥିବା କେମିକାଲ୍‌କୁ ଅଭିଯୁକ୍ତ କେଉଁଠୁ ଆଣିଲା? ଏଥି‌ରେ ତାକୁ କେଉଁମାନେ ସହଯୋଗ କରିଥିଲେ? କିଭଳି ସ୍ଥିତି‌ରେ ସେ ଦୁଷ୍କର୍ମ କଲା? ଆସନ୍ତାକାଲି ଏସ୍‌ଆଇଟି ଏନେଇ ସ୍ପଷ୍ଟ କରିବ ବୋଲି ଆଶା କରାଯାଉଛି।
ଉଲ୍ଲେଖ‌ଯୋଗ୍ୟ, ନୟାଗଡ଼ ସଦର ଥାନା ଅଧୀନ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମର ଅଶୋକ ସାହୁ ଓ ସୌଦାମିନୀ ସାହୁଙ୍କ ଝିଅ ପରୀ, ଗତ ଜୁଲାଇ ୧୪ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲା। ପରୀର ପରିବାର ଏହାର ପରଦିନ ସଦରଥାନା ପୁଲିସର ଦ୍ବାରସ୍ଥ ହୋଇ ଏକ ଏତଲା ଦେଇଥିଲେ। ଏଭଳି ସ୍ଥିତିରେ ସେହିମାସ ୨୩ ତାରିଖରେ ପରୀର ଶବ ଗିରଫ ଛାତ୍ରର ବାଡ଼ି ପାଖରେ ଥିବା ପୋଖରୀ କୂଳରୁ ଉଦ୍ଧାର ହୋଇଥିଲା। ଏହାପରେ ପୁଲିସ ନିଖୋଜକୁ ହତ୍ୟା ମାମଲାରେ ପରିଣତ କରିଥିଲା। ହେଲେ ଅଭିଯୁକ୍ତକୁ ଧରିବାରେ ଫେଲ୍‌ ମାରିଥିଲା। ଏପରିକି ପୁଲିସ ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରୁଥିଲା ଏବଂ ପରୀର ବାପା, ମା’, ବଡ଼ବାପା, ବଡ଼ ମା’ଙ୍କୁ ମାନସିକ , ଶାରୀରିକ ନିର୍ଯାତନା ଦେଉଥିବାର ଅଭିଯୋଗ ଆସିଥିଲା। ପୁଲିସର ମତିଗତି ଦେଖି ପରୀର ବାପା, ମା ନ୍ୟାୟ ପାଇବାର ଆଶା ହରାଇଥିଲେ ଏବଂ ନଭେମ୍ବର ୨୪ ତାରିଖରେ ବିଧାନସଭା ସମୁଖକୁ ଯାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହା ସରକାର ଓ ବିରୋଧୀ ଦଳର ନଜରକୁ ଆସିବା ପରେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଥିଲା। ସରକାର ପ୍ରଥମେ କ୍ରାଇମବ୍ରାଞ୍ଚ ଓ ପରେ ପରେ ଏସ୍‌ଆଇଟି ଗଠନ କରି ମାମଲାର ତଦନ୍ତ କରିବାକୁ ବାଧ୍ୟ ହୋଇଥିଲେ। ଏସ୍‌ଆଇଟି ମୁଖ୍ୟ ବରିଷ୍ଠ ଆଇପିଏସ୍‌ ଅରୁଣ ବୋଥ୍ରା ଗତ ୧ ତାରିଖରୁ ପରୀ ମାମଲାର ତଦନ୍ତ ଆରମ୍ଭ କରିଥିଲେ। ପରୀ ଗାଁରେ ପହଞ୍ଚି ବିଭିନ୍ନ ଘଟଣାର ଅନୁଧ୍ୟାନ କରିଥିଲେ। ତେବେ ଏସ୍‌ଆଇଟିକୁ ପ୍ରଥମ ସଫଳତା ମିଳିଛି। ଆଗକୁ ଏହି ମାମଲାରେ କିଏ କିଏ ସଂପୃକ୍ତ ଏବଂ ଆଉ କାହାକୁ ଗିରଫ କରାଯାଉଛି, ତାକୁ ଅପେକ୍ଷା କରାଯାଇଛି।

Share Now:

Kalinga News Beuro

Next Post

ରାଜଧାନୀରେ ବେଆଇନ ପାର୍କିଂ: ପୁଲିସ୍‌ ଉଠାଇ ନେଲା ୪୬ ଗାଡ଼ି

Mon Dec 21 , 2020
ଭୁବନେଶ୍ବର: ବେଆଇନ ପାର୍କିଂସ୍ଥଳରେ ଜୋର୍‌ଦାର୍ ଚଢ଼ଉ ଜାରି ରହିଛି। ଦୁଇଦିନ ଧରି କମିସନରେଟ୍‌ ଟ୍ରଫିକ୍‌ ପକ୍ଷରୁ ଜାରି ରହିଥିବା ଚଢ଼ଉରେ ଗତକାଲି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ୪୬ ଗାଡ଼ିକୁ ପୁଣି ଟ୍ରାଫିକ୍‌ ପୁଲିସ ଉଠାଇ ନେଇଛି। ପବ୍ଲିକ୍‌ ଆଡ୍ରେସ୍‌ ସିଷ୍ଟମ ଜରିଆରେ ମଧ୍ୟ ସଚେତନ କରାଯାଇଛି। ଏଣୁ ଲୋକମାନେ ସଚେତନ ହୋଇ ବାହାରେ ରଖିଥିବା ଗାଡ଼ିଗୁଡ଼ିକୁ ଉଠାଇ ନେଉଛନ୍ତି। ଆଜି ବମିଖାଲ, ରସୁଲଗଡ଼, ଲକ୍ଷ୍ମୀସାଗର, କଳ୍ପନା ପ୍ରଭୃତି ଅଞ୍ଚଳରୁ ଲୋକମାନେ […]
ବେଆଇନ ପାର୍କିଂ ଚଢ଼ଉ ଜାରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial