ଅଚଳ ନୀଳାଚଳ: ପୋତାହେଲା ୧୫ ହଜାର ଲୋକଙ୍କ ଅବଢ଼ା

ପୁରୀ: ସେବାୟତ-ପ୍ରଶାସନ ବିବାଦକୁ ନେଇ ଦ୍ଵିତୀୟ ଦିନରେ ବି ଶ୍ରୀମନ୍ଦିରରେ ଅଚଳାବସ୍ଥା ଜାରି ରହିଛି। ଏଭଳି ପରିସ୍ଥିତିରେ ଆଜି ବି ମହାପ୍ରଭୁଙ୍କୁ ଅବଢ଼ା ଲାଗି ହୋଇପାରିନି। ଦ୍ଵିତୀୟ ଦିନରେ ବି ଭକ୍ତମାନେ ବରାଦି ଅବଢ଼ାରୁ ବଞ୍ଚିତ ହୋଇଛନ୍ତି। ବିବାଦ ଯୋଗୁଁ ଆଜି ରୋଷଘରେ ଚୁଲି ଜଳିନି। ଫଳରେ ଦଶାହ, ଶ୍ରାଦ୍ଧ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବରାଦ ଦେଇଥିବା ଭକ୍ତମାନେ ଆଜି ବି ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଛନ୍ତି। ସେପଟେ ଗତକାଲି ଭକ୍ତଙ୍କ ପାଇଁ ରୋଷେଇ ହୋଇଥିବା ବରାଦି ଅବଢ଼ା ରୋଷଘରୁ ବାହାରି ନପାରିବାରୁ ନଷ୍ଟ ପରେ ଆଜି ଏହାକୁ କୋଇଲି ବୈକୁଣ୍ଠରେ ପୋତି ଦିଆଯାଇଛି। ଭକ୍ତଙ୍କ ଭାବାବେଗକୁ ଏହା ଶକ୍ତ ଆଘାତ ଦେଇଛି। ଭକ୍ତମାନେ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଯେଉଁମାନେ ଏଭଳି ବିଭ୍ରାଟରେ ସଂପୃକ୍ତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆଜି ରୋଷଘରେ ଚୁଲି ଚଳିନି କି ଅବଢ଼ା ପ୍ରସ୍ତୁତ ହୋଇନି। ଯେଉଁଭକ୍ତମାନେ ଶ୍ରୀମନ୍ଦିରକୁ ଆସିଥିଲେ ସେମାନେ ଅବଢ଼ାରୁ ବଞ୍ଚିତ ହେବା ସହ ବରାଦି ଅବଢ଼ା ବି ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ, ପ୍ରତିଦିନ ରୋଷଘରେ ୧୫ହଜାରରୁ ଅଧିକ ଲୋକଙ୍କ ପାଇଁ ଅବଢ଼ା ପ୍ରସ୍ତୁତ ହୋଇଥାଏ। ଗତକାଲି ବି ୧୫ହଜାର ଲୋକଙ୍କ ପାଇଁ ଅବଢ଼ା ପ୍ରସ୍ତୁତ ହୋଇଥିଲା। ଯେଉଁଥିରେ ୭ହଜାର ଲୋକଙ୍କ ବରାଦି ଅବଢ଼ା ରହିଥିଲା। ଏ ମଧ୍ୟରେ କାହାର ଦଶାହ ତ କାହାର ଶ୍ରାଦ୍ଧ କାର୍ଯ୍ୟ ଥିଲା। ପୁଣି ଆଉ କାହାର ଅନ୍ୟ କିଛି ପୁଣ୍ୟକାମ ଥିଲା। କିନ୍ତୁ ଅବଢ଼ା ନପାଇବାରୁ ଭକ୍ତମାନେ ନିରାଶ ହୋଇଛନ୍ତି।

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ୧୯ରେ ହାଇକୋର୍ଟଙ୍କୁ ପୁନର୍ବିିଚାର ନିବେଦନ
ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମହାପ୍ରଭୁଙ୍କ ନୀତି ବିଭ୍ରାଟକୁ ନେଇ ଆଲୋଚନା ହୋଇଥିଲା। ଆସନ୍ତା ୧୯ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ ହେବାର ଥିବାବେଳେ ଏଥିରେ ଗର୍ଭଗୃହକୁ ନେଇ ମାନ୍ୟବର ହାଇକୋର୍ଟ ଦେଇଥିବା ରାୟର ପୁନର୍ବିିଚାର କରିବା ସହ ସାମାନ୍ୟ ପରିବର୍ତନ ଆଣିବାକୁ ନିବେଦନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ପ୍ରଦୀପ କୁମାର ଜେନା ଓ ଜିଲ୍ଲାପାଳ ଅରବନ୍ଦ ଅଗ୍ରୱାଲ୍‌ କହିଛନ୍ତି। ତେବେ ଗତକାଲିର ବିଭ୍ରାଟ ପାଇଁ କେଉଁମାନେ ଦାୟୀ ସେ ନେଇ କୌଣସି ଆଲୋଚନା କରାଯିବ ନାହିଁ। ପରବର୍ତୀ ସମୟରେ ଏ ସଂପର୍କରେ ଆଲୋଚନା ପରେ ଯାହା କିଛି ନିଷ୍ପତ୍ତି ହେବ ବୋଲି ଶ୍ରୀ ଜେନା କହିଛନ୍ତି। ଦୁଇଦିନ ଧରି ଶ୍ରୀମନ୍ଦିରେ ନୀତି ବିଭ୍ରାଟ ପରେ ଆଜି ଅନୁଷ୍ଠିତ ହେଉଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଆଲୋଚନା ହେଉଥିଲା। କିନ୍ତୁ ବୈଠକ କେବଳ ଶ୍ରୀମନ୍ଦିର ବିଶୃଙ୍ଖଳା ଆଲୋଚନା ଓ ସତ୍ୟପାଠ ଦାଖଲରେ ଶେଷ ହୋଇଛି। ଆସନ୍ତାକାଲି ଚନ୍ଦନଯାତ୍ରା ଓ ରଥକାଠ ଅନୁକୁଳ ବିଧି ଥିବାବେଳେ ଏହା ଉପରେ ଅଳ୍ପ ସମୟ ଆଲୋଚନା କରି ବୈଠକକୁ ଶେଷ କରି ଦିଆଯାଇଛି। ଆସନ୍ତାକାଲି ଏହି ବିଧି କିପରି ଶାନ୍ତିଶୃଙ୍ଖଳା ସହ ଶେଷ ହେବ ସେ ଦିଗରେ ଦୃଷ୍ଟି ଦେବାକୁ ବିମାନବଡ଼ୁ ସେବକମାନଙ୍କୁ ଅନୁରୋଧ କରାଯାଇଛି। ତେବେ ବୈଠକ ଚାଲିଥିବାବେଳେ ଦାମୋଦର ମହାସୁଆର ଏବଂ ଜିଳ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲଙ୍କ ମଧ୍ୟରେ କଥା କଟାକଟି ଚରମ ସୀମାରେ ପହଞ୍ଚିଥିଲା।

ଅମୁଣିଆକୁ ପୋତିଲେ ଦେଢ଼ଶହ ମୂଲିଆ ଲାଗିଲା ୧୧ ଘଣ୍ଟା
ଗତକାଲି ନଷ୍ଟ ହୋଇଥିବା ଅମୁଣିଆକୁ ଆଜି କୋଇଲି ବୈକୁଣ୍ଠରେ ପୋତି ଦିଆଯାଇଛି। ୧୫୦ ଜଣ ମୂଲିଆଙ୍କୁୁ ଏଥିପାଇଁ ନିୟୋଜିତ କରାଯାଇଛି। ଯେଉଁଥିରେ ମହିଳା ଓ ପୁରୁଷ ମୁଲିଆ ରହିଥିଲେ। ଦିନରେ ୧୦୦ ମୂଲିଆ ଓ ରାତିରେ ଆଉ ୫୦ ମୂଲିଆ ଏଥିରେ ନିୟୋଜିତ ହୋଇଥିଲେ। ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଏହି ଅମୁଣିଆ ପୋତା କାର୍ଯ୍ୟକ୍ରମ ବିଳମ୍ବିତ ରାତି ପର୍ଯ୍ୟନ୍ତ ୧୧ ଘଣ୍ଟାରୁ ଅଧିକ ଜାରି ରହିଥିଲା।

ବଢ଼ିଲା ଅସନ୍ତୋଷ: ସିଂହଦ୍ଵାରରେ ପୋଷ୍ଟର ମାରିଲେ ଭକ୍ତ
ଶ୍ରୀମନ୍ଦିରରୁ ଅବଢ଼ା ନ ପାଇ ଫେରିବା ପରେ ଭକ୍ତମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସିଂହଦ୍ଵାରରେ ପୋଷ୍ଟର ମାରି ପ୍ରତିବାଦ ଜଣାଇଛନ୍ତି। ମହାପ୍ରସାଦ କେବେ ବାହାରିବ ତାର ଜବାବ୍‌ ଶ୍ରୀମନ୍ଦିର ପ୍ରଶାସନକୁ ମାଗିଛନ୍ତି। ଆଜି ଅପରାହ୍‌ଣରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ କିଛି ଭକ୍ତ ଓ ସ୍ଥାନୀୟ ଲୋକେ ପ୍ରତିବାଦ ସ୍ୱରୂପ ସିଂହଦ୍ଵାରରେ ନିଜ ହାତଲେଖା ଏକ ପୋଷ୍ଟର ମାରିଛନ୍ତି। ଶ୍ରୀମନ୍ଦିରରୁ ମହପ୍ରସାଦ ନପାଇ ନିରାଶ ହୋଇ ଫେରିବା ପରେ ସେମାନେ ଏଭଳି କରିଛନ୍ତି। ସେବାୟତ-ପ୍ରଶାସନର ଏହି ବିବାଦ ଭିତରେ ଭକ୍ତ ଓ ଭଗବାନଙ୍କୁ ଛନ୍ଦି ଦିଆ ନଯାଉ ବୋଲି ପୋଷ୍ଟର ମାରୁଥିବା ଆନନ୍ଦ ରଥ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ସିରିୟା ସଙ୍କଟ: ବିଦ୍ରୋହୀଙ୍କୁ ମୂଳପୋଛ ଅଭିଯାନ

Wed Apr 18 , 2018
ଆମେରିକାର ମୁକାବିଲା ପାଇଁ ପ୍ରସ୍ତୁତି ବିରୁଟ: ସିରିୟାର ପୂର୍ବାଞ୍ଚଳ ଘୌଟା ପ୍ରଦେଶରୁ ବିଦ୍ରୋହୀଙ୍କୁ ମୂଳପୋଛ କରିବାକୁ ରୁଷ୍‌ ସହାୟତାରେ ଏବେ ସିରିୟା ସେନା ବିଶାଳ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଯେ କୌଣସି ମୁହୂର୍ତ୍ତରେ ବିଦ୍ରୋହୀ ଅଧ୍ୟୁଷିତ ଅଂଚଳରେ ବୋମାବର୍ଷା ଆରମ୍ଭ ହେବ ଏବଂ ମିଳିତ ପଦାତିକ ସେନା ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବେ ବୋଲି ସିରିୟା ସରକାର ଘୋଷଣା କରିଛନ୍ତି। ଘୌଟା ପ୍ରଦେଶରେ ବିଦ୍ରୋହୀଙ୍କୁ ନିପାତ ପରେ ସିରିୟା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial