ଆଜି ୫ ଜମି ମାଲିକଙ୍କୁ ମୁଖ୍ୟମନ୍ତ୍ରୀ ଦେବେ ପଟ୍ଟା: ଆଗେଇବ ଟିପି ସ୍କିମ୍

ଜମି ମାଲିକଙ୍କୁ ମୁଖ୍ୟମନ୍ତ୍ରୀ ଦେବେ ପଟ୍ଟା

ଭୁବନେଶ୍ବର: ବିଡିଏର ବହୁ ପ୍ରତୀକ୍ଷିତ ଟାଉନ୍‌ ପ୍ଲାନିଂ ଯୋଜନା (ଟିପି ସ୍କିମ୍‌)ର ସବୁ ଅଡ଼ୁଆ ତୁଟିଛି। ଟିପି ସ୍କିମ୍‌-୧ (ପାଇକରାପୁର ପ୍ରକଳ୍ପ) ଚୂଡ଼ାନ୍ତ ରୂପ ପାଇବ। ସମସ୍ତ ହିତାଧିକାରୀଙ୍କୁ ଖୁବ୍‌ ଶୀଘ୍ର ପଟ୍ଟା ଆବଣ୍ଟନ ହେବାକୁ ଥିବାବେଳେ ସହଜପୁରର ୩୫୮ଜଣ ଜମି ମାଲିକଙ୍କୁ ଏବେ ପଟ୍ଟା ଆବଣ୍ଟନ ହେବ। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଜଣ ଜମି ମାଲିକଙ୍କୁ ଜମି ପଟ୍ଟା ବାଣ୍ଟିବେ। ନବୀନ ନିବାସରୁ ଭର୍ଚୁଆଲ୍‌ ମୋଡରେ ଜମି ପଟ୍ଟା ଦେବେ। ବିଡିଏ ସମ୍ମିଳନୀ କକ୍ଷରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଜମି ମାଲିକମାନଙ୍କୁ ଏହି ପଟ୍ଟା ଦେବେ। ଏହାପରେ ବାକି ହିତାଧିକାରୀ ପାଇପାରିବେ ବୋଲି କୁହାଯାଇଛି। ଟିପି ସ୍କିମ୍‌ ହିତାଧିକାରୀଙ୍କୁ କିପରି ଜମି ପଟ୍ଟା ଆବଣ୍ଟନ ହେବ ସେନେଇ ପ୍ରାୟ ତିନି ବର୍ଷ କାଳ ଟଣାଓଟରା ଚାଲିବା ପରେ ଏବେ ବିଡିଏ ନକ୍ସା ଅନୁଯାୟୀ ପଟ୍ଟା ଆବଣ୍ଟନ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରାୟ ୬ମାସ ତଳୁ ବିଡିଏ ଡ୍ରାଫ୍ଟ ପଟା ପ୍ରସ୍ତୁତ କରି ଭୂଲେଖ ୱେବସାଇଟ୍‌ରେ ଛାଡ଼ିଥିଲା। ଏହାପରେ ଏଥିରେ ଥିବା ବିଭିନ୍ନ ତ୍ରୁଟିକୁ ସଂଶୋଧନ କରିବା ପରେ ଏବେ ଚୂଡ଼ାନ୍ତ ପଟ୍ଟା ପ୍ରସ୍ତୁତ ହୋଇଛି। ସହଜପୁରରେ ଥିବା ୧୦୪.୧୭ ଏକରର ୩୫୮ଜଣ ହିତାଧିକାରୀ ଏବେ ପଟ୍ଟା ପାଇପାରିବେ। ଏବେ ଏଠାରେ ରାସ୍ତା ଚିହ୍ନଟ, ଘରୋଇ ପ୍ଲଟ ପୃଥକୀକରଣ, ଖୋଲା ସ୍ଥାନ ସଂରକ୍ଷଣ ଆଦି ପ୍ରକ୍ରିୟା ଶେଷ ହୋଇଥିବାରୁ ପଟ୍ଟା ଆବଣ୍ଟନ ପରେ ରାସ୍ତା ନିର୍ମାଣ, ଜଳଯୋଗାଣ, ସ୍ବେରେଜ୍‌, ବର୍ଷାଜଳ ନିଷ୍କାସନ ଓ ଷ୍ଟ୍ରିଟଲାଇଟ୍‌ ଲଗାଯିବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି। ଟିପି ସ୍କିମ୍‌-୧ରେ ୭୪୬.୭୦ ଏକର ଜମି ଥିବା ବେଳେ ଏଥିରୁ ପାଇକରାପୁରର ୩୧୭.୯୩ ଏକର ଜମିରେ ପ୍ରଥମ ପର୍ଯ୍ୟାୟରେ ଉନ୍ନତୀକରଣ ହୋଇଛି। କିନ୍ତୁ ପାଇଲଟ୍‌ ପ୍ରକଳ୍ପ ଭାବେ ଏଥିରୁ ୧୪୫ ଏକର ଜମିର ଉନ୍ନତୀକରଣ କରାଯାଇଛି। ଗତ ବର୍ଷରୁ ଜମି ଓ ରାସ୍ତା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ପ୍ରାୟ ୬୦୦ରୁ ଅଧିକ ହିତାଧିକାରୀଙ୍କ ପାଇଁ ଜମି ଚିହ୍ନଟ କରାଯାଇଛି। କିନ୍ତୁ ଏବେ ୩୫୮ଜଣଙ୍କୁ ପଟ୍ଟା ଦିଆଯିବ। ପାଇକରାପୁର ଟିପି ସ୍କିମ୍‌ କାର୍ଯ୍ୟକାରୀ ହେବା ପରେ ଟିପି ସ୍କିମ୍‌-୧ରେ ବାକି ଥିବା ନାରଗୋଦାରେ ୧୪୮.୪୨ଏକର, ସିଜିପୁଟରେ ୧୭୬.୨୦ଏକର, ସହଜପୁରରେ ୧୦୪.୧୭ଏକର ଅଞ୍ଚଳର ଉନ୍ନତୀକରଣ ହେବ। ଏଠାରେ ହିତାଧିକାରୀଙ୍କୁ ପର୍ଯ୍ୟାୟକ୍ରମେ ଜମି ଆବଣ୍ଟନ ଓ ରାସ୍ତା ଚିହ୍ନଟ କରି ପଟ୍ଟା ଦିଆଯିବ। ଟିପି ସ୍କିମ୍‌-୧ର ସମସ୍ୟା ତୁଟିଲେ ବାକି ଟିପି ସ୍କିମ୍‌ କାର୍ଯ୍ୟ ତୁରନ୍ତ ହୋଇଯିବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି। ତମାଣ୍ତୋ ଓ ବିଜିପୁର ମୌଜାର ୧୯୯ଏକର ଜମିକୁ ନେଇ ଟିପି ସ୍କିମ୍‌-୨ ହେଉଥିବା ବେଳେ ଏଠାରେ ୬୦୪ଜଣ ଜମି ମାଲିକ ଅଛନ୍ତି। ସେହିପରି ଟିପି-୩ ପାଇକରାପୁର ଓ ନୂଆ ଗାଁ ମୌଜାର ୨୮୦ଏକର ଜମିକୁ ନେଇ ହେଉଥିବା ବେଳେ ଏଠାରେ ୧୦୬୦ଜଣ ଜମି ମାଲିକ ଅଛନ୍ତି। ଆଉ ଟିପି-୪ ଶ୍ୟାମସୁନ୍ଦରପୁର ମୌଜାର ୩୭୧ଏକର ଜମିକୁ ନେଇ ହେଉଥିବା ବେଳେ ଏଠାରେ ୬୯୭ ଜଣ ଜମି ମାଲିକଙ୍କୁ ଚିହ୍ନଟ କରାଯାଇଛି। ଟିପି ସ୍କିମ୍‌ ୧ ଚୂଡ଼ାନ୍ତ ରୂପ ପାଇବା ପରେ ଟିପି ସ୍କିମ୍‌୨, ୩ ଓ ୪ ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ବିଡିଏର ବିସ୍ତୃତ ବିକାଶ ଯୋଜନା ଅନୁଯାୟୀ, ବିଡିପିଏ ଅଞ୍ଚଳରେ ୬୪.୯୦ କିମିର ରିଙ୍ଗରୋଡ ନିର୍ମାଣ କରାଯିବ। ଏଥିପାଇଁ ୫୮ଟି ରାଜସ୍ବ ଗ୍ରାମରେ ୪୫ଟି ଟାଉନ୍ ପ୍ଲାନିଂ ସ୍କିମ୍ ପ୍ରସ୍ତାବ ରହିଛି।
କ’ଣ ଥିଲା ବିବାଦ
ଟିପି ସ୍କିମ୍ କାର୍ଯ୍ୟକାରୀ ହେବା ପରେ ମୂଳ ଜମିର ନକ୍ସା ପୂରା ବଦଳି ଯାଇଛି। ଯେଉଁଠାରେ ମୂଳ ମାଲିକଙ୍କର ଜମି ଥିଲା ସେଠାରେ ଏବେ ତାଙ୍କୁ ଜମି ମିଳିବ ବୋଲି ମାନେ ନାହିଁ। ଏପରିକି ଯେଉଁ ଖାତାରେ ଜମି ପୂର୍ବରୁ ଥିଲା, ଏବେ ତାହା ବଦଳି ଯାଇଛି। ତେଣୁ ପଟ୍ଟା ଦେବାରେ ସମସ୍ୟା ଉପୁଜିଥିଲା। ଏହି ଜମି ବିଡିଏ ନାଁରେ ନଥିବାରୁ ଏଠାରେ ବିଡିଏ ବି ଆଲଟମେଣ୍ଟ ଲେଟର ଦେଇପାରିଲାନି। ତେଣୁ ଦୁଇଟି ବିକଳ୍ପ ଥିଲା। ଜମିକୁ ପୁନଃବଣ୍ଟନ କରିବାକୁ ହେଲେ ପ୍ରଥମେ ବିଡିଏ ନାମରେ ସେଲ୍‌ ଡିଡ୍‌ କରା ହୋଇଥାନ୍ତା, ଏହାପରେ ପୁଣି ଆବଣ୍ଟନ ହୋଇଥିବା ଜମି ଅନୁଯାୟୀ ‌େଲାକଙ୍କ ସହ ପୁଣି ସେଲଡିଡ୍ କରା ହୋଇଥାନ୍ତା। ସେଲ୍‌ ଡିଡ୍‌ କଲେ ଜମି ମାଲିକଙ୍କୁ ସରକାରଙ୍କୁ ଷ୍ଟାମ୍ପ୍‌ ଡ୍ୟୁଟି ଦେବାକୁ ପଡ଼ିଥାନ୍ତା। ହେଲେ ଟିପି ସ୍କିମ୍‌ରେ ବିଡିଏ ପ୍ରତିଶ୍ରୁତି ଦେଇଛି ଯେ ଜମି ମାଲିକଙ୍କର ଟଙ୍କା ଖର୍ଚ୍ଚ ହେବନି। କେବଳ ଯାହା ଜମିରୁ ୪୦% ଅ˚ଶ ରାସ୍ତା ଏବ˚ ଅନ୍ୟାନ୍ୟ ଅଞ୍ଚଳ ଉନ୍ନତୀକରଣ ପାଇଁ ଯିବ। ଅପରପକ୍ଷେ ସେଟେଲମେଣ୍ଟ ଅନ୍ୟ ଏକ ଉପାୟ ହୋଇଥିଲେ ହେଁ ଏହା ସହଜ ହେଲାନି। ସେଟେଲମେଣ୍ଟ ଗୋଟିଏ ରାଜସ୍ବ ଗ୍ରାମରେ କରିବାର ନିୟମ ଅଛି। ହେଲେ ଟିପି ସ୍କିମ୍‌-୧ରେ ୪ଟି ରାଜସ୍ବ ଗ୍ରାମକୁ ସାମିଲ୍‌ କରି ଜମି ଆବଣ୍ଟନ ହୋଇଛି। ଏପରିକି କେତେକ ହିତାଧିକାରୀଙ୍କୁ ଯେଉଁ ଜମି ଆବଣ୍ଟନ କରିବାକୁ ଚିହ୍ନଟ ହୋଇଛି, ସେଥିରୁ କିଛି ଅ˚ଶ ଗୋଟିଏ ରାଜସ୍ବ ଗ୍ରାମରେ ଥିବା ବେଳେ ଆଉ କିଛି ଅନ୍ୟ ଏକ ରାଜସ୍ବ ଗ୍ରାମରେ ରହିଛି। ଏହାଦ୍ବାରା ସେଟେଲମେଣ୍ଟ କରିବା ସମ୍ଭବ ହେଲାନି। ତେଣୁ ଅହମ୍ମଦାବାଦ ଟିପି ସ୍କିମ୍‌ ଭଳି ଜମି ମାଲିକାନା ଦେବାକୁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଏକ ସ୍ବତନ୍ତ୍ର ଟିମ୍ ଅହମ୍ମଦାବାଦ ଯାଇ ସେଠାକାର ଟିପି ସ୍କିମ୍ ବାବଦରେ ବୁଝିବା ସହ ବିଶେଷଜ୍ଞଙ୍କ ମତ ଆଣିଥିଲା। କିନ୍ତୁ ଓଡ଼ିଶାରେ ଟିପି ସ୍କିମ୍ ପ୍ରଥମ କରି ହେଉଥିବାରୁ ରାଜସ୍ବ ନିୟମରେ ପରିବର୍ତ୍ତନ କରିବାର ଆବଶ୍ୟକ ଥିଲା। ରାଜସ୍ବ ବିଭାଗ ପ୍ରଥମେ ପୂର୍ବ ନିୟମରେ ସଂଶୋଧନ କରିବନି ବୋଲି କହିବାରୁ ଜମି ଆବଣ୍ଟନ ବିଳମ୍ବ ହେଲା। କିନ୍ତୁ ପରେ ରାଜସ୍ବ ବିଭାଗ ନିୟମ ସଂଶୋଧନ କରିବା ସହ ଟିପି ସ୍କିମ୍ ଅନୁଯାୟୀ ଜମି ପଟ୍ଟା ଦେବାକୁ ରାଜି ହୋଇଥିଲା। ଏହାପରେ ବିଡିଏର ନକ୍ସା ଅନୁଯାୟୀ ପଟ୍ଟା ପ୍ରସ୍ତୁତ ହୋଇଥିଲା। ଯାହା ଏବେ ବଣ୍ଟା ହେବ।

Share Now:

Kalinga News Beuro

Next Post

୩୧ରେ ଅବସର ନେବେ ଅସିତ ତ୍ରିପାଠୀ : ପ୍ରଶାସନିକ ମହଲ ଚଳଚଞ୍ଚଳ

Thu Dec 24 , 2020
ଭୁବନେଶ୍ବର: ଆସନ୍ତା ୩୧ ତାରିଖ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଅବସର ଗ୍ରହଣ କରିବେ। ଗତକାଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଶ୍ରୀ ତ୍ରିପାଠୀଙ୍କୁ ଅବସର ନେବା ଲାଗି ଅନୁମତି ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିସହିତ ପରବର୍ତୀ ମୁଖ୍ୟଶାସନ ସଚିବ କିଏ ହେବେ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ସମସ୍ତଙ୍କ ନଜର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରହିଛି। […]
ଅବସର ନେବେ ଅସିତ ତ୍ରିପାଠୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial