ବନୀକରଣ ମହାଦୁର୍ନୀତି: ଓମବାଡସି, ଡିଏମ୍‌ଏଫ୍‌ ଅନୁଦାନରେ ବି ହରିଲୁଟ୍‌

ବନୀକରଣ ମହାଦୁର୍ନୀତି

ଆଠଗଡ଼, ଖୋର୍ଦ୍ଧା, ‌ରାଜକନିକା, ଭୁବନେଶ୍ବରର ଶ୍ରମିକଙ୍କ ନାମରେ ମିଥ୍ୟା ବିଲ

ଯାଜପୁର: ବରିଷ୍ଠ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ କଳା କାରବାର ଲୋକଲୋଚନକୁ ଆସିବା ପରେ ବନୀକରଣ ମହାଦୁର୍ନୀତିର ଗୁମର ଖୋଲୁଛି। କଟକ ଡିଏଫ୍‌ଓଙ୍କ ଅଧୀନରେ ଯାଜପୁର ଜିଲ୍ଲାର ଥିବା ୪ଟି ରେଞ୍ଜ ଡ‌ାଲିଯୋଡ଼ା(ବୈରୀ), ସୁକିନ୍ଦା, ଟମକା ଓ ଯାଜପୁରରୋଡ୍‌ରେ ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ଅନୁଦାନ ହେରାଫେରି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଡାଲିଯୋଡ଼ା ରେଞ୍ଜ‌ରେ କାମ୍ପା ଅନୁଦାନର ବ୍ୟାପକ ହେରାଫେରି ଘଟଣା ଗଣାମାଧ୍ୟମରେ ପ୍ରକାଶ ପାଇବା ପରେ ଅଧିକାରୀମାନେ ରାତିଦିନ ଏକ କରି ଗଛ ଲଗାଉଛନ୍ତି। ଏବେ ସୁକିନ୍ଦା, ଟମକା ଓ ଯାଜପୁରରୋଡ୍‌ ରେଞ୍ଜରେ କାମ୍ପା ସହିତ ଓମବାଡ଼ସି ଓ ଡିଏମଏଫର କୋଟିକୋଟି ଟଙ୍କା ଅନୁଦାନ ହରିଲୁଟ୍ ସଂପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଜଣାପଡିଛି। ଗତ ୩ବର୍ଷ ମଧ୍ୟରେ ଓମବାଡସି ଓ ଡିଏମଏଫ ଅନୁଦାନ ଅର୍ଥରେ ହୋଇଥିବା ବନୀକରଣରେ ବ୍ୟାପକ ଜାଲିଆତି କରାଯାଇ ଅସାଧୁମେଣ୍ଟ କୋଟିକୋଟି ଟଙ୍କା ହାତେଇ ନେଇଛନ୍ତି। ଏହି କେଳେଙ୍କାରୀ‌ରେ କେନ୍ଦ୍ରାପଡ଼ାର ରାଜକନିକା, ଖୋର୍ଦ୍ଧା, କଟକର ଆଠଗଡ଼, ଭୁବନେଶ୍ବର ପ୍ରଭୃତି ଅଞ୍ଚଳର ଶ୍ରମିକଙ୍କ ନାମରେ ବ୍ୟାପକ ଜାଲିଆତି କରାଯାଇଛି। ଏପରିକି ଆଠଗଡ଼ର ଟ୍ୟାଙ୍କର ଜରିଆରେ ଟମକାରେ ଲାଗିଥିବା ଗଛରେ ପାଣି ଦିଆଯାଇଥିବାର ତଥ୍ୟ ବିଭିନ୍ନ ମହଲରେ ବିସ୍ମୟ ସୃଷ୍ଟି କରିଛି।
ସୂଚନା ଅଧିକାର ବଳରେ ମିଳିଥିବା ସରକାରୀ ତଥ୍ୟ ମୁତାବକ , ଓମବାଡ଼ସି ଅନୁଦାନରୁ ୨୦୧୭-୧୮ ଆର୍ଥିକ ବର୍ଷ ଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ ୫କୋଟି ୯୩ଲକ୍ଷ ୨ହଜାର ୯୪୦ଟଙ୍କା ବନୀକରଣରେ ବ୍ୟାପକ ଜାଲିଆତି କରାଯାଇଛି। ସେହିପରି ୨୦୧୮-୧୯ ରୁ ଚଳିତ ବର୍ଷ ସୁଦ୍ଧା ଡିଏମଏଫ୍ ଅନୁଦାନ ୧୩ କୋଟି ୩୭ଲକ୍ଷ ୬୩ହଜାର ୮୮ଟଙ୍କା ବ୍ୟୟ କରାଯାଇଛି। ବନୀକରଣ, ନର୍ସରି ବାବଦରେ କୋଟିକୋଟି ଟଙ୍କା ବ୍ୟୟ କରାଯାଇଥିବାର ଦର୍ଶାଯାଇଛି। ବାଡ଼ବନ୍ଦୀ, ଚାରା ଉତ୍ପାଦ, ଘାସ ସଫେଇ, ଜଳ ଯୋଗାଣ, ପଲିଥିନ୍ ବ୍ୟାଗ୍, ସାର, କୀଟନାଶକ, ମଞ୍ଜି, ବାଉଁଶ, ରଶି, ଅସ୍ଥାୟୀ ଗୃହ, ଶ୍ରମିକ ମଜୁରି, ଫିସିଂ ନେଟ୍, ତାରବାଡ଼ ବାବଦରେ ବ୍ୟାପକ ଅର୍ଥ ବ୍ୟୟ କରାଯାଇଥିବାର ଜାଲ୍‌ କାଗଜପତ୍ର କରାଯାଇଛି। ବିଶେଷକରି ଶ୍ରମିକ ମଜୁରି ବାବଦରେ ବଡ଼‌ ଘୋଟାଲା ଚର୍ଚ୍ଚାକୁ ଆସିଛି। ଏହି କାରବାରରେ ସ୍ଥାନୀୟ ଶ୍ରମିକମାନଙ୍କୁ କାମରେ ନଲଗାଇ ସୁଦୂର ଖୋର୍ଦ୍ଧା, କଟକର ଆଠଗଡ଼, କେନ୍ଦ୍ରାପଡ଼ାର ରାଜକନିକା, ଭୁବନେଶ୍ବର ଅଞ୍ଚଳର ଶ୍ରମିକମାନଙ୍କ ଜରିଆରେ କାମ କରାଯାଇଥିବାର ଦର୍ଶାଯାଇଛି। ଏପରିକି ଆଠଗଡ଼ର ଟ୍ୟାଙ୍କର ମାଲିକଙ୍କ ଗାଡ଼ି‌ରେ ଗଛ ମୂଳରେ ପାଣି ଦିଆଯାଇଥିବାର ବିଲ୍ କରାଯାଇଛି। ଯାହାର ସବିଶେଷ ତଥ୍ୟ ଭାଉଚରରେ ନାହିଁ। ସେପରି ବାଡ଼ବନ୍ଦୀ ପାଇଁ ସିମେଣ୍ଟ ଖୁଣ୍ଟ ବାବଦରେ ସମ୍ପୃକ୍ତ ଅଧିକାରୀ ମନଇଚ୍ଛା ଲକ୍ଷଲକ୍ଷ ଟଙ୍କା ବ୍ୟୟ କରିଛନ୍ତି। ଏହି ବାବଦରେ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ନାମରେ ଜାଲ ଭାଉଚର କରି ଅନୁଦାନ ହଡ଼ପ କରିଛନ୍ତି। ବିଭିନ୍ନ ସାମଗ୍ରୀ କିଣାବିକାରେ କୋଟିକୋଟି ଟଙ୍କା ଅନୁଦାନ ବ୍ୟୟ କରାଯାଇଥିବା ବେଳେ ଟେଣ୍ଡର କରାଯାଇ ନାହିଁ। ସିମେଣ୍ଟ ଖୁଣ୍ଟ ୨୭୦ ଟଙ୍କାରୁ ଆରମ୍ଭ କରି ୫୦୮ଟଙ୍କା ପର୍ଯ୍ୟନ୍ତ କିଣା ଯାଇଛି। ଯାହାର କିଣା ମୂଲ୍ୟରେ କୌଣସି ସାମଞ୍ଜସ୍ୟ ନାହିଁ। ସରକାରଙ୍କର କୋଟିକୋଟି ଟଙ୍କା ଅନୁଦାନ ବ୍ୟୟ କରାଯାଇଥିବା ବେଳେ କୌଣସି ନୀତିନିୟମକୁ ଅନୁସରଣ କରାଯାଇନାହିଁ। ଏପରିକି ଅଧିକାରୀ ନିଜ ଘର କଟକ ଆଠଗଡ଼ ଅଞ୍ଚଳର ଟ୍ରାକ୍ଟର ନାମରେ ବିଲ୍ କରିଛନ୍ତି। ବିନା ଟେଣ୍ଡରରେ କିପରି କୋଟିକୋଟି ଟଙ୍କାର କାମ ଓ କିଣାବିକା ହୋଇଛି? ସେ ନେଇ ବୁଦ୍ଧିଜୀବୀ ଅମଳେନ୍ଦୁ ବେହୁରା ବିସ୍ମୟ ପ୍ରକାଶ କରିବା ସହିତ ତଦନ୍ତ ଦାବି କରିଛନ୍ତି। ଯାଜପୁର ଜିଲ୍ଲାର ବହୁ କୋଟି ଟଙ୍କାର ବନୀକରଣ କେଳେଙ୍କାରୀ ଭିଜିଲାନ୍‌ସ ତଦନ୍ତ କଲେ ଅସାଧୁମେଣ୍ଟର ପର୍ଦ୍ଦାଫାସ ହୋଇପାରିବ ବୋଲି ବିଭିନ୍ନ ମହଲରେ ଦାବି ହେଉଛି।

Share Now:

Kalinga News Beuro

Next Post

ମାରାତ୍ମକ ହେଉଛି ନୂଆ କରୋନା: ୪ ମହାଦେଶକୁ ମାଡ଼ିଗଲାଣି

Mon Dec 28 , 2020
ସାମାନ୍ୟ ଅସାବଧାନତା ଭାରତକୁ ପୁଣି ବି‌ପଦକୁ ଠେଲିଦେବ! ନୂଆଦିଲ୍ଲୀ: ନୂଆବର୍ଷ ଆସି ଅତି ନିକଟରେ ପହଞ୍ଚିଲାଣି। ବିଶ୍ବବାସୀ ‘ଜିରୋ ଆୱାର’ ମନାଇବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି। କିନ୍ତୁ ବ୍ରିଟେନ୍‌ରେ ନିକଟରେ ଠାବ ହୋଇଥିବା କରୋନା ଭୂତାଣୁର ନୂଆ ରୂପ ବିଶ୍ବବାସୀଙ୍କ ନିଦ ହଜାଇ ଦେଲାଣି। ୟୁରୋପ ମହାଦେଶର ଏକାଧିକ ଦେଶପରେ ଏହି ଭୂତାଣୁ ବିଶ୍ବର ୪ଟି ମହାଦେଶକୁ ଇତିମଧ୍ୟରେ ବ୍ୟାପିଗଲାଣି। ବ୍ରିଟେନ୍‌ ପକ୍ଷରୁ ନୂଆ କରୋନା […]
ମାରାତ୍ମକ ହେଉଛି ନୂଆ କରୋନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial