ନୂଆବର୍ଷ ପୂର୍ବରୁ କଠୋର ହେଲେ ନବୀନ: ବିଦାହେଲେ ଆଉ ୬ ଅଧିକାରୀ

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କୁ ଦଣ୍ଡ

ଭୁବନେଶ୍ବର : ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବ୍ୟାହତ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି ଏକ କଠୋର ପଦକ୍ଷେପ ନେଇଛନ୍ତି। ୨୦୨୧ ସ୍ବାଗତ କରିବା ପୂର୍ବରୁ ୬ ବରିଷ୍ଠ ଅଧିକାରୀଙ୍କୁ ଜବରଦସ୍ତ ଝଟ୍‌କା ଲାଗିଛି। ଦୁର୍ନୀତି ଓ ଅପରାଗତା କାରଣରୁ ଏମାନଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣ ଇଞ୍ଜିନିୟର ଓ ଦୁଇଜଣ ଅବକାରୀ ବିଭାଗର ଅଧିକାରୀ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ୨୦୧୯ରେ ପଞ୍ଚମ ଥର ଦାୟିତ୍ବ ନେବା ପରେ ମୁଖ୍ୟମନ୍ତ୍ରୀ ଏଯାଏ ୯୧ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ଓ ସେମାନଙ୍କର ପେନସନ୍ ବନ୍ଦ କରାଯାଇଛି। ଏମାନଙ୍କୁ ମିଶାଇ ଏହି ସଂଖ୍ୟା ୯୭ରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ଆଇଏଫ୍ଏସ୍ ଅଭୟ ପାଠକଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୁର୍ନୀତି ତଥା ଲୋକଙ୍କୁ ସେବା ଯୋଗାଇବାରେ ଅବହେଳା କରୁଥିବା କର୍ମଚାରୀଙ୍କ ପାଇଁ ଏହା ସତର୍କ ଘଣ୍ଟି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ସବୁବେଳେ ସାଧାରଣ ଜୀବନରେ ସାଧୁତା ଓ ନୈତିକତା ଉପରେ ଗୁରୁତ୍ବ ଦେଇ ଆସିଛନ୍ତି। ଦୁର୍ନୀତି ଓ ଅପରାଗତା ବିରୋଧରେ ସର୍ବଦା କଠୋର ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ୬ଜଣ ଅଧିକାରୀଙ୍କ ଉପରେ ଚଡ଼କ ପଡ଼ିଛି। ସେମାନଙ୍କ ମଧ୍ୟରେ କେନ୍ଦୁଝର ଜିଲ୍ଲା ରୁରାଲ୍ ୱାର୍କ୍ସ ଡିଭିଜନ ଉପ ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ଦେବତା ଅଛନ୍ତି। ତାଙ୍କ ବିରୋଧରେ ଦୁଇଟି ଭିଜିଲାନ୍ସ ମାମଲା ରହିଛି। ସେହିଭଳି କଟକ ରାସ୍ତା ଓ କୋଠାବାଡ଼ି ଡିଭିଜନ କ୍ବାଲିଟି କଣ୍ଟ୍ରୋଲ ବିଭାଗର ସହକାରୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ଦଳାଇଙ୍କୁ ମଧ୍ୟ ସରକାର ଚାକିରିରୁ ବିଦା କରିଛନ୍ତି। ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ତାଙ୍କ ବିରୋଧରେ ଦୁଇଟି ଭିଜିଲାନ୍ସ ମାମଲା ରହିଛି। ମୟୂରଭଞ୍ଜ କରଞ୍ଜିଆ ରୁରାଲ୍ ୱାର୍କ୍ସ-୧ର ସହକାରୀ ଯନ୍ତ୍ରୀ ବିଜୟ ପରିଡାଙ୍କ ନାମରେ ତିନିଟି ଭିଜିଲାନ୍ସ ମାମଲା ରହିଛି। ଭୁବନେଶ୍ବର ରାସ୍ତା ଓ କୋଠାବାଡି ଡିଭିଜନ୍-୨ର ସହକାରୀ ଯନ୍ତ୍ରୀ ଗଣେଶ୍ବର ସେଠୀଙ୍କ ବିରୋଧରେ ଅଶୋଭନୀୟ ବ୍ୟବହାର ତଥା କର୍ତ୍ତବ୍ୟରେ ଅବହେଳା ଆଦି ଗୁରୁତର ଅଭିଯୋଗକୁ ଭିତ୍ତିକରି ୬ଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ସମ୍ବଲପୁର ଓଡ଼ିଶା ପାନୀୟ ନିଗମ ଡିପୋର ବ୍ରାଞ୍ଚ ମ୍ୟାନେଜର ଭାବେ କାର୍ଯ୍ୟରତ ଅବକାରୀ ଉପଅଧୀକ୍ଷକ ଜୟଦୀପ ପଟ୍ଟନାୟକଙ୍କର କାର୍ଯ୍ୟକଳାପ ସରକାରୀ ଶାଳୀନତା ଓ ସୌଜନ୍ୟର ବିରୋଧାଚରଣ କରୁଥିଲା। ଦାୟିତ୍ବରେ ଅବହେଳା ସହିତ ସରକାରୀ ସଂପତ୍ତି କୁପରିଚାଳନା ଓ ଅଫିସ ସମୁଖରେ ମଦ୍ୟପାଦ ଭଳି ତାଙ୍କ ନାମରେ ଏକାଧିକ ବିରୋଧ ରହିଥିଲା। ସୁନ୍ଦରଗଡରେ କାର୍ଯ୍ୟରତ ଅବକାରୀ ଅଧୀକ୍ଷକ ରିହାଜ ଅହମ୍ମଦ ବେଗ ତାଙ୍କ ଚାକିରି କାଳ ମଧ୍ୟରେ ପାଞ୍ଚ ଥର ନିଲମ୍ବିତ ହୋଇଛନ୍ତି। ତାଙ୍କ ବିରୋଧରେ ମଧ୍ୟ ୫ଟି ବିଭାଗୀୟ ପ୍ରୋସିଡିଂ କରାଯାଇଛି।

Share Now:

Kalinga News Beuro

Next Post

ନୂଆବର୍ଷ ୨୦୨୧ରେ ଭାରତର ବିଶାଳ ପ୍ରତିରକ୍ଷା ଯୋଜନା: ତିନି ସେନାକୁ ସୁଦୃଢ଼ କରିବାକୁ ନୂଆ ରଣନୀତି

Thu Dec 31 , 2020
ନୂଆଦିଲ୍ଲୀ : ଆଗାମୀ ନୂଆବର୍ଷରେ ଭାରତ ଅନେକ ଧାରାବାହିକ ଯୁଦ୍ଧାସ୍ତ୍ରର ପରୀକ୍ଷଣ ସାଙ୍ଗକୁ ସଂଖ୍ୟାଧିକ ପ୍ରତିରକ୍ଷା ପ୍ରଣାଳୀର ମଧ୍ୟ ପରୀକ୍ଷା ନିରୀକ୍ଷା କରିବାକୁ ଯୋଜନା କରିଛି। ସେଗୁଡ଼ିକ ମଧ୍ୟରେ ବାଲିଷ୍ଟିକ୍‌ ମିଜାଇଲ୍‌ ଡିଫେନ୍ସ(ବିଏମ୍‌ଡି) ସିଲ୍‌ଡ, ବୁଡ଼ାଜାହାଜ ପାଇଁ ଉଦ୍ଦିଷ୍ଟ ଏୟାର ଇଣ୍ଡିପେଣ୍ଡେନ୍ସ ପ୍ରପଲ୍‌ସନ୍‌(ଏଆଇପି) ପ୍ରଣାଳୀ, ୮୦୦ କିମି. ଲକ୍ଷ୍ୟଭେଦୀ ବ୍ରହ୍ମୋସ୍‌ ସମେତ ସଂଖ୍ୟାଧିକ କ୍ଷେପଣାସ୍ତ୍ର ପରୀକ୍ଷା ଆଦି ରହିଛି। ତେବେ ସେଗୁଡ଼ିକ ମଧ୍ୟରେ ନିଜସ୍ବ ଜ୍ଞାନକୌଶଳରେ ନିର୍ମିତ ଏଆଇପି ପରୀକ୍ଷା […]
୨୦୨୧ରେ ଭାରତର ବିଶାଳ ପ୍ରତିରକ୍ଷା ଯୋଜନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial