୮ ସୁଦ୍ଧା ଟିକାକରଣ କେନ୍ଦ୍ର ଚିହ୍ନଟ ପାଇଁ ଜିଲ୍ଲାପାଳ ଓ ନଗର ନିଗମକୁ ସ୍ବାସ୍ଥ୍ୟ ବିଭାଗର ଚିଠି

୮ ସୁଦ୍ଧା ଟିକାକରଣ କେନ୍ଦ୍ର ଚିହ୍ନଟ କର

ଭୁବନେଶ୍ବର : ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା ଟିକାକରଣ ପାଇଁ ଉଦ୍ଦିଷ୍ଟ ଟିକାଦାନ କେନ୍ଦ୍ରଗୁଡ଼ିକୁ ଆସନ୍ତା ୮ତାରିଖ ସୁଦ୍ଧା ଚୂଡ଼ାନ୍ତ କରିବା ଲାଗି ସବୁ ଜିଲ୍ଲାପାଳ ଓ ନଗର ନିଗମକୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର ଟିକାଦାନ କେନ୍ଦ୍ରରେ ପ୍ରତୀକ୍ଷାଳୟ, ଟିକାଦାନ ଗୃହ ଓ ନିରୀକ୍ଷଣ ଗୃହ ରହିବା ନିହାତି ଆବଶ୍ୟକ ବୋଲି ନିର୍ଦେଶ ଦେଇଛନ୍ତି। ଟିକାଦାନ ପାଇଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି)ରୁ ଉପରସ୍ତରର ଡାକ୍ତରଖାନାଗୁଡ଼ିକ ଚିହ୍ନଟ କରିବାକୁ କୁହାଯାଇଛି। ଏହାସହ ବ୍ଲକ୍‌ରେ ଥିବା ଜନସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାଦାନ କେନ୍ଦ୍ର ଲାଗି ସ୍ଥାନ ଚିହ୍ନଟ କରିବା ଲାଗି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଉପଖଣ୍ଡ ଚିକିତ୍ସାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମେଡିକାଲ କଲେଜ, ଘରୋଇ ହସ୍ପିଟାଲରେ ମଧ୍ୟ ଟିକାଦାନ କେନ୍ଦ୍ର ପାଇଁ ସ୍ଥାନ ଚିହ୍ନଟ ହେବ। ବ୍ଲକ୍‌ସ୍ତରୀୟ ଓ ପୌରସ୍ତରୀୟ ଟାସ୍କଫୋର୍ସଗୁଡ଼ିକ ଏସବୁ ଟିକାଦାନ କେନ୍ଦ୍ର ଗୁଡ଼ିକର ପର୍ଯ୍ୟବେକ୍ଷଣ ପରେ ଜିଲ୍ଲା ପ୍ରଶାସନକୁ ଚୂଡ଼ାନ୍ତ ତାଲିକା ପଠାଇବେ। ସମସ୍ତ ଟିକାଦାନ କେନ୍ଦ୍ର ଓ ଟିକାଦାନକାରୀଙ୍କ ସଂପର୍କରେ କୋ-ୱିନ୍ ପୋର୍ଟାଲରେ ଅପଲୋଡ୍ କରିବା ଲାଗି କୁହାଯାଇଛି। ସେହିପରି ପ୍ରତି ଟିକାଦାନ କେନ୍ଦ୍ରରେ ଟିକାଦାନକାରୀଙ୍କ ସମେତ ଏକ ୫ଜଣିଆ ଟିମ୍ ଚିହ୍ନଟ କରାଯିବ। ଟିକାଦାନ ପରେ ଅଧଘଣ୍ଟା ପର୍ଯ୍ୟନ୍ତ ନିରୀକ୍ଷଣରେ ରହିବାର ନିର୍ଦ୍ଦେଶ ରହିଛି। ତେଣୁ ଏହି ସମୟରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଲେ ତାହାର ପରିଚାଳନା ପାଇଁ ପ୍ରତି ଟିକାଦାନ କେନ୍ଦ୍ରରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କୁ ନିଯୁକ୍ତ କରାଯିବ। ଏହାସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ଲକ୍‌ ଓ ଜିଲ୍ଲାସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share Now:

Kalinga News Beuro

Next Post

ରାଜଧାନୀରେ ୧୧ ଆକ୍ରାନ୍ତ ଚିହ୍ନଟ

Tue Jan 5 , 2021
ଭୁବନେଶ୍ବର : ରାଜଧାନୀରେ ଗତ ୨୪ ଘଣ୍ଟାରେ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୁଇଦିନ ତୁଳନାରେ ଏହି ସଂଖ୍ୟା ଅଧିକ ରହିଛି। ଗତ ୮ମାସ ପରେ ରାଜଧାନୀ ଧୀରେ ଧୀରେ ଶୂନ ସଂକ୍ରମଣ ଆଡ଼କୁ ଗତି କରୁଛି। ଚିହ୍ନଟ ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ ଲୋକାଲ କଣ୍ଟାକ୍ଟସ ଓ ୩ ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୧,୬୭୫କୁ ବୃଦ୍ଧି ପାଇଛି। ଅପରପକ୍ଷରେ […]
ରାଜଧାନୀରେ ୧୧ ଆକ୍ରାନ୍ତ ଚିହ୍ନଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial