କେଲୁଅ ନଦୀବନ୍ଧକୁ ଉଡ଼ାଇବା ଘଟଣା : ଭିଜିଲାନ୍‌ସ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

କେଲୁଅ ନଦୀବନ୍ଧକୁ ଉଡ଼ାଇବା ଘଟଣା

ଭୁବନେଶ୍ବର : ଡିନାମାଇଟ୍‌ ଲଗାଇ ଯାଜପୁର ଜିଲ୍ଲା‌ କେଲୁଅ ନଦୀବନ୍ଧ ଉଡ଼ାଇ ଦିଆଯିବା ଘଟଣାର ଭିଜିଲାନ୍‌ସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ। ଭିଜିଲାନ୍‌ସର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଏହାର ପ୍ରାଥମିକ ତଦନ୍ତ କରି ଆସନ୍ତା ମାର୍ଚ ୧୨ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବା ଲାଗି କୁହାଯାଇଛି। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ନଦୀବନ୍ଧକୁ ମନୁ‌ଷ୍ୟକୃତ ଭାବେ ନଷ୍ଟ ନା ବନ୍ୟା ଜଳରେ ନଷ୍ଟ ହୋଇଛି ତାହା ଉପରୁ ପରଦା ଉଠିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ ଜାତୀୟ ରାଜପଥ-୫ରେ ଗୋକର୍ଣ୍ଣେଶ୍ବରରୁ ମଝିପଡ଼ା ରାସ୍ତାର କେଲୁଅ ନଦୀବନ୍ଧ ନିର୍ମାଣ ପୂର୍ବରୁ ଜଳସମ୍ପଦ ବିଭାଗ ଅଧୀନରେ ରହିଥିଲା। ପରବର୍ତ୍ତୀ ସମୟରେ ଏହା ପୂର୍ତ୍ତ ବିଭାଗ ଅଧୀନକୁ ଆସିଥିଲା। ନଦୀବନ୍ଧ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ନିର୍ମାଣରେ ବ୍ୟାପକ ଅର୍ଥ ତୋଷରପାତ ନଜରକୁ ଆସିଥିଲା। ଏଥିରେ ସ୍ଥାନୀୟ ବିଧାୟକ ଓ କନିଷ୍ଠ ଯନ୍ତ୍ରୀ ଠିକାଦାରଙ୍କଠାରୁ ମୋଟା ଅଙ୍କର ଅର୍ଥ ନେବା ଯୋଗୁଁ ବାଧ୍ୟ ହୋଇ ଠିକାଦାର ନିମ୍ନମାନର ସାମଗ୍ରୀ ବ୍ୟବହାର କରିଥିବା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ ସୂଚନାଧିକାର କର୍ମୀ ସର୍ବେଶ୍ବର ବେହୁରା ଏହି ନିମ୍ନମାନର କାର୍ଯ୍ୟକୁ ଲୁଚାଇବା ପାଇଁ ଗତବର୍ଷ ବନ୍ୟା ସମୟରେ ଡିନାମାଇଟ୍‌ ଲଗାଇ ନଦୀବନ୍ଧକୁ ଉଡ଼ାଇ ଦିଆଯାଇଥିଲା। ଫଳରେ ନଦୀରେ ୩ଶହ ଫୁଟର ଏକ ଘାଇ ହେବା ସହିତ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିଲା। ଏହି ଘଟଣାରେ ଜାରକା ଜଳସେଚନ ଉପଖଣ୍ଡର ଉପ-ନିର୍ବାହୀ ଇଞ୍ଜିନିୟର ଯାଜପୁର ଥାନାରେ ଏକ ମାମଲା ରୁଜୁ କରିଥିଲେ। ମାତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଶ୍ରୀ ବେହୁରାଙ୍କ ପିଟିସନ୍ ଆଧାରରେ ଲୋକାୟୁକ୍ତ ମାମଲାକୁ ଗ୍ରହଣ କରିବା ସହ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଯାଜପୁର ଜିଲ୍ଲପାଳ, ପୂର୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ, ପାଣିକୋଇଲିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଉପ-କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ଜାରକା ଜଳସେଚନ ବିଭାଗର ଯନ୍ତ୍ରୀଙ୍କୁ ନୋଟିସ୍ କରିଥିଲେ। ୬ ସପ୍ତାହ ମଧ୍ୟରେ ଏହାର ଉତ୍ତର ରଖିବା ଲାଗି କୁହାଯାଇଥିଲା। ନୋଟିସ୍ ହୋଇଥିବା ବ୍ୟକ୍ତିମାନେ ଏହାର ଉତ୍ତର ରଖିବା ସହିତ କୌଣସି ନିମ୍ନମାନର କାର୍ଯ୍ୟ ହୋଇ ନ ଥିବା ଦର୍ଶାଇଥିଲେ।
ଲୋକାୟୁକ୍ତରେ ଏହି ଘଟଣାର ଶୁଣାଣି କରାଯାଇଥିଲା। ଶୁଣାଣି‌ରେ ଲୋକାୟୁକ୍ତ କହିଥିଲେ, ନଦୀବନ୍ଧ ପାଇଁ ପ୍ରାୟ ୨୨ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସାରିଲାଣି। ଏତେ ଟଙ୍କା ବ୍ୟୟରେ ନିର୍ମାଣ ଯଦି ନଦୀ ବନ୍ଧ ଠିକ୍‌ରେ ନିର୍ମାଣ ହୋଇଥାନ୍ତା ତାହାଲେ ବର୍ଷା ପାଣିରେ ଧୋଇଯିବା ଏକପ୍ରକାର ଅସମ୍ଭବ ମନେ ହେଉଛି। ଏହାସହ ଜଳସେଚନ ଉପଖଣ୍ଡର ଉପ-ନିର୍ବାହୀ ଯନ୍ତ୍ରୀ ମଧ୍ୟ ନଦୀବନ୍ଧ ନଷ୍ଟ ଘଟଣାରେ ମନୁ‌ଷ୍ୟକୃତ ହସ୍ତକ୍ଷେପ ନେଇ ମାମଲା ଦାୟର କରିଛନ୍ତି। ଏଭଳି ପରିସ୍ଥିତିରେ ଘଟଣା ଉପରୁ ପରଦା ହଟିବା ଜରୁରୀ ହୋଇପଡ଼ିଛି। ନଦୀବନ୍ଧକୁ ନଷ୍ଟ କରାଯିବା ଘଟଣାରେ କେଉଁ ବ୍ୟକ୍ତିମାନଙ୍କର ସଂପୃକ୍ତି ରହିଛି, ନିମ୍ନମାନର କାର୍ଯ୍ୟକୁ ଲୁଚାଇବା ଲାଗି ଏଭଳି କରାଯାଇଛି କି? ନିମ୍ନମାନର କାର୍ଯ୍ୟରେ କୌଣସି ସରକାରୀ ଅଧିକାରୀ କିମ୍ବା ଜନ ପ୍ରତିନିଧିଙ୍କ ସଂପୃକ୍ତି ତାହାର ତଦନ୍ତ କରାଯିବା ଜରୁରୀ ବୋଲି ଲୋକାୟୁକ୍ତ କହିଛନ୍ତି।

Share Now:

Kalinga News Beuro

Next Post

ଭୁବନେଶ୍ବର ଏମ୍‌ସରେ ବ୍ୟାପକ ଅବ୍ୟବସ୍ଥା : ନାହାନ୍ତି ଟେକ୍ନିସିଆନ୍‌ , ଗାମା କ୍ୟାମେରା ଅଚଳ

Sat Jan 9 , 2021
ନ୍ୟୁକ୍ଲିୟର ମେଡିସିନ୍ ବିଭାଗରେ ଅଚଳାବସ୍ଥା,ହୋଇପାରୁନି ଥାଇରଏଡ୍‌ ଓ ଅନ୍ୟାନ୍ୟ ପରୀକ୍ଷା ଭୁବନେଶ୍ବର : ଟେକ୍‌ନିସିଆନ୍‌ଙ୍କ ଅଭାବ ପାଇଁ ଏମ୍‌ସ ଭୁବନେଶ୍ବର ନ୍ୟୁକ୍ଲିୟର ମେଡିସିନ୍ ବିଭାଗରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଗାମା କ୍ୟାମେରା ସହାୟତାରେ କରାଯାଉଥିବା ବିଭିନ୍ନ ପରୀକ୍ଷା ସମ୍ଭବ ହୋଇପାରୁ ନାହିଁ। ଦୀର୍ଘ ଦିନ ଧରି ଅଚଳାବସ୍ଥା ଲାଗି ରହିଥିବା ଫଳରେ ଆଟୋମିକ ଏନର୍ଜି ରେଗୁଲେଟାରି ବୋର୍ଡ ବା ଏଇଆରବି ଏହାର ଲାଇସେନ୍‌ସ୍‌ ବାତିଲ କରିବାକୁ ପଛାଇ ନ ଥିବା […]
ଭୁବନେଶ୍ବର ଏମ୍‌ସରେ ବ୍ୟାପକ ଅବ୍ୟବସ୍ଥା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial