ସ୍ମାର୍ଟ ସିଟିର ବିକଳ ଚିତ୍ର : ରସୁଲଗଡ଼ ଶିଳ୍ପାଞ୍ଚଳ

ରସୁଲଗଡ଼ ଶିଳ୍ପାଞ୍ଚଳ ରାସ୍ତା-2

ଖାଲଖମାରେ ଭର୍ତ୍ତି, ୨ବର୍ଷ ହେଲା କେହି ଶୁଣୁନାହାନ୍ତି

ରସୁଲଗଡ଼ : ଭୁବନେଶ୍ବରକୁ ସ୍ମାର୍ଟ ସିଟି ବୋଲି ଡିଣ୍ଡିମ ପିଟା ଚାଲିଛି। ସହରର କେତେକ ଅଞ୍ଚଳରେ ରାସ୍ତାଘାଟ ଉନ୍ନତୀକରଣ ଏବଂ ସୌନ୍ଦର୍ଯ୍ୟୀକରଣରେ ଆଖିଦୃଶିଆ ଅର୍ଥ ଖର୍ଚ୍ଚ ହୋଇ ଚକାଚକ୍ ମଧ୍ୟ ହେଉଛି। କିନ୍ତୁ ସହର ବା ରାଜ୍ୟ ବାହାରୁ ଯଦି କୌଣସି ଲୋକ କେବେ ରସୁଲଗଡ଼ ଶିଳ୍ପାଞ୍ଚଳକୁ ଆସିବେ ଏବଂ ରାସ୍ତାଘାଟର ଦୁରବସ୍ଥା ଦେଖିବେ, କେବେ ବି ବିଶ୍ବାସ କରିପାରିବେନି ଯେ ରାଜଧାନୀ ଭୁବନେଶ୍ବରରେ ଏଭଳି ବିପର୍ଯ୍ୟସ୍ତ ଓ ବିପଦସଂକୁଳ ରାସ୍ତା ମଧ୍ୟ ଅଛି। ରାଜଧାନୀର ସବୁଠୁ ଖରାପ ଓ ଅତ୍ୟନ୍ତ ବିପଜ୍ଜନକ ରାସ୍ତା ପାଲଟିଛି ରସୁଲଗଡ଼ ଶିଳ୍ପାଞ୍ଚଳ ରାସ୍ତା। ପିଚୁ ରାସ୍ତା କେଉଁଠି ବୋଲି ଖୋଜିଲେ ମିଳିବନି। ଯୁଆଡ଼େ ଅନେଇଲେ ଖାଲି ଖାଲ ଆଉ ଖାଲ। ପଶିଗଲେ ଲାଗୁଛି ଯେପରି କୌଣସି ଅନୁନ୍ନତ ପାହାଡ଼ିଆ ଅଞ୍ଚଳକୁ ପଶିଗଲା ଭଳି। ପଶିଲା ବେଳକୁ ପ୍ରାୟ ୨ ଫୁଟ୍‌ ଗଭୀର ଖାଲରେ ପଡ଼ି ପ୍ରାଣ ମଧ୍ୟ ଚାଲି ଯାଇପାରେ। ଯେତେ ଆଗକୁ ଗଡ଼ିବ ବିପଦ ସେତେ ବଢ଼ିବ।

ଚାଲିକି ଯାଆନ୍ତୁ କି ବାଇକ୍‌ରେ; ଜଣେ ଯେତେ ସତର୍କ ହୋଇ ଗଲେ ବି ଦୁର୍ଘଟଣା ହେବା ଥୟ। ଶିଳ୍ପାଞ୍ଚଳରେ ରାଜ୍ୟର ତିନିଟି ପ୍ରମୁଖ ଗଣମାଧ୍ୟମ ସଂସ୍ଥା,‌ ୨୦ରୁ ଅଧିକ ଶିଳ୍ପ ସଂସ୍ଥା ଏବଂ ଏସ୍‌ପ୍ଲାନେଡ୍‌ ମଲ୍‌ର ପ୍ରବେଶ ଓ ପ୍ରସ୍ଥାନ ରାସ୍ତାର ଅବସ୍ଥା ଏଭଳିରେ ରହିଛି କେହି ନ ଦେଖିଲେ ବିଶ୍ବାସ କରିପାରି‌ବନି। ଦୁଇ ବର୍ଷରୁ ଅଧିକ ସମୟ ହେଲା ଖାଲଖମାରେ ଭର୍ତ୍ତି ହୋଇଥିବା ଏହି ରାସ୍ତା ମରାମତି ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥା ବାରମ୍ବାର ଇଡ୍‌କୋ ନିକଟରେ ଅଭିଯୋଗ କରୁଥିଲେ ବି କିଛି ସୁଫଳ ମିଳୁନି। ଶିଳ୍ପ ସଂସ୍ଥାଗୁଡ଼ିକ ଇଡ୍‌କୋରୁ ଜମି ନେଇଥିବାରୁ କେହି ଖୁଲମଖୁଲା ପ୍ରତିବାଦ କରିପାରୁନାହାନ୍ତି। ଇଡ୍‌କୋ କର୍ତ୍ତୃପକ୍ଷ ବି ଚଳୁଛି ତ ଚଳୁଛି ଭାବି ସେହି ନ୍ୟାୟରେ ଏହି ରାସ୍ତା କଥା ଭୁଲି ଯାଇଛନ୍ତି। ପ୍ର‌ତିଦିନ ଭାରୀଯାନରୁ ଆରମ୍ଭ କରି ଶତାଧିକ କାର୍‌, ବାଇକ୍‌ ଚଳାଚଳ କରୁଥିବା ଏହି ରାସ୍ତା ଏବେ ରାଜଧାନୀର ଅନ୍ୟତମ ଦୁର୍ଘଟଣାପ୍ରବଣ ରାସ୍ତା ପାଲଟିଛି। ପ୍ରତିଦିନ ଏଠାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ରାଜଧାନୀର ଅନ୍ୟତମ ବ୍ୟସ୍ତବହୁଳ ରାସ୍ତାଟିରେ ପ୍ରତି ଦି ପାଦରେ ଗୋଟିଏ ଗୋଟିଏ ବଡ଼ ଖାଲ।

ରାସ୍ତାରେ ଅଧଫୁଟରୁ ଫୁଟେ ପର୍ଯ୍ୟନ୍ତ ଖାଲ ହୋଇଥିବା ବେଳେ ଖାଲରୁ ବଞ୍ଚିବା ପାଇଁ ଯଦି କେହି ଗାଡ଼ି ବାମକୁ କି ଡାହାଣ ମୋଡୁଛି, ଗାଡ଼ି ଯାଇ ଆଉ କେଉଁ ଗାଡ଼ିରେ ମାଡ଼ ହେଉଛି। ନଚେତ୍‌ ଖାଲରେ ଗାଡ଼ି ପଡ଼ି ଚାଳକ ନିଜେ ତଳେ ପଡ଼ୁଛି। ଖାଲରେ ପଶିକି ଗଲେ ଦୁର୍ଘଟଣା, ଖାଲରେ ନ ପଡ଼ିବା ପାଇଁ ଗଲେ ବି ଦୁର୍ଘଟଣା। ପୂରା ଶିଳ୍ପାଞ୍ଚଳ ଖାଲରେ ଭର୍ତ୍ତି ହୋଇଯାଇଛି। ଆଉ ଯଦି ବର୍ଷା ହେଲା, ଅବସ୍ଥା ଆହୁରି ସାଂଘାତିକ ହୋଇଯାଉଛି।
କେବଳ ବିପର୍ଯ୍ୟସ୍ତ ରାସ୍ତା ନୁହେଁ; ଅଧା ଶିଳ୍ପାଞ୍ଚଳରେ ଅନ୍ଧାର ରାଜୁତି କରୁଛି। ଇଡ୍‌କୋ କର୍ତ୍ତୃପକ୍ଷ ଆବଶ୍ୟକ ଷ୍ଟ୍ରିଟଲାଇଟ୍‌ ଲଗାଉ ନାହାନ୍ତି କି ବିଏମ୍‌ସି ଲାଇଟ୍‌ ଲଗାଉନି। ଫଳରେ ଏହି ଅଞ୍ଚଳରେ ଚୋରି, ଡକାୟତି ବଢ଼ିବାରେ ଲାଗିଛି। କେତେବେଳେ କେଉଁ ଶିଳ୍ପ ସଂସ୍ଥାର ଗୋଦାମରୁ ଚୋରି ହୋଇଯାଉଛି ତ କେତେବେଳେ କର୍ମଚାରୀଙ୍କ ଗାଡ଼ି କାଚ ଭାଙ୍ଗି ଲୁଟ୍‌ ହେଉଛି। ଜିଲ୍ଲା ଶିଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ଏହି ଶିଳ୍ପାଞ୍ଚଳରେ ହୋଇଥିଲେ ବି ସେ ମଧ୍ୟ ଅସହାୟ ଅବସ୍ଥାରେ ଅଛନ୍ତି। ଜିଲ୍ଲା ଶିଳ୍ପ କେନ୍ଦ୍ର ଭୁବନେଶ୍ବରର ମହାପ୍ରବନ୍ଧକ ଦିଲ୍ଲୀପ ନାୟକ କହିଛନ୍ତି, ରସୁଲଗଡ଼ ଶିଳ୍ପାଞ୍ଚଳ ଇଡକୋ ଅଧୀନରେ ଆସୁଥିବାରୁ ରାସ୍ତା ନିର୍ମାଣ କାର୍ଯ୍ୟ ଇଡ୍‌କୋ କରିବା କଥା। ଏଥିରେ ଆମର କୌଣସି ନିୟନ୍ତ୍ରଣ ନାହିଁ। ଶିଳ୍ପାଞ୍ଚଳରେ ଯେଉଁମାନେ ଶିଳ୍ପ କରିଛନ୍ତି, ସେମାନେ ଯଦି ଏ ସଂପର୍କରେ ଇଡକୋକୁ ଅଭିଯୋଗ କରନ୍ତେ, ତାହାଲେ ହୁଏତ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇପାରେ ବୋଲି ଶ୍ରୀ ନାୟକ କହିଛନ୍ତି। ଇଡ୍‌କୋ ତା’ କାମ କରୁନି କି ବିଏମ୍‌ସି ବି ତା’ର ମୂଳ କାମ କରୁନି। ଇଡ୍‌କୋ ଜମି ବିକିବା ବେଳେ ଯେଉଁ ସବୁ ପ୍ରତିଶୃତି ଦେଇଥିଲା ବା ଏବେ ଦେଉଛି ତାହା କେତେଦୂର କାର୍ଯ୍ୟକାରୀ ହୋଇଛି ତାହା ଜଳଜଳ ଦିଶୁଛି। ଲୋକ ଯେପରି ମୌଳିକ ସୁବିଧା ସୁଯୋଗ ପାଇବେ ସେଥିପାଇଁ ଧ୍ୟାନ ଦେଉନି ବିଏମ୍‌ସି। ଫଳରେ ଏଠାରେ ବିପର୍ଯ୍ୟସ୍ତ ରାସ୍ତା, ମୁକୁଳା ଡ୍ରେନ୍‌, ବିନା‌ ଲାଇଟ୍‌ରେ ବିଦ୍ୟୁତ ଖୁଣ୍ଟ ବର୍ଷ ବର୍ଷ ଧରି ଦେଖିବାକୁ ମିଳୁଛି। ଡ୍ରେନ୍‌ ଅଛି, କିନ୍ତୁ ସଫା ହେଉନି। ବର୍ଷା ହେଲା ବର୍ଷା ପାଣି ରାସ୍ତାରେ ଭାସୁଛି। ବିଏମ୍‌ସି ସାରା ରାଜଧାନୀରେ ଡ୍ରେନ୍‌ ସଫା କରୁଥିଲେ ବି ଏହି ଅଞ୍ଚଳରେ ଥରଟିଏ ଡ୍ରେନ୍‌ ସଫା କରିବାକୁ ଆସୁନି। ରସୁଲଗଡ଼ ଶିଳ୍ପାଞ୍ଚଳର ଶୋଚନୀୟ ରାସ୍ତା ସମ୍ପର୍କରେ ଇଡ୍‌କୋ କର୍ତ୍ତୃପକ୍ଷଙ୍କୁ ଯେତେବେଳେ ଅବଗତ କରାଗଲେ ମଧ୍ୟ ସମାନ ଉତ୍ତର ମିଳୁଛି। ରାସ୍ତା ମରାମତି ପାଇଁ ବ୍ୟୟ ଅଟକଳ କରି ପଠାଯାଇଛି, ଅର୍ଥ ମିଳିଲେ କାମ ଆଗେଇବ ବୋଲି ଅଧିକାରୀମାନେ କହୁଛନ୍ତି। ଏ ସଂପର୍କରେ ଯୋଗାଯୋଗ କରାଯିବାରୁ ଇଡ୍‌କୋ ସିଜିଏମ୍ ଭକ୍ତକବି ଦାସ କହିଛନ୍ତି ଯେ ରସୁଲଗଡ଼ ଶିଳ୍ପାଞ୍ଚଳ ରାସ୍ତା ମରାମତି ପାଇଁ ଅର୍ଥ ବ୍ୟୟବରାଦ ହୋଇଛି। ବଡ଼ ଖାଲଗୁଡ଼ିକୁ କଂକ୍ରିଟ ମରାମତି ଓ ଛୋଟ ଖାଲଖମାର ମରାମତିକୁ ମିଶାଇ ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଆସନ୍ତା ୧୫ ଦିନରୁ ଏକ ମାସ ମଧ୍ୟ‌ରେ କାମ ସରିବ।

Share Now:

Kalinga News Beuro

Next Post

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ବ୍ଲାକ୍‌ମେଲ୍: ୫୦ ଲକ୍ଷ ଦାବି

Fri Jan 15 , 2021
ଚନ୍ଦ୍ରଶେଖରପୁର: ପ୍ରେମିକ ସହ ମିଶି ବ୍ଲାକ୍‌ମେଲ୍‌ କରୁଥିବା ନେଇ ଆଜି ଜଣେ ଯୁବକ ଚନ୍ଦ୍ରଶେଖରପୁର ଥାନାରେ ସ୍ତ୍ରୀ ବିରୋଧରେ ଅଭିଯୋଗ କରିଛନ୍ତି। ପ୍ରେମିକ ସହ ନିଜର ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓକୁ ଭାଇରାଲ୍‌ କରି ତାଙ୍କୁ ବଦନାମ୍‌ କରିବା ଧମକ ଦେଇ ୫୦ ଲକ୍ଷ ଟଙ୍କା ଦାବି କରିଛି ବୋଲି ସ୍ତ୍ରୀ ନାଁରେ ସ୍ବାମୀ ଅଭିଯୋ‌ଗ କରିଛନ୍ତି। ଘଟଣାଟି ଏକ ପ୍ରତିଷ୍ଠିତ ପରିବାରରେ ଘଟିଥିବାରୁ ପୁଲିସ ମାପିଚୁପି ତଦନ୍ତ ଆରମ୍ଭ କରିଛି। […]
ପ୍ରେମିକ ସହ ମିଶି ସ୍ବାମୀଙ୍କୁ ବ୍ଲାକ୍‌ମେଲ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial