ମନ୍ତ୍ରୀଙ୍କ ବୋହୂଙ୍କୁ ଅନୁକମ୍ପା ? ଦୁର୍ନୀତି ନେଇ ଲୋକାୟୁକ୍ତଙ୍କ ନିକଟରେ ଫେରାଦ ଆରଟିଆଇ କର୍ମୀ

ମନ୍ତ୍ରୀଙ୍କ ବୋହୂଙ୍କୁ ଅନୁକମ୍ପା

କଲେଜ ନଯାଇ ବି ମାସ ମାସ ଧରି ମନ୍ତ୍ରୀଙ୍କ ବୋହୂ ଉଠାଇଛନ୍ତି ଦରମା

କାମାକ୍ଷାନଗର : ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ନ୍ୟାୟରେ ଖୋଲିଛି କାମାକ୍ଷାନଗର କଲେଜରେ ଦୁର୍ନୀତିର ନୂଆ ଗୁମର। ଖୋଦ୍ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗଭର୍ଣ୍ଣଂ ବଡ଼ିର ଅଧ୍ୟକ୍ଷ ଥିବା ଏହି କଲେଜରେ ତାଙ୍କ ଅଧ୍ୟାପିକା ବୋହୂ ଛୁଟିରେ ଥାଇ ବି ମାସ ମାସ ଧରି ନେଇଛନ୍ତି ଦରମା। ୨୦୧୬ରୁ ୧୮ ଯାଏଁ ଛୁଟିରେ ଥାଇ ଦରମା ନେଇଥିବାବେଳେ ସେ କୁଆଡ଼େ ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚଡ଼ି କରୁଥିବା ଦର୍ଶାଇଥିଲେ। ଯାହାକି ମିଛ ବୋଲି ଆରଟିଆଇ ତଥ୍ୟରୁ ଧରାପଡ଼ିବା ପରେ ଏହାକୁ ନେଇ ଲୋକାୟୁକ୍ତଙ୍କ ପାଖରେ ଫେରାଦ ହୋଇଛନ୍ତି ଆରଟିଆଇ କର୍ମୀ। ଏଣେ ଘଟଣାକୁ ନେଇ ମନ୍ତ୍ରୀଙ୍କୁ ଘେରିଛି ବିଜେପି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜରେ ମହାଦୁର୍ନୀତିର ପର୍ଦ୍ଦାଫାସ୍ ପାଇଁ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ଅଧିକାର କର୍ମୀ ଜୟକୃଷ୍ଣ ବେହେରା ତଥ୍ୟ ପ୍ରମାଣ ସହ ଖୋଲିଛନ୍ତି ଗୁମର। କହିଛନ୍ତି କାମାକ୍ଷାନଗର କଲେଜରେ ବର୍ଷ ବର୍ଷ ଧରି ଦୁର୍ନୀତି ଚାଲିଛି। ଏମିତିକି ପ୍ରାଣୀ ବିଜ୍ଞାନ ବିଭାଗରେ ଅଧ୍ୟାପିକା ଥିବା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନ ଛୁଟିରେ ଥାଇ ବି ଉଠାଇଛନ୍ତି ଦରମା। ୨୦୧୬ରୁ ୧୮ ଯାଏଁ ଛୁଟିରେ ଥାଇ ମଧ୍ୟ ଲିପ୍ସାଙ୍କୁ ମିଳିଛି ଦରମା। ପେମେଣ୍ଟ ରେଜିଷ୍ଟରରେ ଲିପ୍ସା ନିଜେ ରେଭିନ୍ୟୁ ଷ୍ଟାମ୍ପ ଉପରେ ଦସ୍ତଖତ କରି ନେଇଛନ୍ତି ଟଙ୍କା। କଥା ଏତିକିରେ ସରିନି, ଲିପ୍ସା କୁଆଡ଼େ ସେତେବେଳେ ପିଏଚଡ଼ି କରିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଯାଇଥିବା କଲେଜ ପକ୍ଷରୁ ତଥ୍ୟ ଦିଆଯାଇଛି। ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆରଟିଆଇରେ ମିଳିଥିବା ସୂଚନା ଅନୁସାରେ ଲିପ୍ସା ପ୍ରଧାନ ବୋଲି କୌଣସି ଅଧ୍ୟାପିକା ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚଡ଼ି କରିବାକୁ ଆସିନଥିଲେ ବୋଲି ସ୍ପଷ୍ଟ ଭାବେ ଦର୍ଶାଯାଇଛି। ତେଣୁ ଏଠି ପ୍ରଶ୍ନ ସତ କଣ? କାମାକ୍ଷାନଗର କଲେଜ କର୍ତ୍ତୃପକ୍ଷ ନା ଉତ୍କଳ ବିଶ୍ୱବିଦ୍ୟାଳୟର ତଥ୍ୟ? ଯେହେତୁ କଲେଜ୍ ଗଭର୍ଣ୍ଣିଂବଡ଼ି କାଉନସିଲ୍ ଅଧ୍ୟକ୍ଷ ନିଜେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ତେଣୁ ଅଧ୍ୟାପିକା ଲିପ୍ସା ପ୍ରଧାନଙ୍କୁ ତତ୍କାଳୀନ କଲେଜ ଅଧ୍ୟକ୍ଷ ଅରବିନ୍ଦକାନ୍ତ ରାୟ ଏଭଳି ଅନୁକମ୍ପା ଦେଖାଇଥିବା ଅଭିଯୋଗ କରିଛନ୍ତି ଆରଟିଆଇ କର୍ମୀ ଜୟକୃଷ୍ଣ। ଖାଲି ସେତିକି ନୁହେଁ ପୂର୍ବରୁ ସେ ଏ ନେଇ ତଥ୍ୟ ମାଗିବାକୁ ଯାଇଥିବାବେଳେ ତାଙ୍କୁ ହତ୍ୟା ଧମକ ବି ମିଳିଥିବା କହିଛନ୍ତି। ତେଣେ ଏସବୁ ଅଭିଯୋଗକୁ ନେଇ ବର୍ତ୍ତମାନର କଲେଜ ଅଧ୍ୟକ୍ଷ ରାମଚନ୍ଦ୍ର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ୨୦୧୯ ନଭେମ୍ବରରେ ସେ ଅଧ୍ୟକ୍ଷ ଦାୟିତ୍ୱ ନେଇଥିଲେ। ତେଣୁ ପୂର୍ବ ଘଟଣାର ଅନୁଧ୍ୟାନ କରିବେ। ସେପଟେ ଅଭିଯୋଗରେ ଛନ୍ଦି ହୋଇଥିବା ଅଧ୍ୟାପିକା ଲିପ୍ସା ପ୍ରଧାନ ପ୍ରତିକ୍ରିୟା ରଖି କହିଛନ୍ତି, ମାମଲା ଲୋକାୟୁକ୍ତଙ୍କ ପାଖରେ ପହଞ୍ଚିଛି। ତେଣୁ ଏବେ ସେ କିଛି କହିବା ଠିକ୍ ହେବନି। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ନିଜ ଅଧ୍ୟାପିକା ବୋହୂଙ୍କୁ ଅନୁକଂପା ଦେଖାଇବା ଘଟଣାକୁ ନେଇ ଘେରିଛି ବିଜେପି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରି କହିଛନ୍ତି, ବିଜେଡି ସରକାରରେ ମନ୍ତ୍ରୀ ଓ ସାଂସଦଙ୍କ ପାଇଁ ଗୋଟିଏ ନିୟମ ହୋଇଥିବାବେଳେ ସାଧାରଣ ଲୋକଙ୍କ ପାଇଁ ନିୟମ ଅଲଗା। ତେବେ ପୁରା ଘଟଣାରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିନାହିଁ।

Share Now:

Kalinga News Beuro

Next Post

୫୦ ବର୍ଷର ଉଦ୍ୟମ ପରେ ରାଷ୍ଟ୍ରପତି ଆସନରେ ବସିଲେ ବାଇଡେନ୍

Thu Jan 21 , 2021
ବାପା ଦେଇଥିବା ଶିକ୍ଷା ଆଣିଲା ସଫଳତା ୱାଶିଂଟନ: ଆମେରିକାରେ ଆରମ୍ଭ ହୋଇଛି ବାଇଡେନ୍ ଯୁଗ। ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜୋ ବାଇଡେନ୍। ୱାଶିଂଟନ ଡିସିସ୍ଥିତ ସଂସଦ ଭବନ କ୍ୟାପିଟଲରେ ଆମେରିକୀୟ ସୁପ୍ରିମ୍ କୋର୍ଟର ମୁଖ୍ୟବିଚାରପତି ଜନ୍ ରବର୍ଟସ ନବନିଯୁକ୍ତ ରାଷ୍ଟ୍ରପତି ବାଇଡେନଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି। ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି ଭାବେ ହ୍ବାଇଟ୍ ହାଉସକୁ ପ୍ରବେଶ କରିଛନ୍ତି ବାଇଡେନ୍। ୧୯୪୨ ମସିହାରେ […]
ରାଷ୍ଟ୍ରପତି ଆସନରେ ବସିଲେ ବାଇଡେନ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial