୧୦୦ କୋଟିକୁ ବଢ଼ିଲା ସାର ଓ ବିହନ କର୍ପସ ପାଣ୍ଠି

ବିହନ ନିଗମ

ଭୁବନେଶ୍ବର : ଦେଶରେ ଚାଷୀ ଆନ୍ଦୋଳନ ଥମିବାର ନା ଧରୁନି। ରାଜ୍ୟ ସରକାର ଏଥିରୁ ଦୂରେଇ ରହିଛନ୍ତି। କେବଳ ସେତିକି ନୁହେଁ, ସରକାରଙ୍କ ମୁଣ୍ଡରେ କୃଷି ଓ କୃଷକଙ୍କ ଚିନ୍ତା ରହିଛି, ଏକଥା ସାବ୍ୟସ୍ତ କରିବା ଲାଗି ଚାଷର ଉନ୍ନତି ପାଇଁ ଏକା ସାଙ୍ଗରେ ଦୁଇଟି ବଡ଼ ପଦକ୍ଷେପ ନେଇଛନ୍ତି। ଚାଷୀଙ୍କୁ ବିହନ ଯୋଗାଣ ବ୍ୟବସ୍ଥାର ଉନ୍ନତୀକରଣ ପାଇଁ ଆଜି କ୍ୟାବିନେଟ୍‌ରେ ଏକ ପ୍ରସ୍ତାବ ପାରିତ ହୋଇଛି। ବିହନ ନିଗମର କର୍ପସ ପାଣ୍ଠିକୁ ସରକାର ୧୦୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହା ୬୦ କୋଟି ଟଙ୍କା ଥିଲା। କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ୧୦୦ କୋଟି ଟଙ୍କାର କର୍ପସ୍‌ ପାଣ୍ଠି ଯୋଜନା ‘ଓଡ଼ିଶା ରାଜ୍ୟ ବିହନ ନିଗମ କର୍ପସ୍‌ ପାଣ୍ଠି’ ଉନ୍ନତମାନର ବିହନ ଓ ଚାରା ସଂଗ୍ରହ ଏବଂ ଚାଷୀଙ୍କୁ ଯୋଗାଣ ନିମନ୍ତେ ଉପଯୋଗ କରାଯିବ। ପୂର୍ବରୁ ରାଜ୍ୟରେ କୃଷକମାନଙ୍କ ପାଇଁ ବିହନ ଓ ଉନ୍ନତମାନର ଚାରା ସଂଗ୍ରହ ଏବଂ ଯୋଗାଣ ନିମନ୍ତେ ୨୦୧୫-୧୬ ମସିହାରୁ ରାଜ୍ୟ ଯୋଜନା ମାଧ୍ୟମରେ ୧୦୦ କୋଟି ଟଙ୍କାର କର୍ପସ୍‌ ପାଣ୍ଠିର ବ୍ୟବସ୍ଥା ରହିଥିଲା। ହେଲେ ଏଥିରୁ ରାଜ୍ୟ ବିହନ ନିଗମକୁ ୬୦ କୋଟି ଟଙ୍କା ଦିଆଯାଉଥିଲା। ଅବଶିଷ୍ଟ ଟଙ୍କା ଓଡ଼ିଶା କୃଷି ଶିଳ୍ପ ନିଗମ ( ୩୦ କୋଟି) ଓ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ (୧୦ କୋଟି) ନେଉଥିଲେ। ପରବର୍ତ୍ତୀ ସମୟରେ ୨୦୧୬-୧୭ ମସିହାରୁ କୃଷି ଶିଳ୍ପ ନିଗମ ଓ କାଜୁ ଉନ୍ନୟନ ନିଗମ ବିହନ ବିକ୍ରିବଟାରୁ ଓହରି ଯାଇଥିଲେ। ବର୍ତ୍ତମାନ ମୁଖ୍ୟତଃ ବିହନ ନିଗମ ଉନ୍ନତ ମାନର ବିହନ ଓ ଚାରା ଚାଷୀଙ୍କୁ ଯୋଗାଇ ଦେଉଛି। ବିହନ ନିଗମର ବ୍ୟବସାୟିକ କାରବାର ବୃଦ୍ଧି ପାଇ ୧୭୯ କୋଟି ଟଙ୍କାରେ ପହଞ୍ଚିଛି। ଏଥିପାଇଁ ପୂର୍ବ ନିର୍ଦ୍ଧାରିତ ୬୦ କୋଟି ଟଙ୍କାର କର୍ପସ୍‌ ପାଣ୍ଠିରେ ବିହନ ଉତ୍ପାଦନ କରୁଥିବା ଚାଷୀଙ୍କୁ ଠିକ୍ ସମୟରେ ବିହନର ମୂଲ୍ୟ ପ୍ରଦାନ କରିବା ସମ୍ଭବ ହେଉ ନାହିଁ। ଏଣୁ ବିହନ ନିଗମର କର୍ପସ୍‌ ପାଣ୍ଠି ବୃଦ୍ଧି କରାଯାଇଥିବା ସରକାର କହିଛନ୍ତି।
ସେହିପରି ସାର ଯୋଗାଣ କ୍ଷେତ୍ରରେ ମଧ୍ୟ ଅନୁରୂପ ବ୍ୟବସ୍ଥା ସୃଷ୍ଟି କରାଯାଇଛି। ଓଡ଼ିଶା ରାଜ୍ୟ ସମବାୟ ବିପଣନ ମହାସଂଘ ଓ ଓଡ଼ିଶା କୃଷି ଶିଳ୍ପ ନିଗମ ମାଧ୍ୟମରେ ସାର ସଂଗ୍ରହ କରାଯାଇ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି। ଏଥି ପାଇଁ ସରକାର ୧୦୦ କୋଟି ଟଙ୍କାର କର୍ପସ୍‌ ପାଣ୍ଠିର ବ୍ୟବସ୍ଥା କରିଛନ୍ତି। ଏହି ପା‌ଣ୍ଠିକୁ ପୂର୍ବରୁ ଓଡ଼ିଶା ରାଜ୍ୟ ସମବାୟ ବିପଣନ ନିଗମ ଓ କୃଷି ଶିଳ୍ପ ନିଗମକୁ ୭୫:୩୫ ଅନୁପାତରେ ଦିଆଯାଉଥିଲା। ଏହି ଅନୁପାତ ଏବେ ୯୦:୧୦ ହେବ। ବର୍ତ୍ତମାନ ପରିପ୍ରେକ୍ଷୀରେ ଉଭୟ ସଂସ୍ଥାର ସାର ବିତରଣ ଭାଗୀଦାରିତାକୁ ବିବେଚନା କରି ପରିବର୍ତ୍ତିତ ଅନୁପାତ ସ୍ଥିର ହୋଇଛି। କ୍ୟାବିନେଟ୍‌ରେ ନିଆଯାଇଥିବା ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଲା, ସଂପ୍ରତି ପାରାଦୀପ ଓ କେନ୍ଦ୍ରାପଡ଼ାରେ ପୁଞ୍ଜି ନିବେଶ ପାଇଁ କ୍ଷେତ୍ର ପ୍ରସ୍ତୁତି ହୋଇଛି। ପାରାଦୀପରେ ପିସିପିଆଇଆର୍, ଜିନ୍ଦଲ ଭଳି ବଡ଼ ସଂସ୍ଥା ନିବେଶ ପାଇଁ ଆସୁଛନ୍ତି। ପାରାଦୀପ ସୀମାନ୍ତ କେନ୍ଦ୍ରାପଡ଼ାରେ ମିତ୍ତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ ପୁଞ୍ଜି ଖଟାଇବାକୁ ପାଗ ଭିଡ଼ିଛି। ଏଣୁ ପାରାଦୀପ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯଦିଓ ଏ ନେଇ ବଜେଟ୍ ବ୍ୟବସ୍ଥା ହୋଇଛି, ଆଜି କ୍ୟାବିନେଟ୍‌ କିନ୍ତୁ ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ପାରାଦୀପରେ ଓପିଟିସିଏଲ୍‌ ପକ୍ଷରୁ ୬୩୭.୪୫ କୋଟି ଟଙ୍କା ବ୍ୟୟ ଅଟକଳରେ ବୃହତ ବିଦ୍ୟୁତ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ କରାଯିବ। ଏହି ପ୍ରକଳ୍ପର ୩୦% ଅର୍ଥ ରାଜ୍ୟ ସରକାର ଓ ୭୦% ଅର୍ଥ ସଂପୃକ୍ତ ସଂସ୍ଥା ଅନ୍ୟାନ୍ୟ ଋଣ ପ୍ରଦାନକାରୀ ସଂସ୍ଥାରୁ ଋଣ ସଂଗ୍ରହ କରିବାର ପ୍ରସ୍ତାବ ରହିଛି। ଏହାର ନିର୍ମାଣ ଆସନ୍ତା ୩ ବର୍ଷ ମଧ୍ୟରେ କରିବାକୁ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛନ୍ତି। ଏହାଦ୍ବାରା ହରିଦାସପୁର-ପାରାଦୀପ ରେଳଲାଇନ୍‌ ସହ ସଂଶ୍ଳିଷ୍ଟ ଶିଳ୍ପ ସମୂହର ବିଦ୍ୟୁତ ଶକ୍ତି ଚାହିଦା ପୂରଣ କରିବା ସହ ରାଜ୍ୟର ବିଦ୍ୟୁତ ସଞ୍ଚାରଣ ନେଟ୍‌ୱର୍କର ସୁଦୃଢ଼ୀକରଣ ହେବ ବୋଲି ଶକ୍ତି ବିଭାଗ ଦାବି କରିଛି। ସେହିଭଳି ବାଲେଶ୍ବର ଜିଲ୍ଲାର ରେମୁଣା ତହସିଲ ଅନ୍ତର୍ଗତ ସମଲପୁର ଗ୍ରାମରେ ୧୨.୯ ଏକର ଓ ବାମପଦା ଗ୍ରାମରେ ୧୨.୯୧ ଏକର ସମୁଦାୟ ୨୫ ଏକର ସରକାରୀ ଜମିକୁ ଏମ୍‌ସ୍‌, ଭୁବନେଶ୍ବରର ସାଟେଲାଇଟ୍‌ ସେଣ୍ଟର୍‌ ପ୍ରତିଷ୍ଠା ନିମନ୍ତେ ବିନା ଦେୟ‌ରେ ପ୍ରଦାନ କରାଯିବ। କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛନ୍ତି, ଓଡ଼ିଶା ଲୋକାୟୁକ୍ତ ଅଧିନିୟମ,୨୦୧୪ରେ ଏକ ସଂଶୋଧନ କରାଯିବ। ବର୍ତ୍ତମାନର ବ୍ୟବସ୍ଥ‌ା ଅନୁଯାୟୀ ଅଧ୍ୟକ୍ଷ ଓ ସଦସ୍ୟମାନେ କାର୍ଯ୍ୟକାଳ ସରିଲା ପରେ ବାହାର ରାଜ୍ୟରେ କୌଣସି ଲୋକାୟୁକ୍ତର ଅଧ୍ୟକ୍ଷ ଓ ସଦସ୍ୟ ଭାବେ ପୁନଃନିଯୁକ୍ତି ଏବଂ ବିଧିବ୍ୟବସ୍ଥା ଅନୁଯାୟୀ ରାଜ୍ୟପାଳଙ୍କ ଦ୍ବାରା ନ୍ୟସ୍ତ କରାଯାଉଥିବା କୌଣସି ଦାୟିତ୍ବ କିମ୍ବା ନିଯୁକ୍ତି ନିମନ୍ତେ ଯୋଗ୍ୟ ହୋଇପାରିବେ ନାହିଁ। ଏହି ନିୟମର ସଂଶୋଧନ କ୍ରମେ ରାଜ୍ୟ ବାହାରେ ପୁନଃନିଯୁକ୍ତି ଉପରୁ କଟକଣା ଉଠାଇ ଦିଆଯାଇଛି। ଏହାବ୍ୟତୀତ ଓଡ଼ିଶା ଲୋକାୟୁକ୍ତଙ୍କ ୨୦୧୯ ବର୍ଷର ବାର୍ଷିକ ରିପୋର୍ଟକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ଏହି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଅଧୀନରେ ‘ଓଡ଼ିଶା ଭିନ୍ନକ୍ଷମ ପୁନର୍ବାସ ସେବା ନିୟମ,୨୦୧୧( ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର କର୍ମଚାରୀ ଚୟନ ଓ ଚାକିରି ସର୍ତ୍ତାବଳୀ’ କୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ରାଜ୍ୟର ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଏହି ନୂଆ କ୍ୟାଡର୍‌ର ଅନ୍ତର୍ଭୁକ୍ତ ହେବେ।

Share Now:

Kalinga News Beuro

Next Post

୫୩ କେଜି ଗଞ୍ଜେଇ ଜବତ ସହ ୪ ମହିଳା ବେପାରୀ ଗିରଫ

Sun Mar 7 , 2021
୨୦ ହଜାର ଟଙ୍କା, ୬ ମୋବାଇଲ ଜବତ ରାଉରକେଲା: ଗଞ୍ଜେଇ ଚୋରା ଚାଲାଣର ଚେର ଲମ୍ବିଛି ବ୍ରହ୍ମପୁରରୁ ବିହାର, ଝାଡ଼ଖଣ୍ଡ। ବସ୍‌, ଟ୍ରେନ୍‌ ଯୋଗେ ବସ୍ତା ବସ୍ତା ଗଞ୍ଜେଇ ରାଉରକେଲା ଦେଇ ଚାଲାଣ ହେଉଛି ଏସବୁ ରାଜ୍ୟକୁ। ଚୋରା ଚାଲାଣ କାରବାର ସାମିଲ ହେଉଛନ୍ତି ମହିଳା ବେପାରୀ। ଆଜି ପ୍ଲାଣ୍ଟସାଇଟ୍‌ ପୁଲିସ ଏମିତି ଏକ ଚୋରା ଚାଲାଣ ରୢାକେଟ୍‌ର ୪ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳାମାନେ ‌ହେଲେ ବିହାର […]
୫୩ କେଜି ଗଞ୍ଜେଇ ଜବତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial