ମୋ ସରକାର ମହାତ୍ମା ଗାନ୍ଧୀଙ୍କ ନୀତି ଏବଂ ଆଦର୍ଶ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ-3

ଭୁବନେଶ୍ବର: ଆଜି ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅଭିଭାଷଣ ରଖିଛନ୍ତି। ସେ କହିଛନ୍ତି, ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଓଡ଼ିଶାର ଏକ ବିଶେଷ ସ୍ଥାନ ଥିଲା। ମହାତ୍ମା ୮ ଥର ଓଡ଼ିଶା ଗସ୍ତ କରିଥିଲେ ଏବଂ ମୁଁ ଖୁସି ଯେ ବିଧାନସଭା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଶତବାର୍ଷିକୀକୁ ସ୍ମରଣ କରୁଛି। ମହାତ୍ମା ଗାନ୍ଧୀ ଓଡ଼ିଶାର ଅନେକ ସ୍ଥାନରେ ପଦଯାତ୍ରା କରିଥିଲେ, ଯାହାଫଳରେ ସେ ଓଡ଼ିଶାର ଲୋକଙ୍କ ହୃଦୟର ଅତି ନିକଟତର ହୋଇଥିଲେ। ତାଙ୍କର ଏହି ଗସ୍ତ ସ୍ୱାଧୀନତା ଆନ୍ଦୋଳନକୁ ଶକ୍ତି ଦେବା ସହିତ ବିଭିନ୍ନ ସାମାଜିକ ସମସ୍ୟା ବିଷୟରେ ଅଧିକ ସଚେତନତା ସୃଷ୍ଟି କରିଥିଲା। ୧୯୨୧ ମସିହା ମାର୍ଚ୍ଚ ୨୩ରେ ମହାତ୍ମା ଯେତେବେଳେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲେ ସେତେବେଳେ ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶ ନ ଥିଲା। ୧୯୩୬ ମସିହାରେ ଲକ୍ଷ ଲକ୍ଷ ଓଡ଼ିଆ ଭାଷାଭାଷୀ ଲୋକଙ୍କର ଆକାଂକ୍ଷା ବାସ୍ତବ ରୂପ ନେଇଥିଲା। ୧୯୪୬ ଜାନୁଆରିରେ ଗାନ୍ଧୀ ଶେଷ ଥର ପାଇଁ ଓଡ଼ିଶାକୁ ଆସିଥିଲେ, ସେତେବେଳେ ଦେଶର ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ଭାବରେ ଓଡ଼ିଶା ପ୍ରାୟ ଏକ ଦଶନ୍ଧି ପୁରୁଣା ହୋଇସାରି ଥିଲା। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ମୋ ସରକାର ମହାତ୍ମା ଗାନ୍ଧୀଙ୍କ ନୀତି ଏବଂ ଆଦର୍ଶ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଆମର ସଚିବାଳୟକୁ “ଲୋକସେବା ଭବନ” ଭାବରେ ନାମିତ କରିବା ଏହାର ଏକ ପ୍ରତୀକ ନୁହେଁ। ଏହା ଆମର ବିଶ୍ୱାସର କଥା। ବିଶ୍ୱକୁ ଗାନ୍ଧୀ ଦର୍ଶନ ଏବଂ ତାଙ୍କ ବାର୍ତ୍ତା ଭାରତର ବିଶେଷ ଅବଦାନ। ଦେଶ ଏବେ ମହାମାରୀ କରୋନାରୁ ମୁକୁଳିବାକୁ ସଂଗ୍ରାମ ଚଳାଇଛି। ତେବେ ଗାନ୍ଧୀଜୀଙ୍କ ନୀତି ଅନୁସାରେ ଯଦି ଜନସଂଖ୍ୟାର ବଡ଼ ଭାଗ ଦାରିଦ୍ର୍ୟ ତଥା ଦୁର୍ବଳତା ଭିତରେ ବସବାସ କରନ୍ତି ତେବେ ଧନ ଏବଂ ଅଭିବୃଦ୍ଧିର କୌଣସି ମୂଲ୍ୟ ନାହିଁ। ବିଶ୍ୱରେ ବିଭାଜନ ବୃଦ୍ଧି ପାଉଥିବାରୁ ମହାତ୍ମା ଗାନ୍ଧୀଙ୍କ ଅହିଂସା ଅସ୍ତ୍ର ଆଜି ପୁଣି ଜରୁରୀ ହୋଇପଡ଼ିଛି ବୋଲି ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Share Now:

Kalinga News Beuro

Next Post

ସ୍ବପ୍ନର ନଗରୀରୁ ମୋମୋ ବ୍ୟବସାୟୀ: କରୋନାରେ ସୁଚିସ୍ମିତାଙ୍କ କରୁଣ କାହାଣୀ

Wed Mar 24 , 2021
କଟକ: କ୍ୟାରିଅର୍ ଗଢିବା ପାଇଁ ନିଜ ଜନ୍ମମାଟି କଟକ ଛାଡ଼ି ୬ ବର୍ଷ ତଳେ ଚାଲି ଯାଇଥିଲେ ସ୍ବପ୍ନର ନଗରୀ ମୁମ୍ବାଇକୁ। ସେଠି ବିଭିନ୍ନ ଚ୍ୟାନେଲରେ ସହକାରୀ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ ବି କରିଥିଲେ। କିନ୍ତୁ କ୍ୟାରିଅର୍ ବ୍ୟବସ୍ଥିତ ହେଲା ବେଳକୁ କରୋନା ମାଡ଼ରେ ସବୁ ସ୍ବପ୍ନ ଚୁରମାର୍ ହୋଇଗଲା। ଜନ୍ମମାଟିକୁ ଫେରିବାକୁ ପଡିଲା। ଆଉ ସ୍ବାବଲମ୍ବୀ ହେବା ପାଇଁ ବିକଳ୍ପ ବୃତ୍ତିକୁ ଆଦରି ନେବାକୁ ପଡିଲା। କଟକ ଝାଞ୍ଜିରୀ […]
କଟକର ପ୍ରଥମ ମହିଳା ମୋମୋ ବ୍ୟବସାୟୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial