ସାପ ବିଷ ଚାଲାଣରେ ବିଦେଶୀ ଲିଙ୍କ୍: ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ସୁପାରିସ କରିବ ବନବିଭାଗ

ସାପ ବିଷ ଚାଲାଣରେ ବିଦେଶୀ ଲିଙ୍କ୍

ଭୁବନେଶ୍ୱର: ରାଜଧାନୀରୁ ପ୍ରାୟ କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ସାପ ବିଷ ଜବତ ହେବା ପରେ ଏହି କାରବାର ପଛରେ ବିଦେଶୀ ଲିଙ୍କ୍‌ ଥିବା ସନ୍ଦେହ ଘନୀଭୂତ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ ଧରି ଜେରା କଲା ବେଳେ ଏଭଳି ଲିଙ୍କ୍‌ର ସୂଚନା ପାଇଛି ବନବିଭାଗ। ଦେଶୀ ଦଲାଲଙ୍କ୍‌ ଜରିଆରେ ଏହି ବିଷ ବିଦେଶ ଚାଲାଣ ହେଉଛି। ଏହି ବିଦେଶୀ ଲିଙ୍କ୍‌କୁ ଧରି ଦେଶୀ ଦଲାଲ ସହ ବିଦେଶୀ ବେପାରୀ ପାଖରେ ପହଞ୍ଚିବା ବନ ବିଭାଗ ପାଇଁ କାଠିକର ପାଠ ହୋଇଥିବାରୁ ମାମଲାର ଅନୁସନ୍ଧାନ ଭାର କ୍ରାଇମବ୍ରାଞ୍ଚ ନେଇପାରେ। ଏ ନେଇ ବନବିଭାଗ ଖୁବଶୀଘ୍ର କ୍ରାଇମବ୍ରାଞ୍ଚକୁ ସୁପାରିସ କରିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଏହି ମାମଲାର ମାଷ୍ଟରମାଇଣ୍ଡ ସତ୍ୟ ନାରାୟଣ ଦାସ ଫେରାର ଅଛି। ସେ ଧରାପଡ଼ିଲେ ଆହୁରି ଅନେକ ତଥ୍ୟ ପଦାକୁ ଆସିବ। ଏଣୁ ତାକୁ ଧରିବା ପାଇଁ ଦୁଇଟି ସ୍ବତନ୍ତ୍ର ଦଳ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ସତ୍ୟନାରାୟଣର ଘର ବଲାଙ୍ଗୀର ହୋଇଥିବାରୁ ସିଟି ଡିଏଫ୍‌ଓ ଅଶୋକ ମିଶ୍ର ଆଜି ବଲାଙ୍ଗୀର ଡିଏଫ୍‌ଓଙ୍କୁ ଚିଠି ଲେଖି ରାକେଟ୍‌ର କିଙ୍ଗପିନ୍‌କୁ ଠାବ କରିବା ପାଇଁ ସହାୟତା ଲୋଡ଼ିଛନ୍ତି। ସତ୍ୟର ପୁଅ ସୂରଜକୁ ବନ ବିଭାଗ ଗିରଫ କରିସାରିଥିବା ବେଳେ ସେ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ସଂପର୍କରେ ରହିଥିବା ସନ୍ଦେହ କରାଯାଉଛି। ତେଣୁ ତା’ର ପରିବାର ଉପରେ କଡ଼ା ନଜର ରଖିବାକୁ ବନ ବିଭାଗ ନିର୍ଦ୍ଦେଶ ଦେଇଛି। ସେହିଭଳି ଅଧିକ ତଦନ୍ତ ପାଇଁ ଜବଲପୁର କ୍ରାଇମ କଣ୍ଟ୍ରୋଲ ବ୍ୟୁରୋକୁ ମଧ୍ୟ ଚିଠି ଲେଖାଯାଇଥିବା ଶୀ ମିଶ୍ର ସୂଚନା ଦେଇଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାର ତଦନ୍ତ କଲେ ବେପାର ପଛରେ ଥିବା କାହାଣୀ ପଦାକୁ ଆସିବ ବୋଲି କୁହାଯାଉଛି। ତେବେ ଏଯାବତ୍‌ ଯେତିକି ତଦନ୍ତ ହୋଇଛି ସେଥିରେ ଯେଉଁସବୁ ତଥ୍ୟ ଆସିଛି ତାହା ମଧ୍ୟ ସାଂଘାତିକ। ସାପ ବିଷ ସଂଗ୍ରହ ହେବା ପରେ ଦଲାଲଙ୍କ ଜରିଆରେ ରାଜ୍ୟ ବେପାରୀଙ୍କ ପାଖରେ ପହଞ୍ଚୁଥିଲା। ସେମାନେ ରାଜ୍ୟ ବେପାରୀଙ୍କ ଠାରୁ ରାଜ୍ୟ ବାହାର ଦଲାଲଙ୍କ ଜରିଆରେ ଚାଲାଣ ହେଉଥିଲା। ଗତ ଶନିବାର ଗିରଫ ହୋଇଥିବା ବାଲେଶ୍ବର ବାଲିଆର ଜୟସ୍ମିତା ନାୟକ ଜଣେ ଦଲାଲ। ତା’ ଜରିଆରେ ଏହି ଜବତ ସାପ ବିଷ କୋଲକାତା ଯାଇଥାନ୍ତା। ସେଠାରୁ ବିମାନ ଯୋଗେ ଦେଶ ବାହାରକୁ ଯାଇଥାନ୍ତା ବୋଲି ସୂଚନା ମିଳିଛି। ଅପରପକ୍ଷରେ ସିଟି ବନ ବିଭାଗ ଜବତ ସାପ ବିଷ ମାମଲାର ଆଇନଗତଃ ପ୍ରକ୍ରିୟା ମଧ୍ୟ ଶେଷ କରିଛି। ପ୍ରଧାନ ମୁଖ୍ୟ ବନସଂରକ୍ଷକ (ବନ୍ୟପ୍ରାଣୀ)ଙ୍କୁ ଚିଠି ଲେଖି ଡିଏଫ୍‌ଓ ଘଟଣାର ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି। ଜବତ ସାପ ବିଷ କୋଲକାତା, ନାସିକ ଅଥବା ବେଙ୍ଗାଲୁର ଚାଲାଣ ହେବାକୁ ଥିବାରୁ ଏଥିରେ ଏକ ଅନ୍ତଃରାଜ୍ୟ ରାକେଟ୍ କାମ କରୁଥିବା ବନ ବିଭାଗ ସନ୍ଦେହ କରୁଛି। ସତ ଧରାପଡ଼ିଲେ କେଉଁଠୁ ସାପ ବିଷ ସଂଗ୍ରହ କରାଗଲା, କେଉଁଠାକୁ ଏହା ଚାଲାଣ ହେଉଥିଲା, ରାକେଟ୍‌ରେ ଆଉ କିଏ କିଏ ସଂପୃକ୍ତ ସବୁ କିଛି ପଦାକୁ ଆସିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଗତ ଶନିବାର ସାପ ବିଷ ଚୋରା ଚାଲାଣ ମାମଲାରେ ସିଟି ଡିଭିଜନ୍‌ର ତତ୍ତ୍ବାବଧାନରେ ରାଜଧାନୀରୁ ପ୍ରାୟ ୧.୬ଲିଟରର ସାପ ବିଷ ଜବତ କରାଯିବା ସହ ଜଣେ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିଲା। ଆନ୍ତର୍ଜାତିକ ବଜାରରେ ଏହାର ମୂଲ୍ୟ ପ୍ରାୟ ୧୬କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଦେଢ଼ ଲିଟର ବିଷ ସଂଗ୍ରହ କରିବା ପାଇଁ ପ୍ରାୟ ଏକ ହଜାର ସାପଙ୍କର ଆବଶ୍ୟକତା‌ ପଡ଼ିଥାଏ। ଏଣୁ ଏତେଗୁଡ଼ା‌ଏ ସାପ ଧରି ବିଷ ସଂଗ୍ରହ କରିବା ଦୁରୂହ ବ୍ୟାପାର। ଏହି ସାପ ଓଡ଼ିଶା ଓ ସୀମାବର୍ତ୍ତୀ ଜିଲ୍ଲାରୁ ଧରାଯାଇଥିବା ବନବିଭାଗ ଆଶଙ୍କା କରୁଛି। ଅନ୍ୟପଟେ କିଏ ସାପ ଧରନ୍ତି, କେଉଁଠି ବିଷ ସଂଗ୍ରହ ହୁଏ, କେତେ ଦିନ ହେବ ଏହି ସାପ ଧରା ଓ ବିଷ ବେପାର ଚାଲିଛି, ଏ ନେଇ ବନବିଭାଗ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

Share Now:

Kalinga News Beuro

Next Post

ଶ୍ବଶୁର ଘରୁ ଚୋରି କରି ଜ୍ବାଇଁ ଗିରଫ

Thu Apr 1 , 2021
ଭୁବନେଶ୍ବର : ଶ୍ବଶୁର ଘରୁ ସୁନା ଗହଣା ଓ ଦାମୀ ବାଇକ୍ ଲୁଟ୍ କରିଥିବା ଅଭିଯୋଗରେ ଆଜି ଭରତପୁର ଥାନା ପୁଲିସ୍ ଜ୍ବାଇଁକୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ଯାଜପୁର ମଙ୍ଗଳପୁର ଅହିୟାସ୍ ଗାଁର ସେକ୍ ସାଜିଦ୍(୩୩)। ପୁଲିସ୍ ସାଜିଦ୍ ପାଖରୁ ୬ ଲକ୍ଷ ଟଙ୍କାର ଦାମୀ ବାଇକ୍, ସୁନା ଚେନ୍ ଓ ୧୦ଟି ସୁନା ମୁଦି ଜବତ କରିଛି। ମିଳିଥିବା ସୂଚନା ମୁତାବକ, ଗତ ମାର୍ଚ୍ଚ ୨୬ରେ ଭରତପୁର […]
ଶ୍ବଶୁର ଘରୁ ଚୋରି କରି ଜ୍ବାଇଁ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial