ପାଣିରେ ବୁଡ଼ିଲା ମାଲଗୋଦାମ : ୩୦ଲକ୍ଷ ଟଙ୍କାର ଅତ୍ୟାବଶ୍ୟକ ସାମଗ୍ରୀ ନଷ୍ଟ

ପାଣିରେ ବୁଡ଼ିଲା ମାଲଗୋଦାମ

କଟକ: ମଙ୍ଗଳବାର ରାତିରେ ହୋଇଥିବା ବର୍ଷାରେ ଗତକାଲି ମାଲଗୋଦାମରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ପାଖାପାଖି ତିନି ଫୁଟ ଉଚ୍ଚତାର ପାଣି ମାଲଗୋଦାମରେ ଜମି ରହିବାରୁ ବିଭିନ୍ନ ଦୋକାନ ଭିତରେ ପାଣି ପଶି ପ୍ରାୟ ୩୦ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ ଗୋଦାମରେ ନଷ୍ଟ ହୋଇଛି। ଜାମ ହୋଇଥିବା ଡ୍ରେନ ସିଏମସି ସଫା କରୁନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବଣିକ ସଂଘ ଅଭିଯୋଗ କରିଛି। ସୂଚନା ଅନୁଯାୟୀ, ବଣିକ ସଂଘ ସଭାପତି ଲକ୍ଷ୍ମୀଧର ସାହୁଙ୍କ ଗୋଦାମ ଗଳିରୁ ପାଣି ଆସି ମୁଖ୍ୟ ରାସ୍ତରେ ଥିବା ଅନନ୍ତ ଶୟନ ମନ୍ଦିର ଅତିକ୍ରମ କରି ରେଭେନ୍ସା କଲେଜ ନିକଟରେ ଥିବା ମୁଖ୍ୟ ଡ୍ରେନରେ ପଡ଼େ। ଗଲା ୩ ବର୍ଷ ହେବ ପାଣି ଜାମ ହେଉଛି। ପାଣି ଯିବାକୁ ଯେଉଁ ପାଇପ ପଡିଛି, ଏହି ପାଇପ ଜାମ ହୋଇଯାଇଛି। ବର୍ଷା ପାଣି ଯାଇ ପାରୁନଥିବାରୁ ଏହି ଗଳିରେ ଥିବା ପାଖାପାଖି ୫୦ରୁ ଅଧିକ ଗୋଦାମ ପ୍ରଭାବିତ ହୋଇଛି। ଗୋଦାମ ଭିତରେ ପାଣି ପଶିଯାଇଛି। ୨୦୧୯ରେ ଯେତେବେଳେ ଜିଲ୍ଲାପାଳ ଗୋପଦ ଅଭିଯାନରେ ମାଲଗୋଦାମ ଆସିଥିଲେ ସେତେବେଳେ ଜାମ ହୋଇଥିବା ପୋଲ ସଫା କରିବାକୁ କୁହାଯାଇଥିଲା। ୬ ମାସ ଭିତରେ କାମ ଶେଷ କରିବାକୁ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ। କିନ୍ତୁ ପୋଲ ସଫା ହେଲାନି। ୩ ଥର ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲେ ବି ଆଜି ଏଭଳି ଗୁରୁତର ସ୍ଥିତି ଉପୁଜିଛି। ସେହିଭଳି ପୁଷ୍ପାଞ୍ଜଳି ହୋଟେଲ ଗଳି ଦେଇ ମାଲଗୋଦାମର କିଛି ପାଣି ମୁଖ୍ୟ ଡ୍ରେନକୁ ଯାଉଥିଲା। ହୋଟେଲ ପାର୍ଶ୍ଵରେ ବସ୍ତି ଉଚ୍ଛେଦ ସମୟରେ ଡ୍ରେନ ଜାମ କରିଦେବାରୁ ପାଣି ଯାଇପାରୁ ନାହିଁ। ଗତକାଲି ରାତି ପ୍ରାୟ ୮ଟା ଯାଏ ମାଲଗୋଦାମରେ ପାଣି ଜମି ରହିଥିଲା। ମାଲଗୋଦାମ ବଣିକ ସଂଘର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ ଓ ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ପାତ୍ର କହିଛନ୍ତି ଯେ ଜିଲ୍ଲା ପ୍ରଶାସନକୁ ଘଟଣା ସମ୍ପର୍କରେ ୪ ଥର ଅଭିଯୋଗ କରାଯାଇଥିଲେ ସୁଦ୍ଧା କେହି ଶୁଣୁ ନାହାନ୍ତି। ବଣିକ ସଂଘ ନିଜ ଖର୍ଚ୍ଚରେ ଏବେ ବ୍ୟବସ୍ଥା କରିବାକୁ ଉଦ୍ୟମ କରିବ।

Share Now:

Kalinga News Beuro

Next Post

ଓମ୍‌ଫେଡ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା

Thu Jun 24 , 2021
ଭୁବନେଶ୍ବର : ଓମ୍‌ଫେଡ ଦୁଗ୍‌ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହି ସହାୟତାରେ ପ୍ରତି ଦୁଗ୍‌ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ। ଏଥିରେ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ରାଜ୍ୟର ୧ ଲକ୍ଷ ୨୦ ହଜାର ଦୁଗ୍‌ଧ ଚାଷୀ ଉପକୃତ ହେବେ। ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ […]
ବିଜେଡିର ମହିଳା ପଦାଧିକାରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial