ବ୍ଲକ୍‌ ସ୍ତରରେ ଆୟୋଜନ ହେବ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ମାର୍ଚ୍ଚ ୫ ତାରିଖ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଆରମ୍ଭ ହୋଇଥିବା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଆଜି ୫୦ତମ ପଞ୍ଚାୟତରେ ପହଞ୍ଚିଛି। ଆଜି କେନ୍ଦୁଝରର ମଇଦାନକେଲା ପଞ୍ଚାୟତରେ ୫୦ତମ ପଞ୍ଚାୟତ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ‘ଆମ ଗାଁ ଆମ ବିକାଶ’ ଜରିଆରେ ରାଜ୍ୟର ୫୦ଟି ପଞ୍ଚାୟତର ଲୋକମାନଙ୍କ ପାଖରେ ପହଞ୍ଚିପାରିଥିବାରୁ ଏବଂ ସେମାନଙ୍କ ସହ ଗାଁ ବିକାଶ ସମ୍ପର୍କରେ ଆଲୋଚନା କରିପାରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିଥିଲେ। ସେ କହିଥିଲେ, ବିକାଶ ପାଇଁ ଗାଁ ଲୋକଙ୍କ ଆଗ୍ରହ ଓ ଉଦ୍ୟମ ପ୍ରଶଂସନୀୟ। ବିକାଶର ଏହିପରି ଧାରା ଜାରି ରହିଲେ ଖୁବ୍‌ଶୀଘ୍ର ଗାଁଗୁଡ଼ିକର ଚିତ୍ର ବଦଳିଯିବ। ବର୍ତ୍ତମାନ ସୁଦ୍ଧା ୫୦ଟି ପଞ୍ଚାୟତ ପାଇଁ ୨୧ କୋଟି ୩୭ ଲକ୍ଷ ଟଙ୍କାର ୪୬୦ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଖୁବ୍‌ ଶୀଘ୍ର ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମକୁ ବ୍ଲକ୍‌ ସ୍ତରରେ ଆୟୋଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଆଜି କେନ୍ଦୁଝର ଜିଲ୍ଲାର ମଇଦାନକେଲା ଗ୍ରାମ ପଞ୍ଚାୟତ, ଗଞ୍ଜାମ ଜିଲ୍ଲାର ଅଳସୁଗୁମା, ବଲାଙ୍ଗୀର ଜିଲ୍ଲାର ବର୍ଥଲା ଓ ସୁନ୍ଦରଗଡ଼ ଜିଲ୍ଲାର ଭେଡ଼ାବାହାଲ ପଞ୍ଚାୟତ ପାଇଁ ୧ କୋଟି ୪୧ ଲକ୍ଷ ଟଙ୍କାର ୩୨ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରି ଦେଇଛନ୍ତି। ଏହା ମଧ୍ୟରେ ଅଛି ମଇଦାନକେଲା ପଞ୍ଚାୟତର ୩୭ ଲକ୍ଷ ଟଙ୍କାର ୧୦ଟି, ଗଞ୍ଜାମ ଜିଲ୍ଲାର ଅଳସୁଗୁମା ପଞ୍ଚାୟତର ୩୪ ଲକ୍ଷ ଟଙ୍କାରେ ୬ଟି, ବର୍ଥଲା ପଞ୍ଚାୟତର ୩୫ ଲକ୍ଷ ଟଙ୍କାରେ ୯ଟି ଏବଂ ଭେଡ଼ାବହାଲ ପଞ୍ଚାୟତର ୩୫ ଲକ୍ଷ ଟଙ୍କାରେ ୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି।

ଭିଡିଓ କନ୍‌ଫରେନ୍ସିଂ ଦ୍ୱାରା ପ୍ରଥମେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ଗ୍ରାମପଞ୍ଚାୟତଗୁଡ଼ିକର ସରପଞ୍ଚମାନଙ୍କୁ ସେମାନଙ୍କ ଗାଁର ବିକାଶ ଯୋଜନା ସମ୍ପର୍କରେ ଉପସ୍ଥାପନ କରିବା ପାଇଁ କହିଥିଲେ। ସେମାନଙ୍କଠାରୁ ପଞ୍ଚାୟତ ଭିତ୍ତିଭୂମି ବିକାଶ ପାଇଁ ଆସିଥିବା ପ୍ରସ୍ତାବଗୁଡ଼ିକୁ ବିଚାର କରି ତୁରନ୍ତ ମଞ୍ଜୁରୀ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ, ସଂପୃକ୍ତ ଅଞ୍ଚଳର ନିର୍ବାଚିତ ପ୍ରତିନିଧି, ଉନ୍ନୟନ କମିସନର୍‌, ବିଭିନ୍ନ ବିଭାଗର ସଚିବ ଏବଂ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଯୋଗ ଦେଇଥିଲେ।

Share Now:

Kalinga News Beuro

Leave a Reply

Next Post

ଜମରାରେ ବିଜୟ ମହାପାତ୍ରଙ୍କ ବୈଠକ

Thu May 10 , 2018
ନିଶ୍ଚିନ୍ତକୋଇଲି : ଲୁଣା ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳର ଜମରା ପଞ୍ଚାୟତରେ ବିଜୟ ମହାପାତ୍ର ତାଙ୍କ ସମର୍ଥକଙ୍କୁ ନେଇ ବୈଠକ କରିଛନ୍ତି। ଏଥିରେ ଅନେକ ପୁରୁଣା ବିଜେଡି କର୍ମୀଙ୍କୁ ଦେଖିବାକୁ ମିଳିଛି। ପିତାମ୍ବର ପରିଜାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଯୋଗଦେଇ ସାରା ରାଜ୍ୟରେ ଜଳ ସଂକଟକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମହାନଦୀ ଶୁଖିଲା ପଡ଼ିଛି। ବହୁସ୍ଥାନରେ ନଦୀର ମୁହାଣ ପୋତି ହୋଇଯିବା ଫଳରେ ନଦୀରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial