ଦୟାୱେଷ୍ଟ କେନାଲ ରାସ୍ତାରୁ ଜବରଦଖଲ ଉଚ୍ଛେଦ

ଦୟାୱେଷ୍ଟ କେନାଲ ରାସ୍ତାରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର: ଦୟା‌ୱେଷ୍ଟ କେନାଲର ଦକ୍ଷିଣ ପାର୍ଶ୍ବରେ ଥିବା ରାସ୍ତା ଦୁଇଥାକିଆ ହେବ। ଏଥିପାଇଁ ଆଜି ଏହି ରାସ୍ତାରୁ ଜବରଦଖଲ ହଟାଯାଇଛି। ଗାଡ଼କଣ ଏବଂ ଚକେଇସିହାଣି ମୌଜାରେ ବିଡିଏର ଏନ୍‌ଫୋର୍ସମେଣ୍ଟ ଟିମ୍‌ ୧୯ଟି ବସ୍ତି ଘର, ଦୁଇଟି ଟିଣ ଛପର ଏକ୍ସଟେନ୍‌ସନ୍‌ ଓ ଗୋଟିଏ ଗ୍ୟାରେଜ୍‌ ଭାଙ୍ଗି ଦିଆଯାଇଛି। ବସ୍ତିବାସିନ୍ଦାଙ୍କ ପ୍ରବଳ ବିରୋଧ ସତ୍ତ୍ବେ ବିଡିଏ ଏନ୍‌ଫୋର୍ସମେଣ୍ଟ ଅଫିସର୍‌ ପ୍ରମୋଦ ପାତ୍ର, ଲିଆସନ୍‌ ଅଫିସର୍‌ ଶୁଭ୍ରାଂଶୁ ଶେଖର ମହାନ୍ତି ଓ ମଞ୍ଚେଶ୍ବର ଥାନା ଏସ୍‌ଆଇଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କରାଯାଇଥିଲା। ପଦାସାହିଠାରୁ ଭୋଟପଡ଼ା ପର୍ଯ୍ୟନ୍ତ ରାସ୍ତାକଡ଼ରେ ଥିବା ଜବରଦଖଲ ଉଚ୍ଛେଦ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ବିଡିଏକୁ ଚିଠି ଲେଖାଯାଇଥିଲା। ଏହି ଆଧାରରେ ଆଜି ସମ୍ପୃକ୍ତ ରାସ୍ତାର ଅଧିକାଂଶ ଭାଗ ଉଚ୍ଛେଦ କରାଯାଇଛି। ଉଲ୍ଲେଖଯୋଗ୍ୟ, ଜୟଦେବବିହାର-ନନ୍ଦନକାନନ ରାସ୍ତାର ଟ୍ରାଫିକ୍‌ ଭିଡ଼ କମାଇବା ପାଇଁ ପୂର୍ତ୍ତ ବିଭାଗ ଓ ବିଡିଏ ମିଳିତ ଭାବେ ଏହି ରାସ୍ତାର ଦୁଇଟି ସମାନ୍ତରାଳ ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏହା ସରିବାକୁ ବିଳମ୍ବ ହେଉଥିବାରୁ ବିକଳ୍ପ ରାସ୍ତା ଭାବେ ଦୟା‌ୱେଷ୍ଟ କେନାଲର ଦକ୍ଷିଣ ପାର୍ଶ୍ବ ରାସ୍ତାକୁ ଚଉଡ଼ା କରାଯାଉଛି। ରାସ୍ତା ନିର୍ମାଣ ପାଇଁ ପ୍ରାୟ ୧୮କୋଟି ୭୩ଲକ୍ଷ ୫୨ହଜାର ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ଏଥିପାଇଁ ପୂର୍ତ୍ତ ବିଭାଗକୁ ୨୦୨୧-୨୨ ଅତିରିକ୍ତ ବଜେଟ୍‌ରୁ ଅର୍ଥ ବରାଦ କରାଯାଇଛି। ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ଅନେକ ଜବରଦଖଲ ରହିଥିବାରୁ କାମ ଆଶାନୁରୂପ ଆଗେଇ ପାରୁନାହିଁ। ସେଥିପାଇଁ ବିଡିଏ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି। ଏବେ ଏହାର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିବ ବୋଲି କୁହାଯାଇଛି। ଆଜିର ଏହି ଉଚ୍ଛେଦ ପ୍ରକ୍ରିୟାରେ ବିଡିଏର ୧, ୨ ଓ ୩ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌, ବିଏମ୍‌ସିର ଏନ୍‌ଜେଡ୍‌ ସ୍କ୍ବାଡ୍‌, ଗୋଟିଏ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ ଥିଲେ।

Share Now:

Kalinga News Beuro

Next Post

ତୃତୀୟ ଲହର ପାଇଁ ବିଏମ୍‌ସି ପ୍ରସ୍ତୁତ: କମିସନର

Sat Aug 28 , 2021
ଆଜି ରାଜଧାନୀରେ ଆଉ ୨୧୩ ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର: ଖୁବ୍‌ଶୀଘ୍ର କରୋନାର ତୃତୀୟ ଲହର ଆସିବା ନେଇ ଆକଳନ କରାଯାଉଛି। ଏଥିରେ ସର୍ବାଧିକ ଶିଶୁ ଆକ୍ରାନ୍ତ ହେବା ନେଇ କୁହାଯାଉଛି। ସେଥିପାଇଁ ସରକାରୀସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ତୃତୀୟ ଲହର ପାଇଁ ବିଏମ୍‌ସି ମଧ୍ୟ ପ୍ରସ୍ତୁତ ରହିଛି ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିସନର ସଞ୍ଜୟ ସିଂହ। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, କୋଭିଡର ତୃତୀୟ ଲହର ପାଇଁ […]
ତୃତୀୟ ଲହର ପାଇଁ ବିଏମ୍‌ସି ପ୍ରସ୍ତୁତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial